ସଂଗ୍ରହ ପ୍ରକ୍ରିୟା ସଜାଡ଼

ରାଜ୍ୟ ସରକାର ୨୦୧୭-୧୮ ମସିହା ଖରିଫ ଋତୁରେ ୩୬ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିଲେ, ଯାହା ପୂର୍ବବର୍ଷ ତୁଳନାରେ ୮୦,୦୦୦ ଟନ୍‌ କମ୍‌। ଗତବର୍ଷ ତୁଳନାରେ ଏ ବର୍ଷ ଅଧିକାଂଶ ଜିଲାରେ ଭଲ ବର୍ଷା ହୋଇଥିବା ବେଳେ ଉକ୍ତ ସଂଗ୍ରହ ଲକ୍ଷ୍ୟ ନୈରାଶ୍ୟଜନକ। କୃଷକମାନଙ୍କଠାରୁ ସରକାରୀ ମଣ୍ଡିରେ ବା ସରକାରୀ ଅନୁମୋଦିତ ସଂଗ୍ରହକାରୀ ସଂସ୍ଥା ଦ୍ୱାରା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ ଚାଉଳ କିଣିବା ଲାଗି ଅନ୍ୟାନ୍ୟ ସର୍ତ୍ତରେ ମଧ୍ୟ କେତେକ ପରିବର୍ତ୍ତନ ଘଟିଛି। ବର୍ତ୍ତମାନର ଚାଉଳ ସଂଗ୍ରହ ବ୍ୟବସ୍ଥାରେ ଅନେକ ବ୍ୟତିକ୍ରମ ପରିଲକ୍ଷିତ ହେଉଛି। କୃଷକମାନେ କେତେକ କାଗଜପତ୍ର ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି, ଯାହା ସରକାରଙ୍କ ଏମ୍‌ଏସ୍‌ପି କାର୍ଯ୍ୟକ୍ରମକୁ ପଛକୁ ଟାଣୁଛି। ରାଜ୍ୟରେ ଧାନ ସଂଗ୍ରହ କାର୍ଯ୍ୟର ବିକେନ୍ଦ୍ରୀକରଣ କରାଯିବାର ଇତିମଧ୍ୟରେ ପ୍ରାୟ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏ ସବୁ ଜିଲାରେ ଏମ୍‌ଏସ୍‌ପି କାର୍ଯ୍ୟକ୍ରମ ସମାନ ଭାବରେ ଚାଲିପାରିନାହିଁ। ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅନେକ କୃଷକ ମଣ୍ଡିରେ ଧାନ ବିକ୍ରି କଲାବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଥଚ ପଶ୍ଚିମ ଓଡ଼ିଶାର ବହୁ କୃଷକ ବେଳେବେଳେ ଏମ୍‌ଏସ୍‌ପିଠାରୁ ବି ଅଧିକ ମୂଲ୍ୟ ପାଉଛନ୍ତି। ବର୍ତ୍ତମାନର ଧାନ ସଂଗ୍ରହ ବ୍ୟବସ୍ଥାରେ ରହିଥିବା ଉକ୍ତ ବ୍ୟତିକ୍ରମଗୁଡ଼ିକୁ ସରକାର ଦୂର କରିବା ପାଇଁ ଚେଷ୍ଟା କରିବା ସହ ସବୁ ଜିଲାରେ ସମାନ ନୀତି ପ୍ରଚଳନ କରିବା ଆବଶ୍ୟକ। ଆମ ରାଜ୍ୟର ଅଧିକାଂଶ କୃଷକ ହେଉଛନ୍ତି ଭାଗଚାଷୀ, ଯେଉଁମାନଙ୍କୁ ମଣ୍ଡିରେ ଧାନ ବିକ୍ରି କରିବାକୁ ଅନୁମତି ମିଳୁନାହିଁ। କାରଣ ସେମାନେ ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ୍‌ କଲାବେଳେ ଆବଶ୍ୟକ କାଗଜପତ୍ର ଦାଖଲ କରିପାରୁ ନାହାନ୍ତି। ଅଧିକାଂଶ କୃଷକ ସ୍ଥାନାଭାବରୁ ଘରେ ଅଧିକ ଦିନ ଯାଏ ଧାନ ସାଇତି ରଖିବାକୁ ସକ୍ଷମ ହୋଇପାରୁ ନ ଥିବାରୁ ବାଧ୍ୟହୋଇ ବେପାରୀ ଓ ଦଲାଲମାନଙ୍କୁ ଏମ୍‌ଏସ୍‌ପିଠାରୁ ବହୁ କମ୍‌ ମୂଲ୍ୟରେ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି। ବିଳମ୍ବରେ ମଣ୍ଡି ଖୋଲିବା ଓ ଅଳ୍ପ ଦିନ ଭିତରେ ଧାନକ୍ରୟ ସାରିଦିଆଯିବା ଯୋଗୁ ବହୁ କୃଷକ ସରକାରଙ୍କ ଯୋଜନାରୁ ସୁଫଳ ପାଇପାରୁ ନାହାନ୍ତି। ଏ ଦିଗ ପ୍ରତି କର୍ତ୍ତୃପକ୍ଷ ଦୃଷ୍ଟିଦେବା ଆବଶ୍ୟକ। ଚାଷରେ ଖର୍ଚ୍ଚ ଦିନକୁ ଦିନ ଅଧିକ ହେଉଥିବାରୁ ଏହା ଚାଷୀମାନଙ୍କ ପାଇଁ ଆଉ ଏକ ଲାଭକାରୀ ବୃତ୍ତି ହୋଇ ରହିନାହିଁ। ଏହା ବିଶେଷକରି ଓଡ଼ିଶାରେ ଘଟୁଛି, ଯେଉଁଠି ଜମିଗୁଡ଼ିକର ଉତ୍ପାଦିକା ଶକ୍ତି ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ସବୁଠାରୁ କମ୍‌। କମିଶନ୍‌ ଫର୍‌ ଏଗ୍ରିକଲ୍‌ଚରାଲ କଷ୍ଟ୍‌ସ ଆଣ୍ଡ୍‌ ପ୍ରାଇସେସ୍‌ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ବିଭିନ୍ନ କୃଷି ଉତ୍ପାଦିତ ସାମଗ୍ରୀ ମଧ୍ୟରୁ ଧାନ ହେଉଛି ୧୩ଟି ରାଜ୍ୟରେ ସବୁଠୁ ଅଧିକ ଅମଳ ହେଉଥିବା ଶସ୍ୟ। ଏହି ୧୩ଟି ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ତର୍ଭୁକ୍ତ। ଉକ୍ତ ରାଜ୍ୟଗୁଡ଼ିକ ମଧ୍ୟରୁ ପଞ୍ଜାବର ଉତ୍ପାଦିକା ଶକ୍ତି ସବୁଠାରୁ ଅଧିକ- ହେକ୍ଟର ପିଛା ୩୯.୭ କୁଇଣ୍ଟାଲ, ଯେତେବେଳେ କି ଦେଶର ହାରାହାରି ଅମଳ କ୍ଷମତା ହେଉଛି ୨୪.୩ କୁଇଣ୍ଟାଲ। କିନ୍ତୁ ଓଡ଼ିଶା ଜମିର ଉତ୍ପାଦନ କ୍ଷମତା ହେକ୍ଟର ପିଛା ମାତ୍ର ୧୮.୮ କୁଇଣ୍ଟାଲ, ଯାହା ଦେଶର ହାରାହାରିଠାରୁ ୨୫ ପ୍ରତିଶତ କମ୍‌। ତେଣୁ ଓଡ଼ିଶା ପ୍ରତି ସରକାର ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ଏ ପର୍ଯ୍ୟନ୍ତ ଓଡ଼ିଶାର ଜଳସେଚିତ ଜମିର ପରିମାଣ ୩୦ ପ୍ରତିଶତକୁ ବି ଟପିନାହିଁ। ଅମଳ ପରେ ଏଠାରେ ବଜାର, ଗୋଦାମ, ପରିବହନ ଆଦିର ସୁବିଧା ବିଶେଷ କିଛି ନାହିଁ। ରାଜ୍ୟର ଅଧିକାଂଶ ଅଞ୍ଚଳରେ କୃଷକମାନେ ପାରମ୍ପରିକ ପଦ୍ଧତି ଚାଷ ଉପରେ ନିର୍ଭର କରୁଛନ୍ତି। ଏଠାରେ ଅନ୍ୟ ବିକଳ୍ପ ନ ଥିବାରୁ ଲୋକମାନେ ବାଧ୍ୟ ହୋଇ କେବଳ ଧାନଚାଷ ହିଁ କରୁଛନ୍ତି। ସଚେତନତା ଓ ବିଭିନ୍ନ ସାଧନ ଅଭାବରୁ ସେମାନେ ଧାନକୁ ଛାଡ଼ି ଅନ୍ୟ ଫସଲ ଚାଷ କରିପାରୁ ନାହାନ୍ତି। ନିର୍ଦ୍ଦିଷ୍ଟ ପରିମାଣର ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ନ କରି ଜମିର ଉତ୍ପାଦିକା ଶକ୍ତି କିପରି ବଢ଼ିବ ଏବଂ କୃଷକମାନଙ୍କର ଆୟ କିପରି ବଢ଼ିବ ତା’ ଉପରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ। କାଗଜପତ୍ର କାମକୁ ଯଥାସମ୍ଭବ କମ୍‌ କରି ସଂଗ୍ରହ ପ୍ରକିୟାକୁ ସଜାଡ଼ିବା ଦିଗରେ ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକ। ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜୀକରଣ ବେଳେ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ବର୍ତ୍ତମାନ ସବୁ କୃଷକଙ୍କ ପାଖରେ ଆଧାର କାର୍ଡ ନାହିଁ। ତେଣୁ ଏହାକୁ ବାଧ୍ୟତାମୂଳକ କରିବା ଦ୍ୱାରା ସେହି କୃଷକମାନେ ଧାନ ସଂଗ୍ରହ ପ୍ରକ୍ରିୟାରେ ଭାଗ ନେଇପାରୁ ନାହାନ୍ତି। ଫଳରେ ରାଜ୍ୟରେ ଯେତିକି ଧାନ ଅମଳ ହେଉଛି ତା’ର ଏକତୃତୀୟାଂଶ (୧୫୦ ଲକ୍ଷ ମେଟ୍ରିକ୍‌ଟନ୍‌) ବିକ୍ରି ନ ହୋଇ ରହିଯାଉଛି। ଧାନ ବିକ୍ରି କରିପାରୁ ନ ଥିବା କୃଷକଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଭାଗଚାଷୀ, ଯେଉଁମାନେ ସରକାରୀ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଭାଗ ନେବାରୁ ବଞ୍ଚିତ ରହୁଛନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri