ବିରାଡ଼ି-କୁକୁରଙ୍କ ବିଷୟରେ ଭୁଲ୍‌ ଧାରଣା

ମାନେକା ଗାନ୍ଧୀ

ମଣିଷ ହଜାର ହଜାର ବର୍ଷ ଧରି ବିରାଡ଼ି ଓ କୁକୁରଙ୍କୁ ପାଳିଆସୁଥିଲେ ବି ସେମାନଙ୍କ ସମ୍ପର୍କରେ ଅନେକ ଭ୍ରାନ୍ତ ଧାରଣା ଅଛି। ଏହି ଭୁଲ୍‌ ବିଶ୍ୱାସ ଯୋଗୁ ଏସବୁ ପୋଷା ପ୍ରାଣୀ ଅନେକ ସମୟରେ ଖରାପ ବ୍ୟବହାର ଓ ନିର୍ଯାତନାର ଶିକାର ହୋଇଥାନ୍ତି। ସେପରି କିଛି ଭୁଲ୍‌ ଧାରଣା ବିଷୟରେ ଏଠାରେ ଉଲ୍ଲେଖ କରୁଛି। ବିରାଡ଼ି ଖୁସି ଥିଲେ ଘୁଡ଼ୁଘୁଡ଼ୁ ଶବ୍ଦ କରି ବୋବାଏ: ଏପରି ଘୁଡ଼ୁଘୁଡ଼ୁ ହେଉଛି ବିରାଡ଼ି ଜୀବନର ପ୍ରଥମ ଶବ୍ଦ। ବିରାଡ଼ି ଛୁଆ ଜନ୍ମ ହେବାର ୪୮ ଘଣ୍ଟା ପରେ ଏପରି ଶବ୍ଦ କରିଥାଏ। ଯତ୍ନ ନେଲାବେଳେ ଉଭୟ ମାଆ ଓ ଛୁଆ ଘୁଡ଼ୁଘୁଡ଼ୁ କରୁଥିବାର ଅନେକ ସମୟରେ ଦେଖାଯାଏ। କିନ୍ତୁ ବିରାଡ଼ି ଖୁସି ଥିଲାବେଳେ ଅନେକ ସମୟରେ ଘୁଡ଼ୁଘୁଡ଼ୁ କରିବାର ଦେଖାଗଲେ ବି ଦୁଃଖ, ଯନ୍ତ୍ରଣା ଏପରି କି ମୃତ୍ୟୁବତ୍‌ ପୀଡ଼ା ସମୟରେ ବି ଏପରି ଶବ୍ଦ କରିବାର ଦେଖାଯାଏ। ବୁଲା ବିରାଡ଼ିମାନେ ଏକୁଟିଆ: ବନ୍ୟ ବିରାଡ଼ିମାନେ ଏକୁଟିଆ ନ ଥାନ୍ତି। ସେମାନେ ସାଧାରଣତଃ ଖାଦ୍ୟଉତ୍ସ ପାଖରେ ଦଳବଦ୍ଧ ହୋଇ ରହନ୍ତି। ବିରାଡ଼ିମାନେ ରାତ୍ରିଚର ପ୍ରାଣୀ: ପ୍ରଭାତ ଓ ସନ୍ଧ୍ୟା ସମୟରେ ବିରାଡ଼ିମାନେ ଅଧିକ ସକ୍ରିୟ ଥାନ୍ତି, କାରଣ ଏହି ସମୟରେ ମୂଷା ଓ ଛୋଟ ଛୋଟ ପ୍ରାଣୀମାନେ ବାହାରକୁ ଆସୁଥିବାରୁ ବିରାଡ଼ିକୁ ଶିକାର କରିବାକୁ ସହଜ ହୁଏ। ବିରାଡ଼ିଙ୍କ ଆଖି ଏଭଳି ତିଆରି ହୋଇଛି, ଯାହାଫଳରେ ସେମାନେ ଅଳ୍ପ ଆଲୁଅରେ ଦେଖିପାରନ୍ତି। ମଣିଷମାନେ ଦେଖିବା ପାଇଁ ଯେତିକି ଆଲୁଅ ଦରକାର ତା’ର ଏକଷଷ୍ଠାଂଶ ଆଲୁଅ ବିରାଡ଼ି ପାଇଁ ଯଥେଷ୍ଟ। କିନ୍ତୁ ସେମାନେ ଘନ ଅନ୍ଧାରରେ କିଛି ଦେଖିପାରନ୍ତି ନାହିଁ। ବିରାଡ଼ି ପାଣିକୁ ଘୃଣା କରେ: ଅଧିକାଂଶ ବିରାଡ଼ି ଗାଧୋଇବାକୁ ଭଲପାଆନ୍ତି ନାହିଁ। କିନ୍ତୁ ଅନେକେ ଚଳନ୍ତା ପାଣି ପ୍ରତି ଆକୃଷ୍ଟ ହୁଅନ୍ତି। ଅନେକେ ଟ୍ୟାପ୍‌ରୁ ପଡ଼ୁଥିବା ବିନ୍ଦୁ ବିନ୍ଦୁ ପାଣିରେ ଗୋଡ଼ ଦେଖାନ୍ତି। ଆମ୍ପୁଡ଼ା ଓ କାମୁଡ଼ା ନ ଖାଇ ବିରାଡ଼ିକୁ ଗାଧୋଇ ଦିଆଯାଇପାରେ। ବିରାଡ଼ିଙ୍କୁ କେବଳ ମାଛ ଖାଇବାକୁ ଦିଆଯାଇପାରିବ: କେବଳ ମାଛ ବିରାଡ଼ିଙ୍କ ପାଇଁ ସୁଷମ ଖାଦ୍ୟ ନୁହେଁ। କାରଣ ଏହାଦ୍ୱାରା ସେମାନଙ୍କ ଶରୀରରେ ମ୍ୟାଗ୍ନେସିୟମ୍‌ ଓ ତୈଳର ପରିମାଣ ବୃଦ୍ଧି ପାଇଲେ ସେମାନଙ୍କଠାରେ ଫେଲାଇନ୍‌ ଲୋୟର ୟୁରିନାରୀ ଟ୍ରାକ୍ଟ ଡିଜିଜ୍‌ ଓ ଅନ୍ୟ ରୋଗ ହୋଇପାରେ। ଯଦି ପ୍ରକୃତି ଚାହିଁଥାନ୍ତା ବିରାଡ଼ିମାନେ କେବଳ ମାଛ ଖାଇ ବଞ୍ଚନ୍ତୁ, ତା’ହେଲେ ସେମାନେ ପାଣିରେ ପହଁରିପାରୁ ଥାନ୍ତେ। ଏପରି ଭୁଲ୍‌ ଧାରଣା ବ୍ରିଟିଶ୍‌ମାନେ ପ୍ରସାରିତ କରିଛନ୍ତି। ବିରାଡ଼ିମାନେ ଖାଦ୍ୟରେ କ୍ଷୀର ଆବଶ୍ୟକ କରନ୍ତି: ଯଦିଚ ଅଧିକାଂଶ ବିରାଡ଼ି କ୍ଷୀର ପିଇବାକୁ ଭଲ ପାଆନ୍ତି, ଏହା ସେମାନଙ୍କ ପାଇଁ ଜରୁରୀ ନୁହେଁ। ପ୍ରକୃତରେ କ୍ଷୀର ପିଇଲା ପରେ ଅନେକ ବିରାଡ଼ିଛୁଆଙ୍କର ପତଳାଝାଡ଼ା ହୁଏ। ଗର୍ଭବତୀ ମହିଳାମାନେ ତାଙ୍କ ପୋଷା ବିରାଡ଼ିକୁ ତ୍ୟାଗ କରିବା ଉଚିତ: ଟକ୍ସୋପ୍ଲାଜ୍ମୋସିସ୍‌ ଗର୍ଭସ୍ଥ ଭ୍ରୂଣ ପାଇଁ କ୍ଷତିକାରକ ସତ। କିନ୍ତୁ ଏହି ରୋଗ ବିରାଡ଼ିମାନଙ୍କଠାରୁ ଡେଇଁ ନ ଥାଏ, ଏହି ରୋଗ ବଗିଚାରେ ମାଟି ଖୋଳିଲାବେଳେ କିମ୍ବା କଞ୍ଚାମାଂସ କାଟିଲାବେଳେ ସଂକ୍ରମିତ ହୋଇଥାଏ। କୁକୁରଙ୍କ ଉଷୁମ ଓ ଶୁଖିଲା ନାକ ରୋଗର ଲକ୍ଷଣ: ଉଷୁମ ଓ ଶୁଖିଲା ନାକ ସହ କୁକୁରଙ୍କ ସ୍ବାସ୍ଥ୍ୟର କିଛି ସମ୍ପର୍କ ନାହିଁ। ଶ୍ୱାପଦଙ୍କ ଶରୀରର ତାପମାତ୍ରା ସାଧାରଣତଃ ୧୦୧ରୁ ୧୦୩ ଡିଗ୍ରୀ ଫାରେନ୍‌ହିଟ୍‌ ପର୍ଯ୍ୟନ୍ତ ରହିଥାଏ। ୧୦୫ ଡିଗ୍ରୀ ଉତ୍ତାପରେ ବି କୁକୁରକୁ ଥଣ୍ଡା ଲାଗିପାରେ ଓ ତାଙ୍କ ନାକ ଓଦା ରହିପାରେ। ତାଙ୍କ କାନର ଭିତରପଟେ ହାତମାରି ଦେଖନ୍ତୁ। ବୟସ୍କ କୁକୁର ନୂଆ କୌଶଳ ଶିଖିପାରନ୍ତି ନାହିଁ: ମଣିଷ ହେଉ ବା କୁକୁର ସେମାନଙ୍କ ଶିଖିବାର ପ୍ରକ୍ରିୟା ଜୀବନ ସାରା ଅବ୍ୟାହତ ଥାଏ। ମୁଁ ଦେଖିଛି ବୁଢ଼ା କୁକୁର ବି ନୂଆ ଘରକୁ ଯାଇ ସେ ଘର ସହ ଖାପ ଖୁଆଇ ଚଳିବା କୁକୁରଛୁଆଙ୍କଠାରୁ ଶୀଘ୍ର ଶିଖିପାରିଛି। ତେବେ ଅତି ବୁଢ଼ା କୁକୁର ଭଲ ଶିଖି ନ ପାରନ୍ତି, କାରଣ ସେମାନଙ୍କ ଆଂଶିକ ଅନ୍ଧତ୍ୱ ବା ବଧିରତ୍ୱ ଆସିଯାଇଥାଇପାରେ। ଲାଞ୍ଜ ହଲାଉଥିବା କୁକୁର କାମୁଡ଼ନ୍ତି ନାହିଁ: କୁକୁରର ଲାଞ୍ଜହଲାରୁ ସେ କେତେ ଆକ୍ରମଣାତ୍ମକ ତାହା ଜଣାପଡ଼େ ନାହିଁ। ଲାଞ୍ଜହଲା କେବଳ ଏକ ଉତ୍ତେଜନା ବା ଉତ୍ସାହର ଲକ୍ଷଣ। ତା’ ଆଚରଣର ଅନ୍ୟ ଦିଗ ଯଥା ତା’ କାନର ସ୍ଥିତି, ତା’ ଚାହାଣି, ତା’ର ଗୁମୁରା ବା ଭୁକିବା ଇତ୍ୟାଦିକୁ ଦେଖିବାକୁ ପଡ଼ିବ, ଯେଉଁଥିରୁ ସେ କେତେ ଆକ୍ରମଣାତ୍ମକ ତାହା ଜଣାପଡ଼ିବ। କୃମି ହୋଇଥିଲେ କୁକୁର ତା’ ମଳଦ୍ୱାରକୁ ତଳେ ଘୋଷାରେ: କୃମି ହୋଇଥିଲେ ମଳଦ୍ୱାର କୁଣ୍ଡେଇ ହେଉଥିବାରୁ କୁକୁର ସେପରି କରିପାରେ, କିନ୍ତୁ ସେପରି କରୁଥିବା ସବୁ କୁକୁରଙ୍କର କୃମି ହୋଇ ନ ଥାଏ। ଆଲର୍ଜି, ଡାଇରିଆ ବା ମଳାଶୟ ଭର୍ତ୍ତି ହୋଇଯାଇଥିଲେ ମଧ୍ୟ କୁକୁରଠାରେ ଏପରି ବ୍ୟବହାର ଦେଖିବାକୁ ମିଳେ। କୁକୁର ନିଜ ମଳ ଖାଉଥିଲେ ତା’ର କୃମି ହୋଇଛି: ଅନେକ କୁକୁର ନିଜର ବା ଅନ୍ୟର ମଳ ଖାଆନ୍ତି। ତେଣୁ କୃମି ହୋଇଥିଲେ ଯେ କୁକୁର ମଳ ଖାଇବ ସେକଥା ନୁହେଁ। ଅନେକ ମାଆ କୁକୁର ନିଜର ନବଜାତ ଛୁଆଙ୍କୁ ସଫାସୁତୁରା ରଖିବା ପାଇଁ ସେପରି କରନ୍ତି। ଆଉ କେତେକ ପୋଷା କୁକୁର ଅନ୍ୟର ଦୃଷ୍ଟି ଆକର୍ଷଣ କରିବା ପାଇଁ ସେପରି କରନ୍ତି। ମାଈ କୁକୁରଙ୍କ ବନ୍ଧ୍ୟାକରଣ କରିବା ପୂର୍ବରୁ ତା’ର ଅନ୍ତତଃ ଗୋଟିଏ ଛୁଆ ଥିବା ଦରକାର: ପୋଷା କୁକୁରକୁ ଛୁଆ ଜନ୍ମ କରିବାକୁ ସୁଯୋଗ ଦେବାରେ କିଛି ଲାଭ ନାହିଁ। ବାସ୍ତବରେ ପ୍ରଥମ ରଜସ୍ବଳା ହେବା ପୂର୍ବରୁ କୁକୁରର ବନ୍ଧ୍ୟାକରଣ କରାଗଲେ ତା’ର ସ୍ତନକର୍କଟ ହେବାର ଆଶଙ୍କା କମିଯିବ। ରୋଗଣା ଥିଲେ କୁକୁର ଘାସ ଖାଆନ୍ତି: ଅନେକ କୁକୁର ଘାସ ଖାଇ ବାନ୍ତି କରନ୍ତି। କିନ୍ତୁ ତା’ର ମାନେ ନୁହେଁ ଯେ ସେମାନେ ଅସୁସ୍ଥ ଅଛନ୍ତି। କୁକୁରମାନେ ଅଳ୍ପ ପରିମାଣରେ ଘାସ ଖାଇବା ଏକ ସ୍ବାଭାବିକ କଥା- ତାଙ୍କ ପୂର୍ବପୁରୁଷମାନେ ବି ଖାଉଥିଲେ। ଘାସ ହେଉଛି ତନ୍ତୁବହୁଳ। ଆପଣ ତାଙ୍କ ଖାଦ୍ୟରେ ସବୁଜ ପନିପରିବା ଦିଅନ୍ତୁ। କୁକୁରଙ୍କୁ ପ୍ରତିବର୍ଷ ଟିକା ଦେବା ଉଚିତ: ଡିସ୍‌ଟେମ୍ପର ଓ ରାବିଜ୍‌ ପରି କେତେକ ଟିକାର ପ୍ରାଥମିକ ମାତ୍ରା ଓ ବୁଷ୍ଟର ଦିଆଯିବା ପରେ ତାକୁ ଆଉ ପ୍ରତିବର୍ଷ ସେ ଟିକା ଦେବାର ଆବଶ୍ୟକତା ନାହିଁ। ବନ୍ଧ୍ୟାକରଣ କୁକୁରଙ୍କୁ ମୋଟା ଓ ଅଳସୁଆ କରିଦିଏ: ଏହା ସତ୍ୟ ନୁହେଁ, ଅଧିକ ଖାଇଲେ ଓ ବ୍ୟାୟାମ ନ କଲେ ସବୁ ପାଣୀ ମୋଟା ହୁଅନ୍ତି। କୁକୁର ଓ ବିରାଡ଼ି ବର୍ଣ୍ଣାନ୍ଧ: ଉଭୟ କୁକୁର ଓ ବିରାଡ଼ି ନୀଳ ଓ ସବୁଜ ଆଲୁଅରେ ଦେଖିପାରନ୍ତି। ସେମାନଙ୍କ ଆଖିରେ ମଣିଷ ଅପେକ୍ଷା ଆଲୋକ-ସମ୍ବେଦୀ କୋଷ ଅଧିକ ଅଛି। ତେଣୁ ସେମାନେ ଅଳ୍ପ ଆଲୁଅରେ ଦେଖିପାରନ୍ତି। ତେବେ କୁକୁରଙ୍କ ଆଖିରେ କୋନ୍‌ ବା ବର୍ଣ୍ଣ-ସମ୍ବେଦୀ କୋଷ କମ୍‌ ଥାଏ। ତେଣୁ ବୈଜ୍ଞାନିକମାନଙ୍କ ମତରେ ସେମାନଙ୍କ କଲର ଭିଜନ ମଣିଷର ଏକସପ୍ତମାଂଶ ସକ୍ରିୟ। କୁକୁରମାନେ କ୍ୟାନ୍‌ସର ରୋଗକୁ ଚିହ୍ନଟ କରିପାରନ୍ତି: କୁକୁରମାନେ କ୍ୟାନ୍‌ସର ସହ ସମ୍ବନ୍ଧିତ ଗନ୍ଧ ବାରିପାରନ୍ତି। ଏକ ଅନୁଧ୍ୟାନରେ କୁକୁରମାନେ ମଣିଷଠାରେ ହୋଇଥିବା ୯୮ ପ୍ରତିଶତ କଲୋରେକ୍ଟାଲ କ୍ୟାନ୍‌ସର ଶୁଙ୍ଘି ଜାଣିପାରିଥିଲେ।

Email: gandhim@nic.in



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri