ଆଧାର ଅନୁଚିତ

ନିକଟରେ ସୁପ୍ରିମ୍‌କୋର୍ଟ ବ୍ୟକ୍ତିଗତ ଗୋପନୀୟତା ବା ଅନ୍ତରଙ୍ଗ ତଥ୍ୟ (ପ୍ରିଭେସି)କୁ ମୌଳିକ ଅଧିକାରରେ ଅନ୍ତର୍ଭୁକ୍ତ କରିଛନ୍ତି। ଆଧାର ଉପରେ ରାୟ ଆସିବା ବାକି ଅଛି। ତଥାପି ପ୍ରିଭେସି ରାୟର ପୃଷ୍ଠଭୂମିକୁ ଦେଖିଲେ ଆଧାରର ପ୍ରାସଙ୍ଗିକତା କମି ଆସିଲା ଭଳି ମନେହେଉଛି। ଚଳିତବର୍ଷ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଆଧାର କାର୍ଡ ପ୍ରସ୍ତୁତ ନ କରିଥିଲେ ମଧ୍ୟ ହିତାଧିକାରୀଙ୍କୁ ଜନକଲ୍ୟାଣକାରୀ ଯୋଜନାରୁ ବଞ୍ଚତ୍ତ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ତଥାପି ଓଡ଼ିଶା ସରକାର ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଆଧାର ବୋଝ ଲୋକଙ୍କ ଉପରେ ଲଦୁଛନ୍ତି। ଗର୍ଭବତୀ ମହିଳାଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ମମତା ଯୋଜନାରେ ୫,୦୦୦ ଟଙ୍କା ଦିଆଯାଉଛି। ଆଧାର ବାଧ୍ୟତାମୂଳକ ବୋଲି ପ୍ରଚାର ହୋଇଯାଇଥିବାରୁ ସବୁ କ୍ଷେତ୍ରରେ ବିଭାଗୀୟ ଅଧିକାରୀମାନେ ତାହାକୁ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଫଳରେ ବ୍ୟାଙ୍କ କର୍ମଚାରୀମାନେ ଗର୍ଭବତୀଙ୍କୁ ଆଧାର କାର୍ଡ ଦେଲେ ଯାଇ ଅର୍ଥ ଦିଆଯିବ ବୋଲି କହୁଛନ୍ତି। ବାସ୍ତବରେ ‘ନୋ ୟୋର୍‌ କଷ୍ଟମର’ ବା କଓ୍ବୋଇସିରେ ଆଧାର ସମେତ ଭୋଟର କାର୍ଡ, ରାଶନ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ୍‌ କାର୍ଡ ଆଦି ଆସୁଛି। ଆଧାର କାର୍ଡ ବ୍ୟତୀତ ଏସବୁ ଦେଖାଇବା ସତ୍ତ୍ୱେ ମମତା ହିତାଧିକାରୀଙ୍କୁ ସରକାରୀ ସୁବିଧା ଉପଲବ୍‌ଧ ହୋଇପାରୁ ନାହିଁ। ଏକ ଅବାନ୍ତର କାର୍ଡର ଆଳ ଦେଖାଯାଇ ସାଧାରଣ ଲୋକଙ୍କ ଉପରେ ଚାପ ପକାଯାଉଥିବାରୁ ଲୋକଙ୍କ ମନରେ ସରକାର ବିରୋଧୀ ମନୋଭାବ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଲାଣି। ଅନୁରୂପ ଭାବେ ଛାତ୍ରୀଛାତ୍ରମାନେ ଆଧାର କାର୍ଡ ଦେଇ ନ ପାରିଲେ ମଧ୍ୟାହ୍ନଭୋଜନ ଓ ପୋଷାକ ପାଇପାରିବେ ନାହିଁ ବୋଲି ଶିକ୍ଷା ବିଭାଗ ନିର୍ଦ୍ଦେଶାବଳୀ ସ୍କୁଲଗୁଡ଼ିକୁ ପଠାଇଛି। ଫଳରେ ଯେଉଁଠାରେ ପିଲାମାନେ ଏହି କାର୍ଡ ପାଇନାହାନ୍ତି ବା ଶିକ୍ଷକମାନେ ସେମାନଙ୍କୁ ଏହା ଉପଲବ୍ଧ କରାଇପାରିନାହାନ୍ତି, ସେହିସବୁ ସ୍ଥାନରେ ଶିକ୍ଷକମାନଙ୍କ ଦରମା ବନ୍ଦ କରିଦିଆଯାଇଛି। ଦରମା ବନ୍ଦ ହେବା ପରେ ନିକଟରେ ମୟୂରଭଞ୍ଜ ଜିଲା ମୁଖ୍ୟାଳୟ ବାରିପଦାଠାରେ ଜିଲା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ସଂଘ ସମନ୍ବୟ ସମିତି ପକ୍ଷରୁ ସରକାରୀ ନିଷ୍ପତ୍ତିକୁ ବିରୋଧ କରାଯାଇଛି। ଖୁବ୍‌ ଶୀଘ୍ର ଦରମା ନ ମିଳିଲେ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଅନେକ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇ ଆଧାର କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରାଯାଉଛି। ଏଥିରେ ବ୍ୟକ୍ତିର ଶାରୀରିକ ଓ ତାଙ୍କ ଜୀବନ ସମ୍ପର୍କିତ ସମସ୍ତ ତଥ୍ୟକୁ ସାଇତି ରଖାଯିବାର ବ୍ୟବସ୍ଥା ହୋଇଛି। ମଣିଷର ପ୍ରତି କାର୍ଯ୍ୟ ଓ ପଦକ୍ଷେପ ସହ ଏହାକୁ ଯୋଡ଼ା ଯାଉଛିି। କେନ୍ଦ୍ର ସରକାରଙ୍କ ଏଭଳି ଏକ ଅବାଞ୍ଛିତ ଯୋଜନାକୁ ଆଗେଇ ନେବା ଲାଗି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ କାହିଁକି ତତ୍ପର ହେଉଛନ୍ତିି ବୁଝି ହେଉନାହିଁ। ବିଶେଷକରି ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସକାଶେ ସଂସ୍କାରମୂଳକ ପଦକ୍ଷେପ ନେବା ବଦଳରେ ଆଧାର ପାଇଁ ଫଟୋଉଠା କାମରେ ଶିକ୍ଷକଙ୍କୁ ଛନ୍ଦିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ। ଜଣେ ସାଧାରଣ ଛାତ୍ର ଆଧାର କ’ଣ ଜାଣି ନ ଥିବା ବେଳେ ଶିକ୍ଷକଙ୍କୁ ସେହିଭଳି କାର୍ଯ୍ୟରେ ନିୟୋଜିତ କରାଯିବା ଦ୍ୱାରା ପିଲାଙ୍କ ପାଠପଢ଼ା ପଛକୁ ଠେଲି ହୋଇଯାଉଛି। ସେହିପରି ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ଜଣେ ସାଧାରଣ ଲୋକଙ୍କୁ ଆଧାର ଚାପ ଦିଆଯିବା ଦ୍ୱାରା ତା’ର ମାନସିକ ସ୍ଥିତି ଦୁର୍ବଳ ହୋଇଯାଉଛି। ତେଣୁ ଜନସାଧାରଣଙ୍କ ହିତକୁ ଦେଖି ରାଜ୍ୟ ସରକାର ଆଧାର ପ୍ରଚଳନକୁ ବାଧ୍ୟତାମୂଳକ କରାଇବା ଅନୁଚିତ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri