ସୃଷ୍ଟିର ବୈଚିତ୍ର୍ୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଜୀବନ କେତେ ବିଚିତ୍ର! ଆମେ ସବୁ ଜୀବଙ୍କୁ ଉଦ୍ଭିଦ ଓ ପ୍ରାଣୀ ଭାବେ ଚିନ୍ତା କରୁଛୁ। ତେବେ ଏହା ସେତେବେଳେ ବିଶେଷ ଅର୍ଥପୂର୍ଣ୍ଣ ହେବ, ଯେତେବେଳେ ଆମେ ସମ୍ପୂର୍ଣ୍ଣ ଶାକାହାରୀ ହେବା ଏବଂ ପ୍ରାଣୀଙ୍କୁ ପୀଡ଼ା ନ ଦେବା ପାଇଁ ଦୃଢ଼ପ୍ରତିଜ୍ଞ ହେବା। ଗୋଟିଏ ପ୍ରାଣୀ ଅନ୍ୟ ପ୍ରାଣୀ ବା ଉଦ୍ଭିଦଙ୍କୁ ଖାଇ ବଞ୍ଚେ କାରଣ ଏହା ସୂର୍ଯ୍ୟକିରଣରୁ ସିଧାସଳଖ ନିଜର ଖାଦ୍ୟ ପ୍ରସ୍ତୁତ କରିପାରେ ନାହିଁ। ପ୍ରାଣୀମାନଙ୍କ ଜୀବନଚକ୍ରରେ ଗୋଟିଏ ଭ୍ରୂଣ ସ୍ତର ଅଛି। ପ୍ରାଣୀଙ୍କ କୋଷ ପ୍ରାଚୀର ଅତି ନରମ। ଅସ୍ଥିକଙ୍କାଳ ସେମାନଙ୍କୁ ବଳିଷ୍ଠ କରେ ଓ ସୁରକ୍ଷା ଦିଏ। ଉଦ୍ଭିଦ କୋଷ ସେଲ୍ୟୁଲୋଜ ବା କୋଷିକାରସରୁ ଶକ୍ତି ପାଇଥାଏ। ଏଥିରେ ଥାଏ କ୍ଲୋରୋପ୍ଲାଷ୍ଟ ଯେଉଁଥିରେ ସବୁଜକଣିକା ଥାଏ। ଏହା ଆଲୋକଶ୍ଳେଷଣ ପଦ୍ଧତିରେ ସୂର୍ଯ୍ୟାଲୋକରୁ ଶକ୍ତି ନେଇ ଉଦ୍ଭିଦ ପାଇଁ ଖାଦ୍ୟ ପ୍ରସ୍ତୁତ କରେ। ଆଲୋକଶ୍ଳେଷଣ ପଦ୍ଧତିରେ ବାୟୁମଣ୍ଡଳର ଅଙ୍ଗାରକାମ୍ଳ ବ୍ୟବହୃତ ହୁଏ ଏବଂ ଅମ୍ଳଜାନ ନିର୍ଗତ ହୁଏ। ପ୍ରାଣୀମାନେ ସେହି ଅମ୍ଳଜାନକୁ ଗ୍ରହଣ କରି ଉଦ୍ଭିଦଙ୍କ ପାଇଁ ଅଙ୍ଗାରକାମ୍ଳ ତ୍ୟାଗ କରନ୍ତି। ସେମାନେ ଉଦ୍ଭିଦ ବା ଅନ୍ୟ ପ୍ରାଣୀଙ୍କୁ ଖାଇ ଶକ୍ତି ପାଇଥାନ୍ତି। ସେମାନଙ୍କର ଗତି ଅଛି କିନ୍ତୁ ଉଦ୍ଭିଦମାନେ ଚଳତ୍‌ଶକ୍ତିହୀନ। କିନ୍ତୁ କେତେକ ଜୀବ ଅଛନ୍ତି ଯେଉଁମାନେ କିଛି ନିୟମ ମାନନ୍ତି ନାହିଁ। କେତେକ ଉଭୟ ପ୍ରାଣୀ ଓ ଉଦ୍ଭିଦ। କେତେକ ପ୍ରାଣୀ ଉଦ୍ଭିଦ ପରି ଦେଖାଯାନ୍ତି। କେତେକ ପ୍ରାଣୀ ଉଦ୍ଭିଦରେ ଏବଂ ଉଦ୍ଭିଦ ପ୍ରାଣୀରେ ରୂପାନ୍ତରିତ ହୋଇପାରନ୍ତି। ଭେନସ୍‌ ଫ୍ଲାଇଟ୍ରାପ୍‌ ଏକ ଉଦ୍ଭିଦ, ମାତ୍ର ଏହା କୀଟପତଙ୍ଗ ଖାଇ ବଞ୍ଚେ ଏବଂ ଏହାର ଅଙ୍ଗପ୍ରତ୍ୟଙ୍ଗ ଏହାର ଶିକାରଠାରୁ ଶୀଘ୍ର ଗତି କରେ। କେତେକ ପ୍ରାଣୀ ଅଛନ୍ତି, ଯେଉଁମାନେ ଗତି କରନ୍ତି ନାହିଁ ଏବଂ ଭୂମିରେ ଜୀବନସାରା ଲାଖି ରହନ୍ତି, ଯଥା- ସ୍ପଞ୍ଜ, ପ୍ରବାଳ, କଉଡ଼ି ଓ ବର୍ନାକ୍‌ଲ। ପ୍ରବାଳଗୁଡ଼ିକ ଉଦ୍ଭିଦ ନୁହନ୍ତି, ପ୍ରାଣୀ। ରଙ୍ଗବେରଙ୍ଗର ସି ଏନିମୋନ୍‌ (ସମୁଦ୍ର କୁସୁମ) ଫୁଲ ପରି ଦେଖାଯାଏ, କିନ୍ତୁ ଏହା ଏକ ପ୍ରାଣୀ। ଏହାର ପ୍ରବାଳ ଓ ଜେଲିଫିଶ୍‌ ସହ ନିକଟ ସମ୍ପର୍କ ରହିଛି। ଏହା ଜୀବନ ସାରା ସମୁଦ୍ର ତଳେ ଥିବା କୌଣସି ପଥର ଦେହରେ ବା ପ୍ରବାଳ ପ୍ରାଚୀରରେ ଲାଖି ରହିଥାଏ। ପାଖ ଦେଇ ମାଛଟିଏ ଚାଲିଗଲେ ଏହା ତା’ର ବିଷପୂର୍ଣ୍ଣ ଶୁଣ୍ଢରେ ତାକୁ ଟାଣିଆଣି ଉଦରସ୍ଥ କରେ। ୧୦୦୦ରୁ ଅଧିକ ପ୍ରଜାତିର ଏନିମୋନ୍‌ ଅଛନ୍ତି। ସେମାନଙ୍କର ଏକ ଅଠାଳିଆ ପେଡାଲ ଡିସ୍କ ବା ପାଦ, ସିଲିଣ୍ଡରାକୃତି ଶରୀର ଏବଂ ପାଟି ଚାରିପଟେ ଅନେକ ଶୁଣ୍ଢ ଅଛି। ସେମାନେ ତାଙ୍କ ଶୁଣ୍ଢ ସାହାଯ୍ୟରେ ଶିକାର ଦେହରେ ଏକ ପ୍ରକାର ବିଷାକ୍ତ ଜିନିଷ ଫୋଡ଼ି ଦିଅନ୍ତି। ଶିକାରଟି ଅଚେତ ହୋଇଗଲେ ଶୁଣ୍ଢ ସାହାଯ୍ୟରେ ଏନିମୋନ୍‌ ତାକୁ ପାଟି ଭିତରକୁ ଆଣି ଖାଏ। ସେମାନେ ଉଦ୍ଭିଦ ପରି ଦେଖାଯାଉଥିବାରୁ ଏପରି କି ଆରିଷ୍ଟଟଲ ମଧ୍ୟ ଭ୍ରମରେ ପଡ଼ି ତାଙ୍କୁ ଜୁଫାଇଟ୍‌ (ଉଭୟ ଉଦ୍ଭିଦ ଓ ପ୍ରାଣୀ) ବର୍ଗରେ ସ୍ଥାନିତ କରିଥିଲେ। ମାତ୍ର ଏନିମୋନ୍‌ ଏକ ପ୍ରାଣୀ କାରଣ ସେମାନେ ଅତି ଧୀରେ ଧୀରେ ଗତି କରିପାରନ୍ତି ଏବଂ ଅନ୍ୟ ପ୍ରାଣୀଙ୍କୁ ଖାଇ ବଞ୍ଚନ୍ତି। ସେହିପରି ସାମୁଦ୍ରିକ ସ୍ପଞ୍ଜର କଠିନ ଆବରଣ ଅଛି ଯେଉଁଥିରେ ଅସଂଖ୍ୟ କଣା ଥାଏ। ବିଭିନ୍ନ ଆକୃତି ଓ ରଙ୍ଗରେ ପ୍ରାୟ ୫୦୦୦ ପ୍ରଜାତିର ସ୍ପଞ୍ଜ ଅଛନ୍ତି। ଏହି କଣାଗୁଡ଼ିକ ଯୋଗୁ ତାଙ୍କ ଦେହ ଭିତରକୁ ପାଣି ପଶେ ଓ ପୁଣି ବାହାରିଯାଇପାରେ। ତା’ ମାଧ୍ୟମରେ ସେମାନେ ସବୁ ପ୍ରକାର ପୋଷକ ତତ୍ତ୍ୱ ପାଇଥାନ୍ତି ଏବଂ ବର୍ଜ୍ୟବସ୍ତୁ ମଧ୍ୟ ନିଷ୍କାସନ କରନ୍ତି। ସ୍ପଞ୍ଜକୁ ପ୍ରାଣୀ ବର୍ଗରେ ନିଆଯିବ କି ଉଦ୍ଭିଦ ବର୍ଗରେ ସେ ନେଇ ଦୀର୍ଘ ଦିନ ଯାଏ ବିତର୍କ ଚାଲିଥିଲା। ଶେଷକୁ ପ୍ରାଣୀବିଜ୍ଞାନୀମାନେ ତାକୁ ଏକ ସରଳ ବହୁକୋଷୀୟ ସମୁଦ୍ରତଳନିବାସୀ ପ୍ରାଣୀଭାବେ ବର୍ଗୀକରଣ କରିଛନ୍ତି। ଆଉ ଏକ ପ୍ରକାର ଅଦ୍ଭୁତ ପ୍ରାଣୀ ଅଛି ଯାହାର ନାମ ସି ଲିଲି (ସମୁଦ୍ର କଇଁ)। ଏଗୁଡ଼ିକ ଉଦ୍ଭିଦ ପରି ଦେଖାଯାଉଥିବା ପ୍ରାଣୀ। ଏବେ ଜଣାପଡ଼ିଲାଣି ଯେ ସେମାନେ ଗୁରୁଣ୍ଡିବା ପାଇଁ ତାଙ୍କର ପରବତ୍‌ ବାହୁକୁ ବ୍ୟବହାର କରନ୍ତି। ଶୈବାଳ ହେଉଛି ଏକ ଜଳଜ ଜୀବ। ସେମାନେ ଉଦ୍ଭିଦ ପରି ଦେଖାଯାନ୍ତି, ସେମାନଙ୍କର ଗତି ନାହିଁ ଏବଂ ସେମାନେ ଆଲୋକଶ୍ଳେଷଣ କରିପାରନ୍ତି। କିନ୍ତୁ ସେମାନେ ଉଦ୍ଭିଦ ନୁହନ୍ତି କାରଣ ସେମାନଙ୍କଠାରେ ପ୍ରାଣୀର ଗୁଣ ମଧ୍ୟ ରହିଛି। ବଡ଼ ବଡ଼ ଶୈବାଳକୁ ସମୁଦ୍ର ଦଳ କୁହାଯାଏ। ସେମାନଙ୍କୁ ସବୁଜ, ଲାଲ୍‌ ଓ ବାଦାମୀ ପରିବାରରେ ବିଭକ୍ତ କରାଯାଏ। ସମୁଦ୍ରରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରୁଥିବା କେଲ୍ପ (ବିରାଟ ସାମୁଦ୍ରିକ ଘାସ) ୮୦ ମିଟର ପର୍ଯ୍ୟନ୍ତ ଉଚ୍ଚ ହୋଇଥାଏ। ଏହା ହେଉଛି ଏକ ବାଦାମୀ ଶୈବାଳ। ଅନେକ ପ୍ରକାର ଏସୀୟ ଖାଦ୍ୟରେ ଏହା ଏକ ଉପାଦାନ ଭାବେ ବ୍ୟବହାର କରାଯାଏ। ଏକ ସବୁଜ ଶୈବାଳ ହେଉଛି ନୋରି ସି ଉଇଡ୍‌, ଯାହାକୁ ଜାପାନୀମାନେ ଖାଦ୍ୟକୁ ଘୋଡ଼େଇବାରେ ବ୍ୟବହାର କରନ୍ତି। କଣ୍ଡ୍ରସ୍‌ କ୍ରିସ୍ପସ୍‌କୁ ସାଧାରଣ ଭାବେ କାରାଗିନାନ୍‌ ମସ୍‌ କୁହାଯାଏ। ଏହା ହେଉଛି ଏକ ପ୍ରକାର ଲାଲ୍‌ ଶୈବାଳ, ଯାହାକୁ ସାଲାଡ୍‌ ଡ୍ରେସିଂ ଓ ସସ୍‌, ଡାଏଟ୍‌ ଫୁଡ୍‌, ମାଂସ ଓ ମାଛରୁ ପ୍ରସ୍ତୁତ ଖାଦ୍ୟ, ଦୁଗ୍ଧଜାତ ଖାଦ୍ୟ, ସେକା ଖାଦ୍ୟ ପ୍ରଭୃତିରେ ବ୍ୟବହାର କରାଯାଏ। ପର୍‌ଫିରା ହେଉଛି ଏକ ଲାଲ୍‌ ଶୈବାଳ, ଯାହା ସୁପ୍‌, ସୁସି ବା ରାଇସ୍‌ ବଲ୍‌ରେ ବ୍ୟବହୃତ ହୁଏ। ଦାନ୍ତଘଷା ପେଷ୍ଟ୍‌, ପ୍ରସାଧନ ସାମଗ୍ରୀ ଓ ରଙ୍ଗରେ ସିଉଇଡ୍‌ ବ୍ୟବହୃତ ହୁଏ। ଛତୁକୁ ସାଧାରଣତଃ ଏକ ପରିବା ଭାବେ ଗଣାଯାଏ। ମାତ୍ର ଛତୁ ବା କବକ ହେଉଛି (ଇଷ୍ଟ ଓ ଫିମ୍ପି ଯାହାର ଅନ୍ତର୍ଗତ) ପ୍ରକୃତରେ ଉଦ୍ଭିଦ ଅପେକ୍ଷା ପ୍ରାଣୀର ଅଧିକ ନିକଟତର। ଉଦ୍ଭିଦ ପରି ସେମାନେ ଗତି କରନ୍ତି ନାହିଁ, ମାତ୍ର ପ୍ରାଣୀ ପରି ସେମାନେ ଆଲୋକଶ୍ଳେଷଣ କରନ୍ତି ନାହିଁ। ପୁଣି ସେମାନଙ୍କ ଶକ୍ତିର ଉତ୍ସ ହେଉଛି ଅନ୍ୟ ପ୍ରାଣୀ। ସେମାନେ ଅନ୍ୟ ପ୍ରାଣୀଙ୍କୁ ଶିକାର କରିବା ବଦଳରେ ସେମାନଙ୍କ ଉପରେ (ମାଟି, ଗଛ, ମଣିଷର ପାଦ) ବଢ଼ନ୍ତି ବା ମଲା ପ୍ରାଣୀ ବା ଉଦ୍ଭିଦ (ମଲା ଗଛର ବଳ୍କଳ, ମଲା ପ୍ରାଣୀ, ପାଉଁରୁଟି ବା ପାଳ ଇତ୍ୟାଦି) ଉପରେ ବଢ଼ନ୍ତି। ତେଣୁ ଛତୁକୁ ଆମିଷ ଭାବେ ଅନେକେ ଗ୍ରହଣ କରନ୍ତି। ପାଉଁରୁଟି ଓ ମଦରେ ଇଷ୍ଟ ବ୍ୟବହୃତ ହୁଏ। ୨୦୧୨ ମସିହାରେ ବୈଜ୍ଞାନିକମାନେ ପ୍ରକୃତିର ଆଉ ଏକ ବୈଚିତ୍ର୍ୟ ସଂସ୍ପର୍ଶରେ ଆସିଥିଲେ। ଏହା ହେଉଛି ସମୁଦ୍ର ତଳେ ବାସ କରୁଥିବା ଏକ ଅଦ୍ଭୁତ ସବୁଜ ପ୍ରାଣୀ ଯାହାର ନାମ ମେସୋଡିନିୟମ୍‌। ଏହା ପ୍ରକୃତରେ ପ୍ରାଣୀ ନୁହେଁ କି ଉଦ୍ଭିଦ ନୁହେଁ। ଏହା ଅଡ଼ୁଆ ପଶମ ବଲ୍‌ ପରି ଦେଖାଯାଏ। ଏହାର ଶହ ଶହ ଛୋଟ କେଶ ସାହାଯ୍ୟରେ ଏହା ପାଣି ଭିତରେ ଦ୍ରୁତ ଗତିରେ ଯାଇ ଉଦ୍ଭିଦକୁ ଖୋଜି ଖାଏ। ତା’ପରେ ଏହା ଉଦ୍ଭିଦରେ ପରିଣତ ହୋଇଯାଏ। ସତରେ ଈଶ୍ୱରଙ୍କ ସୃଷ୍ଟି ବଡ଼ ବିଚିତ୍ର। ଏବେ ଛତୁକୁ ଉଦ୍ଭିଦ ନୁହେଁ ବୋଲି ଜାଣିବା ପରେ ମୁଁ କ’ଣ କେବେ ଛତୁ ଖାଇବି? କେବେ ନୁହେଁ।

Email: gandhim@nic.in



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri