ଅପରାଧର ଚିତ୍ରରୂପ

ଡ. ସୁବାସ ଚନ୍ଦ୍ର ପାତ୍ର

ଆଜିକାଲି ବୈଦ୍ୟୁତିକ ଗଣମାଧ୍ୟମରେ ଅପରାଧଭିତ୍ତିକ ସତ୍ୟ ଘଟଣାକୁ ନେଇ ଯେଉଁ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରାଯାଉଛି ତାହା ଅନେକଙ୍କ ଭିତରେ ମିଶ୍ର ପ୍ରତିକ୍ରିୟା ସୃଷ୍ଟି କରୁଛି। କିଛିବର୍ଷ ତଳେ କୌଣସି ଏକ ହିନ୍ଦୀ ଚ୍ୟାନେଲରେ ଏହି ପ୍ରକାର କାର୍ଯ୍ୟକ୍ରମ ଉପସ୍ଥାପନା ବେଳେ କୁହାଯାଉଥିଲା ‘ଚୈନ ମେ ଶୋନା ହୈ ତୋ ଜାଗ ଯାଓ’ (ଶାନ୍ତିରେ ଶୋଇବାକୁ ଚାହଁ ତ ଜାଗିଉଠ), ଅର୍ଥାତ୍‌ ଜନସାଧାରଣଙ୍କୁ ଜାଗ୍ରତ କରାଇବା ଓ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏ କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ବୋଲି ଏହାର ପ୍ରସ୍ତୁତକର୍ତ୍ତାମାନେ ଦାବି କରନ୍ତି। କିନ୍ତୁ ଦୁଃଖର ବିଷୟ ଯେଉଁ ପ୍ରକାର ରସାଳ ଏବଂ ନାଟକୀୟ ଭଙ୍ଗୀରେ ଏ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଏ ଏବଂ ଯେଉଁ ପ୍ରକାର ବେଶଭୂଷା ଓ କେଶବିନ୍ୟାସ ନେଇ ଉପସ୍ଥାପକମାନେ ଉଭା ହୁଅନ୍ତି ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ପ୍ରସ୍ତୁତକର୍ତ୍ତାମାନେ ମୂଳ ଲକ୍ଷ୍ୟରୁ ଦୂରେଇ ଯାଇଛନ୍ତି। ସତ୍ୟ ଘଟଣା ସହିତ କିଛି ନାଟ୍ୟ ରୂପାନ୍ତର ମିଶାଇ ଯେଉଁ ‘କକ୍‌ଟେଲ’ ପ୍ରସ୍ତୁତ କରାଯାଏ ତାହା ଯେତିକି ନାଟକୀୟ ଲାଗେ ସେତିକି ହୃଦୟବିଦାରକ ଲାଗେ ପୀଡ଼ିତଙ୍କ ପରିବାରବର୍ଗଙ୍କ ଲାଗି। ଏ ପ୍ରକାର କାର୍ଯ୍ୟକ୍ରମର ନିର୍ମାତାମାନେ ଥରେ ଭାବନ୍ତି ନାହିଁ ଦୁଷ୍କର୍ମ ବା ହତ୍ୟାର ଶିକାର ହୋଇଥିବା ପରିବାରଗୁଡ଼ିକ କି ପ୍ରକାର ମାନସିକ ଅବସ୍ଥା ଓ ଯନ୍ତ୍ରଣା ଦେଇ ଗତି କରୁଥିବେ। ନାଟ୍ୟ ରୂପାନ୍ତର ମଧ୍ୟଦେଇ ଘଟିଯାଇଥିବା ଜଘନ୍ୟ ହତ୍ୟା ଓ ବୀଭତ୍ସ ଦୁଷ୍କର୍ମ, ପ୍ରଭାବିତ ପକ୍ଷର ପରିବାରବର୍ଗକୁ କି ପ୍ରକାର ମାନସିକ ଯନ୍ତ୍ରଣା ଦେଉଥିବ ସେକଥା କେହି କେବେ ଚିନ୍ତା କରନ୍ତି ନାହିଁ। ଏହିପରି କାର୍ଯ୍ୟକ୍ରମକୁ ଦୁଇ ପ୍ରକାର ଭାବେ ପରିବେଷଣ କରାଯାଇପାରନ୍ତା- ସମ୍ପୂର୍ଣ୍ଣ ସତ୍ୟ ଓ ତଥ୍ୟଭିତ୍ତିକ ବା ସମ୍ପୂର୍ଣ୍ଣ ନାଟ୍ୟାୟିତ ରୂପରେ। ପ୍ରସ୍ତୁତକର୍ତ୍ତାମାନେ ଜାଣତରେ ସବୁକିଛି କରୁଛନ୍ତି ସେକଥା କୁହାଯାଉ ନାହିଁ; ସେମାନଙ୍କ ଅଜାଣତରେ କାର୍ଯ୍ୟକ୍ରମର ଅନେକ ଦୃଶ୍ୟ କିଛି ଅପରାଧପ୍ରବଣ ମଣିଷକୁ ପ୍ରୋତ୍ସାହିତ କରୁଥିବ ବା ମଣିଷର ଆପରାଧିକ ଚେତନାକୁ ସାମୟିକ ଭାବେ ଉଲ୍ଲସିତ କରୁଥିବ। ବେଳେବେଳେ ଏହି କାର୍ଯ୍ୟକ୍ରମର କେତେକ ଦୃଶ୍ୟ କିଶୋରମାନଙ୍କ ପାଇଁ ଏକ ତାଲିମ ଅଧିବେଶନ ଭାବେ ପରିଗଣିତ ହୁଏ। ପ୍ରସଙ୍ଗତଃ ବହୁବର୍ଷ ତଳେ ଓଡ଼ିଶାର ଏକ ପ୍ରମୁଖ ସହରରେ ଘଟି ଯାଇଥିବା ଏକ ହତ୍ୟା ଘଟଣା ଉଲ୍ଲେଖଯୋଗ୍ୟ। ଗୃହକର୍ତ୍ତାଙ୍କ ଅନୁପସ୍ଥିତିରେ ଘରୋଇ ସହାୟକ ଯୁବକଟି ଘରର ମାଲିକାଣୀ ଓ ତାଙ୍କ ଝିଅକୁ ବେକରେ ବିଦ୍ୟୁତ୍‌ ତାରର ଫାଶ ଦେଇ ଅତି ନୃଶଂସ ଭାବେ ହତ୍ୟା କରିଥିଲା। ପୋଲିସର ପଚରାଉଚୁରାରୁ ସେ ପ୍ରକାଶ କରିଥିଲା ଯେ, ସେ ‘ତେହିକିକାତ୍‌’ ସିରିଏଲ୍‌ରୁ ଏହି ପ୍ରକାର ହତ୍ୟାର ତରିକା ଶିଖିଥିଲା। ଅନେକ ସମୟରେ ଗଣ ସଚେତନତା ପାଇଁ କାର୍ଯ୍ୟକ୍ରମ ବାଟବଣା ହୁଏ। ଯଥା ଏଡ୍‌ସ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ସଚେତନତା କାର୍ଯ୍ୟକ୍ରମ। ସାଧାରଣ ଭାବରେ ଉପକାରୀ ଏବଂ ଆବଶ୍ୟକ ମନେ କରାଯାଉଥିବା ଏହି ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଏମିତି କିଛି ଉପଦେଶ ଦେଇ ବସେ, ଯାହା ବିଶୃଙ୍ଖଳ ଯୌନଭାବନା ପାଇଁ ପ୍ରୋତ୍ସାହନ ପାଲଟିଯାଏ। ସଂଯମ, ଶୃଙ୍ଖଳା, ପାରିବାରିକ ତଥା ସାମାଜିକ ନୈତିକତାକୁ ସମ୍ପୂର୍ଣ୍ଣ ଗୌଣ କରି ଏଡ୍‌ସଠୁ ରକ୍ଷା ପାଇବା ପାଇଁ କି ପ୍ରକାର ଯୌନ ସାଧନମାନ ଉପଲବ୍ଧ ତା’ ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଏହା ଅନେକ ସଚେତନ ମଣିଷକୁ କଷ୍ଟ ଦିଏ। ହିଂସା ଏବଂ ଯୌନ ଚେତନାକୁ ନେଇ ପ୍ରସ୍ତୁତ କରାଯାଉଥିବା କାର୍ଯ୍ୟକ୍ରମ ବା ଲେଖା ଯାଉଥିବା ସାହିତ୍ୟ ବେଳେବେଳେ ଖଣ୍ଡାର ଦୁଇଧାର ହିସାବରେ ଆତ୍ମପ୍ରକାଶ କରେ। ଉପରକୁ ଏହା ସଚେତନତା କାର୍ଯ୍ୟକ୍ରମ ବା ମଣିଷର ଆବେଗର ଉତ୍ତରଣ ପାଇଁ ଉଦ୍ଦିଷ୍ଟ ବୋଲି ଜଣାପଡୁଥିବା ବେଳେ ଅଜାଣତରେ ଏହା ମଣିଷର ଅବଦମିତ ଦୁରାକାଂକ୍ଷାକୁ ଜାଗ୍ରତ କରେ। ସେଇଥିପାଇଁ ଅନେକ ସମୟରେ ନାଟକ ବା ଚଳଚ୍ଚିତ୍ରର ଖଳନାୟକମାନେ ବେଶ୍‌ ଆକର୍ଷଣୀୟ ଲାଗନ୍ତି, ଯାହାର ଜ୍ୱଳନ୍ତ ଉଦାହରଣ ‘ଶୋଲେ’ ଚଳଚ୍ଚିତ୍ରର ଅମଜାଦ୍‌ ଖାନ୍‌ ଅଭିନୀତ ଗବ୍ବର ସିଂ ଚରିତ୍ର। ଖାଲି ସାଧାରଣ ଚଳଚ୍ଚିତ୍ର ନୁହେଁ ଅତି ଉଚ୍ଚାଙ୍ଗ ସାହିତ୍ୟରେ ମଧ୍ୟ ବେଳେବେଳେ ଲେଖକଙ୍କୁ ଏହି ଦୋଷର ଭାଗୀଦାର ହେବାକୁ ପଡ଼େ, ଯାହା ଘଟିଥିଲା ପ୍ରଖ୍ୟାତ ଇଂରାଜୀ କବି ଜନ୍‌ ମିଲ୍‌ଟନ୍‌ଙ୍କ କ୍ଷେତ୍ରରେ। ତାଙ୍କର କାଳଜୟୀ କାବ୍ୟ ‘ପାରାଡାଇଜ୍‌ ଲଷ୍ଟ୍‌’ରେ ସେ ‘ସାଟାନ୍‌’ ବା ସଇତାନ ଚରିତ୍ରର ଚିତ୍ରଣକୁ ‘ଆଡାମ୍‌’ ଚରିତ୍ର ତୁଳନାରେ ଶକ୍ତିଶାଳୀ ତଥା ଆକର୍ଷଣୀୟ କରି ତୋଳିଥିବାରୁ ଅନେକ ସମାଲୋଚକ ତାଙ୍କୁ ଆକ୍ଷେପ କରି କୁହନ୍ତି, ମିଲ୍‌ଟନ୍‌ ହୁଏତ ତାଙ୍କ ଅଜାଣତରେ ସଇତାନ ଦଳର ଜଣେ ସଦସ୍ୟ ଥିଲେ (ପର୍‌ହାପ୍‌ସ ମିଲ୍‌ଟନ୍‌ ବିଲଙ୍ଗଡ୍‌ ଟୁ ଦି ସାଟାନ୍‌ସ୍‌ ପାର୍ଟି ଉଇଦାଉଟ୍‌ ନୋଇଙ୍ଗ ଇଟ୍‌)। ଏହା ହେଉଛି ମନ୍ଦଶକ୍ତି, ଦୁରାକାଂକ୍ଷା, ହିଂସା ଓ ଯୌନ ଆବେଗକୁ ନେଇ କରାଯାଉଥିବା କାର୍ଯ୍ୟକ୍ରମ ବା ଲେଖାଯାଉଥିବା ସାହିତ୍ୟ ପଛରେ ଲୁକ୍କାୟିତ ବିପଦ। ଏ ପ୍ରକାର କାର୍ଯ୍ୟକ୍ରମ କଲାବେଳେ ପ୍ରସ୍ତୁତକର୍ତ୍ତାମାନେ ଯଥେଷ୍ଟ ସତର୍କତା ଓ ସମ୍ବେଦନଶୀଳତା ଅବଲମ୍ବନ କରିବା ଉଚିତ, ନ ହେଲେ ଏହା ମନ୍ଦର ନିରାକରଣ ପରିବର୍ତ୍ତେ ତାର ପ୍ରୋତ୍ସାହନରେ ପରିଗଣିତ ହେବ।

ମୋ: ୯୪୩୭୩୭୬୨୧୯,
email : subashbls56@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri