ଭଣ୍ଡ ବାବା ଓ ଭୟାଳୁ ଜନତା

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଗତ କିଛିଦିନ ଧରି ତଥାକଥିତ ବାବା ଗୁରମିତ୍‌ ରାମରହିମ ସିଂଙ୍କୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ଘଟଣାବଳୀ ଦେଶବ୍ୟାପୀ ଚହଳ ପକାଇଛି। ଡେରା ସଚ୍ଚା ସୌଦାର ମୁଖିଆ ଭାବେ ପରିଚିତ ରାମରହିମ ନିଜ ଆଶ୍ରମର ଦୁଇଜଣ ଅନ୍ତେବାସୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଗତ ୧୫ ବର୍ଷ ଧରି ଚାଲିଥିବା ବିଚାରର ଇତିମଧ୍ୟରେ ରାୟ ପ୍ରକାଶ ପାଇଛି। ତେବେ ରାୟ ଘୋଷଣା ପୂର୍ବରୁ ସରକାର ଓ ଅଦାଲତ ଉପରେ ଚାପ ପକାଇବା ଲକ୍ଷ୍ୟରେ ରାମରହିମ ଦୁଇଶହରୁ ଊର୍ଦ୍ଧ୍ୱ କାର ଶୋଭାଯାତ୍ରା ମଧ୍ୟରେ କୋର୍ଟକୁ ଆସିବା ସହ ୧୪୪ ଧାରା ଜାରି ସତ୍ତ୍ୱେ ନିଜର ଲକ୍ଷାଧିକ ସମର୍ଥକଙ୍କୁ ପଞ୍ଚକୁଲା ସହର ମଧ୍ୟକୁ ପ୍ରବେଶ କରାଇଥିଲେ। କୋର୍ଟ ଦ୍ୱାରା ଦଣ୍ଡ ଘୋଷଣା ହେବା ପରେ ତାକୁ ବିରୋଧ କରି ବାବାଙ୍କ ଭକ୍ତମାନେ ଯେଉଁ ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା କରିଛନ୍ତି ସେଥିରେ ୪୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇବା ସହ କୋଟି କୋଟି ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଛି। ଜଣେ ବାବା ଓ ତାଙ୍କ ସମର୍ଥକମାନଙ୍କ ଗୁଣ୍ଡାମି ଓ ଅରାଜକତା ଆଗରେ ଭାରତ ସରକାରଙ୍କର ଏକପ୍ରକାର ଆତ୍ମସମର୍ପଣ ଅତ୍ୟନ୍ତ ଲଜ୍ଜା ତଥା କ୍ଷୋଭର ବିଷୟ। ତେବେ ଧାର୍ମିକ ଆସ୍ଥା ଓ ବିଶ୍ୱାସ ନାଁରେ ସାଧାରଣ ଜନତାଙ୍କୁ ଠକି ନିଜର ସାମ୍ରାଜ୍ୟ ବିସ୍ତାର କରିବାରେ ରାମରହିମ ପ୍ରଥମ କି ଶେଷ ବାବା ନୁହନ୍ତି। କିଛି ବର୍ଷ ତଳେ ସେହି ହରିୟାଣାରେ ହିଁ ରାମପାଲ ନାଁରେ ଆଉ ଜଣେ ବାବାଙ୍କୁ ହତ୍ୟା ଅଭିଯୋଗରେ ଅଦାଲତ ନିର୍ଦ୍ଦେଶରେ ଆଶ୍ରମ ଭିତରୁ ଗିରଫ କରିବାକୁ ରାଜ୍ୟ ପୋଲିସ ଅସମର୍ଥ ହେବାରୁ ସେନାକୁ ଡାକିବାକୁ ପଡ଼ିଥିଲା। ଆଶ୍ରମରେ ଥିବା ତାଙ୍କର ହଜାର ହଜାର ଭକ୍ତ ତଥା ଅତ୍ୟାଧୁନିକ ମାରଣାସ୍ତ୍ରରେ ସଜ୍ଜିତ ବାବାଙ୍କର ବ୍ୟକ୍ତିଗତ ସୁରକ୍ଷା ବାହିନୀ ପ୍ରତିରୋଧ କରିବା ଫଳରେ ଅନେକ ଲୋକ ମୃତାହତ ହୋଇଥିଲେ। ସେହିପରି ଦେଶବିଦେଶରେ ଏକ ବଡ଼ ସନ୍ଥ ଭାବେ ପରିଚିତ ଆଶାରାମ ବାପୁଙ୍କ କଳାକାରନାମା ସମସ୍ତେ ଜାଣନ୍ତି। ଏହି ସ୍ବଘୋଷିତ ସାଧୁଙ୍କ ବିରୋଧରେ ହତ୍ୟା, ବଳାତ୍କାର ଭଳି ସଙ୍ଗିନ ମାମଲା ରହିଛି। ଯୋଧପୁରସ୍ଥିତ ନିଜ ଆଶ୍ରମ ମଧ୍ୟରେ ଏକ ନାବାଳିକାକୁ ବଳାତ୍କାର କରିବା ଅଭିଯୋଗରେ ସେ ଗତ ତିନିବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ତିହାର ଜେଲରେ ରହିଥିବା ବେଳେ ଜେଲ ବାହାରେ ତାଙ୍କ ଇସାରାରେ ଗୁଣ୍ଡାମାନେ ଏହି ସବୁ ମାମଲାରେ ଜଡ଼ିତ ସାକ୍ଷୀମାନଙ୍କୁ ଜଣକ ପରେ ଜଣକୁ ହତ୍ୟା କରିବା ଦେଖାଯାଇଛି। ରାମରହିମ, ଆଶାରାମ, ରାମପାଲ, ନିତ୍ୟାନନ୍ଦ, ଜୟେନ୍ଦ୍ର ସରସ୍ବତୀ, ରାଧେମା, ସାରଥି, ସୁରବାବାଙ୍କ ଭଳି ହଜାର ହଜାର ବାବା ଓ ମାତା ଆମ ଦେଶରେ ରହିଛନ୍ତି, ଯେଉଁମାନେ କୌଣସି ଉପତ୍ାଦନ କର୍ମରେ ଜଡ଼ିତ ନୁହନ୍ତି ବରଂ ଧର୍ମଭୀରୁ ଭୟାଳୁ ଭକ୍ତମାନଙ୍କୁ ଭୁଆଁ ବୁଲେଇ ହଜାର ହଜାର କୋଟି ଟଙ୍କାର ମାଲିକ ହୋଇ ମଉଜ ମଜ୍‌ଲିସ୍‌ରେ ରହିବା ସହିତ ହତ୍ୟା, ଅପହରଣ, ବଳାତ୍କାର, ଯୌନନିର୍ଯାତନା ଭଳି ବିଭିନ୍ନ କଳାକାରନାମାରେ ସାମିଲ ଥିବା ଦେଖିବାକୁ ମିଳିଛି। ନିଜର ଭକ୍ତମାନଙ୍କୁ ଲୋଭ, ମୋହ, କାମ ଆଦିରୁ ମୁକ୍ତ ରହି ଆତ୍ମସୁଧାର ରାସ୍ତାରେ ନିରାଡ଼ମ୍ବର ଜୀବନଯାପନ କରିବାକୁ ପ୍ରବଚନ ଦେଉଥିବା ଏହି ବାବାମାତାମାନେ ସାଧାରଣତଃ ବିଳାସବ୍ୟସନଭରା ଜୀବନ ଅତିବାହିତ କରିବା ଦେଖାଯାଇଛି। ଦେଶବିଦେଶର ବିଭିନ୍ନ ସ୍ଥାନରେ ଏମାନଙ୍କର ହଜାର ହଜାର ଏକର ଜମି ସମେତ, ସୁରମ୍ୟ ଆଶ୍ରମ, ଶହ ଶହ କୋଟି ଟଙ୍କାର ବ୍ୟାଙ୍କ୍‌ ଜମା ଏପରିକି ସୁନା, ହୀରା ଆଦିର ଗହଣା ମଧ୍ୟ ଗଚ୍ଛିତ ଅଛି। ଏମାନଙ୍କ ସମ୍ପତ୍ତି ସାଧାରଣ ଭକ୍ତଙ୍କ ଦାନ ଅପେକ୍ଷା ପୁଞ୍ଜିପତି, ଚୋରା ବ୍ୟବସାୟୀ, ଠିକାଦାର, ଦୁର୍ନୀତିଗ୍ରସ୍ତ ଅଫିସରମାନଙ୍କଠାରୁ ଦାନ ଆକାରରେ ସଂଗୃହୀତ ହୋଇଥାଏ। ଭକ୍ତଙ୍କୁ ଇନ୍ଦ୍ରିୟସଂଯମର କଥା କହୁଥିବା ଏହି ବାବାମାନଙ୍କର ଯୌନ କେଳେଙ୍କାରୀ ଅବର୍ଣ୍ଣନୀୟ। ତେବେ ଧର୍ମ ନାମରେ ଲୋକଙ୍କୁ ପ୍ରତାରିତ କରୁଥିବା ଏହି ସ୍ବଘୋଷିତ ବାବା ମାତାମାନଙ୍କ କଳାକାରନାମାର ବାରମ୍ବାର ପର୍ଦ୍ଦାଫାଶ ହେଉଥିବା ସତ୍ତ୍ୱେ ଆମ ସମାଜରେ ଏଭଳି ଭଣ୍ଡବାବାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ନୂଆ ବାବା ସୃଷ୍ଟି ହେଉଛନ୍ତି ଓ ଧର୍ମ ନାମରେ ସାଧାରଣ ଜନତାଙ୍କୁ ଭୁଆଁ ବୁଲେଇ ନିଜର ସମ୍ପତ୍ତି ବଢ଼ାଇବାରେ ଲାଗିଛନ୍ତି। ତେବେ ଲୋକ ଅନ୍ଧଭାବେ ଏଭଳି ଭଣ୍ଡ ବାବାମାନଙ୍କ ପାଖକୁ ଯାଇ ସେମାନଙ୍କୁ ବିଶ୍ୱାସ କରିବାର କାରଣ କ’ଣ? ଆମ ସମାଜ ବ୍ୟବସ୍ଥାରେ ସାମାଜିକ-ଆର୍ଥିକ ଅସୁରକ୍ଷା କାରଣରୁ ହିଁ ସାଧାରଣ ଲୋକେ ବାବାମାତାଙ୍କ ଚକ୍କରରେ ପଡ଼ିଥାନ୍ତି। ସମାଜର ଜଟିଳ ଆର୍ଥିକ ବ୍ୟବସ୍ଥା ଓ ସେଥିରେ ରହିଥିବା ଅସ୍ଥିରତାକୁ ନ ବୁଝି ପାରୁଥିବା ମଣିଷଟିଏ କୌଣସି ଏକ କାଳ୍ପନିକ ଭାବବାଦୀ ସତ୍ତାରେ ବିଶ୍ୱାସ କରିବାକୁ ବାଧ୍ୟ ହୋଇଥାଏ। ଅସଲରେ ବାବାମାନଙ୍କ ପାଖକୁ ଲୋକେ କେବଳ ଭୌତିକ କାରଣ ଯୋଗୁ ହିଁ ଯାଇଥାନ୍ତି। କାହାର ରୋଜଗାର ଦରକାର, କାହାର ନିଜ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ପୁତ୍ର ସନ୍ତାନ ଦରକାର, କେହି ନିଜର ଦୁରାରୋଗ୍ୟ ରୋଗର ଚିକିତ୍ସା ପାଇଁ ବ୍ୟାକୁଳ ତ କିଏ ଧନସମ୍ପତ୍ତି ପ୍ରାପ୍ତି ଆଶାରେ ବାବାଙ୍କ ପାଖକୁ ଯାଇଥାନ୍ତି। ବୈଜ୍ଞାନିକ ଦୃଷ୍ଟିକୋଣ ଓ ତର୍କଶୀଳତାର ଅଭାବରୁ ଲୋକେ ବାବାମାନଙ୍କୁ ଅବତାର ପୁରୁଷ ଅଥବା ଭଗବାନ ଭାବେ ବିଶ୍ୱାସ କରିଥାନ୍ତି। ଏହି ଭଣ୍ଡବାବାମାନେ ବିଜ୍ଞାନ ଉପରେ ଆଧାରିତ କିଛି ଯାଦୁ କୌଶଳ (ଯଥା ପାଦରୁ ମହୁ ଝରାଇବା, ପାପୁଲିରୁ ବିଭୂତି ବାହାର କରିବା ଇତ୍ୟାଦି)କୁ ବ୍ୟବହାର କରି ନିଜର ଛବିକୁ ଚମତ୍କାରୀ ବା ଅବତାରୀ ଭାବେ ସାଧାରଣ ଜନତାଙ୍କ ସମ୍ମୁଖରେ ଉପସ୍ଥାପିତ କରିଥାନ୍ତି। ଏହି ତଥାକଥିତ ଧାର୍ମିକ ଗୁରୁମାନେ ନିଜ ସ୍ବାର୍ଥରେ ସେମାନଙ୍କ ବାଣୀ ନେଇ ତର୍କ ନ କରିବାକୁ, ଗୁରୁଙ୍କ ପାଖରେ ନିଜକୁ ପୂର୍ଣ୍ଣ ସମର୍ପଣ କରିବାକୁ ତଥା ନିଜର ମସ୍ତିଷ୍କକୁ ଖାଲି ରଖିବାକୁ ଉପଦେଶ ଦେଇଥାନ୍ତି। ଏଠାରେ ‘ଶ୍ରଦ୍ଧାବାନ୍‌ ଲଭତେ ଜ୍ଞାନମ୍‌’ ଏବଂ ‘ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂରେ’ର ନିୟମକୁ ମାନିବାକୁ ଶ୍ରଦ୍ଧାଳୁମାନଙ୍କୁ ଶିକ୍ଷା ଦିଆଯାଇଥାଏ। କିନ୍ତୁ ଏ ସମସ୍ତ ସତ୍ତ୍ୱେ କିଛି ଲୋକ ବାବାଙ୍କ ଭଣ୍ଡାମିକୁ ବୁଝିବାକୁ ସକ୍ଷମ ହୁଅନ୍ତି। ସେମାନଙ୍କୁ ପ୍ରଥମେ ଅର୍ଥ ପ୍ରଲୋଭନ ଓ ଧମକ ଚମକ ଦେଇ ବାବାମାନେ ଚୁପ୍‌ କରିବାକୁ ଚେଷ୍ଟା କରନ୍ତି। ଯଦି କୌଣସି ଭକ୍ତ ସେମାନଙ୍କ ପ୍ରଲୋଭନ ଓ ଚାପକୁ ଭ୍ରୂକ୍ଷେପ ନ କଲା ତା’ହେଲେ ତାକୁ ମାରିଦେବାକୁ ବି ସେମାନେ ପଛାଇ ନ ଥାନ୍ତି। ଆଶାରାମ, ନାରାୟଣ ସାଇ, ଜୟେନ୍ଦ୍ର ସରସ୍ବତୀ, ରାମରହିମ, ପ୍ରେମାନନ୍ଦ, ଚନ୍ଦ୍ରସ୍ବାମୀ, ସୁରବାବା ଆଦି ଅନେକଙ୍କ ବିରୋଧରେ ନିଜର ବିରୋଧୀ ଏପରିକି ଭକ୍ତ ଓ ଅନୁଗାମୀଙ୍କୁ ବି ହତ୍ୟା କରିବାର ଅନେକ ଅଭିଯୋଗ ରହିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନର ଶାସନ ବ୍ୟବସ୍ଥା ଓ ତା’ର ଶାସକ ଶ୍ରେଣୀ ମଧ୍ୟ ସମାଜରେ ବୈଜ୍ଞାନିକ ବିଚାର ଓ ଦୃଷ୍ଟିଭଙ୍ଗୀର ପ୍ରଚାର କରିବା ପରିବର୍ତ୍ତେ ଏଭଳି ବାବାମାତାଙ୍କ ସମସ୍ତ ପ୍ରକାର ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦେଇଥାନ୍ତି। ବାବାମାତାଙ୍କ ସହ ରାଜନେତା ଓ ଅଫିସରମାନଙ୍କ ଅଶୁଭ ମେଣ୍ଟ ବେଶ୍‌ ଜଣାଶୁଣା ଏବଂ ସେମାନଙ୍କ ସହଯୋଗ ବିନା ଏମାନେ ଏତେ ପ୍ରଭାବଶାଳୀ ହେବା ସମ୍ଭବ ନୁହେଁ। ବାବାମାନଙ୍କ ଅସଲ ରୂପ ପ୍ରକାଶିତ ହେବା ପରେ ଲୋକଙ୍କ ଭିତରେ ଆକ୍ରୋଶ ସୃଷ୍ଟି ହେବା ଭଲକଥା, କିନ୍ତୁ ତାହା କେବଳ ଜଣେ ଦୁଇ ଜଣ ବାବାଙ୍କ କ୍ଷେତ୍ରରେ ସୀମିତ ନ ରହି ସମଗ୍ର ବାବାସଂସ୍କୃତିର ପୁନରାବଲୋକନରେ ନିୟୋଜିତ ହେବା ଦରକାର। ସମାଜରେ ଲୋକଙ୍କ ମଧ୍ୟରେ ତାର୍କିକତା ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ପ୍ରଚାର ନିହାତି ଜରୁରୀ। ଏଭଳି ପ୍ରଚାର ଦ୍ୱାରା ଜନଗଣଙ୍କ ମନରୁ ଅନ୍ଧବିଶ୍ୱାସ ଓ କୂପମଣ୍ଡୁକତ୍ୱ ଅନେକ ପରିମାଣରେ ଦୂର କରାଯାଇପାରିବ।

ମୋ -୯୪୩୭୧୬୬୩୯୧, bhalachandra.odisha@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri