ବ୍ୟବସ୍ଥାର ବିଫଳତା

ଆକାର ପଟେଲ

ଭାରତୀୟ ନଗରୀଗୁଡ଼ିକ ଗତ ୩୦ ବର୍ଷ ଭିତରେ ବହୁ ବଦଳିଯାଇଛି, ଯାହା ପୋଲିସର କାର୍ଯ୍ୟକୁ ପ୍ରଭାବିତ କରୁଛି। ସହରଗୁଡ଼ିକର ମୂଳ ଡିଜାଇନ ଯାହା ଥିଲା ତାହା ବଦଳିଯାଉଛି। ଭାରତ ଏକ ପ୍ରାଚୀନ ଦେଶ ହେଲେ ହେଁ ଏହାର ଅଧିକାଂଶ ନଗରୀ ନୂଆ। ଆମ ନଗରୀଗୁଡ଼ିକର ଆଖପାଖ ଅଞ୍ଚଳର ରୂପ ପ୍ରତିବର୍ଷ ବଦଳିବାରେ ଲାଗିଛି। ନୂଆ ନୂଆ କୋଠା ଗଢ଼ିଉଠୁଛି। କୌଣସି ଲୋକ ଅଳ୍ପ କିଛି ବର୍ଷ ବାହାରେ ରହିବା ପରେ ନିଜ ଜନ୍ମସ୍ଥାନକୁ ଗଲେ ତାକୁ ଆଉ ଚିହ୍ନିପାରୁ ନାହିଁ। କିଛିଦିନ ତଳେ ମୁଁ ସୁରତ ଆସିଥିଲି, ଯେଉଁଠି ମୋ ଜୀବନର ସବୁଠାରୁ ଅଧିକ ସମୟ ବିତେଇଛି। ମୋ ଘରେ ପହଞ୍ଚିବା ପାଇଁ ମୋତେ ଜିପିଏସ୍‌ ବ୍ୟବସ୍ଥାର ସାହାଯ୍ୟ ନେବାକୁ ପଡ଼ିଲା। ସେଇଥିପାଇଁ କହିଲି ଯେ, ଏହି ପରିବର୍ତ୍ତନ ପୋଲିସର କାର୍ଯ୍ୟଶୈଳୀକୁ ପ୍ରଭାବିତ କରୁଛି। ଆଗରୁ ପାରମ୍ପରିକ ଶୈଳୀରେ ପୋଲିସ କାମ କରୁଥିଲା। ଥାନାଗୁଡ଼ିକରେ ଅପରାଧୀମାନଙ୍କର ଫଟୋଚିତ୍ର ସହ ନଁା, ଗାଁ, ଠିକଣା ମରାହୋଇଥାଏ। ଥାନାକୁ କେହି ନୂଆ ପୋଲିସ ଆସିଲେ ଉକ୍ତ ଫଟୋଚିତ୍ରରୁ ଅପରାଧୀମାନଙ୍କ ବିଷୟରେ ଏବଂ ଅଞ୍ଚଳ ବିଷୟରେ ଜାଣିବାକୁ ପାଇଥାଏ। କିନ୍ତୁ ବର୍ତ୍ତମାନ ଭାରତୀୟ ସହରଗୁଡ଼ିକରେ ଲୋକମାନେ ବାରମ୍ବାର ବୃତ୍ତି ପରିବର୍ତ୍ତନ କରୁଛନ୍ତି, ଭଡ଼ାଘର ବଦଳାଉଛନ୍ତି ଏବଂ ଗୋଟିଏ ସହରରୁ ଅନ୍ୟ ସହରକୁ ଚାଲିଯାଉଛନ୍ତି। ନୂଆ ନୂଆ କୋଠାଘର ତିଆରି ହେଉଛି। ତେଣୁ ଆଜିକାଲି ସହରରେ କୌଣସି ଲୋକ ବା ଘରର ପଡ଼ୋଶୀ ଲୋକ ବା ଘରର କୌଣସି ସ୍ଥିରତା ରହୁନାହିଁ। କିନ୍ତୁ ପୋଲିସ ବ୍ୟବସ୍ଥା ବଦଳିନି। ଏବେ କିଛିଟା ଟେକ୍‌ନୋଲୋଜି ବା ସିସିଟିଭି କ୍ୟାମେରାର ସହାୟତା ନିଆଗଲାଣି। ଏଥିରୁ କେତେବେଳେ ସୁଫଳ ମିଳୁଛି ତ କେତେବେଳେ ମିଳୁନାହିଁ। କୌଣସି ମଧ୍ୟବିତ୍ତ ଲୋକଙ୍କ ଘରେ ଚୋରି ହେଲେ ପୋଲିସ ତାଙ୍କ ଚାକରବାକରଙ୍କୁ ଧରିଆଣି ନିର୍ଯାତନା ଦେଉଛି, ସେମାନଙ୍କ ମଧ୍ୟରୁ କେହି ଜଣେ ମାନିବା ପର୍ଯ୍ୟନ୍ତ। ହତ୍ୟା ପ୍ରଭୃତି ଅପରାଧର ବିଧିବଦ୍ଧ ତଦନ୍ତ ହେଉନାହିଁ। ଯେଉଁଠି ଗୌରୀ ଲଙ୍କେଶଙ୍କୁ ହତ୍ୟା କରାଗଲା, ସେ ସ୍ଥାନକୁ ଅନ୍ୟ ଲୋକମାନଙ୍କ ଯିବା ଆସିବାକୁ ବାରଣ କରାଗଲା ନାହିଁ। ତେଣୁ କୌଣସି ଫୋରେନ୍ସିକ୍‌ ପ୍ରମାଣ ମିଳିବାର ଅବକାଶ ରହିଲା ନାହିଁ। ପୁଣି ‘ଖବ୍‌ରୀ’ (ଖବରଦାତା)ର ଅନ୍ତର୍ଦ୍ଧାନ ପୋଲିସ କାର୍ଯ୍ୟକୁ ପ୍ରଭାବିତ କଲା। ସୂଚନାଦାତାଠାରୁ ପୋଲିସ ଖବର ସଂଗ୍ରହ କରେ, ଯିଏ କି ଘଟଣା ଘଟିବା ସମୟରେ ଆଖପାଖରେ ଥିବ ଏବଂ ଯାହାକୁ ଧମକ ଦେଇ ବା ଲାଞ୍ଚ ଦେଇ ପୋଲିସ ଖବର ସଂଗ୍ରହ କରିପାରିବ। ତୁମେ ବା ଆମେ ଖବ୍‌ରୀ ହୋଇପାରିବା ନାହିଁ, କାରଣ ଅପରାଧୀଙ୍କ ସହ ଆମର କୌଣସି ଯୋଗାଯୋଗ ବା ସମ୍ପର୍କ ନ ଥାଏ। ବାବ୍‌ରୀ ମସ୍‌ଜିଦ ଭଙ୍ଗା ସମୟରେ ଏବଂ ବମ୍ବେ ବା ସୁରତ ଦଙ୍ଗା ସମୟରେ ପୋଲିସକୁ କେହି ଖବ୍‌ରୀ ମିଳିଲେ ନାହିଁ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ମୁସଲମାନ। ଏପରି ସାମ୍ପ୍ରଦାୟିକ ବିଭେଦ ପୋଲିସର ପୁରୁଣାକାଳିଆ ଅନୁସନ୍ଧାନ ପଦ୍ଧତିକୁ ପ୍ରଭାବିତ କରୁଛି। ସେଥିପାଇଁ ଭାରତରେ କୌଣସି ଆତଙ୍କବାଦ ଘଟଣାର ତଦନ୍ତ କାର୍ଯ୍ୟ ଶେଷ ହେବା ଦେଖାଯାଉ ନାହିଁ। ଆଧୁନିକ ଫୋରେନ୍ସିକ୍‌ ଭିତ୍ତିକ ଅନୁସନ୍ଧାନର ଅଭାବ ସହିତ ପୋଲିସର ପୁରୁଣାକାଳିଆ ପଦ୍ଧତି କିଛି ଫଳ ଦେଉନାହିଁ। ୧୯୯୬ ମସିହାରେ ଜଣେ ରିପୋର୍ଟର ହିସାବରେ ମୁଁ ଭାରତ ଛାଡ଼ି ଇଂଲଣ୍ଡକୁ ପଳାଇଥିବା ଡ୍ରଗ୍‌ ଡିଲର ଇକ୍‌ବାଲ ମିର୍ଚ୍ଚିଙ୍କ ଓକିଲ ଶ୍ୟାମ କେସ୍ବାନିଙ୍କୁ ଭେଟିଥିଲି। ବୋ ଷ୍ଟ୍ରିଟ୍‌ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟକୁ ଏ ବାବଦରେ ଯୁକ୍ତି କରିବା ପାଇଁ ସିବିଆଇ ଏକ ଚାରିଜଣିଆ ଦଳକୁ ପଠାଇଥିଲା। କେସ୍ବାନି ମୋତେ ଏକ ୨୦୦ ପୃଷ୍ଠାର ଚାର୍ଜଶୀଟ୍‌ କପି ଦେଇଥିଲେ। ମୁଁ ପୂରା ଫାଇଲ ପଢ଼ିଲି, ଯେଉଁଥିଲେ ତାଙ୍କ ମହକିଲଙ୍କ ନଁା ମାତ୍ର ଗୋଟିଏ ଥର ଲେଖା ହୋଇଥିଲା। ତାହା ପୁଣି ସବା ଶେଷରେ- ଏହି ମାମଲାରେ ଜନୈକ ଇକ୍‌ବାଲ ଓରଫ ମିର୍ଚ୍ଚିଙ୍କୁ ଖୋଜା ଚାଲିଛି। ଏହା ହେଉଛି ମିର୍ଚ୍ଚିଙ୍କ ବିରୋଧରେ ଭାରତ ସରକାର ଦେଇଥିବା ପ୍ରମାଣ। ତେଣୁ ଇଂଲଣ୍ଡ ମିର୍ଚ୍ଚିଙ୍କୁ ଭାରତକୁ ପ୍ରତ୍ୟର୍ପଣ କଲା ନାହିଁ। ମୁଁ କହିବି ଏହା ଭାରତୀୟ ପୋଲିସର ଦୋଷ ନୁହେଁ, ଯେଉଁମାନେ କଠିନ ପରିଶ୍ରମ କରୁଛନ୍ତି। ଏହା ହେଉଛି ବ୍ରିଟିଶ ଅମଳରୁ ପ୍ରଚଳିତ ତଦନ୍ତ ପଦ୍ଧତିର ଦୋଷ। ଜାପାନରେ ଦୋଷୀ ସାବ୍ୟସ୍ତ ହେବାର ହାର ୯୫ ପ୍ରତିଶତରୁ ଅଧିକ। ଅର୍ଥାତ୍‌ ଯଦି ପୋଲିସ କାହାକୁ ଏକ ଅପରାଧ ମାମଲାରେ ଧରେ ତେବେ ସେ ଦୋଷୀସାବ୍ୟସ୍ତ ହେବାର ସମ୍ଭାବନା ପ୍ରାୟ ଶତପ୍ରତିଶତ। ଭାରତରେ ଦୋଷୀର ଦୋଷ ସ୍ବୀକାର ଉପରେ ବେଶି ନିର୍ଭର କରାଯାଏ, ଯାହା ତାକୁ ନିର୍ଯାତନା ଦେଇ ଲେଖାଇ ନିଆଯାଇଥାଏ। ଆମର ଏ ବ୍ୟବସ୍ଥାକୁ ଅନେକେ ସମାଲୋଚନା କରନ୍ତି। ଏହିସବୁ କାରଣରୁ ଭାରତରେ ଦୋଷୀ ସାବ୍ୟସ୍ତ ହେବାର ହାର ହେଉଛି ୫୦ ପ୍ରତିଶତରୁ କମ୍‌। ବଡ଼ ବଡ଼ ଅପରାଧ କରି ଅଧିକାଂଶ ଅପରାଧୀ ସହଜରେ ଖସିଯାଉଛନ୍ତି। ଏହି କାରଣରୁ ଗୌରୀ ଲଙ୍କେଶଙ୍କ ହତ୍ୟାକାରୀମାନେ ଯେ ଖସି ନ ଯିବେ ତାହା କିଏ କହିବ? ଏହା ହେଉଛି ଆମ ବ୍ୟବସ୍ଥାର ବିଫଳତା।

Email: aakar.patel@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri