ବିଶେଷଣର ମହିମା

ମନ-ମାନଚିତ୍ର/ ଡ. ନରହରି ବେହେରା

ପ୍ରାଚୀନ କାଳରୁ ଏଯାବତ୍‌ ସବୁ ସାହିତ୍ୟରେ ବିଶେଷଣ ହିଁ ଅଧିକ ସ୍ଥାନ ଦଖଲ କରିଛି। ଏହି ବିଶେଷଣର ଏମନ୍ତ ଗୁଣ ଯାହା କୁରୂପାକୁ ସୁରୂପା ଏବଂ ସୁରୂପାକୁ ବିରୂପା କରିଦେଇପାରେ। କେବଳ ସାହିତ୍ୟ ନୁହେଁ, ବାସ୍ତବ ଜୀବନରେ ଏହି ବିଶେଷଣର ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତ୍ରେତୟା ଯୁଗରେ ସମଗ୍ର ଅଯୋଧ୍ୟାର ଲୋକମାନେ ମାତା ସୀତାଙ୍କୁ ସତୀ ବୋଲି କହୁଥିବାବେଳେ ଦୁଇଜଣ ଲୋକ ସେହି ବିଶେଷଣକୁ ବଦଳାଇଦେଲେ। ଏଥିପାଇଁ ମାତା ସୀତାଙ୍କୁ ନିର୍ବାସନ ଦଣ୍ଡ ଭୋଗିବାକୁ ପଡ଼ିଲା, ରାମାୟଣର ମୋଡ଼ ବଦଳିଗଲା। ସକାଳୁ ଶ୍ରୀମତୀଙ୍କୁ ଖୁସି କରିବାପାଇଁ ଖଞ୍ଜ ଦେଖି ଦି’ପଦ ଭଲ ବିଶେଷଣ ପ୍ରୟୋଗ କରିଦେଲେ ଆପଣଙ୍କ ସଂସାରଟି ସେଦିନ ସଜ ଗୋଲାପ ପରି ଲାଗିବ। କିନ୍ତୁ ଟିକିଏ ଓଲଟ ପାଲଟ ହୋଇଗଲେ ଆଉ କିଛି ହେଉ କି ନ ହେଉ ସେଦିନ ତରକାରୀ ପୋଡ଼ିଯିବ ନ ହେଲେ ଲୁଣିଆ ହୋଇଯିବ। ଏଥିରୁ ଆମ ଜୀବନରେ ଏ ବିଶେଷଣର ଭୂମିକା କେତେ ଲୋଡ଼ା ତାହା ଆମର ସୁଧୀ ପାଠକେ ନିଶ୍ଚୟ ଜାଣିପାରୁଥିବେ। ସକାଳୁ ଉଠିବାଠାରୁ ଶୋଇବା ପର୍ଯ୍ୟନ୍ତ ଏବେ ଏହି ବିଶେଷଣକୁ ଆଦରି ନେବାକୁ ପଡ଼ୁଛି, ନଇଲେ ସୁନା ସଂସାରରେ ନିଆଁ ଜଳିବ। ତରକାରି ଲୁଣିଆ, ପୋଡ଼ା, ସ୍ବାଦହୀନ ହେଲେ ମଧ୍ୟ ଘରଣୀକୁ କହିବାକୁ ହେବ, ଆହା କି ସୁନ୍ଦର ତରକାରି ରାନ୍ଧିଛ ସତେ, ତୁମପରି ଏ କଲୋନୀରେ କେହି ରାନ୍ଧିପାରିବେ ନାହିଁ। ଘରଣୀ ଟିକିଏ ହସିଦେବେ। ଘରଣୀ ହସିଦେଲେ ସଂସାର ହସିଲା ଜାଣ। ନଇଲେ ଭୁରୂ ନଚାଇ କହିବେ, ଆଜିକାଲି ଘର ରାନ୍ଧଣା ଭଲ ଲାଗୁନି, ଆଉ କୋଉଠି କ’ଣ ଖାଉଚ କି? ଘରକୁ ଆଉ କାହାକୁ ଆଣ ସେ ରାନ୍ଧିଦେବ, ମୁଁ ପାରିବିନି। ଆପଣଙ୍କର ସାରାଦିନ ଦୁଃଖରେ ହିଁ କଟିବ। ନିଜ ସଂସାରକୁ ସତେଜ ରଖିବାପାଇଁ ଗୃହସ୍ଥମାନେ ବିଶେଷଣକୁ ଯଥାରୀତି ଆୟତ୍ତରେ ରଖିବା ଉଚିତ। ଟେକା ଟେକି କରି ବୋଲାଯାଉଥିବା ବିଶେଷଣଟା ଖାଲି କାନକୁ ଭଲ ଶୁଭେନାହିଁ, ମନକୁ ମଧ୍ୟ କୁତୁକୁତୁ କରିଦିଏ। ତେଣୁ ଆଗରୁ ଏହି ବିଶେଷଣଗୁଡ଼ାକ ଶୁଣିବାପାଇଁ ରାଜରାଜୁଡ଼ାମାନେ ଭାଟଙ୍କୁ ନିଯୁକ୍ତି ଦେଉଥିଲେ। ନଡ଼ବଡ଼ିଆ ଡରୁଆ ଦୁର୍ବଳ ରାଜାଙ୍କୁ ବି ଭାଟମାନେ ଉଚ୍ଚସ୍ବରରେ ବୀରାଧିବୀରବର ମହାପ୍ରତାପୀ ଦିଗ୍‌ବିଜୟୀ ରାଜା ବୋଲି ଡାକ ଛାଡ଼ୁଥିଲେ। ରାଜାମାନେ ଏଥିରେ ବହୁତ ଖୁସିହୋଇ ଭାଟମାନଙ୍କୁ ପୁରସ୍କୃତ କରୁଥିଲେ। ରାଜାଙ୍କୁ ଖୁସି କରିବାକୁ ଭାଟମାନେ ନୂଆ ନୂଆ ବିଶେଷଣ ଯୋଡ଼ିବା ପାଇଁ ରୀତିମତ କସରତ କରୁଥିଲେ। ଯିଏ ଯେତେ ବିଶେଷଣ ଯୋଡ଼ି କହିପାରୁଥିଲା ସେ ସେତେ ଭଲ ଭାଟ ହୋଇ ପାରୁଥିଲା। ସମୟ ବଦଳିଯାଇଛି, ରାଜା ଯାଇଛନ୍ତି, କିନ୍ତୁ ସେ ଭାଟଙ୍କ ବଂଶଧର ଏବେ ବି ବଞ୍ଚତ୍ଛନ୍ତି। ଅବଶ୍ୟ ଏକଥା ସତ ଯେ ଏହି ବିଶେଷଣକୁ ଛାଡ଼ିଦେଲେ ଆପଣ ଏବେ ଏକଘରିଆ ହୋଇଯିବେ। କାରଣ ଆଜି ସମସ୍ତଙ୍କୁ ଏ ବିଶେଷଣର ଆବଶ୍ୟକତା ଅଛି। ରାଜରାଜୁଡ଼ା ଗଲେ ବି ଏବେ ବି ତାଙ୍କର ବଂଶଧର ସାଲୁବାଲୁ ହେଉଛନ୍ତି। ସେ ଚୋରି ଡକାୟତି ଯାହା କଲେ ବି ତାଙ୍କ ନାଁ ପୂର୍ବରୁ ବଛା ବଛା ବିଶେଷଣ ନ ଯୋଖିଲେ ସର୍ବନାଶ ହେବ ବୋଲି ଜାଣନ୍ତୁ। ସେ ମହାମାନ୍ୟ ବିଶେଷଣଖୋରଙ୍କ ଆଖିରେ ଆପଣ ଜଣେ ଗର୍ବୀ, ଅହଂକାରୀ ଏବଂ ଉଦ୍ଧତ ମଣିଷ ଭାବରେ ପରିଚିତ ହେବେ। ଆପଣ ଚାକିରି କରୁଥିଲେ କୋଉ ଅପନ୍ତରାରେ ପଡ଼ିବେ, ନ ହେଲେ ଆପଣଙ୍କ ନାଁରେ କେସ୍‌ ଲାଗିବ, ଜୀବନ ବି ଯାଇପାରେ। ଏବେ କନ୍ନଡ଼ ସାମ୍ବାଦିକ ଗୌରୀ ଲଙ୍କେଶ କିପରି ଆତତାୟୀଙ୍କ ଦ୍ୱାରା ନିହତ ହେଲେ ଆପଣମାନେ ହିଁ ଜାଣିଛନ୍ତି। କବି ଦୀନକୃଷ୍ଣ ଦିନେ କହିଥିଲେ- ‘କବି ଯା କରେ ମୂର୍ଖକୁ ସ୍ତୁତି, ଏଥିରୁ ବଡ଼ ନାହିଁ ବିପତ୍ତି, ଏଥିକି ପ୍ରତି ଛାତିରେ କାତି ମାରିବା ଭଲ ଯେ।’ କିନ୍ତୁ ଏବେ ସେହି ବିଶେଷଣପୂର୍ଣ୍ଣ ସ୍ତୁତିଗାନ ନ କଲେ ରକ୍ଷାପାଇବେ ନାହିଁ। ସେତେବେଳେ ଆପଣ ଖାଲି ପସ୍ତେଇବେ। ମନକୁ ମନ କହିହେବେ, ଦି’ପଦ ଭଲ ବିଶେଷଣ ଦେଇ ଟେକାଟେକି କରିଦେଲେ କି କ୍ଷତି ହୋଇଥାନ୍ତା! ଆଗକାଳର ରାଜରାଜୁଡ଼ାଙ୍କ ପରି ଏବେ ଲୋକେ ପଇସା ଖର୍ଚ୍ଚକରି ବିଶେଷଣ କିଣିବାକୁ ପସନ୍ଦ କରୁଛନ୍ତି। ଯାହାର ଯେତେ ପଇସା ତା’ ପକେଟ୍‌ରେ ସେତେ ବିଶେଷଣ ଭର୍ତ୍ତି। ଏଇ କିଛିଦିନ ତଳେ ଜଣେ ଭଦ୍ରବ୍ୟକ୍ତିଙ୍କର ଏକାଦଶାହ କ୍ରିୟାରେ ଯୋଗଦେବାର ସୁଯୋଗ ମିଳିଥିଲା। ସେ ଭଦ୍ରବ୍ୟକ୍ତି ଜଣକ ଜୀବଦ୍ଦଶାରେ ସେମିତି କିଛି ସାମାଜିକ କାର୍ଯ୍ୟ କରିଥିବାର ଆଖପାଖର ଲୋକମାନେ ଜାଣନ୍ତି ନାହିଁ। କେତେକ ଆପରାଧିକ କାର୍ଯ୍ୟପାଇଁ ସେ ଥରେ ଦି’ଥର ଥାନାକଚେରିର ମୁହଁ ମଧ୍ୟ ଦେଖିଛନ୍ତି। ମାତ୍ର ଅର୍ଥ ବଳରେ ସେ ସବୁଥିରୁ ଅକ୍ଳେଶରେ ମୁକୁଳି ଆସିଛନ୍ତି। ତାଙ୍କର ରୋଜଗାରକ୍ଷମ ପୁତ୍ର ଆୟୋଜନ କରିଥିବା ଏକାଦଶାହ କ୍ରିୟାରେ ବକ୍ତାମାନେ ଯେଉଁ ଭାଷଣ ଦେଲେ ତାହା ଶୁଣି ମନେହେଲା, ଏ ମାଟିରେ ଗାନ୍ଧୀ, ଗୋପବନ୍ଧୁ, ମଧୁସୂଦନ ସମସ୍ତେ ଏ ଭଦ୍ରବ୍ୟକ୍ତିଙ୍କ ନିକଟରେ ତୁଚ୍ଛ ହୋଇଯିବେ। ଏ ବକ୍ତାମାନେ ରାଜାଙ୍କ ଭାଟଠାରୁ ବି ବଳିଗଲେ। ସ୍ବର୍ଗତ ଅମୁକ ଜଣେ ସମାଜସେବୀ, ନିଷ୍ଠାପର ସାଧକ, ଦରିଦ୍ରର ବନ୍ଧୁ, ତାଙ୍କ ଦାନର ମହିମା ବଖାଣି ହେବନାହିଁ ଇତ୍ୟାଦି ବିଶେଷଣର ବର୍ଷା ହୋଇଗଲା। ବକ୍ତାମାନଙ୍କର ଭାଷଣ ଶୁଣି ବାହାରକୁ ଆସିବାପରେ ଜଣେ ବକ୍ତାଙ୍କୁ କଥାପ୍ରସଙ୍ଗରେ ପଚାରିଲି- ଆଜ୍ଞା, ଏ ସ୍ବର୍ଗତ ଆମତ୍ାଙ୍କୁ ଆପଣ କ’ଣ ବହୁଦିନରୁ ଜାଣନ୍ତି? ସେ ମହାଶୟ ମୋତେ ଆପାଦମସ୍ତକ ଚାହିଁଗଲେ। ତାଙ୍କ ଜିଜ୍ଞାସାପୂର୍ଣ୍ଣ ଚାହାଣିକୁ ପ୍ରତିହତ କରିବାପାଇଁ ମୁଁ କହିଲି- ନାଇଁ ଆଜ୍ଞା, ସବୁ ବକ୍ତାଙ୍କ ମଧ୍ୟରୁ ଆପଣ ଚମକତ୍ାର ଭାଷଣ ଦେଲେ, ଆପଣଙ୍କ କଥାଗୁଡ଼ାକ ମୋ ମନକୁ ଛୁଇଁଲା, ତେଣୁ ପଚାରିଲି। ମୋ ବିଶେଷଣପୂର୍ଣ୍ଣ ବାକ୍ୟ ଶୁଣି ତାଙ୍କ ମୁହଁରେ ସ୍ମିତ ହାସ୍ୟରେଖାଟିଏ ଖେଳିଗଲା। ସେ ମୋ ପାଖକୁ ନଇଁଆସି ଚୁପ୍‌ଚୁପ୍‌ କହିଲେ- ଭାଇ, ତାଙ୍କୁ ମୁଁ ଆଦୌ ଚିହ୍ନି ନାହିଁ। ତାଙ୍କ ସାନପୁଅ ମୋ ପାଖରେ କଣ୍ଟ୍ରାକ୍ଟରି କରେ, ତା’ ପାଖରୁ ଯାହା ଶୁଣିଥିଲି। ଏବେ ଏକାଦଶାହ କ୍ରିୟାପାଇଁ ଛପାଯାଇଥିବା ଯେଉଁ ବହିଟା ଦେଇଥିଲେ ସେଇଥିରୁ ପଢ଼ି ଯାହା ଜାଣିଲି କହିଦେଲି। ସେ ବାବୁଜଣକ କହିବାବେଳେ ତାଙ୍କ ମୁହଁରେ ଆମତ୍ତୃପ୍ତିର ହସ ଝରି ପଡ଼ୁଥିଲା। ସଭା ସମିତିରେ ଛଳନା କରି ଏମିତି କହି ବାହାବା ନେବା ଲୋକଙ୍କର ଅଭାବ ନାହିଁ। ଛଳନାପୂର୍ଣ୍ଣ ବିଶେଷଣକୁ ଆୟୁଧ କରି ଭାଷଣ ଦେବା ଆମମାନଙ୍କର ଏକ ବ୍ୟାଧିରେ ପରିଣତ ହୋଇଛି। ସେ ଏକାଦଶାହ କ୍ରିୟା ହେଉ, ସାହିତ୍ୟ ସଭା ହେଉ କି ସମ୍ବର୍ଦ୍ଧନା ସଭା ହେଉ ସବୁଠି ଖାଲି ବିଶେଷଣପୂର୍ଣ୍ଣ ବାଗାଡ଼ମ୍ବର। ପଛରେ ଗାଳିଦେଇ ସଭାରେ ଟେକିଟାକି କହିବାର କଳା ଆଜିକାଲି ଅଧିକାଂଶଙ୍କୁ ଜଣା। ଏମାନଙ୍କୁ କେହି କେହି କୁହାମୁଣ୍ଡା କପିଳା କହନ୍ତି। ହେଲେ ଏମାନଙ୍କର କାଟ୍‌ତି ବହୁତ। ଏମାନେ ମଧ୍ୟ ଆଗରେ ପ୍ରଶଂସା ଓ ପଛରେ ନିନ୍ଦା କରି ବହୁତ ଆନନ୍ଦ ପାଇଥାନ୍ତି। ତଥାପି ଆମେ ଏହି ବିଶେଷଣପଟୁ, ଭାଷଣଲୋଭୀ ବିଷକୁମ୍ଭ ପୟୋମୁଖ ମାୟାରେ ପଡ଼ିଯାଉ। କାରଣ ଏହି ବିଶେଷଣଗୁଡ଼ାକ ମିଛ ହେଉ ପଛେ ଆମକୁ ବହୁତ ମିଠା ଲାଗେ। ସାଧୁମାନେ କହନ୍ତି, ଏହି ତୁଚ୍ଛା ବିଶେଷଣଯୁକ୍ତ ପ୍ରଶଂସା ଶୂକରୀବିଷ୍ଠା ସହିତ ସମାନ। ଏଗୁଡ଼ାକ ଆମ ମନରେ କେବଳ ଗର୍ବଅହଂକାର ସୃଷ୍ଟିକରେ ନାହିଁ, ଅନେକ ସମୟରେ ବିପଦ ବି ନେଇ ଆସେ। ଏଇ କିଛିଦିନ ତଳେ ପଡ଼ିଶାଘରେ ଗୋଟିଏ ଘଟଣା ପଦାକୁ ଆସିଥିଲା, ଯାହା ଦେଖାଇଦେଲା, କେଇପଦ ମିଠାକଥା କେତେ ଅନର୍ଥ ସୃଷ୍ଟି କରିପାରେ! ଗୋଟିଏ ମିସ୍‌ଡ୍‌ କଲ୍‌ ଆସିଥିଲା। ତା’ ପଡ଼ିଗଲା ଝିଅ ହାତରେ। ଆର ପାଖରୁ ଭାସି ଆସିଲା, ତୁମ ସ୍ବର ଭାରି ମିଠା, ତୁମକୁ ନ ଦେଖିଲେ ବି ଜାଣି ପାରୁଛି ତୁମେ ଖୁବ୍‌ ସୁନ୍ଦରୀ। ତୁମକୁ ପାଇଲେ ମୁଁ କେବଳ ଖୁସି ହେବିନି, ତୁମକୁ ରାଜରାଣୀ କରିବି ଇତ୍ୟାଦି। ବେଶ୍‌ କିଛିଦିନ ଏଇମିତି ଗୋପନ ବିଶେଷଣରେ ସମ୍ପର୍କ ଦିନକୁ ଦିନ ଗଭୀର ହେଲା। ପରିଶେଷରେ ପରିସ୍ଥିତି ଜଟିଳ ହେଲା। ମାମଲା ଥାନାକୁ ଗଲା। ଥାନାରେ ଏହି ମଧୁର ବିଶେଷଣ ପ୍ରୟୋଗବାଲା ରୋମିଓ ରୋକ୍‌ଠୋକ୍‌ ସେ ଝିଅକୁ ଜାଣେ ନାହିଁ ବୋଲି ମନା କରିଦେଲା। ଅବଶ୍ୟ ସେ ଏବେ ହାଜତରେ, ମାତ୍ର ଝିଅର ଦୁଃଖ ଉପଶମ ହୋଇନାହିଁ। ଏହିପରି ବହୁ ଉଦାହରଣ ଆମ ସମାଜରେ ଉପଲବ୍ଧ। ଏଣୁ ସୁଜନେ, ସଂସାରର ସୁଖପାଇଁ ବିଶେଷଣକୁ ଆୟୁଧ କରନ୍ତୁ, ମାତ୍ର ବିଶେଷଣର ଏହି ବିଷରୂପକୁ ସର୍ବଦା ସତର୍କ ରୁହନ୍ତୁ, ନ ହେଲେ ଅନର୍ଥ ହିଁ ଏକମାତ୍ର ଶେଷ ପରିଣତି ହେବ।

ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ, ଭଦ୍ରକ, ମୋ: ୯୪୩୮୪୬୫୪୭୮



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri