ସୁସ୍ଥ ବିଶ୍ୱ ଏବଂ ସାକ୍ଷରତା

(ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଉପଲକ୍ଷେ)

ଗିରିଜାଶଙ୍କର ତରାସିଆ

ଜାତିସଂଘ ସନନ୍ଦରେ ପ୍ରାଥମିକ ଶିକ୍ଷାକୁ ମୌଳିକ ଅଧିକାରଭୁକ୍ତ କରିବା ପାଇଁ କରାଯାଇଥିବା ଆହ୍ବାନ ପରିପ୍ରେକ୍ଷୀରେ ୧୯୬୫ ନଭେମ୍ବର ୧୭ ତାରିଖ ଦିନ ୟୁନେସ୍କୋ ପକ୍ଷରୁ ବିଶ୍ୱ ସ୍ତରରେ ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖକୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା। ଜାତିସଂଘ ମାନବିକ ଅଧିକାର ଘୋଷଣାନାମାରେ ସ୍ବାକ୍ଷର କରିଥିବା ଅନ୍ୟତମ ସଦସ୍ୟ ରାଷ୍ଟ୍ର ଭାରତ ନିଜ ଦେଶରେ ପ୍ରାଥମିକ ଶିକ୍ଷାକୁ ମୌଳିକ ଅଧିକାର ପର୍ଯ୍ୟାୟଭୁକ୍ତ କରିବା ପାଇଁ ୮୬ତମ ସମ୍ବିଧାନ ସଂଶୋଧନ କରାଇ ସମ୍ବିଧାନରେ ଧାରା ୨୧ (କ) ସଂଯୋଗ କଲା। ଏହାଦ୍ୱାରା ପ୍ରାଥମିକ ସ୍ତରରେ ଶିକ୍ଷାକୁ ମାଗଣା ଏବଂ ବାଧ୍ୟତାମୂଳକ କରାଗଲା। ୨୦୦୯ ମସିହାରେ ଶିକ୍ଷା ଅଧିକାର ଆଇନ ପ୍ରଣୟନ କରାଯାଇ ୨୦୧୦ ଏପ୍ରିଲ ପହିଲାଠାରୁ ଯଥାରୀତି କାର୍ଯ୍ୟକାରୀ ହେଲା। ୟୁନେସ୍କୋ ଦ୍ୱାରା ପ୍ରକାଶିତ ଏଜୁକେଶନ ଫର୍‌ ଅଲ୍‌ ଗ୍ଲୋବାଲ ମନିଟରିଂ ରିପୋର୍ଟ ୨୦୧୦ରେ ଉଲ୍ଲେଖ କରାଯାଇଛି ଯେ, ବିଶ୍ୱର ୧୩୫ଟି ଦେଶରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାଦାନ ଦେବାର ବ୍ୟବସ୍ଥା ରହିଛି। ତନ୍ମଧ୍ୟରୁ ଚିଲିରେ ପନ୍ଦର ବର୍ଷ ନିମନ୍ତେ ୬ରୁ ୨୧ ବର୍ଷ ଯାଏ ସମସ୍ତ ପିଲାଙ୍କୁ ମାଗଣାରେ ଶିକ୍ଷା ଦେବାର ବ୍ୟବସ୍ଥା ରହିଥିବା ବେଳେ ଜର୍ମାନୀ, ବେଲଜିୟମ୍‌, ଇଟାଲୀ ଓ ନରୱେ ପରି ଦେଶମାନଙ୍କରେ ସମୁଦାୟ ବିଦ୍ୟାଳୟ ଶିକ୍ଷାଦାନ ମାଗଣାରେ କରାଯାଉଛି। ଭାରତରେ ପ୍ରଚଳିତ ନୂତନ ଶିକ୍ଷା ଅଧିକାର ଆଇନ ଅନୁଯାୟୀ କୌଣସି ପିଲା ପ୍ରାଥମିକ ଶିକ୍ଷା ଲାଭ ନିମନ୍ତେ ଟଙ୍କାଟିଏ ଖର୍ଚ୍ଚ କରିବ ନାହିଁ। ତାକୁ ନାମଲେଖା ନିମନ୍ତେ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ ନାହିଁ କି କୌଣସି ପ୍ରମାଣପତ୍ର ଅଭାବରୁ କାହାକୁ ନାମ ଲେଖାରୁ ବଞ୍ଚତ୍ତ କରାଯାଇ ପାରିବନାହିଁ। ଭିନ୍ନକ୍ଷମ ପିଲାମାନେ ମଧ୍ୟ ମୁଖ୍ୟଧାରାର ସାଧାରଣ ବିଦ୍ୟାଳୟମାନଙ୍କରେ ପାଠ ପଢି ପାରିବେ। ଏହି ଆଇନରେ ବ୍ୟବସ୍ଥା ରହିଛି ଯେ, ପ୍ରତି ୩୦ ଜଣ ଛାତ୍ରୀଛାତ୍ରଙ୍କ ନିମନ୍ତେ ଜଣେ ଶିକ୍ଷକ ନିଶ୍ଚିତ ନିଯୁକ୍ତି ପାଇବେ। ତତ୍‌କାଳୀନ ଭାରତରେ ଶିକ୍ଷାର ଦୁରବସ୍ଥା ତଥା ଉତ୍କଟ ଦାରିଦ୍ର୍ୟକୁ ଲକ୍ଷ୍ୟକରି ସ୍ବାମୀ ବିବେକାନନ୍ଦ ଏକଦା କହିଥିଲେ, ”India is to be raised, the poors are to be fed, education is to be spread.“ ଓଡ଼ିଶାରେ ୧୮୨୨ ମସିହାରେ ମିଶ୍‌ନାରୀମାନଙ୍କ ଦ୍ୱାରା ପ୍ରଥମେ ଆଧୁନିକ ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା। ଘରୋଇ ପ୍ରଚେଷ୍ଟାରେ ୧୮୪୧ ମସିହାରେ କଟକରେ ଏକ ଘରୋଇ ଜିଲାସ୍କୁଲ ଆରମ୍ଭ ହେଲା। ଏଥିରେ ୧୮୬୯ ମସିହାରେ ଆଇ.ଏ. ଶ୍ରେଣୀ ଖୋଲିଲା ଏବଂ ଏହା ୧୮୭୯ରେ ଏକ ଡିଗ୍ରୀ କଲେଜରେ ପରିଣତ ହୋଇ ୧୮୮୧ରେ ରେଭେନ୍‌ଶା କଲେଜ ନାମରେ ରୂପାନ୍ତରିତ ହେଲା। ୧୯୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ପାଇବା ସମୟରେ ସମଗ୍ର ଓଡ଼ିଶାରେ ୪ଗୋଟି କଲେଜ ଓ ୩୪ଟି ହାଇସ୍କୁଲ ଥିଲା। ଇଂରେଜ ଶାସନ ଅମଳରେ ୧୯୩୯ ମସିହାରେ ଆମ ଦେଶରେ ପ୍ରୌଢଶିକ୍ଷା ଆରମ୍ଭ ହେଲା। ଡକ୍ଟର ଲବ୍ୟାକ୍‌ ନାମକ ଜନୈକ ବିଲାତି ସାହେବ ଏହି ଶିକ୍ଷାର ମୂଳଦୁଆ ପକାଇଥିବାର ଜଣାଯାଏ। ଆମ ଦେଶ ସ୍ବାଧୀନତା ପାଇବା ବେଳକୁ ଓଡ଼ିଶାରେ ୧୨ଟି କଲେଜ, ୧୦୬ଟି ହାଇସ୍କୁଲ, ୨୮୬ଟି ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବଂ ୬୮୧୪ଟି ପ୍ରାଇମେରୀ ସ୍କୁଲ ଥିଲା। ସ୍ବାଧୀନତା ଲାଭ କରିବା ପରେ ଭାରତବର୍ଷରେ ଶିକ୍ଷା ସମ୍ବନ୍ଧୀୟ ନୀତି ନିର୍ଦ୍ଧାରଣ ନିମନ୍ତେ ଅନେକ କମିଟି ଗଠିତ ହୋଇଛି। ଏମାନଙ୍କ ମଧ୍ୟରେ ରାଧାକ୍ରିଷ୍ଣନ୍‌ କମିଟି ୧୯୪୮, ରାମଚନ୍ଦ୍ରନ୍‌ କମିଟି ୧୯୫୬, ଦୁର୍ଗାବାଈ ଦେଶମୁଖ କମିଟି ୧୯୫୮, ହଂସ ମେହେଟ୍ଟା କମିଟି ୧୯୬୨, ଭକ୍ତବତ୍ସଳମ୍‌ କମିଟି ୧୯୬୩, ପ୍ରଫେସର କୋଠାରୀ କମିଶନ ୧୯୬୪, ରାମମୂର୍ତ୍ତି କମିଟି ୧୯୯୦, ଜନାର୍ଦ୍ଦନ ରେଡ୍ଡୀ କମିଟି ୧୯୯୨, ଯଶପାଲ କମିଟି ୧୯୯୩, ଅରୁଣ ଘୋଷ କମିଟି ୧୯୯୫, ଚତୁର୍ବେଦୀ କମିଟି ୧୯୯୭ ଆଦି ଥିଲା ପ୍ରଣିଧାନଯୋଗ୍ୟ। ପ୍ରଫେସର କୋଠାରୀ କମିଶନଙ୍କ ସୁପାରିସ କ୍ରମେ ୧୯୬୮ ମସିହାରେ ଜାତୀୟ ଶିକ୍ଷାନୀତି ପ୍ରଣୟନ କରାଯାଇଥିଲା। କୁହାଯାଏ, ପଢିଲେ ଜାଣିବା ଏବଂ ଜାଣିଲେ ଜିଣିବା। ଅର୍ଥାତ୍‌ ଶିକ୍ଷା ଦ୍ୱାରା ବ୍ୟକ୍ତିଠାରୁ ରଚନାମତ୍କ ଭାବନା ଜନ୍ମ ନେଇଥାଏ। ଶିକ୍ଷା ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଗରିବ, ଧନୀ ଭେଦଭାବର ଊର୍ଦ୍ଧ୍ୱରେ ରହି ସମସ୍ତଙ୍କୁ ସ୍ପର୍ଶ କରିପାରୁଥିବା ଭଳି ଏକ ସମ୍ବେଦନଶୀଳ ବିଷୟ। ଏବେ ମଧ୍ୟ ବିଶ୍ୱର ଅନେକ ରାଷ୍ଟ୍ରରେ ନିରକ୍ଷରତା ମହାମାରୀ ଭଳି ମାରାମତ୍କ ଭାବରେ ରହିଛି। ବିଶ୍ୱକୁ କ୍ଷୁଧାମୁକ୍ତ, ରୋଗମୁକ୍ତ କରି ଏକ ସୁସ୍ଥ ପୃଥିବୀ ଗଠନ ପାଇଁ ସାକ୍ଷରତା ଏକାନ୍ତ ଅପରିହାର୍ଯ୍ୟ।

ଖଣ୍ଡପଡ଼ା, ନୟାଗଡ଼, ମୋ: ୯୯୩୭୩୩୪୮୦୦



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri