ପାଠପଢ଼ା ସମୟରେ

ସ୍ବାମୀ ବିବେକାନନ୍ଦଙ୍କ ଶିକାଗୋ ଅଭିଭାଷଣର ୧୨୫ ବର୍ଷ ପୂର୍ତ୍ତି ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ କେନ୍ଦ୍ରର ନରେନ୍ଦ୍ର ଦାମୋଦରଦାସ ମୋଦି ସରକାର ୧୧ ସେପ୍ଟେମ୍ବର ୨୦୧୭ରେ ନୂଆଦିଲ୍ଲୀଠାରେ ଏକ ଛାତ୍ରସମ୍ମିଳନୀର ଆୟୋଜନ କରିଥିଲେ। ‘ୟଙ୍ଗ ଇଣ୍ଡିଆ, ନ୍ୟୁ ଇଣ୍ଡିଆ’ ଶୀର୍ଷକ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣକୁ ସମଗ୍ର ଦେଶର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ସିଧାସଳଖ ଶୁଣାଇବା ସକାଶେ ବ୍ୟବସ୍ଥା କରିବା ପାଇଁ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ପକ୍ଷରୁ ସର୍କୁଲାର ଜାରି କରାଯାଇଥିଲା। ଓଡ଼ିଶା ସରକାର ମୋଦିଙ୍କର ଏହି ଭାଷଣ କଲେଜ ଓ ୟୁନିଭର୍ସିଟି ପରିସରରେ ପ୍ରସାରଣ କରାଯାଇପାରିବ ନାହିଁ ବୋଲି ରୋକ୍‌ଠୋକ୍‌ ମନାକରିଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, କଲେଜ ଓ ବିଶ୍ୱବିଦ୍ୟାଳୟରେ ଆଗକୁ ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବାରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ନାହିଁ। ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ସ୍ବାଗତଯୋଗ୍ୟ। ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚତର ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ଶୈକ୍ଷିକ ପରିବେଶରେ ଅବକ୍ଷୟ ଦେଖାଦେଇଛି। ଏଭଳି ଅବସ୍ଥା ଦୀର୍ଘ ବର୍ଷ ଧରି ଲାଗି ରହିଥିଲେ ମଧ୍ୟ ତା’ର ନିରାକରଣ ସକାଶେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇପାରୁନାହିଁ। କଲେଜ ଓ ବିଶ୍ୱବିଦ୍ୟାଳୟସ୍ତରରେ ଛାତ୍ର ସଂସଦ ନିର୍ବାଚନ କାରଣରୁ ବର୍ଷର ଅଧା ସମୟ ପାଠପଢ଼ା ନଷ୍ଟ ହେଉଛି। ଏଥିରେ ରାଜନୈତିକ ଦଳଗୁଡିକର ସିଧାସଳଖ ସମ୍ପୃକ୍ତି ଛାତ୍ରୀଛାତ୍ରମାନଙ୍କୁ ପାଠପଢ଼ାରୁ ଦୂରେଇ ଦେଉଛି। ଏହି ସ୍ତମ୍ଭରେ ଆମେ ଅନେକ ଥର କଲେଜ ନିର୍ବାଚନ ବନ୍ଦ ହେବା ଉଚିତ ବୋଲି ମତ ଦେଇଛୁ। ଏଭଳି ପରିସ୍ଥିତିରେ ମୋଦିଙ୍କର କଲେଜ ଛାତ୍ରୀଛାତ୍ରଙ୍କୁ ସିଧା ପ୍ରସାରଣରେ ରାଜନୈତିକ ଟିପ୍ପଣୀ ଦେବା କେତେଦୂର ଯୁକ୍ତିଯୁକ୍ତ ତାହା ଚିନ୍ତା କରିବାକୁ ହେବ । କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଭାଷଣ ଶୁଣାଇବା ପରିବର୍ତ୍ତେ ମୋଦି ସରକାରଙ୍କ ନିକଟରେ ଅନେକ କର୍ତ୍ତବ୍ୟ ରହିଛି। ଦେଶର ଅର୍ଥନୀତି ନିମ୍ନଗାମୀ ହେବାରେ ଲାଗିଛି। ବିଭିନ୍ନ ସ୍ଥାନରେ ବ୍ୟବସ୍ଥା ଭୁଶୁଡି ଗଲାଣି। ସ୍କୁଲରେ ୭/୮ ବର୍ଷର ପିଲାଙ୍କୁ ହତ୍ୟା କରାଯାଉଛି। ନାରୀମାନଙ୍କର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇପାରୁନାହିଁ। ଏପରି କି କୃଷିପ୍ରଧାନ ଭାରତରେ ଚାଷ ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଅବହେଳିତ କରି ରଖାଯାଇଛି। ଚାଷୀକୁଳ ପ୍ରତାରଣାର ଶିକାର ହେଉଛନ୍ତି। ଏହି ପରିସ୍ଥିତିରେ ଛାତ୍ରୀଛାତ୍ରଙ୍କ ମୁଣ୍ଡରେ ହିନ୍ଦୁତ୍ୱ, ଗୋସୁରକ୍ଷା ଭଳି ଅବାଞ୍ଛିତ ଦଳୀୟ କାର୍ଯ୍ୟକ୍ର୍ରମ ପୂରାଇ ଦିଆଯାଇ ଶିକ୍ଷାନୁଷ୍ଠାନକୁ କଳୁଷିତ କରାଯିବା ଅନୁଚିତ। ପ୍ରଶ୍ନ ଉଠୁଛି କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ମୋଦିଙ୍କ ଭାଷଣ ଶୁଣିବା ସକାଶେ ବାଧ୍ୟ କରାଯିବ କାହିଁକି। ଏଥିପାଇଁ ସର୍କୁଲାର ଜାରି କରି ରାଜ୍ୟ ସରକାରଙ୍କ ମୁଣ୍ଡରେ କେନ୍ଦ୍ରର କୌଣସି ଦଳୀୟ ନିଷ୍ପତ୍ତିକୁ ଲଦି ଦିଆଯିବା ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ। ମୋଦିଙ୍କ ହାତରେ ଏବେ ଅନେକ ଗଣମାଧ୍ୟମ ରହିଛି। ଟେଲିଭିଜନ ଚାନେଲଗୁଡିକ ତାଙ୍କର ଭାଷଣକୁ ଘଣ୍ଟା ଘଣ୍ଟା ଧରି ପ୍ରଚାର ପ୍ରସାର କରୁଛନ୍ତି। ଏଭଳି ପ୍ରସାରଣ ୨୦୧୬ ନଭେମ୍ବର ୮ ପୂର୍ବରୁ କରାଯାଉଥିଲା, ପରେ ମଧ୍ୟ ଦେଖିଚାଲିଛୁ। ଦିଲ୍ଲୀରେ ଆୟୋଜିତ ଛାତ୍ର ସମ୍ମିଳନୀରେ ତାଙ୍କର ଭାଷଣ ପ୍ରସାରଣ ପାଇଁ ଟେଲିଭିଜନ ଚ୍ୟାନେଲଗୁଡିକ ବ୍ୟଗ୍ରତା ଦେଖାଇଛନ୍ତି। ଏଥିସହ ପ୍ରତ୍ୟେକ କଲେଜରେ ସିଧା ପ୍ରସାରଣର ବ୍ୟବସ୍ଥା ମଧ୍ୟ ନ ଥିବ । ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ସ୍କୁଲଗୁଡିକରେ ଆୟୋଜିତ କାର୍ଯ୍ୟକ୍ରମର ଭିଡ଼ିଓ କରି ପଠାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିଥିଲା। ସେତେବେଳେ ପଶ୍ଚିମବଙ୍ଗ ସରକାର ଏହାକୁ ଦୃଢ ବିରୋଧ କରିଥିଲେ। ଓଡ଼ିଶା ସରକାରଙ୍କ ତରଫରୁ କୌଣସି ବିରୋଧ ହୋଇ ନ ଥିଲେ ମଧ୍ୟ ବାସ୍ତବରେ ଏହି ନିର୍ଦ୍ଦେଶନାମା ସ୍କୁଲଗୁଡିକରେ ପହଞ୍ଚତ୍ପାରି ନ ଥିଲା। ଏଥର ରାଜ୍ୟ ସରକାର କଲେଜ ଓ ବିଶ୍ୱବିଦ୍ୟାଳୟରେ ‘ୟଙ୍ଗ ଇଣ୍ଡିଆ, ନ୍ୟୁ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ବିରୋଧ କରି ଉଚିତ ପଦକ୍ଷେପ ନେଇଛନ୍ତି। ପାଠପଢ଼ା ସମୟରେ ଛାତ୍ରୀଛାତ୍ରଙ୍କୁ ଜଣେ ରାଜନେତାଙ୍କ ଭାଷଣ ଶୁଣାଇବା ଶିକ୍ଷାର ପରିବେଶକୁ ନଷ୍ଟ କରିବ ବୋଲି ରାଜ୍ୟ ସରକାର ବୁଝି ପାରିଥିବା ବୁଦ୍ଧିମତ୍ତାର ପରିଚୟ। ସବୁ କ୍ଷେତ୍ରରେ ଭୋଟ ବ୍ୟାଙ୍କ ଖୋଜିବା ଗ୍ରହଣୀୟ ହୋଇପାରୁନାହିଁ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri