ଅନ୍ଧବିଶ୍ୱାସ ଓ ଠକାମି

ପରିବେଶ ପରିଚିନ୍ତା / ମାନେକା ଗାନ୍ଧୀ

ନିଜ ଜୀବନରେ ଯାଦୁକରୀ ପରିବର୍ତ୍ତନ, ଆର୍ଥିକ ଉନ୍ନତି, ମାଲିମକଦ୍ଦମାରେ ବିଜୟ ଆଦି ପାଇଁ ଅନ୍ଧବିଶ୍ୱାସୀ ଲୋକମାନେ ଓ୍ବେବ୍‌ସାଇଟ୍‌ରେ ଉପାୟମାନ ଖୋଜୁଥିବାରୁ ଏହାର ଫାଇଦା ଉଠାଇ କିଛି ଧାର୍ମିକ ଓ୍ବେବ୍‌ସାଇଟ୍‌ ପ୍ରାଣୀଙ୍କ ଅଙ୍ଗପ୍ରତ୍ୟଙ୍ଗରୁ ପ୍ରସ୍ତୁତ ତାବିଜ ଆଦି ବିକ୍ରି କରୁଛନ୍ତି। ଏ ସମ୍ପର୍କରେ କିଛି କଥା ମୁଁ ପୂର୍ବ ଦୁଇଟି ନିବନ୍ଧରେ ଲେଖିସାରିଛି। ତଥାପି ତା’ର ଶେଷ ନାହିଁ। ଲୋକମାନେ ହତାଶା, ଭୟ ଆଦିର ଏପରି ସ୍ତରରେ ପହଞ୍ଚିସାରିଛନ୍ତି ଯେ, ସେମାନେ ନିଜର ଭାଗ୍ୟୋନ୍ନତି ଲାଗି ଅନ୍ୟ ପ୍ରାଣୀ ପ୍ରଜାତିଙ୍କୁ ଧ୍ୱଂସ କରିବା ପାଇଁ ଯେତେ ଟଙ୍କା ପଡ଼ୁ ପଛେ ଖର୍ଚ୍ଚ କରିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି। ଅନ୍ୟ ବସ୍ତୁ ଅପେକ୍ଷା ଶାଳଗ୍ରାମ, ରୁଦ୍ରାକ୍ଷ ଆଦି ତଥାକଥିତ ପବିତ୍ର ବସ୍ତୁ ସମ୍ପର୍କରେ ଅଧିକ ମିଛ ହିଁ କୁହାଯାଇଥାଏ। କିନ୍ତୁ ମୁଁ ଏଠାରେ କେବଳ ସେହିସବୁ ଜିନିଷ ବିଷୟରେ ଲେଖୁଛି, ଯେଉଁଥିପାଇଁ ପ୍ରାଣୀମାନଙ୍କ ଜୀବନ ବିପଦରେ ପଡ଼ୁଛି। ଏହା ପୂର୍ବରୁ ମୁଁ ହାତଯୋଡ଼ି (ଗୋଧିଲିଙ୍ଗ) ଏବଂ ଶିୟାର ସିଙ୍ଗି (ଏକ ପ୍ରଜାତିର ବିଲୁଆଙ୍କ କାଳ୍ପନିକ ଶିଙ୍ଗ) ବିଷୟରେ ଲେଖିସାରିଛି। ଆଉ ଏକ ବଡ଼ ଧୋକା ହେଉଛି ନାଗମଣି, ଯାହା ନାଗସାପଙ୍କ ମଥାରେ ଥାଏ ବୋଲି କୁହାଯାଏ। ଏହା କୁଆଡ଼େ ପୀତାଭ ବାଦାମୀ, ମହୁ ପରି ରଙ୍ଗ, ଗାଢ଼ ସବୁଜ, ଈଷତ୍‌ ସବୁଜ, ଲାଲ୍‌, ଧଳା ବା କଳା (ଉପଲବ୍ଧ ପ୍ଲାଷ୍ଟିକ୍‌ର ରଙ୍ଗ ଉପରେ ନିର୍ଭର କରେ) ରଙ୍ଗରେ ମିଳିଥାଏ। ଏହା କୁଆଡ଼େ ସବୁବେଳେ ଆଲୋକ ବିଚ୍ଛୁରଣ କରୁଥାଏ। ତେବେ ଳକ୍ଷାଧିକ ଟଙ୍କା ଦେଇ କିଣିଥିବା ମଣି ଯଦି ଆଲୋକ ବିଚ୍ଛୁରଣ ନ କଲା, ତେବେ ଏହାକୁ ବିକିଥିବା ଓ୍ବେବ୍‌ସାଇଟ୍‌ ସଫେଇ ଦେବ- ଆଲୋକ ବିଚ୍ଛୁରଣର ମାତ୍ରା ସାପର ବୟସ ଉପରେ ନିର୍ଭର କରେ। ସାପର ବୟସ ୩୦ ବର୍ଷରୁ ଅଧିକ ହେଲେ ତା’ର ମଣି ଉତ୍ତମ ଆଲୋକ ବିଚ୍ଛୁରଣ କରିଥାଏ, କମ୍‌ ବୟସର ସାପ ମୁଣ୍ଡରୁ ଅଣାଯାଇଥିବା ମଣି ସେପରି ଆଲୋକ ବିଚ୍ଛୁରଣ କରି ନ ଥାଏ। ତେଣୁ ବିକ୍ରି କରାଯାଇଥିବା ମଣି ଅସଲି ହେଲେ ମଧ୍ୟ କମ୍‌ ବୟସର ସାପଠାରୁ ଅଣାଯାଇଥିବାରୁ ଯଥେଷ୍ଟ ଆଲୋକ ଦେଇପାରୁ ନାହିଁ। ତେବେ କେତେକ ତଥାକଥିତ ମଣି ରାତିରେ ଈଷତ୍‌ ସବୁଜ ଆଲୋକ ଦିଏ ଯଦି ତାହା ଦିନସାରା ଖରାରେ ରଖାଯାଇଥାଏ। କେତେକ ମଣି ଗଛପତ୍ରରେ ରଖାଯାଇଥିବା ବେଳେ ଆଲୁଅ ଦିଅନ୍ତି, ଆଉ କେତେକ ଫୁଲ ଉପରେ ରଖାଯାଇଥିବା ବେଳେ ଆଲୁଅ ଦିଅନ୍ତି। ଆଉ କେତେକ ଘର ବାହାରେ ଥିବାବେଳେ ଆଲୁଅ ଦିଅନ୍ତି ଏବଂ ଅନ୍ୟଗୁଡ଼ିକ କେହି ନ ଦେଖିବା ବେଳେ ଆଲୁଅ ଦିଅନ୍ତି। କେତେକ କେବଳ ଅମାବାସ୍ୟା ରାତିରେ ଆଲୁଅ ଦିଅନ୍ତି। ତଥାପି ଯଦି ଆଲୁଅ ନ ଦେଲା, ତେବେ ଏହା ଇଚ୍ଛାଧାରୀ ନାଗୁଣୀର ମଣି, ଯାହା ନିଜ ଇଚ୍ଛା ଅନୁସାରେ ଆଲୁଅ ଦିଏ ଏବଂ ତାହା ବିରଳ ଓ ଅଧିକ ମୂଲ୍ୟବାନ୍‌। ପ୍ରକୃତରେ ନାଗସାପର ପରମାୟୁ ୧୭ରୁ ୨୦ ବର୍ଷ। କୌଣସି ନାଗସାପ ମୁଣ୍ଡରେ ଆଲୁଅ ଦେଉଥିବା ମଣି ନ ଥାଏ। ଗୋଟିଏ ଓ୍ବେବ୍‌ସାଇଟ୍‌ର କହିବା ଅନୁସାରେ ଅସ୍ବଚ୍ଛ ନାଗମଣି ଆଲୁଅ ଦେଇ ନ ଥାଏ, ଯଦିଚ ଏହା ଅସଲି କିନ୍ତୁ ଦ୍ୱିତୀୟ ଶ୍ରେଣୀର। ଏହାର ଦ୍ୱିତୀୟ ନାମ ହେଉଛି ସ୍ନେକ୍‌ ଷ୍ଟୋନ୍‌। କେତେକ ନାଗମଣି ପଥର ପରି କଠିନ ଓ ଆଉ କେତେକ ସ୍ବଚ୍ଛ। ଓ୍ବେବ୍‌ସାଇଟ୍‌ମାନେ ଦାବିକରନ୍ତି ଯେ ଅନ୍ୟ ରତ୍ନପଥର ପରୀକ୍ଷା କଲା ପରି ନାଗମଣିକୁ ବିଜ୍ଞାନାଗାରରେ ପରୀକ୍ଷା କରାଯାଇପାରିବ ନାହିଁ। ବେଦରେ ନିପୁଣ ଲୋକମାନେ ହିଁ ଏହାକୁ ଚିହ୍ନିପାରିବେ। ପ୍ରକୃତରେ ନାଗମଣି କ’ଣ ଏ ବିଷୟରେ କାହାର କିଛି ଧାରଣା ହିଁ ନାହିଁ। କେବଳ ଲୋକେ ଏହାର ମୂଲ୍ୟକୁ ଦେଖନ୍ତି ଏବଂ ଏହାର ପ୍ରତିଶ୍ରୁତ ଉପକାରିତା (ସାପ ଓ ଭୂତପ୍ରେତଠାରୁ ସୁରକ୍ଷା ଓ ପୁରୁଣା ରୋଗଠାରୁ ମୁକ୍ତି)କୁ ଦେଖନ୍ତି। ପ୍ରତ୍ୟେକ ଓ୍ବେବ୍‌ସାଇଟ୍‌ ଅନ୍ୟ ଓ୍ବେବ୍‌ସାଇଟ୍‌ଗୁଡ଼ିକୁ ସମାଲୋଚନା କରି କହନ୍ତି ଯେ ସେମାନେ ସାପମଣି ନାମରେ ମାମୁଲି ପ୍ଲାଷ୍ଟିକ୍‌ ଓ ପଥର ହିଁ ବିକ୍ରି କରୁଛନ୍ତି। ବିଲ୍‌ କୀ ଜେର୍‌ ବା ବିଲ୍‌ କୀ ନାଲ୍‌ ହେଉଛି ବିରାଡ଼ିର ନାହିନାଡ଼, ଯାହା ବାସ୍ତବରେ ମିଳିବା ଅସମ୍ଭବ କାରଣ ପ୍ରତ୍ୟେକ ବିରାଡ଼ି ଛୁଆ ଜନ୍ମ କଲା ପରେ ପରେ ନାହିନାଡ଼କୁ ଖାଇଦିଏ। ଏହାକୁ ସଂଗ୍ରହ କରିବାର ଗୋଟିଏ ଉପାୟ ହେଲା ଛୁଆ ଜନ୍ମ କଲାବେଳେ ବିରାଡ଼ିକୁ ଗୋଟିଏ ଖୁମ୍ବରେ ବାନ୍ଧି ପକାଇବା ଏବଂ ଜନ୍ମ ପରେ ପରେ ନିଜେ ନାଡ଼କୁ କାଟି ନେଇଆସିବା, ଯାହା ଏକପ୍ରକାର ଶାରୀରିକ ନିର୍ଯାତନା। ତେଣୁ ବିରାଡ଼ିର ନାହିନାଡ଼ ନଁାରେ ଯାହା ବିକ୍ରି କରାଯାଏ, ତାହା ପ୍ରକୃତରେ ମଣିଷର ନାହିନାଡ଼। ହସ୍ପିଟାଲମାନଙ୍କରେ ଛୁଆ ଜନ୍ମ ପରେ ଏହାକୁ ଡଷ୍ଟବିନ୍‌ରେ ଫିଙ୍ଗିଦିଆଯାଏ, ଯାହାକୁ ଦଲାଲମାନେ ସଂଗ୍ରହ କରି ବିରାଡ଼ିର ନାହିନାଡ଼ ନଁାରେ ବିକ୍ରି କରନ୍ତି। ଜୁଆ ଖେଳାଳି, ଷ୍ଟକ୍‌ ବ୍ରୋକର ଓ ଶେୟାର୍‌ରେ ପୁଞ୍ଜିଲଗାଣକାରୀମାନେ ଏହାକୁ କିଣନ୍ତି। କିନ୍ତୁ ସେମାନଙ୍କୁ କୁହାଯାଏ, ଏକ ସ୍ବତନ୍ତ୍ର ପୂଜା ନ କଲେ ଏ ନାହିଁନାଡ଼ କାମ ଦେବନାହିଁ। ପୂଜା ନଁାରେ ସେମାନେ ପୁଣି ବହୁ ଟଙ୍କା ଝଡ଼ାନ୍ତି। କିନ୍ତୁ ପୂଜା ସଫଳ ହେଲେ ବହୁ ଟଙ୍କା ମିଳିବ, ବେପାରରେ ଉନ୍ନତି ହେବ ଓ ନୂତନ କୋଠାବାଡ଼ି କରିହେବ ବୋଲି ସେମାନଙ୍କୁ ଲୋଭ ଦେଖାଯାଏ। ଗରୁଡ଼ମଣି ବା ଇଗଲ ପର୍ଲ କ’ଣ ଏ କଥା କେହି ଜାଣନ୍ତି ନାହିଁ। ଏପରି କି ଏହାକୁ ବିକ୍ରି କରୁଥିବା ଓ୍ବେବ୍‌ସାଇଟ୍‌ମାନେ ବି ଠିକ୍‌ ଭାବେ ବୁଝାଇପାରନ୍ତି ନାହିଁ, ବାଜପକ୍ଷୀର କେଉଁ ଅଙ୍ଗରୁ ଏହା ସଂଗ୍ରହ କରାଯାଏ। ସମ୍ଭବତଃ ଏହା ପ୍ରସ୍ତରୀକୃତ ପୋଡ଼ା ମଳ। କିନ୍ତୁ ଏହାକୁ କିଣିବାକୁ ଇଚ୍ଛୁକ ଲୋକଙ୍କୁ ବୁଝାଇଦିଆଯାଏ, ଏହାକୁ ପାଖରେ ରଖିଲେ ଦୃଷ୍ଟିଶକ୍ତି ବଢ଼ିବ, ଶିକାର କରିବାର ଦକ୍ଷତା ବଢ଼ିବ, ପର୍ଯ୍ୟବେକ୍ଷଣର କ୍ଷମତା ବଢ଼ିବ ଏବଂ ଅନ୍ୟ ଉପରେ ପ୍ରାଧାନ୍ୟ ବିସ୍ତାର କରିହେବ। ଏହାଦ୍ୱାରା ପକ୍ଷୀ ଉଚ୍ଚ ଆକାଶରେ ଉଡ଼ିବା ପରି ଉନ୍ନତି ହେବ, ନିଜର ହରେଇଥିବା କ୍ଷେତ୍ରାଧିକାର ଫେରିପାଇବ ଏବଂ ଖୁବ୍‌ ଲୋକପ୍ରିୟ ହୋଇପାରିବ। ରାହୁ, ମଙ୍ଗଳ ଓ ଶୁକ୍ର ନିଜ ଡେଣା ତଳେ ରହିବେ। ଚଢ଼େଇଟି ଗୋଟିଏ ଲଣ୍ଡି ମଳତ୍ୟାଗ କରିବା ମାତ୍ରେ ଏସବୁ ସମ୍ଭବ ହେବ। ସେହି ଏକା ସାଇଟ୍‌ ଭଲଭାବେ ସଫା କରାହୋଇଥିବା ସିଂହଦାନ୍ତ ବିକ୍ରି କରନ୍ତି। ଏହାକୁ ତାବିଜ କରି ପିନ୍ଧିଲେ ବା ଲକେଟ୍‌ କରି ପିନ୍ଧିଲେ ପ୍ରଚୁର ଶକ୍ତି ମିଳିବ ଏବଂ ପ୍ରତ୍ୟେକ ବିଚାରପତି, ଶାସକ ଓ ସେନା ଅଫିସର କୁଆଡ଼େ ଏହାକୁ ପିନ୍ଧି ଥିବାରୁ ଏତେ ଉପରକୁ ଯାଇପାରିଛନ୍ତି। ଯଦି ଉକ୍ତ ଓ୍ବେବ୍‌ସାଇଟ୍‌ ମାଲିକମାନେ ସିଂହଦାନ୍ତ ବିକିଥିବା ଲୋକଙ୍କ ନାମ ତାଲିକା ପୋଲିସକୁ ଦିଅନ୍ତି ଏବଂ ମୁଁ ଯଦି ସେ ତାଲିକା ପାଏ, ତା’ହେଲେ ସେ ଲୋକମାନଙ୍କୁ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁଯାୟୀ ଜେଲ ପଠାଇଦିଅନ୍ତି। ଗଜମୋତି ଆଉ ଏକ ଭାଣ୍ଡାମି। ଆଫ୍ରିକୀୟ ଓ ଏସୀୟ ବିରଳ ପ୍ରଜାତିର ହାତୀଙ୍କଠାରୁ ଏହା ସଂଗ୍ରହ କରାଯାଇଛି ବୋଲି କୁହାଯାଏ। ଏହି ପ୍ରଜାତିର ନାମ କୁଆଡ଼େ ଐରାବତ ଯାହା ବର୍ଷାର ଦେବତା ଦେବରାଜ ଇନ୍ଦ୍ରଙ୍କ ହାତୀ ବୋଲି ପୁରାଣରେ ବର୍ଣ୍ଣନା ଅଛି। କୁହାଯାଏ ଗଜମୋତି ହେଉଛି ଈଷତ୍‌ ଧଳା ଖଣ୍ଡ ଯାହା ହାତୀଦାନ୍ତ, ମୁକ୍ତା, ଅସ୍ଥିମଜ୍ଜା, କ୍ୟାଲ୍‌ସିୟମ୍‌, ଭିଟାମିନ୍‌ ଡି ଏବଂ ହାତୀଙ୍କ ମସ୍ତିଷ୍କରୁ ଝରୁଥିବା ଏକ ରସର ମିଶ୍ରଣ। ଏହି ଅସମ୍ଭବ ମିଶ୍ରଣ କୁଆଡ଼େ କ୍ୟାନ୍‌ସର, ଗଣ୍ଠିବାତ, ନପୁଂସକତା, ପୁତ୍ରହୀନତା ଆଦି ଦୂର କରିବା ସହ ବ୍ୟକ୍ତିକୁ ଧନୀ କରାଇଦିଏ। ବିକୁଥିବା ଓ୍ବେବ୍‌ସାଇଟ୍‌ମାନେ ଏହା ଅସଲି ବୋଲି କେମିତି ଜାଣନ୍ତି? ଏହାକୁ କୁଆଡ଼େ ପାଣିରେ ଛୁଆଇଁଲେ ତାହା କ୍ଷୀର ପାଲଟିଯାଏ। ଏହାକୁ ହାତରେ ଧରିଲେ କମ୍ପନ ସୃଷ୍ଟିହୁଏ। ଏହା କୁଆଡ଼େ ନଡ଼ିଆ ପାଣି ପିଏ। ଏହା ଅସଲି କି ନା ପରୀକ୍ଷା କରିବା ପାଇଁ ଐଶାନ୍ୟକୋଣକୁ ମୁହଁକରି ଡାହାଣ ହାତରେ ଗଜମୋତି ଧରି ଆଖି ବନ୍ଦ କରି ୯୦ ମିନିଟ୍‌ ଯାଏ ବସନ୍ତୁ। ଯଦି ଆପଣ ଭଲ ମଣିଷ ହୋଇଥିବେ ଏବଂ ଯଦି ଆପଣଙ୍କ ଚକ୍ର ଦୋଷଶୂନ୍ୟ ଥିବ, ତେବେ ଆପଣ ଛାତି, ମେରୁଦଣ୍ଡ ଓ ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବେ। ଯଦି କିଛି ଅନୁଭବ କରୁନାହାନ୍ତି, ତେବେ ଆପଣଙ୍କୁ ଏ ଗଜମୋତି କିଣିବାକୁ ହେବ, କାରଣ ଆପଣଙ୍କ ଚକ୍ର ଦୋଷଶୂନ୍ୟ ହେବା ଦରକାର। ପ୍ରାଣୀଙ୍କ ରକ୍ତ, ହାଡ଼, ଦାନ୍ତ, ମଳ ଇତ୍ୟାଦି ନିରର୍ଥକ ଜିନିଷ ଦ୍ୱାରା ନିର୍ବୋଧମାନେ ହିଁ ନିଜର ଭାଗ୍ୟୋଦୟ ଚାହାନ୍ତି ଏବଂ ଠକାମିରେ ପଡ଼ନ୍ତି। ପ୍ରକୃତରେ ଭଗବାନ୍‌ ଓ ସଫଳତା ଆପଣଙ୍କ ଭିତରେ ଅଛନ୍ତି, ବାହାରେ ଖୋଜିଲେ ମିଳିବେ କେଉଁଠୁ?

Email:gandhim@nic.in



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri