ଅର୍ଥନୈତିକ କୂଟନୀତି ମୁଖ୍ୟ

ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାଠାରୁ ତାଙ୍କ ପ୍ରଶାସନରେ ବ୍ୟାପକ ପରିବର୍ତ୍ତନ କରିଚାଲିଛନ୍ତି। କେଉଁ ବିଭାଗରେ କେଉଁ ବ୍ୟକ୍ତିଙ୍କୁ ଅବସ୍ଥାପିତ କରାଗଲେ ପ୍ରଶାସନ ଦକ୍ଷ ହୋଇପାରିବ ସେହି ଦିଗରେ ସେ କାର୍ଯ୍ୟ କରୁଛନ୍ତି। ଏବେ ଆମେରିକା ଅର୍ଥନୈତିକ କୂଟନୀତି ମୁଖ୍ୟ ଭାବେ ଜଣେ ଭାରତୀୟ-ଆମେରିକୀୟଙ୍କୁ ଟ୍ରମ୍ପ ମନୋନୀତ କରିଛନ୍ତି। ସେ ହେଲେ ମନୀଷା ସିଂ। ବର୍ତ୍ତମାନ ସିନେଟର ଡାନ୍‌ ସୁଲିଭାନ୍‌ଙ୍କ ମୁଖ୍ୟ ପରାମର୍ଶଦାତା ତଥା ବରିଷ୍ଠ ନୀତି ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି। ମନୀଷା ଅର୍ଥନୈତିକ କୂଟନୀତି ମୁଖ୍ୟ ଭାବେ ମନୋନୀତ ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣିବା ଲାଗି ଆଗ୍ରହ ସୃଷ୍ଟିହେବା ସ୍ବାଭାବିକ। ପିଲାଟିଏ ଥିବା ବେଳେ ଉତ୍ତରପ୍ରଦେଶରୁ ମାତାପିତାଙ୍କ ସହ ସେ ଆମେରିକାର ଫ୍ଲୋରିଡାକୁ ଉଡ଼ିଯାଇଥିଲେ। ସେଠାରେ ସ୍କୁଲ ପଢ଼ା ଶେଷକରିବା ପରେ ମାତ୍ର ୧୯ ବର୍ଷ ବୟସରେ ସେ ୟୁନିଭର୍ସିଟି ଅଫ୍‌ ମାୟାମିରୁ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ଆମେରିକାନ୍‌ ୟୁନିଭର୍ସିଟି ଓ୍ବାଶିଂଟନ କଲେଜ ଅଫ୍‌ ଲ’ରୁ ଇଣ୍ଟରନ୍ୟାଶନାଲ ଲିଗାଲ ଷ୍ଟଡିଜ୍‌ରେ ସେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ଆଇନ କ୍ଷେତ୍ରରେ ପ୍ରଗାଢ଼ ଜ୍ଞାନ ତାଙ୍କୁ ଅନେକ ସୁଯୋଗ ଦେଇଥିଲା। ଫଳରେ ସେ ଫ୍ଲୋରିଡା, ପେନ୍‌ସିଲ୍‌ଭାନିଆ ଏବଂ ଡିଷ୍ଟ୍ରିକ୍ଟ ଅଫ୍‌ କଲମ୍ବିଆରେ ଆଇନ ବ୍ୟବସାୟ କରିବା ଲାଗି ଲାଇସେନ୍ସ ପାଇଥିଲେ। ୪୫ ବର୍ଷୀୟା ଫ୍ଲୋରିଡା ନିବାସୀ ମନୀଷା ଅର୍ଥନୈତିକ, ଶକ୍ତି ଓ ବାଣିଜ୍ୟ ବ୍ୟାପାର ବ୍ୟୁରୋର ଡେପୁଟି ଆସିଷ୍ଟାଣ୍ଟ ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ ଭାବେ କାର୍ଯ୍ୟ କରି ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି। ପୂର୍ବରୁ ଘରୋଇ ଉଦ୍ୟୋଗରେ ଯୋଗଦାନ ତାଙ୍କ ପାଇଁ ଅନେକ ଅଭିଜ୍ଞତା ଆଣିଦେଇଛି। ବହୁରାଷ୍ଟ୍ରୀୟ କମ୍ପାନୀ ଓ ଏକ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କରେ ଆଇନ ସଂକ୍ରାନ୍ତ କାର୍ଯ୍ୟ କଲା ବେଳେ ସେ ବହୁ ଉଚ୍ଚକୋଟୀର ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଆମେରିକା ଅର୍ଥନୈତିକ କୂଟନୀତି ମୁଖ୍ୟ ଭାବେ ମନୋନୀତ ହେବା ପରେ ସେ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ ବୈଦେଶିକ ବିଭାଗର ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବେ କାର୍ଯ୍ୟ କରିବେ। ଆମେରିକା ତା’ର କୂଟନୈତିକ ଖେଳ ଜରିଆରେ ବିଶ୍ୱରେ ସୁପରପାଓ୍ବାର ହୋଇପାରିଛି। ବହୁ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ମଧ୍ୟ ହସ୍ତକ୍ଷେପ କରି ଚହଳ ପକାଉଛି। ଟ୍ରମ୍ପ ଜଣେ ଏକଜିଦିଆ ରାଷ୍ଟ୍ରପତି ଭାବେ ଏବେ ବିଶ୍ୱରେ ଜଣାଶୁଣା। ତେଣୁ ସେ ଆର୍ଥିକ ନୀତିରେ ପରିବର୍ତ୍ତନ ଆଣିବା ଲାଗି କୂଟନୀତିକୁ ଆଶ୍ରା କରିଛନ୍ତି। ଯେହେତୁ ମନୀଷା ଆଇନ କ୍ଷେତ୍ରରେ ଅନେକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇଛନ୍ତି, ସେହେତୁ ଟ୍ରମ୍ପ ତାଙ୍କୁ ଅର୍ଥନୈତିକ କୂଟନୀତି ମୁଖ୍ୟ ଲାଗି ମନୋନୀତ କରିଥିବା ବିଶେଷଜ୍ଞମାନେ କହୁଛନ୍ତି। ତେବେ ମନୀଷା ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ୱ ଗ୍ରହଣ କରିବା ପରେ ଟ୍ରମ୍ପ ପ୍ରଶାସନର ଅର୍ଥନୈତିକ କୂଟନୀତି କ୍ଷେତ୍ରରେ କିଭଳି ପରିବର୍ତ୍ତନ ଆସିବ ତାହା ଆଗକୁ ଜଣାପଡ଼ିବ। -ଜିତେନ୍ଦ୍ର

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri