ଲଭ୍‌ ଚାର୍ଜର

ଦେବଦତ୍ତ ପଟ୍ଟନାୟକ

ଆମେ ଯେତେବେଳେ କାହା ଘରକୁ ଯାଉ, ଆମକୁ ଅନ୍ତତଃ ପାଣି ଗିଲାସେ ମିଳିବ ବୋଲି ଆଶା କରିଥାଉ। କିନ୍ତୁ ଆଜିକାଲି ପାଣି ଗିଲାସେ ଅପେକ୍ଷା ଆମେ ଅଧିକ ଆଶା କରୁଛୁ ଆମକୁ କିଛି ସମୟ ପାଇଁ ଫୋନ୍‌ ଚାର୍ଜରଟିଏ ମିଳୁ। ତେଣୁ ଚିନ୍ତା କରନ୍ତୁ ଯଦି କେହି ‘ଲଭ୍‌ ଚାର୍ଜର’ ବୋଲି ଫ୍ରେଜ୍‌ (ଶବ୍ଦପୁଞ୍ଜ)ଟିଏ ଉଚ୍ଚାରଣ କରେ? ସେତେବେଳେ ନିଶ୍ଚୟ ଆପଣ ଏ ନୂତନ ଶବ୍ଦଚୟର ଉଦ୍ଭାବନ ଦ୍ୱାରା ଅଭିଭୂତ ହୋଇପଡ଼ିବେ। ପ୍ରକୃତରେ ଏହା ହେଉଛି ଏକ ଲୋକପ୍ରିୟ ଗୀତ, ଯାହାକୁ ଲେଖିଛନ୍ତି, ସ୍ବର କରିଛନ୍ତି ଓ ଗାଇଛନ୍ତି କୁଖ୍ୟାତ ଧର୍ମଗୁରୁ ଗୁର୍‌ମିତ ରାମ ରହିମ ସିଂଜୀ ଇନ୍‌ସାନ। ଏହି ଗୀତର ସାରମର୍ମ ହେଲା ଈଶ୍ୱର ହେଉଛନ୍ତି ଲଭ୍‌ ଚାର୍ଜର, ଯିଏ ସର୍ବତ୍ର ବିଦ୍ୟମାନ ଏବଂ ଯିଏ ଆପଣଙ୍କ ଭିତରେ ବିଶ୍ୱାସ, ଶକ୍ତି ଓ ପ୍ରେମ ଭରିଦେବାକୁ ସଦା ପ୍ରସ୍ତୁତ। ଭିଡିଓରେ ଆପଣ ଦେଖିପାରିବେ, ଗୁରୁ କେମିତି ତାଙ୍କର ହଜାର ହଜାର ଶିଷ୍ୟାଶିଷ୍ୟଙ୍କ ଉପସ୍ଥିତିରେ ଏହି ଗୀତକୁ ପରିବେଷଣ କରୁଛନ୍ତି ଏବଂ ଶିଷ୍ୟାଶିଷ୍ୟମାନେ ଗୁରୁଙ୍କ ପ୍ରତି, ଈଶ୍ୱରଙ୍କ ପ୍ରତି ପ୍ରେମଭାବରେ ଗଦ୍‌ଗଦ ହୋଇଯାଉଛନ୍ତି। ନିଜକୁ ଭଗବାନ୍‌ଙ୍କ ଅବତାର ବୋଲି କହୁଥିବା ଏହି ବାବାଙ୍କୁ କୋର୍ଟ ଏବେ ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛି। ଏହା ଆଦୌ ସହଜ ନ ଥିଲା। ଯେଉଁ ମହିଳାମାନେ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ, ସେମାନଙ୍କୁ ଡାକରା ପଡ଼ିଲେ ୨୫୦ କିଲୋମିଟର ଦୂର କୋର୍ଟକୁ ଯିବାକୁ ପଡ଼େ। ଅଥଚ ଅଭିଯୁକ୍ତ ବାବାଙ୍କୁ ସ୍ବୟଂ ହାଜର ହେବା ବଦଳରେ ଭିଡିଓ କନ୍‌ଫରେନ୍ସିଂର ସୁବିଧା ଦିଆଯାଇଥିଲା। ଯେଉଁ ଖବରଦାତା ଏ ଘଟଣା ଲୋକଲୋଚନକୁ ଆଣିଲେ, ତାଙ୍କୁ ହତ୍ୟା କରାଗଲା। ଯେଉଁ ଲୋକ ଲକ୍ଷ ଲକ୍ଷ ଲୋକଙ୍କୁ ସକାରାତ୍ମକ ଜୀବନ ଜିଇବା ପାଇଁ ଅନୁପ୍ରାଣିତ କରନ୍ତି, ସେ କ’ଣ କେବେହେଲେ ଜଣେ ବଳାତ୍କାରୀ ହୋଇପାରନ୍ତି? ଗୋଟିଏ ଖରାପ କାମ ଦ୍ୱାରା କ’ଣ ତାଙ୍କର ସବୁ ଭଲ କାମ ଧୋଇହୋଇଗଲା? ସବୁ ଭଲ କାମ ମିଶି ଗୋଟିଏ ଖରାପ କାମକୁ କ’ଣ ପୋଛିଦେଇ ପାରି ନ ଥାନ୍ତେ? ଗୋଟିଏ ବିଷୟରେ ସାଧାରଣ ଜନମତ ଓ ସାମାଜିକ ଗଣମାଧ୍ୟମର ମତ ଭିତରେ ପ୍ରଭେଦ ଅଛି। ଗୋଟିଏ ପକ୍ଷ ବଳାତ୍କାରୀ ଅମଣିଷ ବୋଲି କହୁଥିବା ବେଳେ ଅପର ପକ୍ଷ ପୀଡ଼ିତାର ଦୋଷ ବାଛୁଛି। ଜଣେ ଅନ୍ତେବାସୀଙ୍କ ପାଇଁ ଯାହା ଗୁରୁତ୍ୱପୂର୍ଣ୍ଣ, ବାହାର ଲୋକଙ୍କ ପାଇଁ ତାହା ଗୁରୁତ୍ୱପୂର୍ଣ୍ଣ ନ ହୋଇପାରେ। ବାହାର ଲୋକ ଯିଏ ଶିଷ୍ୟ ବା ଅନୁଗାମୀ ବା ପ୍ରଶଂସକ ନୁହନ୍ତି, ସେମାନଙ୍କ ପାଇଁ ବାବା ଜଣେ ଭଣ୍ଡ, ପ୍ରତାରକ। ଅନ୍ତେବାସୀ ବା ଶିଷ୍ୟ ବା ଅନୁଗାମୀଙ୍କ ପାଇଁ ବାବା ହେଉଛନ୍ତି ନିର୍ଦ୍ଦୋଷ, ସେ କେବେ କିଛି ଭୁଲ୍‌ କରିପାରନ୍ତି ନାହିଁ, ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚନା କରି ତାଙ୍କୁ ଫସାଇ ଦିଆଯାଇଛି। ତେଣୁ ସତ୍ୟ ଓ ମିଥ୍ୟା ମଝିରେ ସ୍ପଷ୍ଟ ସୀମାରେଖା ଟାଣିବା ଅସମ୍ଭବ। ତେବେ ଏପରି ଭାଣ୍ଡାମି କେବଳ ଭାରତରେ ଘଟୁନାହିଁ, ଯଦିଚ ହୀନମନ୍ୟ ଭାରତୀୟମାନେ ସେପରି ଭାବିଥାନ୍ତି। କ୍ୟାଥଲିକ୍‌ ଚର୍ଚ୍ଚରେ ବଳାତ୍କାରୀ ଓ ଛୋଟ ପିଲାଙ୍କ ପ୍ରତି ଯୌନ ଭାବରେ ଆକୃଷ୍ଟ ହେଉଥିବା ପାଦ୍ରୀମାନଙ୍କର ଏକ ଲମ୍ବା ଇତିହାସ ରହିଛି। ୟୁରୋପ ଓ ଆମେରିକାରେ ତିବ୍ବତୀୟ ବୌଦ୍ଧ ସନ୍ନ୍ୟାସିନୀମାନଙ୍କୁ ଯୌନ ଶୋଷଣ କରିବା ଅଭିଯୋଗକୁ ନେଇ ଦଲାଇଲାମା ଖରାପ ଚରିତ୍ରର ‘ପପ୍‌’ ଲାମାମାନଙ୍କୁ ନିନ୍ଦା କରିଛନ୍ତି। ଇଣ୍ଡୋନେସିଆ ଓ ଆମେରିକାରେ ଇସଲାମିକ୍‌ ନେତାମାନଙ୍କ ବିରୋଧରେ ବି ଯୌନ କେଳେଙ୍କାରୀର ଅଭିଯୋଗ ରହିଛି। କିନ୍ତୁ ସେମାନଙ୍କ ଅନୁଗାମୀମାନେ ତାହା ମାନନ୍ତି ନାହିଁ। ସେମାନଙ୍କ ଧର୍ମ ଓ ଧର୍ମଗୁରୁଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ବୋଲି ସେମାନେ ସଫେଇ ଦିଅନ୍ତି। ଏପରି କି ଧର୍ମନିରପେକ୍ଷ କେତେକ ସାମ୍ବାଦିକ ଓ ସାମାଜିକ କର୍ମୀଙ୍କ ବିରୋଧରେ ବି ସେମାନଙ୍କ ପୂର୍ବତନ ସହଯୋଗୀମାନେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି। ବଳାତ୍କାରୀଙ୍କ କ୍ଷେତ୍ରରେ କୌଣସି ବାମପନ୍ଥୀ ବା ଦକ୍ଷିଣପନ୍ଥୀର ପ୍ରାଚୀର ନାହିଁ। ଜଣେ ଭଲ ଲୋକ ବି ଖରାପ କାମ କରିପାରେ ଏ କଥା ବହୁ କମ୍‌ ଲୋକ ହଜମ କରିପାରନ୍ତି। ଖରାପ ଲୋକ ଯେତେବେଳେ ଭଲ କାମ କରିପାରୁଛି, ଭଲ ଲୋକ କାହିଁକି ଖରାପ କାମ କରିପାରିବ ନାହିଁ? ଆମେ ଏପରି ସମାଜରେ ବାସ କରୁଛେ, ଯେଉଁଠି ବଳାତ୍କାରୀ ବିରୋଧରେ ପଦେ ଭଲ କଥା କହିବାକୁ ଆମ ଜିଭ ଲେଉଟେ ନାହିଁ ଏବଂ ପୀଡ଼ିତା ବିରୋଧରେ ପଦେ ଖରାପ କଥା କହିବାକୁ ମଧ୍ୟ ଆମେ ସଙ୍କୋଚ କରୁ। କାରଣ ଆମ ଭିତରେ ପର୍‌ଫେକ୍ଟ ହେବାର ଆକାଂକ୍ଷା ରହିଛି। ଆମେ ଚାହୁଁ ଯେଉଁ ଲୋକକୁ ଆମେ ବିଶ୍ୱାସ କରୁଛୁ, ସେ ନିଶ୍ଚୟ ପର୍‌ଫେକ୍ଟ ହୋଇଥିବେ। ଆଉ ଯେତେବେଳେ ସେ ଅସମ୍ପୂର୍ଣ୍ଣ ବୋଲି ଜଣାପଡ଼ିଯାଏ ବା କୌଣସି କୁତ୍ସିତ କାର୍ଯ୍ୟରେ ଲିପ୍ତ ଥିବାର ପ୍ରମାଣ ମିଳିଯାଏ, ଆମେ ଅତିଶୟ ଭାଙ୍ଗିପଡ଼ୁ। କ୍ରୋଧରେ ଆମେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରୁ କାରଣ ଆମେ ଭୟ କରୁ ଯେ, କାଳେ ସେମାନଙ୍କର ଲଭ୍‌ ଚାର୍ଜର ଆମ ଜୀବନର ବ୍ୟାଟେରିରେ ବିସ୍ଫୋରଣ ଘଟେଇଦବ।

(ଲେଖକ ଜଣେ ବିଶିଷ୍ଟ ପୁରାଣବିତ୍‌ ଏବଂ ପୁରାଣଶାସ୍ତ୍ର ଉପରେ ସେ ଅନେକ ପୁସ୍ତକ ରଚନା କରିଛନ୍ତି। ତାଙ୍କ ପୁସ୍ତକଗୁଡ଼ିକ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଥିବା ମଡର୍ନ ବୁକ୍‌ ଡିପୋ, ଫୋନ୍‌- ୦୬୭୪-୨୫୩୪୩୭୩, modbooks.bbsr@gmail.comରେ ଉପଲବ୍ଧ।)

ଲେଖକଙ୍କ ଇମେଲ୍‌ ଠିକଣା: devdutt@devdutt.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri