ସୁଯୋଗ ଓ ଅଭିପ୍ରାୟ

ଡ. ବାସୁଦେବ ମିଶ୍ର

ସଂସାରରେ ନିଜ ଜୀବନକୁ ଇଚ୍ଛାମୁତାବକ ବଞ୍ଚତ୍ବା ପାଇଁ ଖୁବ୍‌ କମ୍‌ ଲୋକ ସୁଯୋଗ ପାଆନ୍ତି। ଶାରୀରିକ, ମାନସିକ, ଆର୍ଥତ୍କ, ସାମାଜିକ ଏମିତି ଅନେକ ଦୃଷ୍ଟିକୋଣରୁ ଏହି ଅପୂର୍ଣ୍ଣତାକୁ ଅନୁଭବ କରେ ମଣିଷ। କେତେକେ ସେଥିପାଇଁ ନିଜ ଭାଗ୍ୟକୁ ଦୋଷ ଦେଉଥିବାବେଳେ ଅନ୍ୟ କେହି ନିଜ କର୍ମକୁ ଦୋଷ ଦିଅନ୍ତି। ତେବେ ଯେଉଁମାନେ ଏହି ସୁଯୋଗ ପୂର୍ଣ୍ଣତଃ ଅଥବା ଆଂଶିକ ପ୍ରାପ୍ତ ହୁଅନ୍ତି, ସେମାନେ ନିଜକୁ ଧନ୍ୟ ମନେକରନ୍ତି ନିଶ୍ଚୟ। ଭଲ ପାଠ ପଢୁତ୍ଥିବା, ଉତ୍ତମ ଚରିତ୍ରର ପିଲାଟି ପାଇଁ ସୁଯୋଗ ଏକାଧିକବାର ଆସିଥାଏ। କାରଣ ହେଲା ତା’ର ସେଥିପାଇଁ ଯୋଗ୍ୟତା ଅଛି। ତେବେ ଭଲ ଚାକିରିଟିଏ ପାଇବା ପରେ ଯଦି ତାକୁ ମୁକ୍ତଭାବେ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଦିଆ ନ ଯାଏ, ତେବେ ସେପରି ସୁଯୋଗ ନିଶ୍ଚିତରୂପେ ମୂଲ୍ୟହୀନ ହୋଇଯାଏ। ଠିକ୍‌ ସେମିତି ମନେ କରାଯାଉ ପିଲାଟି ଭଲ ପଢେ, ବର୍ଷସାରା ଖୁବ୍‌ ପରିଶ୍ରମ କରି ପାଠକୁ ଆୟତ୍ତ କରି ବର୍ଷ ଶେଷରେ ପରୀକ୍ଷା ଦେବାକୁ ଯାଇ ଦେଖିଲା, ସେଠାରେ ପରୀକ୍ଷା ଦେବାର ଉପଯୁକ୍ତ ବାତାବରଣ ନାହିଁ। ଏମିତି ଅନେକ କ୍ଷେତ୍ରରେ ଦେଖାଯାଏ ସୁଯୋଗ ସେଇମାନଙ୍କ ପାଖରେ ଖୁନ୍ଦି ହୋଇଥାଏ ଯେଉଁମାନେ ବସ୍ତୁତଃ ସେଥିପାଇଁ ଯୋଗ୍ୟ ନୁହନ୍ତି। ଯୋଗ୍ୟତାସମ୍ପନ୍ନ ବ୍ୟକ୍ତିଟିଏ ସେବାକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀରେ ସ୍ଥାନିତ ହେଲେ ତାହା ସମାଜ ପାଇଁ ମଙ୍ଗଳକର ହୋଇଥାଏ। କିନ୍ତୁ ଆମ ଦେଶରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଅଯୋଗ୍ୟ ବ୍ୟକ୍ତିମାନଙ୍କ ଦ୍ୱାରା ଅଧିକୃତ ବୋଲି ଆମେ ଜାଣୁ। ଏହି ଯୋଗ୍ୟତା କେବଳ ପାଠପଢି ଡିଗ୍ରୀ ହାସଲ କରିବାରେ ନ ଥାଏ। ପାଠ ପଢି ବିଷୟଗତ ଜ୍ଞାନ ଅର୍ଜନ ସହିତ ଯୋଗ୍ୟତାର ଅନ୍ୟ ବିଷୟଗୁଡିକ ହୋଇପାରେ ବିନୟମିଶ୍ରିତ ବ୍ୟବହାର, ସଚ୍ଚୋଟତା, ସେବାପ୍ରାଣତା, ନିରହଙ୍କାରତା ଇତ୍ୟାଦି। ଭଲ ପାଠ ପଢୁଥିବା ପିଲାଟି ସ୍କୁଲ କଲେଜରେ ଭଲ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ପରିବାରଠାରୁ ଆରମ୍ଭ କରି ଗାଁ, ଦେଶର ଲୋକେ ମଧ୍ୟ ଖୁସି ହୁଅନ୍ତି। ସମୟକ୍ରମେ ସେବା କରିବା ନିମିତ୍ତ ଉଚ୍ଚ ପଦବୀଯୁକ୍ତ ଚାକିରିର ସୁଯୋଗଟିଏ ମଧ୍ୟ ପାଏ ସେ। ହେଲେ କେତେକ କ୍ଷେତ୍ରରେ ସେହି ଖୁସି ବେଶି ଦିନ ରହେନାହିଁ। ସେହି ପିଲା କ୍ଷମତା ଲୋଭରେ ଅନ୍ଧହୋଇ ବା ଅର୍ଥଲୋଭରେ ପଡି ଅନ୍ୟାୟ ଅନୀତିର ଆଶ୍ରୟ ନିଏ। ସାଧାରଣ ଲୋକଙ୍କୁ ଧୋକାଦେଇ ଦେଶର ସମ୍ପତ୍ତିକୁ ନିଜର କରିବାକୁ ଚେଷ୍ଟା କରେ। ସେମାନଙ୍କଠାରୁ ଲାଞ୍ଚ ନିଏ। ମିଛ କହି ଲୋକଙ୍କୁ ଠକେ। ଶେଷରେ ଧରାପଡି ମାମଲାରେ ଛନ୍ଦିହୁଏ। ଜେଲ ଯାଏ। ଯେଉଁ ପରିବାର ଗାଁ ଗଣ୍ଡାର ଲୋକେ ତା’ର ଭଲ ପଢିବାରେ, ପରୀକ୍ଷାରେ ଭଲ ନମ୍ବର ରଖିବାରେ, ଉଚ୍ଚ ପଦପଦବୀ ପାଇବାରେ ଦିନେ ଖୁସିହୋଇ ନାଚୁଥିଲେ, ସେମାନେ ଲଜ୍ଜାରେ ନତମସ୍ତକ ହୁଅନ୍ତି। ଦୁଃଖରେ ଭାଙ୍ଗିପଡନ୍ତି। ହାତପାହାନ୍ତାରେ ଆସିଥିବା ସୁଯୋଗକୁ ଈଶ୍ୱରଙ୍କ ଆଶୀର୍ବାଦ ବୋଲି ମନେକରି ନିଜର କର୍ତ୍ତବ୍ୟ ସମ୍ପାଦନ କଲେ ତାହା ବ୍ୟକ୍ତି, ପରିବାର ତଥା ଜାତିପ୍ରତି ଆଶୀର୍ବାଦ ରୂପେ କାର୍ଯ୍ୟ କରିଥାଏ। ସୁଯୋଗକୁ ନିଜର ପାରିବାପଣିଆ ବୋଲି ମନେକରି କାର୍ଯ୍ୟ କରିବାକୁ ଗଲେ ତା’ ସହିତ ଅଭିପ୍ରାୟଟିଏ ଯୋଡି ହୋଇଯାଏ। ଚାକିରି ଆରମ୍ଭରୁ ବଡ ସହରରେ ଜମି ସାଙ୍ଗକୁ କୋଠାବାଡି, ଦାମୀ କାର୍‌, ବ୍ୟାଙ୍କ ବାଲାନ୍ସ ଇତ୍ୟାଦି ହାତେଇବାର ଖସଡାଟିଏ ପ୍ରସ୍ତୁତ ହୋଇଯାଏ ମନରେ। ସେପରି ଉଦ୍ଦେଶ୍ୟ ରଖି ବାଟ ଚାଲୁଚାଲୁ କେବେ ବିଧି ବାମ ହେଲା ତ ହାତକଡା ପଡି ଜେଲକୁ ଯିବା ନିଶ୍ଚିତ ହୋଇଯାଏ। ସେଦିନ ଜଣେ ବରିଷ୍ଠ ଅଫିସ ସହଯୋଗୀ ଭାବେ ସଦ୍ୟ ଚାକିରିରୁ ଅବସର ନେଇଥିବା ଜଣେ ସମ୍ପର୍କୀୟ ବଡଭାଇଙ୍କ ସହିତ ସାକ୍ଷାତ ହେବାପରେ କଥାପ୍ରସଙ୍ଗରେ ସେ ଯାହା କହିଲେ ତାହାର ସାରାଂଶ ହେଲା- ଚାକିରିରେ ଥିବାବେଳେ ନିଜ ଦରମା ବ୍ୟତୀତ ତା’ର ବହୁଗୁଣ ଅର୍ଥ ତାଙ୍କ ପକେଟକୁ ଆସୁଥିଲା ଭିନ୍ନ ବାଟରେ। ଅବଶ୍ୟ ନିଜକୁ କଳୁଷିତ କରି, ନିଜ ସଚ୍ଚୋଟତାକୁ ବଳିଦେଇ, ନିରୀହ ଜନତାଙ୍କର ସ୍ବାର୍ଥକୁ ନଷ୍ଟ କରି। ତେବେ ଜଣେ ଉଚ୍ଚପଦସ୍ଥ ଅଫିସରଙ୍କ ପକ୍ଷରେ ଏହା ତାଙ୍କ ଦରମାର କେତେଗୁଣ ହେଉଥିବ, ତାହା ଅନୁମାନ କରିବା କଷ୍ଟକର। ଏମାନଙ୍କର ରୋଜଗାର ଏତେ ବେଶୀ ହୁଏ ଯେ ନିଜ ନାଆଁରେ ଖୋଲାଯାଇଥିବା ବ୍ୟାଙ୍କ ଆକାଉଣ୍ଟ ଭର୍ତ୍ତିହୋଇଯାଏ ଅକାତରରେ। ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଭର୍ତ୍ତି ହେବାପରେ ନିଜ ସ୍ତ୍ରୀପିଲାଙ୍କ ଆକାଉଣ୍ଟ ଖୋଲାଯାଏ, ସେଗୁଡିକ ଭର୍ତ୍ତିହେବା ପରେ ଶ୍ୱଶୁରଘର ଲୋକଙ୍କ ନାଆଁରେ ଖୋଲାହୁଏ ଆକାଉଣ୍ଟ। ତାଙ୍କ ନାଆଁରେ ଜମି କିଣାହୁଏ, ଦାମୀ ଗାଡି କିଣାହୁଏ, ସହରରେ ଦାମୀ ପ୍ଲଟ୍‌ କିଣାହୁଏ, ସେଇଠି ବହୁତଳ ପ୍ରାସାଦ ଗଢାହୁଏ, ଏମିତି ଅନେକ। ଲୋକଲୋଚନକୁ ଆସେ କଥା। କୋଟିପତି କିରାଣୀ, କୋଟିପତି ଅଫିସର ଶିରୋନାମାରେ ସମ୍ବାଦ ପ୍ରକାଶ ପାଏ। ସେମାନଙ୍କ ଘରେ ରେଡ୍‌ ହୋଇଥିବାର ଖବରରେ ଝଲସିଉଠେ ଖବରକାଗଜର ପୃଷ୍ଠା, ଟେଲିଭିଜନର ପରଦା। ପୋଲିସ ଗାଡିରେ ବସି ଜେଲକୁ ଯାଉଥିବାବେଳେ, ଲାଜରେ ଅନ୍ୟମାନଙ୍କୁ ନିଜ ମୁହଁ ଦେଖାଇପାରନ୍ତି ନାହିଁ ସେମାନେ। ଢାଙ୍କି ଦିଅନ୍ତି ଗାମୁଛାରେ। କି ଜୀବନ ଇଏ ? ଜୀବନ ନା ଜୀବନ ଥାଉଥାଉ ମୃତ୍ୟୁ! ଆମ ଉପନିଷଦରେ ଦାନ ସମ୍ପର୍କରେ କୁହାଯାଇଛି- ଶ୍ରଦ୍ଧୟା ଦେୟମ୍‌, ଅଶ୍ରଦ୍ଧୟା ଅଦେୟମ୍‌, ଭିୟା ଦେୟମ୍‌, ହ୍ରିୟା ଦେୟମ୍‌, ସମ୍ବିଦା ଦେୟମ୍‌। ଅର୍ଥାତ୍‌ ଅନ୍ୟକୁ କିଛି ଦେବା ସମୟରେ ମନରେ ଶ୍ରଦ୍ଧା, ଭୟ, ଲଜ୍ଜା ଏବଂ ଚେତନା ରହିବା ଉଚିତ। ଈଶ୍ୱରଙ୍କର ଅପାର କୃପାରୁ ମୁଁ ଦାନ କରିବାର ସୁଯୋଗ ପ୍ରାପ୍ତ ହୋଇଛି। ଏହା ମୋର ପରମ ଭାଗ୍ୟ। ଏହି ସୁଯୋଗର ସଦ୍‌ବିନିଯୋଗ କରି ନ ପାରିଲେ ଏହା ମୋଠାରୁ ପ୍ରତ୍ୟାହାର କରି ନିଆଯାଇପାରେ। ସେହିପରି ସମାଜକୁ ସେବା ପ୍ରଦାନ କରିବା ସମୟରେ ମନରେ ଏହି ଭାବନା ଜାଗ୍ରତ ହେଲେ ସୁଯୋଗର ସଦ୍‌ବିନିଯୋଗ କରିବା ପାଇଁ ମନରେ ଆଗ୍ରହ ସୃଷ୍ଟିହୁଏ। ସୁଯୋଗକୁ ଈଶ୍ୱରଙ୍କର ବରଦାନ ବୋଲି ନ ଭାବି ଧନାଗମର ମାଧ୍ୟମ ବୋଲି ମାନିନେଲେ ମନରେ ଅଯଥା ଅଭିପ୍ରାୟଗୁଡିଏ ଭିଡ ଜମାନ୍ତି। ସାରା ଜୀବନ ବ୍ୟସ୍ତରହି ସେହି ଅଭିପ୍ରାୟଗୁଡିକୁ ପୂରଣ କରିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ସେଗୁଡିକ ସେମିତି ଅପୂରିତ ହୋଇ ରହିଥାଏ।

ମୋ- ୯୪୩୮୩୨୮୭୫୫



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri