ଜ୍ୟୋତିର୍ବିଜ୍ଞାନରେ ରାହୁଚଳନ

ବ୍ରହ୍ମାନନ୍ଦ ପଣ୍ଡା

ଶାସ୍ତ୍ର କହେ- ଦେବାସୁରଙ୍କ ସମୁଦ୍ର ମନ୍ଥନରୁ ଉତ୍ପନ୍ନ ଅମୃତ ପାନକୁ ନେଇ କଳହ ସୃଷ୍ଟି ହେବାରୁ ଭଗବାନ ବିଷ୍ଣୁ ମୋହିନୀ ରୂପରେ (ଯାଦେବୀ ସର୍ବଭୂତେଷୁ ବିଷ୍ଣୁମାୟେତି ଶବ୍ଦିତା) ଅସୁରମାନଙ୍କୁ ମୋହଗ୍ରସ୍ତ କରି ଦେବତାମାନଙ୍କୁ ଅମୃତ ପାନ କରାଇଥିଲେ। କେବଳ ଗୋଟିଏ ଧୂର୍ତ୍ତ ଓ ବୁଦ୍ଧିମାନ ଅସୁର ଦେବତାଙ୍କ ଗହଣରେ ରହି ଅମୃତ ପାନ କରୁଥିବାବେଳେ ସୂର୍ଯ୍ୟ-ଚନ୍ଦ୍ରଙ୍କଠାରୁ ଇସାରା ପାଇ ବିଷ୍ଣୁ ସୁଦର୍ଶନ ଚକ୍ର ଦ୍ୱାରା ତା’ର ମୁଣ୍ଡ-ଗଣ୍ଡି ଅଲଗା କରିଥିଲେ। ସେବେଠାରୁ ଅମୃତପ୍ରାପ୍ତ ମୁଣ୍ଡ ରାହୁ ରୂପରେ ଏବଂ ଗଣ୍ଡି କେତୁ ଭାବରେ ଗଣ୍ୟ ହୋଇ ଆସୁଛି ଏବଂ ରାହୁ-କେତୁ (ଅର୍ଦ୍ଧଶରୀରରେ ଅମର ହୋଇ) ସୂର୍ଯ୍ୟ-ଚନ୍ଦ୍ର ଏବଂ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଥିବା ଗ୍ରହମାନଙ୍କ ପ୍ରତି ପ୍ରତିଶୋଧପରାୟଣ ହୋଇ କାର୍ଯ୍ୟ କରୁଛନ୍ତି। ଜାତକଚକ୍ରରେ ରାହୁ ସୂର୍ଯ୍ୟ ବା ଚନ୍ଦ୍ରଯୁକ୍ତ ହେଲେ ଗ୍ରହଣ ଯୋଗ, ମଙ୍ଗଳ ଯୋଗରେ ଅଙ୍ଗାରକ ଯୋଗ, ବୁଧ ଯୋଗରେ ଧୂର୍ତ୍ତଯୋଗ, ବୃହସ୍ପତି ଯୋଗରେ ଚଣ୍ଡାଳ ଯୋଗ, ଶୁକ୍ର ଯୋଗରେ ଲମ୍ପଟ ଯୋଗ, ଶନି ଯୋଗରେ ବ୍ୟଭିଚାର ଯୋଗ ଆଦି ଅଶୁଭ ଯୋଗ ମାନ ସୃଷ୍ଟି ହୋଇଥାଏ। ମେଦିନୀ ଜ୍ୟୋତିଷରେ ମଧ୍ୟ ବିଶେଷ ଭାବରେ ରାହୁ-କେତୁ ସୂର୍ଯ୍ୟଙ୍କ ସମ୍ପର୍କରେ ସୂର୍ଯ୍ୟୋପରାଗ, ଚନ୍ଦ୍ରଙ୍କ ସମ୍ପର୍କରେ ଚନ୍ଦ୍ରଗ୍ରହଣ ଏବଂ ସାଧାରଣ ଅବସ୍ଥାନରେ ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ ଆଦି ଗ୍ରହ ସମ୍ପର୍କରେ ସୁଦୂରପ୍ରସାରୀ ଘଟଣା, ଦୁର୍ଘଟଣା, ଉତ୍‌ଥାନ, ପତନ ସୃଷ୍ଟିକାରୀ ଘଟଣା ଘଟିବାର ସୂଚକ ହୋଇଥାନ୍ତି। ଆଧୁନିକ ବିଜ୍ଞାନ ମତରେ ପୃଥିବୀର କକ୍ଷପଥ (କ୍ରାନ୍ତିବୃତ୍ତ) ଏବଂ ଚନ୍ଦ୍ରଙ୍କର କକ୍ଷପଥ (ଚନ୍ଦ୍ରପଥ) ଦୁଇଟିକୁ ପ୍ରସାରଣ କଲେ ସେହି ଦୁଇ କକ୍ଷପଥ ଯେଉଁ କାଳ୍ପନିକ ବିନ୍ଦୁଦ୍ୱୟରେ ଛେଦ କରିବେ ୧୮୦ଂ ବ୍ୟବଧାନରେ ଥିବା ସେହି ଛେଦବିନ୍ଦୁଦ୍ୱୟର ନାମ ରାହୁ ଓ କେତୁ। ଉତ୍ତରାଭିମୁଖୀ ବିନ୍ଦୁର ନାମ ରାହୁ ଏବଂ ଦକ୍ଷିଣାଭିମଖୀ ବିନ୍ଦୁର ନାମ କେତୁ। ପୃଥିବୀ ଉପରକୁ ଗ୍ରହ-ନକ୍ଷତ୍ର-ମହାଜାଗତିକ ବସ୍ତୁଠାରୁ ଆସୁଥିବା ବିଭିନ୍ନ ବିଦ୍ୟୁତ୍‌ଚୁମ୍ବକୀୟ, ଆଣବିକ, ତାପ, ଆଲୋକ ଆଦି ରଶ୍ମି ଓ ପ୍ରଭାବ କ୍ରାନ୍ତିବୃତ୍ତ ଦେଇ ଆମ ପାଖକୁ ଆସେ। ସେହିପରି ଚନ୍ଦ୍ରପୃଷ୍ଠକୁ ଆସୁଥିବା ଉପରୋକ୍ତ ରଶ୍ମି ଓ ପ୍ରଭାବ ଚନ୍ଦ୍ର କକ୍ଷପଥ ଦେଇ ପ୍ରତିଫଳିତ ହୋଇ ଆମ ପାଖକୁ ଆସେ। ଏଥିରୁ ସ୍ପଷ୍ଟ ହୁଏ ଉପରୋକ୍ତ କ୍ରାନ୍ତିବୃତ୍ତ ଓ ଚନ୍ଦ୍ରପଥର ଛେଦବିନ୍ଦୁ ରାହୁ-କେତୁ ଦେଇ ବିଦ୍ୟୁତ୍‌ଚୁମ୍ବକୀୟ, ତାପ, ଆଲୋକ, ଆଣବିକ ଓ ଜାଗତିକ ରଶ୍ମି ପ୍ରଭାବ ଆମ ପାଖକୁ ଅଧିକ ମାତ୍ରାରେ ଆସିଥାଏ। ସେଥିପାଇଁ ରାହୁ-କେତୁ ବିନ୍ଦୁଦ୍ୱୟକୁ ଛାୟାଗ୍ରହ କୁହାଯାଇଛି ଏବଂ ସେମାନେ ଅଧିକ ପ୍ରଭାବଶାଳୀ ଘଟଣା, ଦୁର୍ଘଟଣା ସୃଷ୍ଟି କରିଥନ୍ତି। ମହାଜାଗତିକ ପ୍ରଭାବ ଓ ମହାକର୍ଷଣ ବଳ ହେତୁ ବିଶ୍ୱବ୍ରହ୍ମାଣ୍ଡର ସବୁ କିଛି ଗତିଶୀଳ ହୋଇଥିବାରୁ ପୃଥିବୀର କକ୍ଷପଥ ଓ ଚନ୍ଦ୍ରର କକ୍ଷ ତଥା ସେମାନଙ୍କର ଛେଦବିନ୍ଦୁ (ରାହୁ-କେତୁ) ଦ୍ୱୟ ପଶ୍ଚାତ୍‌ଗତିରେ ପରିବର୍ତ୍ତନଶୀଳ ହୋଇଥାନ୍ତି। ପ୍ରତି ୧୮.୬୧୨୯୫୮ ବର୍ଷରେ ବା ୧୮ ବର୍ଷ ୭ ମାସରେ ବା ପ୍ରତି ୬୭୯୭.୩୯ ଦିନରେ ଏହି ରାହୁ/କେତୁ ବିନ୍ଦୁ ଦ୍ୱୟ କ୍ରାନ୍ତିବୃତ୍ତ ତଥା ରାଶିଚକ୍ରକୁ ଥରେ ପରିକ୍ରମଣ କରିଥାନ୍ତି। ଉଦାହରଣ ସ୍ବରୂପ ରାହୁ ତା୧୩।୭।୨୦୧୪ରେ କନ୍ୟାରାଶି ଓ ତା୯।୧।୨୦୧୬ରେ ସିଂହରାଶିକୁ ପ୍ରବେଶ କରିଥିଲେ। ତା୯।୯।୨୦୧୭ ସକାଳ ଘ୫।୨୯ ମିନିଟରେ କର୍କଟ ରାଶି (ଅଶ୍ଲେଷା ନକ୍ଷତ୍ର ଶେଷ ପାଦକୁ) ଓ କେତୁ ମକର ରାଶିକୁ ଚଳନ କରିବେ (ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁଯାୟୀ)। ରାହୁ କର୍କଟରେ ୯।୯।୨୦୧୭ରୁ ୨୩।୩।୨୦୧୯ ପଯର୍‌ୟନ୍ତ ରହିବେ। ଶନି ସଦୃଶ ରାହୁ (ଶନିବତ୍‌ ରାହୁ) ଏବଂ ମଙ୍ଗଳ ସଦୃଶ କେତୁ (କୁଜବତ୍‌ କେତୁ) ପାପ ଫଳଦାୟକ। ଶନି ଓ ମଙ୍ଗଳଯୁକ୍ତ ହେଲେ ରାହୁ/କେତୁ ଦୁର୍ଭାଗ୍ୟ ଓ ଦୁଃସ୍ଥ ଜୀବନ ତଥା ଦୁର୍ଦ୍ଦିନ ଓ ଦୁର୍ଘଟଣାର ସୂଚକ ହୋଇଥାନ୍ତି। ଅନେକେ ଏମାନଙ୍କୁ କର୍ମଫଳ ନିୟନ୍ତ୍ରକ ଗ୍ରହଭାବେ ନାମିତ କରିଥାନ୍ତି। ଦ୍ୱାଦଶ ରାଶିଫଳ ଦୃଷ୍ଟିରୁ ଜ୍ୟୋତିର୍ବିଦ୍‌ମାନେ ରାହୁଚଳନ ବିଭିନ୍ନ ରାଶିବିଶିଷ୍ଟ ବ୍ୟକ୍ତିମାନଙ୍କ ପାଇଁ ଶୁଭ ବା ଅଶୁଭକାରକ ତାହାର ଗଣନା କରିଥାନ୍ତି। ସଂକ୍ଷେପରେ କହିଲେ ଏଥରର ରାହୁଚଳନ ବୃଷ, କନ୍ୟା, ତୁଳା ଓ କୁମ୍ଭ ରାଶି ପ୍ରତି ଅଧିକ ଶୁଭକାରକ ହୋଇଥିବା ବେଳେ ମିଥୁନ, କର୍କଟ, ସିଂହ, ବିଛା, ଧନୁ, ମକର ଓ ମୀନ ରାଶି ପ୍ରତି ମିଶ୍ରଫଳ ଦାୟକ। ରାହୁ/କେତୁ ହେଉଛନ୍ତି ଛାୟାଗ୍ରହ ଏବଂ ସେମାନଙ୍କ ଅଶୁଭ ଫଳ ହ୍ରାସ ଓ ଶୁଭ ଫଳ ବୃଦ୍ଧି ପାଇଁ ଦୁର୍ବଳ, ଦରିଦ୍ର, ବୃଦ୍ଧ, ବିକଳାଙ୍ଗ ଲୋକମାନଙ୍କୁ ଆଶ୍ରୟ ଦାନ, ବୃକ୍ଷରୋପଣ ଦ୍ୱାରା ଆଶ୍ରୟ ସୃଷ୍ଟି କରିବା, ମୁଣ୍ଡ ପାଇଁ ବସ୍ତ୍ର, ଛତା, ଟୋପି ଆଦି ଦାନ କରିବା, ଶନିମନ୍ଦିରରେ ଶନିବାର ତେଲ, ଦୀପ, କଳାବସ୍ତ୍ର, ପୁଷ୍ପ, ଫଳ, କଳାଦ୍ରବ୍ୟ, ଲୌହ ଦାନ, ଚଣ୍ଡାଳ ଭୋଜନ ଦେବା ବିଧେୟ ବୋଲି ଜ୍ୟୋତିଷ ଶାସ୍ତ୍ରରେ ନିର୍ଦ୍ଦିଷ୍ଟ କରାଯାଇଛି। ଏହା ସତ୍ତ୍ୱେ ଗ୍ରହଚଳନର ଗୋଚର ଫଳ ଦ୍ୱାରା ଭୟଭୀତ ହେବା ନିଷ୍ପ୍ରୟୋଜନ। କାରଣ ଆତ୍ମଶାନ୍ତି ଓ ସଂକଳ୍ପ ଦ୍ୱାରା ମଣିଷ ତା’ର ଭାଗ୍ୟକୁ ମଧ୍ୟ ଅତିକ୍ରମ କରିପାରେ ବୋଲି ବହୁ ସିଦ୍ଧ ମହାପୁରୁଷ ମାନବ ସମାଜକୁ ଅଭୟବାଣୀ ପ୍ରଦାନ କରିଯାଇଛନ୍ତି।  

ଜ୍ୟୋତିଷ ବାଚସ୍ପତି,ଏସ୍‌.ଆର୍‌. ରେସିଡେନ୍ସି, ହାଇଟେକ୍‌ ଛକ, ଭୁବନେଶ୍ୱର, ମୋ-୮୨୪୯୬୯୭୯୪୪



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri