ଯୁଗେ ଯୁଗେ ଗୁରୁ

ସୃଷ୍ଟିର ପ୍ରାରମ୍ଭରୁ ଗୁରୁବାଦ ମାନବ ସଭ୍ୟତା ସହ ଯୋଡ଼ିହୋଇ ଆସିଛି। ଅଜ୍ଞାନ ଅନ୍ଧକାର ଦୂର କରି ଜ୍ଞାନାଲୋକ ପ୍ରଦାନ କରିବାର ମହାନ୍‌ ଦାୟିତ୍ୱ ଗୁରୁଙ୍କର। ଗୁରୁ କେବଳ ମଣିଷ ନୁହେଁ ଇତର ପ୍ରାଣୀ ବା ଜଡ଼ବସ୍ତୁ ମଧ୍ୟ ହୋଇପାରନ୍ତି। ଯାହାଠାରୁ କିଛି ଶିକ୍ଷା ଗ୍ରହଣ କରି ଆତ୍ମସଂଶୋଧନ କରାଯାଏ ସେ ହିଁ ଗୁରୁ । ପୁରାଣ ଯୁଗରୁ ଆଧୁନିକ ସମୟ ପର୍ଯ୍ୟନ୍ତ ଗୁରୁ ପରମ୍ପରା ରହିଆସିଛି। ଶ୍ରୀମଦ୍ଭାଗବତର ଏକାଦଶ ସ୍କନ୍ଦ ଅବଧୂତଙ୍କର ଗୁରୁ ଗ୍ରହଣ ଓ ଶିକ୍ଷାର୍ଜନ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରେ। ଅବଧୂତ ହେଉଛନ୍ତି ଋଷି ଦତ୍ତାତ୍ରେୟ ଯେ କି ଦେବୀ ଅନସୂୟା ଓ ଅତ୍ରି ମୁନିଙ୍କ ପୁତ୍ର। ଅବଧୂତ ତାଙ୍କ ଜୀବନରେ ଚବିଶଗୁରୁ ଗ୍ରହଣ କରିଥିଲେ। ଏହି ଚବିଶ ଗୁରୁଙ୍କ ମଧ୍ୟରେ ଥିଲେ ମନୁଷ୍ୟ, ଇତରପ୍ରାଣୀ ଓ ପ୍ରକୃତିର ନାନାବିଧ ସୃଷ୍ଟି। ସେ ଧରିତ୍ରୀ ମା’ଙ୍କୁ ଗୁରୁକରି ଶିକ୍ଷାର୍ଜନ କରିଥିଲେ କ୍ଷମାଶୀଳତା, ନିଃସ୍ବାର୍ଥପରତା ଓ ସହିଷ୍ଣୁତା। ବାୟୁଠାରୁ ଶୁଦ୍ଧଚେତନା, ଆକାଶଠାରୁ ବିଶାଳତା ଓ ଜଳଠାରୁ ଶିଖିଥିଲେ ଦାନର ମହତ୍ତ୍ୱ। ଅଗ୍ନିଙ୍କଠାରୁ ଶିଖିଥିଲେ ସମସ୍ତଙ୍କୁ ନିଜର କରିବା ଓ ଚନ୍ଦ୍ରଙ୍କଠାରୁ ଶିଖିଥିଲେ ଶୀତଳତାରୂପକ ଶାନ୍ତି ପ୍ରଦାନର ମହତ୍ତ୍ୱ। ସୂର୍ଯ୍ୟଙ୍କଠାରୁ ଶିକ୍ଷା କଲେ ଦୁର୍ଗୁଣ ପରିହାରପୂର୍ବକ ସୁଗୁଣ ଗ୍ରହଣ କରିବାର ଚେତନା। କପୋତ ତାଙ୍କୁ ଶିକ୍ଷା ଦେଲା ଅତ୍ୟଧିକ ସନ୍ତାନ ମୋହର କୁପରିଣାମ। ଅଜଗରଠାରୁ ଶିକ୍ଷା କଲେ ଖାଦ୍ୟ ପ୍ରତି ଅହେତୁକ ଲୋଭ ନ କରିବାର ମନ୍ତ୍ର। ସମୁଦ୍ରଠାରୁ ସେ ଶିଖିଲେ ପର ଆପଣା ଭେଦ ନ କରି ନିଜ ବିଶାଳ ବକ୍ଷରେ ସମସ୍ତଙ୍କୁ ସ୍ଥାନ ଦେବା। ଖଦ୍ୟୋତ ତାଙ୍କୁ ଶିକ୍ଷାଦେଲା ପରଧନ ପ୍ରତି ଆସକ୍ତିର ବିଷମୟ ପରିଣତି। ପ୍ରଜାପତି ତାଙ୍କୁ ଶିକ୍ଷା ଦେଲା ନିଜର ଆବଶ୍ୟକତା ନିମିତ୍ତ ଅନ୍ୟର କ୍ଷତି ନ କରିବା। ହସ୍ତୀ ହସ୍ତିନୀ ପ୍ରେମରେ ଅନ୍ଧ ହୋଇ ଯନ୍ତାରେ ପଡେ। ମନୁଷ୍ୟ କାମିନୀକାଞ୍ଚନ ଲୋଭରେ ନିଜର ସର୍ବନାଶକୁ ଆମନ୍ତ୍ରଣ କରିବା ଅନୁଚିତ। ମଧୁମକ୍ଷିକାଠାରୁ ସେ ଦାନର ମହତ୍ତ୍ୱ ଶିଖିଲେ। ହରିଣ ଶିକାରୀର ସୁମଧୁର ବଂଶୀସ୍ବନ ପ୍ରତି ଆକୃଷ୍ଟ ହୋଇ ମୃତ୍ୟୁବରଣ କରେ। ମନୁଷ୍ୟ ଖଳଲୋକର ମଧୁର ବଚନ ପ୍ରତି ସାବଧାନ ହେବା ଉଚିତ। ମାଛ ଖାଦ୍ୟଲୋଭରେ ବନିଶିରେ ପଡେ। ତା’ର ସାଥୀମାଛ ଏହା ଦେଖି ମଧ୍ୟ ସେହି ଭୁଲ୍‌ କରେ। ଲୋଭୀ ଲୋକ ଦଣ୍ଡ ପାଉଥିବା ଦେଖି ମଧ୍ୟ ଆମେ ସାବଧାନ ନ ହେବା ବିଡମ୍ବନା। ପିଙ୍ଗଳା ବେଶ୍ୟା ଧନୀ ଗ୍ରାହକକୁ ଅପେକ୍ଷା କରି ନିରାଶ ହେବା ପରେ ତା’ର ଜ୍ଞାନୋଦୟ ହେଲା। ସେହି ସମୟତକ ଈଶ୍ୱର ଆରାଧନା କରିଥିଲେ ତା’ର ଆଧ୍ୟାତ୍ମିକ ବିକାଶ ହୋଇଥାନ୍ତା। ସେହିଦିନଠାରୁ ସେ ଈଶ୍ୱର ଆରାଧନାରେ ବ୍ରତୀ ହେଲା ଓ ଶେଷରେ ତା’ର ଈଶ୍ୱରପ୍ରାପ୍ତି ହେଲା। ଅବଧୂତ ବୁଝିଲେ ପାର୍ଥିବ ସୁଖର ଅନୁଧାବନ ନ କରି ଈଶ୍ୱର ଅନ୍ବେଷୀ ହେବା ଉଚିତ। ଚିଲଟିଏ ପାଟିରେ ମାଂସଖଣ୍ଡ ଧରି ଉଡୁଥିବା ସମୟରେ ସାଥୀ ଚିଲମାନଙ୍କୁ ଘଉଡାଇବା ପାଇଁ ଆଁ କରିବା ମାତ୍ରକେ ମାଂସଖଣ୍ଡ ଖସିପଡିଲା ଓ ସାଥୀମାନେ ତା’ର ସଙ୍ଗ ତ୍ୟାଗ କଲେ। ପାଖରେ ଧନ ଥିଲେ ସମସ୍ତେ ନିଜର ଓ ଧନ ଶେଷ ହେଲେ ସମସ୍ତେ ପର ହୋଇଯାନ୍ତି। କୋମଳମତି ଶିଶୁକୁ ଗୁରୁ କରି ଅବଧୂତ ବୁଝିଲେ ଯେ ମନୁଷ୍ୟ ଅତୀତ ଓ ଭବିଷ୍ୟତ ରହିତ ହୋଇ ଶିଶୁ ପରି ବର୍ତ୍ତମାନ ସର୍ବସ୍ବ ହେବା ଉଚିତ। ବ୍ରାହ୍ମଣୀ କନ୍ୟା ଶସ୍ୟ ଛେଦନ କରିବା ସମୟରେ ତା’ ହାତ ଚୁଡିର ରୁଣୁଝୁଣୁ ଶବ୍ଦ ତା’ର ଏକାଗ୍ରତା ନଷ୍ଟ କରୁଥିଲା। ସେ ଚୁଡିତକ ପଟ ପଟ କରି ଓହ୍ଲାଇଦେଇ ମାତ୍ର ପଟିଏ ଲେଖା ରଖିବାରୁ ଆଉ ଶବ୍ଦ ହେଲାନାହିଁ। ଫଳରେ ସେ କାର୍ଯ୍ୟରେ ମନୋନିବେଶ କଲା। ଲକ୍ଷ୍ୟ ପ୍ରାପ୍ତି ପାଇଁ ଏକାଗ୍ରତା ଓ କୋଳାହଳ ରହିତ ସ୍ଥାନ ଏକାନ୍ତ ଆବଶ୍ୟକ। କିରାତକୁ ଗୁରୁ କରି ଅବଧୂତ ଶିଖିଲେ ଈଶ୍ୱରପ୍ରାପ୍ତି ପାଇଁ କିରାତ ସଦୃଶ ଲକ୍ଷ୍ୟନିଷ୍ଠ ହେବା ଉଚିତ। ସର୍ପର ନିଜସ୍ବ ଗର୍ତ୍ତ ନ ଥାଏ। ସେ ଅନ୍ୟର ଗର୍ତ୍ତରେ ରାତ୍ରିଯାପନ କରି ପରଦିନ ଅନ୍ୟତ୍ର ଚାଲିଯାଏ। ଅବଧୂତ ବୁଝିଲେ ଯେ ସର୍ପଠାରୁ ନିର୍ଲିପ୍ତ ଭାବ ଶିକ୍ଷା କରିବା ଉଚିତ। ବୁଢିଆଣୀ ଶିକାର ପାଇଁ ଜାଲ ରଚନା କରି ତା’ ଅଲକ୍ଷ୍ୟରେ ନିଜେ ସେଥିରେ ଛନ୍ଦିହୋଇ ଅନ୍ୟର ଆହାର ବନିଯାଏ। ଅବଧୂତ ତା’ଠାରୁ ଶିକ୍ଷାକଲେ ଯେ ଧ୍ୟାନ ଭଲ କଥା, କିନ୍ତୁ ତାକୁ ବିଜ୍ଞତାର ସହ ପାଳନ କରିବା ଉଚିତ। ଅବଧୂତଙ୍କର ଚବିଶତମ ଗୁରୁ ହେଲେ ବିରୁଡି। ବିରୁଡି କ୍ଷୁଦ୍ର ପତଙ୍ଗକୁ ଧରିବା ସମୟରେ ଅତ୍ୟଧିକ ଭୟରେ ବିରୁଡ଼ିର ଖାଦ୍ୟ ହେବା ପୂର୍ବରୁ ପତଙ୍ଗର ମୃତ୍ୟୁ ଘଟେ। ମୃତ୍ୟୁ ପରେ ସେ ବିରୁଡି ଜନ୍ମପାଏ। ଭାଗବତରେ ଅତିବଡୀ କହିଛନ୍ତି- ”ଏ ଆଦି କୀଟ ପେଷକୃତ, ଚବିଶ ଗୁରୁ ଏହି ମତ। ଏଣୁ ଏ ବିଷ୍ଣୁର ରଚନା, କୀଟହୁଁ ବ୍ରହ୍ମାଦି କଳ୍ପନା।“ ପୁରାଣଶାସ୍ତ୍ରରେ ଗୁରୁବାଦର ବ୍ୟାପକ ମହିମା ବର୍ଣ୍ଣିତ। ଇତିହାସ ପୃଷ୍ଠା ମଧ୍ୟ ଗୁରୁ ମହିମା ଉଦ୍‌ଘୋଷଣାରେ ଶତମୁଖ। ଆଲେକ୍‌ଜାଣ୍ଡରଙ୍କ ଉତ୍ଥାନ ପଛରେ ଗୁରୁ ଆରିଷ୍ଟଟଲଙ୍କର ଥିଲା ପ୍ରଚ୍ଛନ୍ନ ହାତ। ଗୁରୁ ରାମଦାସଙ୍କ ଆଶୀର୍ବାଦ ଶିବାଜୀଙ୍କୁ ଛତ୍ରପତିରେ ପରିଣତ କରିଥିଲା। ଗୁରୁ ଚାଣକ୍ୟଙ୍କ ନିର୍ଦ୍ଦେଶିତ ମାର୍ଗ ଅନୁସରଣ କରି ସାଧାରଣ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ବିଶାଳ ମଗଧ ସାମ୍ରାଜ୍ୟର ଅଧିପତି ହୋଇପାରିଥିଲେ। ଗୁରୁ ଦେବତାଙ୍କ ସ୍ବରୂପ ଓ ଶାସ୍ତ୍ରବର୍ଣ୍ଣିତ ପଞ୍ଚପିତା ମଧ୍ୟରୁ ଅନ୍ୟତମ- ‘ଜନିତା ଚୋପନେତାଚ ଯସ୍ତୁ ବିଦ୍ୟା ପ୍ରଯଚ୍ଛତି। ଅନ୍ନଦାତା ଭୟତ୍ରାତା ପଞ୍ଚୈତେ ପିତରଃ ସ୍ମୃତାଃ।ା’ ଆଜି ପବିତ୍ର ଗୁରୁଦିବସ। ଗୁରୁଙ୍କୁ ସ୍ମରଣ କରିବାର ଏକ ପବିତ୍ର ଅବକାଶ। ଆଧୁନିକ ଯୁଗର ଗୁରୁମାନଙ୍କ ମଧ୍ୟରେ ଯୋଗ୍ୟତମ ଥିଲେ- ସାର୍‌ ସର୍ବପଲ୍ଲୀ ଡ. ରାଧାକ୍ରିଷ୍ଣନ। ତାମିଲନାଡୁର ମାଡ୍ରାସ ପ୍ରେସିଡେନ୍‌ସି ଅଧୀନ ଏକ କ୍ଷୁଦ୍ର ଗ୍ରାମରେ ପିତା ବୀରସ୍ବାମୀ ଓ ମାତା ସୀତାମ୍ମାଙ୍କ କୋଳ ମଣ୍ଡନ କରି ଧରାବତରଣ କରିଥିଲେ ଯୋଗଜନ୍ମା ରାଧାକ୍ରିଷ୍ଣନ। ପରିବାରର ଆର୍ଥିକ ଦୁଃସ୍ଥିତି ତାଙ୍କ ଧୀଶକ୍ତିକୁ ଦୋହଲାଇ ପାରି ନ ଥିଲା। ସେ ଦର୍ଶନଶାସ୍ତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଭାରତର ବିଭିନ୍ନ ଖ୍ୟାତନାମା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରି ଏବଂ ପ୍ରଶାସନିକ କ୍ଷେତ୍ରରେ ରହି ଦକ୍ଷତାର ପ୍ରମାଣ ଦେଇଛନ୍ତି। ଦାରିଦ୍ର୍ୟକୁ ଅତି ନିକଟରୁ ଦେଖିଥିବା ରାଧାକ୍ରିଷ୍ଣନ ବୁଝିଥିଲେ ଯେ, ଦାରିଦ୍ର୍ୟ ଉଚ୍ଚତ୍ତର ଅଧ୍ୟୟନର ପ୍ରତିବନ୍ଧକ। ତେଣୁ ସେ ତାଙ୍କ ବେତନର ଏକ ସିଂହଭାଗ ଦରିଦ୍ର ମେଧାବୀ ଛାତ୍ରଙ୍କ ଶୈକ୍ଷିକ ବିକାଶ ପାଇଁ ବ୍ୟୟ କରୁଥିଲେ। ଏକ ସାଧାରଣ ଦରିଦ୍ର ପରିବାରରେ ଜନ୍ମିତ ବ୍ୟକ୍ତି ଦୁଇଥର ଉପରାଷ୍ଟ୍ରପତି ଏବଂ ଥରେ ରାଷ୍ଟ୍ରପତି (୧୯୬୨-୬୭) ହୋଇପାରିଥିଲେ। ରାଷ୍ଟ୍ରପତି ଥିବା ସମୟରେ ତାଙ୍କର ବହୁ ଛାତ୍ର ଓ ବନ୍ଧୁ ତାଙ୍କ ଜନ୍ମଦିନ ପାଳନ କରିବାର ଇଚ୍ଛା ପୋଷଣ କରି ତାଙ୍କ ଅନୁମତି ଭିକ୍ଷା କଲେ। ଉତ୍ତରରେ ସେ କହିଲେ, ”ଇନ୍‌ଷ୍ଟେଡ୍‌ ଅଫ୍‌ ସେଲିବ୍ରେଟିଙ୍ଗ୍‌ ମାଇଁ ବାର୍ଥ ଡେ, ଇଟ୍‌ ଉଡ୍‌ ବି ମାଇଁ ପ୍ରାଇଡ୍‌ ପ୍ରିଭିଲେଜ୍‌ ଇଫ୍‌ ସେପ୍ଟେମ୍ବର ଫିପ୍‌ଥ ଇଜ୍‌ ଅବଜର୍ଭଡ ଆଜ୍‌ ଟିଚର୍ସ ଡେ।“ ଏହି ଦିନ ମୋର ପୂଜା ନ କରି, ଭାରତର ଅଗଣିତ ଶିଳ୍ପୀମାନଙ୍କର ପୂଜା କରାଯାଉ, ଯେଉଁମାନଙ୍କ ସ୍ବହସ୍ତ କୁଶଳତାର ସ୍ବାକ୍ଷର ବହନ କରି ଏ ଦେଶର ପ୍ରତ୍ୟେକ ଛାତ୍ର ଜୀବନ କଳାକୃତିରେ ପରିପୁଷ୍ଟ। ତାଙ୍କର ଏହି ଅମିୟବାଣୀ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ଗଭୀର ପ୍ରଭାବିତ କଲା। ବରେଣ୍ୟ ଗୁରୁଜୀଙ୍କ ପବିତ୍ର ଜନ୍ମଦିନ ସେପ୍ଟେମ୍ବର ୫କୁ ଗୁରୁଦିବସ ରୂପେ ପାଳନ କରିବା ପାଇଁ ସେ ଆହ୍ବାନ ଦେଲେ। ୧୯୬୨ରୁ ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ ଭାବେ ପାଳିତ ହୋଇ ଆସୁଛି। ରାଧାକ୍ରିଷ୍ଣନ ଥିଲେ ଜଣେ ପ୍ରଚଣ୍ଡ ପ୍ରତିଭାଧାରୀ ବ୍ୟକ୍ତିତ୍ୱ। ଶିକ୍ଷା, ରାଜନୀତି, କୂଟନୀତି ଓ ଦେଶପ୍ରେମ ସହ ଆଧ୍ୟାତ୍ମିକତାର ସେ ଥିଲେ ଜଣେ ଚରମ ନିଦର୍ଶନ। ପ୍ରଧାନମନ୍ତ୍ରୀ ନେହେରୁଙ୍କର ସେ ଥିଲେ ଅଘୋଷିତ ପରାମର୍ଶଦାତା। ୧୯୪୯ରୁ ୧୯୫୨ ପର୍ଯ୍ୟନ୍ତ ସୋଭିଏଟ୍‌ ରୁଷର ରାଷ୍ଟ୍ରଦୂତ ଥାଇ ରୁଷ ଭାରତ ମୈତ୍ରୀର ସେ ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତାହା ଚିରଉଜ୍ଜୀବିତ ରହିବ। ଶ୍ରୀମଦ୍‌ ଭଗବତ୍‌ ଗୀତାର ଇଂଲିଶ୍‌ ଅନୁବାଦ କରି ଭାରତୀୟ ଆଧ୍ୟାତ୍ମିକତାର ସୌରଭ ପାଶ୍ଚାତ୍ୟ ଜଗତରେ ବିଚ୍ଛୁରିତ କରିଥିଲେ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା ଏହି ମନୀଷୀଙ୍କୁ ୧୯୫୪ ମସିହାରେ ପ୍ରଦାନ କରାଯାଇଥିଲା ସର୍ବୋଚ୍ଚ ସମ୍ମାନ ଭାରତରତ୍ନ। ୧୮୮୮ ସେପ୍ଟେମ୍ବର ୫ ତାରିଖରେ ଜନ୍ମିତ ଏହି ଯୋଗଜନ୍ମା ପୁରୁଷଙ୍କର ମହାପ୍ରୟାଣ ଘଟିଥିଲା ୧୯୭୫ ମସିହା ଏପ୍ରିଲ ୧୭ ତାରିଖରେ। ତାଙ୍କ ପବିତ୍ର ଜନ୍ମତିଥିରେ ତାଙ୍କୁ ସ୍ମରଣ କରି ତାଙ୍କ ପ୍ରଦର୍ଶିତ ମାର୍ଗ ଅବଲମ୍ବନରେ ପ୍ରୟାସୀ ହେବା ଓ ଏହା ହିଁ ହେବ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।    

ବୈକୁଣ୍ଠ ନାଥ ମିଶ୍ର,ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri