ବିରଳ ଅମାୟିକତା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଏହା ଜଣାଶୁଣା କଥା ଯେ, ପ୍ରଶାସନିକ କ୍ଷମତାକୁ ନେଇ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସରମାନେ ସବୁବେଳେ ପରସ୍ପର ସହ କଳହରେ ଲିପ୍ତ ଥାନ୍ତି। ଆମେ ଅନ୍ୟମାନଙ୍କଠାରୁ ବଡ଼ ବା ଆମେ କାହାଠାରୁ କମ୍‌ ନୁହଁ ଏହିପରି ଗୋଟିଏ ଅହଂକାରପ୍ରସୂତ ଭାବ ସେମାନଙ୍କ ମନରେ ବସା ବାନ୍ଧିଥାଏ। କିନ୍ତୁ ନିକଟରେ ତେଲେଙ୍ଗାନା ସରକାରଙ୍କ ଦ୍ୱାରା ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡ଼ୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା କାର୍ଯ୍ୟକ୍ରମରେ ଉଭୟ ସର୍ବଭାରତୀୟ ବାବୁଙ୍କ ମଧ୍ୟରେ କୌଣସି ଶତ୍ରୁତା ପରିଲକ୍ଷିତ ହୋଇ ନ ଥିଲା, ଯାହା ଏକ ଆଶ୍ଚର୍ଯ୍ୟର ବିଷୟ। ମନେହେଉଥିଲା ଯେମିତି ଉଭୟ ଗୁରୁତ୍ୱପୂର୍ଣ୍ଣ ବିଭାଗର ବାବୁମାନେ ସେମାନଙ୍କ ଅହଂକାରକୁ ଛାଡ଼ିଦେଇଛନ୍ତି। ରାଜ୍ୟ ପ୍ରଶାସନ ଓ ପୋଲିସ ବିଭାଗର ବରିଷ୍ଠ ବାବୁମାନେ ପରସ୍ପର ସହ ହାସ୍ୟକୌତୁକ କରୁଥିବାର ଓ ଖୁବ୍‌ ଖୁସି ଥିବାର ଦେଖାଗଲା। ସମ୍ପୂର୍ଣ୍ଣ ୮୦ ମିନିଟ୍‌ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବରିଷ୍ଠ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସରମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏକାଠି ବସିଥିଲେ। ସେମାନଙ୍କ ବନ୍ଧୁତ୍ୱପୂର୍ଣ୍ଣ ଆଚରଣ ଉପସ୍ଥିତ ବ୍ୟକ୍ତିମାନଙ୍କ ଦୃଷ୍ଟିକୁ ଏଡ଼ାଇଯାଇ ନ ଥିଲା। ଅନେକ ମନ୍ତ୍ରୀ, ଏମ୍‌ପି ଓ ଏମ୍‌ଏଲ୍‌ଏ କହିଥିଲେ ଯେ, ଆଇଏଏସ୍‌ ଓ ଆଇପିଏସ୍‌ ଅଫିସରମାନଙ୍କ ଏପରି ବନ୍ଧୁତାପୂର୍ଣ୍ଣ ଭାବ ଅତ୍ୟନ୍ତ ବିରଳ। ତେବେ ଏହା ସ୍ପଷ୍ଟତଃ ଅସ୍ଥାୟୀ ବୁଝାମଣା ହେଲେ ହେଁ ଉଭୟଙ୍କ ମଧ୍ୟରେ ଆଗାମୀ ଦିନରେ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ପ୍ରତିଷ୍ଠିତ ହେବା ଅସମ୍ଭବ ନୁହେଁ।

ବୃହତ୍‌ ପୁନର୍ବିନ୍ୟାସ

ଏକ ବୃହତ୍‌ ଅଦଳବଦଳର ଅଂଶସ୍ବରୂପ ବରିଷ୍ଠ ବାବୁ ରାଜୀବ କୁମାର ଅର୍ଥସେବା ବିଭାଗର ସଚିବ ଭାବେ ନିଯୁକ୍ତି ପାଇଥିବା ବେଳେ ଅନୀତା କରଓ୍ବାଲଙ୍କୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ)ର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ବିଭିନ୍ନ କେନ୍ଦ୍ର ସରକାରୀ ବିଭାଗରେ ସଚିବ ଓ ଅତିରିକ୍ତ ସଚିବ ପାହ୍ୟାରେ ନିଯୁକ୍ତି ପାଇଥିବା ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଏମାନେ ଅନ୍ତର୍ଭୁକ୍ତ। ଝାଡ଼ଖଣ୍ଡ କ୍ୟାଡରର ୧୯୮୪ ବ୍ୟାଚ୍‌ ଅଫିସର କୁମାର ବର୍ତ୍ତମାନ କାର୍ମିକ ମନ୍ତ୍ରଣାଳୟରେ ସ୍ବତନ୍ତ୍ର ସଚିବ ଓ ଏଷ୍ଟାବ୍ଲିଶ୍‌ମେଣ୍ଟ ଅଫିସର ଅଛନ୍ତି। ତାଙ୍କୁ ଅବସରପ୍ରାପ୍ତ ଅଞ୍ଜଳି ଚିବ୍‌ ଡୁଗଲଙ୍କ ସ୍ଥାନରେ ନିଯୁକ୍ତି ମିଳିଛି। କୁମାର ଭାରତୀୟ ଅମଲାତନ୍ତ୍ରର ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ସେଥିମଧ୍ୟରୁ ବାବୁମାନଙ୍କର ବାର୍ଷିକ କାର୍ଯ୍ୟଦକ୍ଷତା ରିପୋର୍ଟ ଅନ୍‌ଲାଇନ୍‌ରେ ନଥିଭୁକ୍ତ କରିବା ଏବଂ ସେମାନଙ୍କ ବରିଷ୍ଠ ପାହ୍ୟାକୁ ପଦୋନ୍ନତି ନିମନ୍ତେ ଯୋଗ୍ୟତା ଆକଳନ କରିବା ଅନ୍ୟତମ। ତାଙ୍କ ସ୍ଥାନରେ ପ୍ରଦୀପ କୁମାର ତ୍ରିପାଠୀ ନିଯୁକ୍ତି ପାଇବେ। କରଓ୍ବାଲ ହେଉଛନ୍ତି ଜଣେ ଗୁଜରାଟ କ୍ୟାଡର ଆଇଏଏସ୍‌ ଅଫିସର ଯେ କି ବର୍ତ୍ତମାନ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅଛନ୍ତି। ତାଙ୍କୁ ରାଜେଶ କୁମାର ଚତୁର୍ବେଦୀଙ୍କ ସ୍ଥାନରେ ସିବିଏସ୍‌ଇର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଚତୁର୍ବେଦୀଙ୍କୁ ଜାତୀୟ କୌଶଳ ବିକାଶ ସଂସ୍ଥାର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।

ସ୍ବଦେଶୀ ମାନେ ନିରାପଦ

ପ୍ରତିରକ୍ଷା ଅଧିକାରୀମାନେ ଏଣିକି କେବଳ ଭାରତୀୟ ଫୋନ୍‌ ବ୍ୟବହାର କରିପାରିବେ। ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ ହେବାକୁ ଯାଉଛି। କେନ୍ଦ୍ର ସରକାର ତାଙ୍କ ଅଫିସରମାନଙ୍କ ପାଇଁ, ବିଶେଷତଃ ଯେଉଁମାନେ ପ୍ରତିରକ୍ଷା କ୍ଷେତ୍ରରେ କାମ କରୁଛନ୍ତି, ତାଙ୍କ ପାଇଁ ଏକ ନିରାପଦ ଯୋଗାଯୋଗ ବ୍ୟବସ୍ଥା ସୃଷ୍ଟି କରିବାକୁ ଯାଉଛନ୍ତି। କେବଳ ଭାରତୀୟ କମ୍ପାନୀ ଦ୍ୱାରା ପ୍ରସ୍ତୁତ ମୋବାଇଲ ଫୋନ୍‌କୁ ସରକାରୀ ଯୋଗାଯୋଗ ପାଇଁ ବାଧ୍ୟତାମୂଳକ କରାଯିବାକୁ ପ୍ରସ୍ତାବ ରହିଛି। ସରକାର ମଧ୍ୟ ନିଜ ଅଫିସରମାନଙ୍କ ପାଇଁ ଏକ ନିରାପଦ ଇମେଲ ସେବା ବ୍ୟବସ୍ଥା ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ମାସ ପ୍ରାରମ୍ଭରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଆବାହକତ୍ୱରେ ଆୟୋଜିତ ଏକ ବୈଠକରେ ଏହି ପ୍ରସ୍ତାବ ଆଗତ ହୋଇଥିଲା। ଉକ୍ତ ବୈଠକରେ ବିଭାଗର ବରିଷ୍ଠ ଅଫିସରମାନଙ୍କ ସହ ଇଣ୍ଡିଆନ କମ୍ପ୍ୟୁଟର ଇମର୍ଜେନ୍‌ସି ରେସ୍‌ପନ୍ସ ଟିମ୍‌, ସର୍ଟ-ଇନ୍‌ର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବର୍ତ୍ତମାନ ସୈନ୍ୟ ବିଭାଗରେ ଯୋଗାଯୋଗ ପାଇଁ ନିରାପଦ ଲ୍ୟାଣ୍ଡ୍‌ଲାଇନ୍‌ ଫୋନ୍‌ ବ୍ୟବହାର କରାଯାଉଛି। ମନ୍ତ୍ରଣାଳୟ ପକ୍ଷରୁ ସମ୍ପ୍ରତି ଏକ ଡାଟା ସୁରକ୍ଷା ଆଇନ ପ୍ରଣୟନ ପାଇଁ ପ୍ରସ୍ତୁତି ଚାଲିଛି। ପ୍ରତିରକ୍ଷା ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନିରାପଦ ଯୋଗାଯୋଗ ବ୍ୟବସ୍ଥା ଲାଗି ମଧ୍ୟ ମନ୍ତ୍ରଣାଳୟ ଚିନ୍ତା କରୁଛି। ଯାହା ଜଣାଯାଏ, ଭାରତରେ ସ୍ମାର୍ଟଫୋନ୍‌ ବିକ୍ରି କରୁଥିବା କମ୍ପାନୀମାନେ କିଭଳି ସୁରକ୍ଷା ଓ ନିରାପତ୍ତା ପଦ୍ଧତି ଅବଲମ୍ବନ କରୁଛନ୍ତି, ତାହାର ପୁଙ୍ଖାନୁପୁଙ୍ଖ ବିବରଣୀ ମଗାଯାଇଛି। ସରକାରୀ ବିଭାଗଗୁଡ଼ିକୁ ଯେଉଁ ସଂସ୍ଥା ମୋବାଇଲ ଯୋଗାଉଛନ୍ତି, ସେମାନଙ୍କୁ ଏଥିରେ ସ୍ବତନ୍ତ୍ର ନିରାପତ୍ତା ବ୍ୟବସ୍ଥା ରଖିବା ପାଇଁ କୁହାଯିବାର ସମ୍ଭାବନା ରହିଛି। ଏକ ନୂତନ ଇମେଲ ନୀତି ମଧ୍ୟ ପ୍ରଣୟନ କରାଯାଇପାରେ। ନ୍ୟାଶ୍‌ନାଲ ଇନ୍‌ଫର୍ମେଟିକ୍ସ ସେଣ୍ଟର ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକରେ କାମ କରୁଥିବା ୫୦ ଲକ୍ଷରୁ ଅଧିକ ବାବୁଙ୍କୁ ସ୍ବତନ୍ତ୍ର ଇମେଲ୍‌ ଆଇଡି ଦିଆଯିବାର ପ୍ରସ୍ତାବ ରହିଛି। ଏହି ଇମେଲରେ ଜିଓଫେନ୍ସିଂ ଓ ଡିଭାଇସ୍‌ ମ୍ୟାପିଂ ପରି ସ୍ବତନ୍ତ୍ର ସୁରକ୍ଷା ପ୍ରମାଣୀକରଣ ମେକାନିଜ୍‌ମ ବ୍ୟବସ୍ଥା ରହିବ।

Email: dilipcherian@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri