ତେନ ତ୍ୟକ୍ତେନ ଭୁଞ୍ଜୀଥାଃ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ଈଶୋପନିଷଦ୍‌ର ପ୍ରଥମ ମନ୍ତ୍ରରେ ଋଷି କହିଛନ୍ତି ”ଈଶାବାସ୍ୟମିଦଂ ସର୍ବଂ ଯତ୍କିଞ୍ଚ ଜଗତ୍ୟାଂ ଜଗତ୍‌/ତେନ ତ୍ୟକ୍ତେନ ଭୁଞ୍ଜୀଥାଃ ମା ଗୃଧଃ କସ୍ୟଚିଦ୍ଧନମ୍‌।“ ଅର୍ଥାତ୍‌ ଜଗତରେ ଯାହା କିଛି ଅଛି ସେସବୁ ଈଶ୍ୱରଙ୍କ ଦ୍ୱାରା ପରିବ୍ୟାପ୍ତ। ଏଣୁ ସେସବୁକୁ ତ୍ୟାଗପୂର୍ବକ ଭୋଗ କର। ଲୋଭ କରନାହିଁ। ଏହି ଧନ ବା କାହାର? ଅର୍ଥାତ୍‌ ଏହି ଧନ କାହାରି ଜଣକର ନୁହେଁ। ଶାସ୍ତ୍ରନୀତିରେ ଜୀବନଯାପନ କଲେ ଧନ ଠୁଳ ହୋଇପାରେ ନାହିଁ। ଶାସ୍ତ୍ର କହେ, ”ଅକୃତ୍ୱା ପରସନ୍ତାପଂ ଅଗତ୍ୱା ପରମନ୍ଦିରମ୍‌। ଅକ୍ଳେଶୟିତ୍ୱା ଚାତ୍ମାନଂ ଯଦଳ୍ପମପି ତଦ୍‌ବହୁଃ।“ ଅର୍ଥାତ୍‌ ଅନ୍ୟକୁ ଦୁଃଖ ନ ଦେଇ, ଅନ୍ୟ ଘରୁ ଚୋରି ନ କରି, ନିଜ ଆତ୍ମାକୁ କଷ୍ଟ ନ ଦେଇ ଯେତିକି ଅଳ୍ପ ଧନ ଅର୍ଜନ କରାଯାଏ ତାହା ବହୁତ କିଛି। ଭାରତୀୟ ପରମ୍ପରାରେ ଧନ ଅର୍ଜନକୁ ବାରଣ କରାଯାଇ ନାହିଁ। ଯେଉଁ ଚତୁଃବର୍ଗ ପ୍ରାପ୍ତି ମଣିଷ ଜୀବନର ଲକ୍ଷ୍ୟ ତା’ ମଧ୍ୟରେ ଅର୍ଥ ମଧ୍ୟ ରହିଛି। ଋଗ୍‌ବେଦରେ ପ୍ରାର୍ଥନା କରାଯାଇଛି, ଏନ୍ଦ୍ର ସାନସିଂ ରୟିଂ ସଜିତ୍ୱାନଂ ସଦାସହଂ ବର୍ଷିଷ୍ଠମତୟେ ଭର (ମଣ୍ଡଳ ୧, ସୂକ୍ତ ୮, ମନ୍ତ୍ର ୧)। ଏହି ମନ୍ତ୍ରରେ ଐଶ୍ୱର୍ଯ୍ୟଭଣ୍ଡାରର ପ୍ରଭୁ ଇନ୍ଦ୍ରଙ୍କୁ ଧନପ୍ରାପ୍ତି ପାଇଁ ପ୍ରାର୍ଥନା କରାଯାଇଛି। ମାତ୍ର ସେହି ଧନ କିପରି ହେବା କଥା ସେ ସମ୍ପର୍କରେ ଋଷି ଚାରୋଟି ପରାମର୍ଶ ଦେଇଛନ୍ତି। ୧-ସାନସିଂ ଅର୍ଥାତ୍‌ ବିତରିତ ଉପଭୋଗ। ମନୁଷ୍ୟ ଅନ୍ୟର ସହଯୋଗ ବିନା ଧନ ଅର୍ଜନ କରିପାରେ ନାହିଁ। ଏଣୁ ଧନର ଯୋଗ୍ୟ ବ୍ୟବହାର ହେଉଛି ତାକୁ ଅନ୍ୟମାନଙ୍କ ମଧ୍ୟରେ ବଣ୍ଟନ କରି ଭୋଗ କରିବା। ଏହି ଋଗ୍‌ବେଦରେ ଅନ୍ୟତ୍ର କୁହାଯାଇଛି ଏକାକୀ ଭୋଜନ କରୁଥିବା ବ୍ୟକ୍ତି ପାପଭାଗୀ ଅଟେ। (କେବଳାଘୋ ଭବତି କେବଳାଦୀ: ମଣ୍ଡଳ ୧୦, ସୂକ୍ତ ୧୧୭, ମନ୍ତ୍ର ୬)। ପୁନଶ୍ଚ ଅଥର୍ବବେଦରେ ଋଷି କହିଛନ୍ତି ”ଶତହସ୍ତ ସମାହାର ସହସ୍ର ହସ୍ତ ସଂକିର“ (କାଣ୍ଡ ୩, ସୂକ୍ତ ୨୪, ମନ୍ତ୍ର ୫) ଅର୍ଥାତ୍‌ ଶତହସ୍ତ ହୋଇ ସଂଗ୍ରହ କର ଓ ସହସ୍ରହସ୍ତ ହୋଇ ବିତରଣ କର। ୨- ସଜିତ୍ୱାନମ୍‌ ଅର୍ଥାତ୍‌ ବିଜୟଦାତା। ମନୁଷ୍ୟ ଧନ ଲାଭ କଲେ ବିଷୟଭୋଗୀ ହେବାର ସମ୍ଭାବନା ଅଛି। ଏଣୁ ଋଷି କହିଛନ୍ତି, ପ୍ରାପ୍ତ ଧନ ମଣିଷକୁ ଜିତେନ୍ଦ୍ରିୟ କରୁ କାରଣ ବିଷୟରେ ଧ୍ୟାନ ଦେଲେ ଆସକ୍ତି ଜାତ ହୁଏ। ଆସକ୍ତିରୁ କାମ, କାମରୁ କ୍ରୋଧ, କ୍ରୋଧରୁ ସମ୍ମୋହ, ସମ୍ମୋହରୁ ସ୍ମୃତିବିଭ୍ରମ ଓ ସ୍ମୃତିବିଭ୍ରମରୁ ବିନାଶ ଘଟେ (ଗୀତା)। ୩- ସଦାସହମ୍‌ ଅର୍ଥାତ୍‌ ସହିଷ୍ଣୁ କରାଉଥିବା ଧନ। ଋଷିଙ୍କ କହିବାର ମର୍ମ ହେଉଛି, ଧନ ଅର୍ଜନ କରି ମଣିଷ ସହନଶୀଳ ହେଉ, ଅନ୍ୟର ଧନ ଦେଖି ଈର୍ଷାପରାୟଣ ନ ହେଉ। ୪- ବର୍ଷିଷ୍ଠମ୍‌ ଅର୍ଥାତ୍‌ ପୂର୍ବୋକ୍ତ ଉପାୟରେ ଧନ ବୃଦ୍ଧି ପାଉ। ଏହି ଧନ କାହାରି ଜଣକର ନୁହେଁ, ଏଣୁ ତ୍ୟାଗ ଦ୍ୱାରା ଭୋଗ କର- ଉପନିଷଦର ଏହି ବାଣୀର ମର୍ମକୁ ଦିନେ ବୁଝିଥିଲେ ଆମେରିକାର ପୁଞ୍ଜିପତି ଜନ୍‌ ଡି ରକ୍‌ଫେଲର। ଦିନେ ସେ ନ୍ୟୁୟର୍କ ସହରରେ ଭେଟିଥିଲେ ସ୍ବାମୀ ବିବେକାନନ୍ଦଙ୍କୁ। ଜଣେ ବିବେକାନନ୍ଦଙ୍କ ପାଖରେ ତାଙ୍କୁ ପରିଚୟ କରାଇଦେଇ କହିଲେ, ସ୍ବାମିଜୀ ଇଏ ହେଉଛନ୍ତି ଆମେରିକାର ସର୍ବଶ୍ରେଷ୍ଠ ଧନୀ, ପର୍ଯ୍ୟାପ୍ତ ଐଶ୍ୱର୍ଯ୍ୟର ଅଧିକାରୀ। ବିବେକାନନ୍ଦ କହିଲେ, ଆପଣ ଭୁଲ୍‌ କହୁଛନ୍ତି। ସବୁ ସମ୍ପଦର ଅଧିକାରୀ ହେଉଛନ୍ତି କେବଳ ଈଶ୍ୱର। ବିଶ୍ୱକଲ୍ୟାଣ ପାଇଁ ଏହି ସମ୍ପଦର ବିନିଯୋଗ କରିବା ଲାଗି ତାଙ୍କ ଭଳି ଜଣେ ତତ୍ତ୍ୱାବଧାରକଙ୍କୁ ସେ ସୁଯୋଗ ଦେଇଛନ୍ତି। ରକ୍‌ଫେଲରଙ୍କୁ ସ୍ବାମିଜୀଙ୍କ ଏହି ମନ୍ତବ୍ୟ ଭଲଲାଗିଲା ନାହିଁ। ସେଦିନ ସେ ରାଗିଯାଇ ସ୍ବାମିଜୀଙ୍କଠାରୁ ବିଦାୟ ନେଇଥିଲେ। ପ୍ରଚୁର ଖଣିଜ ତୈଳ ଉପଯୋଗ କରି ଐଶ୍ୱର୍ଯ୍ୟଶାଳୀ ହୋଇଥିବା ରକ୍‌ଫେଲରଙ୍କ ଚେତନାକୁ ଚହଲାଇଦେଲା ସ୍ବାମିଜୀଙ୍କ ସେହି କଥା। ତିନିଦିନ ଅତିକ୍ରାନ୍ତ ହେଲା ପରେ ସେ ସ୍ବାମିଜୀଙ୍କୁ ସାକ୍ଷାତ କରି କହିଲେ, ସ୍ବାମିଜୀ! ମୁଁ ସେଦିନ ଆପଣଙ୍କ କଥା ଶୁଣି ରାଗିଯାଇଥିଲି। ମୁଁ ଭାବିଥିଲି ଏତେ ଶ୍ରମ, ଶକ୍ତି ଓ ବୁଦ୍ଧି ପ୍ରୟୋଗ କରି ମୁଁ ଯେଉଁ ଧନ ଅର୍ଜନ କରିଛି ମୁଁ ତା’ର ଅଧିକାରୀ ନ ହୋଇ ଈଶ୍ୱର କାହିଁକି ତା’ର ଅଧିକାରୀ ହେବେ? ଆପଣଙ୍କ କଥା ଶୁଣି ମୁଁ ଆଉ ଶୋଇପାରି ନାହିଁ। ଭାବିଲି, ମୁଁ ପେଟ୍ରୋଲିୟମ୍‌ ସୃଷ୍ଟି କରିନାହିଁ। ପୂର୍ବରୁ ମାଟି ତଳେ ଏହା ଗଚ୍ଛିତ ଅଛି। ସବୁ କିଛି ସୃଷ୍ଟି କରିଛନ୍ତି ଈଶ୍ୱର। ଏଣୁ ମୋ ଅର୍ଜିତ ଧନର ଏକ ଅଂଶ ବିଶ୍ୱକଲ୍ୟାଣରେ ବିନିଯୋଗ କରିବା ପାଇଁ ସ୍ଥିର କରିଛି। ସେହିଦିନଠୁ ସେ ଗଢିଲେ ରକ୍‌ଫେଲ୍‌ର ଫାଉଣ୍ଡେଶନ୍‌। ଆଜି ପୃଥିବୀର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ସଂସ୍ଥାରୁ ଆସେ ସହାୟତାର ସ୍ରୋତ। ଅଥଚ ଦାନବୀର ହରିଶ୍ଚନ୍ଦ୍ର ଓ କର୍ଣ୍ଣଙ୍କ ଦେଶ ଭାରତରେ ବହୁ ପୁ୍‌ଞ୍ଜିପତି ଥିଲେ ମଧ୍ୟ ସେମାନେ ମାନସିକତାରେ ଦରିଦ୍ର। ଆଜି ଭାରତରେ ତ୍ୟାଗର ନିଦର୍ଶନ ଦେଖାଇଛନ୍ତି ଜଣେ ତାମିଲନାଡୁର ଅଧିବାସୀ। ସେ ହେଉଛନ୍ତି କଲ୍ୟାଣ ସୁନ୍ଦରମ୍‌। ଏକ କ୍ଷୁଦ୍ର ଗ୍ରାମ ମେଲାକରୁଭେଲଙ୍ଗୁଲମ୍‌ରେ ତାଙ୍କର ଜନ୍ମ। ସେ ତାଙ୍କ ଛାତ୍ରଜୀବନରୁ ତ୍ୟାଗ ଭାବନାରେ ଉଦ୍‌ବୁଦ୍ଧ ହୋଇଥିଲେ। ୧୯୬୩ ମସିହାର ଭାରତ-ଚାଇନା ଯୁଦ୍ଧ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହେରୁ ଯେତେବେଳେ ଦେଶବାସୀଙ୍କୁ ଜାତୀୟ ପ୍ରତିରକ୍ଷା ପାଣ୍ଠିକୁ ଦାନ କରିବାକୁ ଆହ୍ବାନ କଲେ, ସେତେବେଳେ କଲ୍ୟାଣସୁନ୍ଦର ମାଡ୍ରାସ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ। ଏହି ଆହ୍ବାନରେ ପ୍ରଭାବିତ ହୋଇ ପିନ୍ଧିଥିବା ସୁନା ଚେନ୍‌ ସେ ତାମିଲନାଡୁର ମୁଖ୍ୟମନ୍ତ୍ରୀ କାମରାଜଙ୍କୁ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ କୁମାରକରୁପା ଆର୍ଟସ କଲେଜରେ ହେଲେ ଜଣେ ଲାଇବ୍ରେରିଆନ। ବିଗତ ୩୫ବର୍ଷ ଧରି ସେ ସେଠି ରହି ସମାଜସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ଅଭାବଗ୍ରସ୍ତ ବ୍ୟକ୍ତି, ଦରିଦ୍ର ଓ ଅନାଥମାନଙ୍କୁ ସେ ଆଜିପର୍ଯ୍ୟନ୍ତ ସାହାଯ୍ୟ କରିଆସୁଛନ୍ତି। ଏହି କାର୍ଯ୍ୟ ପାଇଁ ଚାକିରିର ପ୍ରଥମ ପର୍ଯ୍ୟାୟରେ ସେ ତାଙ୍କର ଆଂଶିକ ଦରମା ଦାନ କରି ପରବର୍ତ୍ତୀ ସମୟରେ ତାଙ୍କର ସମଗ୍ର ମାସିକ ଦରମା ସମାଜ ସେବାରେ ବିନିଯୋଗ କରିଛନ୍ତି। ସମସ୍ତ ଦରମା ଦାନ କରି ସାରିବା ପରେ ଜୀବନନିର୍ବାହ ପାଇଁ ସେ ଏକ ହୋଟେଲରେ ପରିଚାରକ ରୂପେ କାର୍ଯ୍ୟ କରନ୍ତି। ଚାକିରିରୁ ଅବସର ନେବା ପରେ ତାଙ୍କ ପେନ୍‌ସନ ଟଙ୍କା ସେ ସମାଜସେବା ପାଇଁ ଦାନ କରି ତ୍ୟାଗର ଏକ ଅପୂର୍ବ ନିଦର୍ଶନ ରଖିଯାଇଛନ୍ତି। ବନ୍ୟା, ବାତ୍ୟା, ପ୍ରାକୃତିକ ଦୁର୍ବିପାକ ସମୟରେ ତାଙ୍କର ଦାନଅର୍ଥର ସୁବିନିଯୋଗ ହୋଇଥାଏ। ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତ ତାଙ୍କ ସେବାକାର୍ଯ୍ୟରେ ଅଭିଭୂତ ହୋଇ ତାଙ୍କୁ ପୋଷ୍ୟପିତା ଭାବରେ ଗ୍ରହଣ କରି ନିଜ ବାସଗୃହରେ ରହିବା ପାଇଁ ଆମନ୍ତ୍ରଣ କଲେ। କଲ୍ୟାଣସୁନ୍ଦରମ୍‌ ୧୫ ଦିନ ସେଠି ରହିବା ପରେ ରଜନୀକାନ୍ତଙ୍କୁ କହିଲେ, ମୁଁ ଏଠି ସ୍ଥିର ହୋଇ ରହିପାରୁ ନାହିଁ। ମୋତେ ଅପେକ୍ଷା କରିଛନ୍ତି ଅନେକ ଦରିଦ୍ର, ଅଭାବଗ୍ରସ୍ତ ଓ ଅନାଥ। ସେମାନଙ୍କ ସେବା କରିବା ପାଇଁ ମୋତେ ଯିବାକୁ ହେବ। ଭାରତ ସରକାର କଲ୍ୟାଣସୁନ୍ଦରଙ୍କୁ ସର୍ବୋତ୍ତମ ପାଠାଗାର ପରିଚାଳକ ଭାବରେ ଘୋଷଣା କରିଛନ୍ତି। ଜାତିସଂଘ ତାଙ୍କୁ ବିଂଶଶତାବ୍ଦୀର ସର୍ବୋତ୍ତମ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ବୋଲି ଘୋଷଣା କରିଛି। ନିକଟରେ ଆମେରିକାର ଏକ ସଂସ୍ଥା ତାଙ୍କୁ ସହସ୍ରାବ୍ଦୀର ମଣିଷ ଭାବରେ ଘୋଷଣା କରି ୩୦ କୋଟି ଟଙ୍କା ପୁରସ୍କାର ଦେଇଛି। ମାତ୍ର କଲ୍ୟାଣସୁନ୍ଦରମ୍‌ ସେହି ଅର୍ଥକୁ ସମାଜସେବା ପାଇଁ ଉତ୍ସର୍ଗ କରିଛନ୍ତି। ଋଷି ଦଧୀଚିଙ୍କ ଭଳି ନିଜ ଶରୀରକୁ ସେ ଦାନ ଦେଇଛନ୍ତି ଚିକିତ୍ସା ବିଜ୍ଞାନର ଛାତ୍ରୀଛାତ୍ରମାନଙ୍କ ଗବେଷଣା ପାଇଁ। ସେବାକାର୍ଯ୍ୟ କରି ସେ ପାଇଛନ୍ତି ଅପୂର୍ବ ଆଧ୍ୟାତ୍ମିକ ଆନନ୍ଦ। ମୋ-୯୪୩୭୩୨୯୨୬୩



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri