ଆମ ଭାଷା-ଆମ ପରିଚୟ

ସୌମ୍ୟା ପରିଡ଼ା

ଆମ କଲେଜ୍‌ ବେଳର କଥା। ମୋ ସାଙ୍ଗ ଜାହ୍ନବୀ ସେତେବେଳେ ଆଠଣା ଆଉ ବାରଣା ଭିତରେ ଫରକ ଜାଣିପାରୁ ନ ଥିଲା। ଏମିତି କି କଲେଜ୍‌୍‌ ଗଲାବେଳେ ଟାଉନ୍‌୍‌ ବସ୍‌ରେ ଓଡ଼ିଆରେ ଲେଖାଥିବା ବୋର୍ଡ ପଢ଼ିପାରୁ ନ ଥିଲା। କିନ୍ତୁ ସବୁଦିନ କିଛି ନା କିଛି ନୂଆ ଓଡ଼ିଆ କଥା କି ଶବ୍ଦ ଜାଣିବାକୁ ଚେଷ୍ଟା କରୁଥିଲା। ହେଲେ ସେ ସମୟରେ ବି ଅନେକେ ଏମିତି ଥିଲେ, ଯେଉଁମାନେ ଓଡ଼ିଆ ନ ଜାଣିବାଟାକୁ ନିଜର ଆଭିଜାତ୍ୟ ବୋଲି ଧରିନେଇଥିଲେ। ସେଥିପାଇଁ ସ୍କୁଲ୍‌ ପାଠପଢ଼ା ସାରି ନୂଆନୂଆ କଲେଜ ଯାଉଥିବା ପିଲା ବିଭିନ୍ନ ଗ୍ରୁପ୍‌ରେ ଭାଗ ହୋଇଯାଉଥିଲେ। ଓଡ଼ିଆ ମିଡିୟମ୍‌ ପିଲା ଅଲଗା ଆଉ ଇଂଲିଶ ମିଡିୟମ୍‌ ପିଲା ଅଲଗା। ସ୍କୁଲ୍‌୍‌ ପରେ ନୂଆନୂଆ କଲେଜ୍‌ ଗଲାବେଳେ ନୂଆ ସାଙ୍ଗଙ୍କ ମେଳରେ ଫାଏଁ ଫାଏଁ ଇଂଲିଶ କହୁଥିବା ପିଲାଙ୍କୁ ଦେଖି ମନ ଶଙ୍କି ଯାଉଥିଲା। ନିଜେ ଯେତେ ଜାଣିଥିଲେ ବି ତାଙ୍କ ଆଗରେ ନିଜକୁ ଊଣା ଲାଗୁଥିଲା। ଯହୁଁଯହୁଁ ବଡ଼ ହେଲୁ ଏହା ବୁଝିଲୁ ଯେ ଓଡ଼ିଆ ନୁହେଁ ବରଂ ଜୀବନରେ ଇଂଲିଶ୍‌ର ଗୁରୁତ୍ୱ ରହିଛି। ଆଜି ବି ରାଜ୍ୟର କେତେକ ଖବର ଓଡ଼ିଆ ଖବରକାଗଜରେ ପ୍ରକାଶ ପାଇବାର ଦିନେ ଦୁଇଦିନ ପରେ ଇଂଲିଶ କାଗଜରେ ବାହାରେ। ହେଲେ ଆମେ ଇଂଲିଶ କାଗଜକୁ ଅଧିକ ଗୁରୁତ୍ୱ ଦେଉ। ଏମିତି କି ଓଡ଼ିଆ ଭାଷା ଉପରେ ହେଉଥିବା ସଭାସମିତିରେ ବି ଅନେକେ ଇଂଲିଶରେ ଭାଷଣ ଦେଇ ନିଜକୁ ଅତି ଜ୍ଞାନୀ ଭାବନ୍ତି। ଅନେକ ଲୋକ ନିଜ ଭାଷା କୁହ, ତାକୁ ବଞ୍ଚାଅ...ଏମିତି ଅନେକ କଥା କୁହନ୍ତି। ନିଜକୁ ଭାଷାବିତ୍‌ର ପରିଚୟ ଦେଇ ଭାଷା ଆନ୍ଦୋଳନ ପାଇଁ ପ୍ଲାକାର୍ଡ ଧରି ରାଜରାସ୍ତାକୁ ଓହ୍ଲାନ୍ତି। ହେଲେ ସେମାନେ ବି ଅଧିକାଂଶ ସମୟରେ ଇଂଲିଶ କହୁଥିବା ଲୋକଙ୍କୁ ମନେମନେ ବେଶି ସମ୍ମାନ ଦିଅନ୍ତି ଓ ନିଜ ପିଲାଙ୍କୁ ଇଂଲିଶ ମାଧ୍ୟମରେ ପଢ଼ାନ୍ତି। କେବଳ ଓଡ଼ିଶା ବାହାରେ ରହୁଥିବା ଆମ ପିଲାମାନେ ନୁହନ୍ତି ବରଂ ରାଜ୍ୟ ଭିତରେ ରହୁଥିବା ପିଲାମାନେ ବି ହିନ୍ଦୀ କି ଇଂଲିଶରେ କଥା ହେବାକୁ ଅଧିକ ଗୁରୁତ୍ୱ ଦିଅନ୍ତି। ପିଲାମାନେ ଯେତେ ଭାଷା ଶିଖିବେ ସେତେ ଭଲ। ହେଲେ ନିଜ ମାତୃଭାଷାକୁ ଛାଡ଼ି ନୁହେଁ। ନିଜ ମାତୃଭାଷା ସହ ସଂସ୍କୃତ, ଇଂଲିଶ ଓ ହିନ୍ଦୀ ଶିଖିବା ଉଚିତ। ଭାଷା ହେଉଛି ଆମ ପରିଚୟ। ସାରା ଭାରତରେ ୧୬୦୦ରୁ ଅଧିକ ଭାଷା ରହିଛି। ହେଲେ ଦୁଃଖର ବିଷୟ ହେଲା ନିଜ ଭାଷା ବଞ୍ଚାଇବାର ବାହାନା କରି ଏବେ ଲୋକମାନେ ଦେଶର ବିଭିନ୍ନ ଜାଗାରେ ସ୍ବତନ୍ତ୍ର ରାଜ୍ୟ ଦାବି କରୁଛନ୍ତି। ଭାବନ୍ତୁ ତ ଯଦି ପ୍ରତି ଭାଷାକୁ ବଞ୍ଚେଇବାକୁ ଆମେ ଗୋଟାଏ ଗୋଟାଏ ରାଜ୍ୟ କରିବା, ତା’ହେଲେ ପୂରା ଦେଶ କେତେ ଖଣ୍ଡରେ ଭାଗ ହୋଇଯିବ। ଆମ ରାଜ୍ୟର ବିଭିନ୍ନ ଭାଗରେ ଅଲଗାଅଲଗା ଓଡ଼ିଆଭାଷା କୁହାଯାଏ। ଯେମିତି କି କଟକୀ ଓଡ଼ିଆ, ବାଲେଶ୍ୱରୀ ଓଡ଼ିଆ, ସମ୍ବଲପୁରୀ ଓଡ଼ିଆ, ଗଞ୍ଜାମୀ ଓଡ଼ିଆ ଆଉ କୋରାପୁଟ-ମାଲ୍‌କାନଗିରି-ନବରଙ୍ଗପୁର ଆଦିରେ ଦେଶିଆ ଓଡ଼ିଆ ଇତ୍ୟାଦି। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି। ୨୦୧୬ ସୁଦ୍ଧା ସାରା ଭାରତରେ ଓଡ଼ିଆ କହୁଥିବା ଲୋକଙ୍କ ସଂଖ୍ୟା ହେଉଛି ପାଖାପାଖି ୪ କୋଟି। ଆମ ରାଜ୍ୟର ପ୍ରାୟ ୮୦ ପ୍ରତିଶତ ଲୋକ ଓଡ଼ିଆ କୁହନ୍ତି। ୟା ଛଡ଼ା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର କିଛି ଭାଗରେ ବି ଲୋକ ଓଡ଼ିଆ କୁହନ୍ତି। ଝାଡ଼ଖଣ୍ଡର ଦ୍ବିତୀୟ ସରକାରୀ ଭାଷା ହେଉଛି ଓଡ଼ିଆ। ପୂର୍ବ ସିଂହଭୂମ୍‌, ପଶ୍ଚିମ ସିଂହଭୂମ୍‌, ଷଢ଼େଇକଳା, ସିମ୍‌ଡେଗା, ଶ୍ରୀକାକୁଲମ୍‌, ବିଜୟନଗରମ୍‌ ଆଦି ଜାଗାରେ ବି ବହୁ ଲୋକ ଓଡ଼ିଆ କୁହନ୍ତି। ଆମ ରାଜ୍ୟ ପରେ ସବୁଠୁ ଅଧିକ ଓଡ଼ିଆ ରୁହନ୍ତି ଗୁଜରାଟର ସୁରଟରେ। ତେଣୁ ସେଠି ବି ଓଡ଼ିଆ ଭାଷାର ବ୍ୟବହାର ବହୁଳ ଭାବରେ ଦେଖାଯାଏ। ଆଗରୁ କେବଳ ସାଧବ ପୁଅମାନେ ବାଣିଜ୍ୟ କରିବାକୁ ବାହାରକୁ ଯାଉଥିଲେ ତା’ନୁହେଁ ବରଂ ସେମାନେ ନିଜ ସଂସ୍କୃତି, ଭାଷା, ପରମ୍ପରାକୁ ବି ସାଥିରେ ନେଇ ଯାଉଥିଲେ। ନିଜ ଭାଷା ଥିଲା ସେମାନଙ୍କ ପରିଚୟ। ଏବେ ବି ବାଂଲାଦେଶ, ଇଣ୍ଡୋନେସିଆ ଆଦିର କିଛି ଜାଗାରେ ଲୋକ ଓଡ଼ିଆ କୁହନ୍ତି। ଆଉ ବର୍ମା, ମାଲେସିୟା, ଫିଜି, ଶ୍ରୀଲଙ୍କା ଓ ମଧ୍ୟପ୍ରାଚ୍ୟ ଦେଶରେ ବି ଓଡ଼ିଆ ଭାଷାର ପ୍ରଚଳନ ରହିଛି। ଏବେ ଓଡ଼ିଆ ଭାଷା କହୁଥିବା ଲୋକଙ୍କ ସଂଖ୍ୟା ଅନେକ। ହେଲେ ଓଡ଼ିଆ ପଢ଼ିପାରୁଥିବା ଓ ଲେଖିପାରୁଥିବା ଲୋକଙ୍କ ସଂଖ୍ୟା ସେ ତୁଳନାରେ କମ୍‌। ଓଡ଼ିଶାରେ ରହୁଥିବା ପିଲାମାନଙ୍କ ପାଖରେ ଓଡ଼ିଆ କହିବା, ପଢ଼ିବା, ଲେଖିବାର ସୁଯୋଗ ରହିଛି। କିନ୍ତୁ ଓଡ଼ିଶାରେ ରହି ଇଂଲିଶ ମାଧ୍ୟମରେ ପଢୁଥିବା ପିଲାମାନେ ଓଡ଼ିଆ ବିଷୟ ନେବାକୁ ନାରାଜ। ଅଭିଭାବକମାନେ ବି ଆଉ ଓଡ଼ିଆ ପଢ଼ାକୁ ଏତେ ଗୁରୁତ୍ୱ ଦେଉନାହାନ୍ତି। ଜଣେ ହିନ୍ଦୀ କି ଇଂଲିଶରେ ଭଲ କହିପାରେ, ଲେଖିପାରେ ମାତ୍ର ନିଜ ଭାବନାକୁ ସବୁଠୁ ଭଲରେ କେବଳ ନିଜ ମାତୃଭାଷାରେ ହିଁ କହିହୁଏ। ହେଲେ ଏସବୁ କଥା ଏବେ ବୁଝିବା ଲୋକଙ୍କ ସଂଖ୍ୟା କମିବାରେ ଲାଗିଛି। ଓଡ଼ିଶା ବାହାରେ ରହୁଥିବା ଓଡ଼ିଆଙ୍କ ଅବସ୍ଥା ଆହୁରି ଖରାପ। ପ୍ରବାସୀ ଓଡ଼ିଆଙ୍କ ପିଲାମାନେ କେବଳ ଓଡ଼ିଆ କହିପାରୁଛନ୍ତି। ଲେଖିବା କି ପଢ଼ିବା ଅଧିକାଂଶଙ୍କୁ ଜଣାନାହିଁ। ଯଦି ପିଲାମାନେ ହିନ୍ଦୀ, ଇଂଲିଶ ତା’ ସହ ପୁଣି ଫ୍ରେଞ୍ଚ୍‌, ଜର୍ମାନ୍‌ ଆଦି ଶିଖିପାରୁଛନ୍ତି ତା’ହେଲେ କ’ଣ ଓଡ଼ିଆ ଶିଖିହେବନି। ପିଲାମାନଙ୍କୁ ଆମ ନିଜ ଭାଷା ଶିଖେଇବା ଦାୟିତ୍ୱ ଆମର। ଆମେ ଯଦି ଆମ ଭାଷାକୁ ସମ୍ମାନ ନ ଦେବା, ତା’ହେଲେ ଆମ ପିଲାଏ କାହିଁକି ଦେବେ?

ମୋ- ୯୩୩୮୫୬୬୫୮୭, saumya.consultant@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri