ବିଶ୍ୱ ଜୀବନର ଶିଳ୍ପୀ

ଡ. ପ୍ରଫୁଲ୍ଲ କୁମାର ସାହୁ

ଓଡ଼ିଆ ଯାତ୍ରା ସାହିତ୍ୟର ବିକାଶ କ୍ରମରେ ଯେଉଁମାନେ ବତିଖୁଣ୍ଟ ପରି ଓଡ଼ିଶାର ଜନଜୀବନକୁ ଆଲୋକିତ କରିଛନ୍ତି, ସେମାନଙ୍କ ମଧ୍ୟରେ ଗଣକବି ବୈଷ୍ଣବ ପାଣି ଅଗ୍ରଗଣ୍ୟ। କଟକ ଜିଲା ମାହାଙ୍ଗା ଥାନାର କୋଠପଦା ଗ୍ରାମରେ ୧୮୮୨ ମସିହା କୁମାରପୂର୍ଣ୍ଣିମା ରାତିରେ ଜନ୍ମଗ୍ରହଣ କରିଥିବା ଗଣକବି ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ଅଭିନୟ, ଓସ୍ତାଦି, ଗୀତ ରଚନା, ନାଟ୍ୟ ରଚନା, ସଙ୍ଗୀତ ସଂଯୋଜନା ଆଦି ନାଟ୍ୟକଳାର ପ୍ରତ୍ୟେକ ବିଭାଗରେ ଥିଲା ତାଙ୍କର ସଶ୍ରଦ୍ଧ ପ୍ରବେଶ। ସବୁଠି ପୁଣି ସିଦ୍ଧିର ସ୍ବାକ୍ଷର। ଏ ସଫଳତା ତାଙ୍କୁ ମିଳିଛି ବିନା ଗୁରୁରେ। କାରଣ ପାଣି ଥିଲେ ନିଜେ ନିଜର ଆଦର୍ଶ। ଜଣେ ମୌଳିକ ଯାତ୍ରାକାର। ଦାରିଦ୍ର୍ୟ ତାଙ୍କୁ ଉଚ୍ଚଶିକ୍ଷା ଲାଭରୁ ବଞ୍ଚତ୍ତ କରିଥିଲା ସତ, ମାତ୍ର ତାଙ୍କ ହାତରୁ ଛଡେଇ ନେଇପାରି ନ ଥିଲା କଲମ। ମାହାଙ୍ଗା ନିକଟସ୍ଥ କଅଁରପୁର ଗ୍ରାମରେ ପ୍ରତିଷ୍ଠିତ ଦେବତା ବିନୋଦବିହାରୀଙ୍କ ଆଶୀର୍ବାଦ ତଥା ସ୍ବୀୟ ସାଧନା ବଳରେ ମାତ୍ର ୨୧ ବର୍ଷ ବୟସରେ ତାଙ୍କ କଲମରୁ ଜନ୍ମ ନେଇଥିଲା ପ୍ରଥମ ଗୀତିନାଟ୍ୟ ‘ମେଘନାଦ ବଧ’। ଏହା ତାଙ୍କୁ ଏତେ ସଫଳତା ଆଣିଦେଲା ଯେ ଆଉ ପଛକୁ ଫେରି ଚାହିଁବା ପାଇଁ ମିଳିଲାନି ଅବସର। ତାଙ୍କ ଅଜସ୍ରସ୍ରାବୀ ଲେଖନୀରୁ ଆମତ୍ପ୍ରକାଶ କଲା ‘ରଙ୍ଗସଭା’, ‘ନଳଦମୟନ୍ତୀ’, ‘ଧ୍ରୁବଚରିତ’, ‘ଦାନବୀର ହରିଶ୍ଚନ୍ଦ୍ର’, ‘ଦକ୍ଷଯଜ୍ଞ’, ‘ରାବଣବଧ’, ‘କୀଚକବଧ’, ‘କପଟପାଶା’, ‘ଶ୍ରୀୟା ଚଣ୍ଡାଳୁଣୀ’, ‘ଭକ୍ତ ସୁଦାମା’ ଓ ‘ବସନ୍ତରାସ’ ଆଦି ଶତାଧିକ କାଳଜୟୀ ଗୀତିନାଟ୍ୟ। ତାଙ୍କ ଯାତ୍ରାର ଲୋକପ୍ରିୟତା ସମ୍ପର୍କରେ ଜଣେ ଆଲୋଚକ ଲେଖିଛନ୍ତି, ଯେଉଁଠି ବୈଷ୍ଣବ ପାଣି ଗୀତିନାଟ୍ୟ ପରିବେଷଣ କରନ୍ତି ସେଠାରେ ଯେଭଳି ଜନସମାଗମ ହୁଏ ତାହା ବର୍ଣ୍ଣନାତୀତ। ରାତ୍ରି କାଳରେ ଜନଶୂନ୍ୟ ହୋଇଯାଏ ସାହିବସ୍ତି। ଫଳରେ ସେଠାରେ ବୃଦ୍ଧି ପାଏ ଚୋରି ଡକାୟତି ଆଦି ଅସାମାଜିକ କାର୍ଯ୍ୟ। କଟକ ସହରରେ ଏଭଳି ଅବସ୍ଥା ଉପୁଜିବାରୁ ସହରରେ ପାଣିଙ୍କ ଯାତ୍ରା ପରିବେଷଣ ଉପରେ କଟକଣା ଜାରି କରିଥିଲେ ତତ୍କାଳୀନ ପୋଲିସ ଅଧିକାରୀ ଶ୍ରୀକୃଷ୍ଣ ମହାପାତ୍ର। ପାଶ୍ଚାତ୍ୟ ପ୍ରଭାବରେ ଓଡ଼ିଆ ନାଟକ ଯେତେବେଳେ ବିଲୁପ୍ତପ୍ରାୟ, ଠିକ୍‌ ସେତିକିବେଳେ ନିଜ ଅସାଧାରଣ ପ୍ରତିଭାର ଯାଦୁକରୀ ସ୍ପର୍ଶରେ ପ୍ରଚଳିତ ଭାବ, ଭାଷା ଓ ଶୈଳୀକୁ ମାର୍ଜିତ କରି ସେ ଯାତ୍ରା ସାହିତ୍ୟକୁ ଦେଲେ ନୂଆ ଦିଗନ୍ତ। ଗୀତିନାଟ୍ୟକୁ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟରେ ସେ ହିଁ ପ୍ରଥମେ ସଙ୍ଗୀତ ସହିତ ସଂଯୋଜିତ କଲେ ଗଦ୍ୟସଂଳାପ। ଆଜି ଭଳି ସେତେବେଳେ ନ ଥିଲା ମୁକ୍ତ ରଙ୍ଗମଞ୍ଚରେ ବିଜୁଳି ଆଲୁଅର ମଞ୍ଚମାୟା। ସାମାନ୍ୟ ବାଦ୍ୟଯନ୍ତ୍ରକୁ ସମ୍ବଳକରି ପରିବେଷିତ ହେଉଥିଲା ଯାତ୍ରା। ମାତ୍ର ଗଣକବିଙ୍କୁ ଜଣାଥିଲା ସଙ୍ଗୀତ ଓ ସଂଳାପ ମାଧ୍ୟମରେ ବିଶାଳ ଜନଅରଣ୍ୟକୁ ଆକୃଷ୍ଟ କରିବାର କଳା। ସେ ଜନତାର ରସ ପିପାସାକୁ ବୁଝିଥିଲେ ଏବଂ ତା’ର ବୋଧଶକ୍ତିକୁ ସ୍ପର୍ଶ କଲାଭଳି ଚରିତ୍ର ଓ ପରିବେଶ ନିର୍ମାଣ କରି ଦର୍ଶକର ମନରେ ସୃଷ୍ଟିକରି ପାରିଥିଲେ ଉନ୍ମାଦନାଭରା ଶିହରଣ। ତେଣୁ ଶବ୍ଦଚୟନ ଓ ସ୍ବରଲାଳିତ୍ୟ ଗଣକବିଙ୍କ ସଙ୍ଗୀତରେ ସୃଷ୍ଟି କରିଛି ଅପୂର୍ବ ମାୟା। ଏହାକୁ ଆହୁରି ବର୍ଣ୍ଣାଢ୍ୟ କରିଛି ଯମକ ଓ ଅନୁପ୍ରାସ ପ୍ରୟୋଗ। ପାଣିଙ୍କ ଲେଖନୀଚାଳନା ପରେ ବଦଳିଗଲା ଓଡ଼ିଆ ଯାତ୍ରାର ରୂପରେଖ। ଦର୍ଶକଙ୍କୁ ଆମୋଦିତ, ଆଲୋଡିତ ଓ ଆହ୍ଲାଦିତ କଲା ବାକ୍ୟ ବିନ୍ୟାସର ବ୍ୟଞ୍ଜନା ଓ ହାସ୍ୟର ଆକ୍ରମଣକାରୀ ରୂପ। ପାଣିକବି ଥିଲେ ଓଡ଼ିଆ ଜାତି ଓ ଯାତ୍ରାର ଧର୍ମପଦ। ଆଶା ଓ ଆନନ୍ଦର ବିଶ୍ୱାସବୋଧ ତଥା ସତ୍ୟ ଓ ନ୍ୟାୟର ମୂଲ୍ୟବୋଧକୁ ଉପଲବ୍‌ଧି କରି ତା’ର ନାନ୍ଦନିକ ନିର୍ଯ୍ୟାସକୁ ସେ ପରଷିଛନ୍ତି କଳାର ପାଟବରେ। କଳାକୁ ଜୀବନ ସହିତ ମିଶେଇଦେବାରେ ସେ ଜଣେ ସାର୍ଥକ ଶିଳ୍ପୀ। ଗଣ ଜୀବନାଦର୍ଶର ପ୍ରତିଫଳନ ହିଁ ତାଙ୍କ ସାହିତ୍ୟର ମୂଳକଥା। ପାଣିକବି ଥିଲେ ଅହିଂସାର ପୂଜାରୀ ଗାନ୍ଧିଜୀଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ଗାନ୍ଧିଜୀଙ୍କ ଆଦର୍ଶ ଓ ଆହ୍ବାନକୁ ଖୋଲାଖୋଲି ଭାବେ ପ୍ରଚାରକରି ସ୍ବାଧୀନତା ପାଇଁ ସୃଷ୍ଟି କରିଛନ୍ତି ଜନଜାଗରଣ। ତାଙ୍କ ‘ଭାରତମାତାର ଶୋକ’, ‘ଗାନ୍ଧୀ ଭାଗବତ’, ‘ମୂଲିଆ ପୁଅ’, ‘ଶ୍ରୀମନ୍ଦିରରେ ହରିଜନ ପ୍ରବେଶ’ ଆଦି ରଚନାରେ ରହିଛି ଜାତୀୟତାବାଦୀ ଭାବନାର ଉଦାତ୍ତ ଉଚ୍ଚାରଣ। ସଙ୍ଗୀତ ମାଧ୍ୟମରେ ଚଟୁଳ ହାସ୍ୟରସ ପରିବେଷଣ ହେଉଛି ପାଣି ସାହିତ୍ୟର ଅନ୍ୟତମ ଚମକତ୍ାରିତା। କେବଳ ମନୋରଞ୍ଜନ ବା ଲଘୁ ପରିବେଶ ସୃଷ୍ଟି ତାଙ୍କ ହାସ୍ୟରସ ପରିବେଷଣର ଲକ୍ଷ୍ୟ ନୁହେଁ। ଶାଣିତ କଟୂକ୍ତିଭରା ହାସ୍ୟରସ ତାଙ୍କର ସମ୍ପୂର୍ଣ୍ଣ ନୀତିଶିକ୍ଷାମୂଳକ ଓ ସଂସ୍କାରଧର୍ମୀ। ନିଶା ସେବନ ଓ ମଦ୍ୟପାନର କୁପରିଣାମ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାର ଆଭିମୁଖ୍ୟ ନେଇ ସେ ଲେଖିଛନ୍ତି- ”ଛି ଛି ମଦ ପିଇବି ନାହିଁ, କଳାପାଣି ପରି ଦିଶେ/ ସେହି କଳାପାଣି ପେଟରେ ପଡ଼ିଲେ ଚଉଦ ଭୁବନ ଦିଶେ।“ଦେବତାର ମାନବାୟନ ପାଣି ସାହିତ୍ୟର ସାର ସମ୍ପଦ। ଜଣେ ଏକନିଷ୍ଠ ଭକ୍ତକବି ଭାବେ ଗଣକବି ଅଜସ୍ର ଭଜନ, ଜଣାଣ ରଚନା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ନିବେଦନ କରିଛନ୍ତି ଅନ୍ତରର ଭକ୍ତି ଭାବନା। ତାଙ୍କ ଜୀବନ ଥିଲା ସଂଘର୍ଷମୟ। ବ୍ୟଥା, ବେଦନା ଓ ଯନ୍ତ୍ରଣା ଭିତରେ ବିତିଥିଲା ସମଗ୍ର ଜୀବନ। ସେଥିପାଇଁ ଦୁଃଖରେ କାତର ହୋଇ ମହାପ୍ରଭୁଙ୍କୁ ଗାଳି ବି ଦେଇଛନ୍ତି ଅଭିମାନବ୍ୟଞ୍ଜିତ ସ୍ବରରେ। ପାଣି ସାହିତ୍ୟ ଗଣଜୀବନର ବିଶ୍ୱକୋଷ। ପଲ୍ଲୀ ଜୀବନ ପ୍ରବାହର ମାଧୁର୍ଯ୍ୟ ଓ ସୌନ୍ଦର୍ଯ୍ୟରେ ଏହା କେବଳ ରସୋତୀର୍ଣ୍ଣ ନୁହେଁ କାଳୋତୀର୍ଣ୍ଣ। ସେ ନିଃସ୍ବ ହୋଇ ମଧ୍ୟ ବିଶ୍ୱଜୀବନର ଶିଳ୍ପୀ। ଗଣହୃଦୟର ମୁକୁଟବିହୀନ ସମ୍ରାଟ୍‌। ୧୯୫୬ ମସିହା ବୈଶାଖ ଅମାବାସ୍ୟାରେ ସେ ଦେହତ୍ୟାଗ କଲେ ସତ କିନ୍ତୁ କାଳବକ୍ଷରେ ଚିର ଅମ୍ଳାନ ହୋଇ ରହିଛି ଓ ରହିବ ତାଙ୍କ ସାହିତ୍ୟର ସୁରଭି ଓ ଦ୍ୟୋତନା।

ବିଜୁ ପଟ୍ଟନାୟକ ନଗର, ଭଦ୍ରକ, ମୋ-୯୪୩୮୮୫୫୦୮୮



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri