ନିଜ ଗୋଡ଼ରେ କୁରାଢ଼ି

ଥରେ ଉପାନ୍ତ ଅଞ୍ଚଳରେ ସରକାରଙ୍କର ସ୍ବତନ୍ତ୍ର ଯୋଜନା ମାଧ୍ୟମରେ ଗୋଟିଏ ସୁନ୍ଦର ଫଳବଗିଚା ସୃଷ୍ଟି କରାଗଲା। ସ୍ଥାନୀୟ ଯୁବକଙ୍କ ଶ୍ରମଦାନ ତଥା ସରକାରଙ୍କ ଆର୍ଥିକ ପ୍ରୋତ୍ସାହନରେ ଗଛଗୁଡିକର ଉପଯୁକ୍ତ ଯତ୍ନ ନିଆଯିବାରୁ ଅତି କମ୍‌ ଦିନରେ ତାହା ଫଳଭାରାରେ ପୂରି ଉଠିଲା। ଏହି ସମୟରେ ଗ୍ରାମର କିଛି ଚପଳମତି ଯୁବକ ନିଜର କ୍ଲବ୍‌ ପାଇଁ ଦୁଇଟି ପେଟ୍ରୋମାକ୍ସ ଲାଇଟ୍‌ ସରକାରଙ୍କଠୁ ଦାବି କଲେ। ସରକାରୀ ନିୟମର ଗଣ୍ଡି ଭିତରଦେଇ ତାହା ମିଳିବାରେ ବିଳମ୍ବ ଘଟିବାରୁ ରାତାରାତି ସେହି ଯୁବକମାନେ ଉଦ୍‌ଭ୍ରାନ୍ତ ଭାବରେ ସମସ୍ତ ଫଳନ୍ତି ଗଛକୁ କାଟି ସଫା କରିଦେଲେ। କାରଣ ସେମାନଙ୍କ ଦୃଷ୍ଟିରେ ଏହା ସରକାରୀ ବଗିଚା ଥିଲା। ଏହିପରି ଅନେକ ଘଟଣା ନିତିଦିନ ଘଟିଚାଲିଛି। ଆମ ସ୍ବାର୍ଥରେ ସାମାନ୍ୟ ବ୍ୟାଘାତ ଘଟିଲେ କ୍ରୋଧାନ୍ଧ ହୋଇ ଆମେ ସର୍ବସାଧାରଣ ସମ୍ପତ୍ତିକୁ ଅଚିରେ ନଷ୍ଟ କରିଥାଉ। ଆମ ମନରେ ଧାରଣା ଥାଏ ଯେ ଏଗୁଡିକ ସରକାରୀ ସମ୍ପତ୍ତି। ପାନରୁ ଚୂନ ଖସିଲେ ଆମେ ଅଧିକାରର ଦ୍ୱାହି ଦେଇ ନିଜ ଅଞ୍ଚଳର ସର୍ବସାଧାରଣ ଉପକୃତ ହେଉଥିବା ସୁବିଧା ସୁଯୋଗ ଯଥା ସ୍କୁଲ, କଲେଜ, ଡାକ୍ତରଖାନା, ପୋଷ୍ଟଅଫିସ ସବୁକୁ ଆକ୍ରମଣ କରି ଭାଙ୍ଗିରୁଜି ପକାଉ। ସେତେବେଳେ ନାଗରିକର କର୍ତ୍ତବ୍ୟ ଭୁଲିଯାଉ। ଏକଥା ବି ପାସୋରି ପକାଉ ଯେ, ଏହିସବୁ ଅନୁଷ୍ଠାନରୁ ଆମେ ଓ ଆମ ଅଞ୍ଚଳର ଅଧିବାସୀ ହିଁ ଉପକୃତ ହେଉଥିଲେ। ଅନ୍ୟ ଏକ ଦୃଷ୍ଟାନ୍ତରେ ଜଙ୍ଗଲମାଫିଆମାନେ ସ୍ଥାନୀୟ ଲୋକଙ୍କୁ ହାତବାରିସି କରି ବିଭିନ୍ନ ପ୍ରଲୋଭନ ଦେଖାଇ ଗଛ କାଟିନିଅନ୍ତି। ବିଚରା କେତେଟା ଟଙ୍କା ପାଇଁ ରାତାରାତି ଲୁଚିଛପି ଗଛ କାଟୁଥିବା ଶ୍ରମିକଟି ନିଶ୍ଚିତ ଭାବେ ଜାଣିଥାଏ ଯେ ଏହି ଜଙ୍ଗଲ ଉପରେ ତା’ର ଜୀବନ ଜୀବିକା ନିର୍ଭରଶୀଳ ଏବଂ ଏହାକୁ କାଟିଦେବା ଦ୍ୱାରା ତା’ପରି ଅନେକ ଗ୍ରାମବାସୀଙ୍କର ଅଶେଷ କ୍ଷତି ହେବା ସହ ପରିବେଶ ଉପରେ ଏହାର କୁପ୍ରଭାବ ପଡିବ। କିନ୍ତୁ ସେ ଭାବେ ଏହା ସରକାରଙ୍କର। ଧରନ୍ତୁ ଲଗାଣବର୍ଷାରେ ବନ୍ୟା ପରିସ୍ଥିତି ଉତ୍ପନ୍ନ ହେଲା। ଆମେ ଭାବିନେଉ ଯେ ଏହା ସରକାରଙ୍କ ଦ୍ୱାରା ସୃଷ୍ଟ। ମେଘମାନେ ଯେମିତି ସରକାରଙ୍କ ଅଧୀନରେ। ଅତଏବ ଆମେ ପରିସ୍ଥିତିର ମୁକାବିଲା କରିବା ପରିବର୍ତ୍ତେ ସରକାରୀ ସମ୍ପତ୍ତି, ଜନସାଧାରଣଙ୍କର ଭାସିଯାଉଥିବା ସମ୍ପତ୍ତି ଲୁଟିନେଉ ପଛେ ବନ୍ୟାଦୁର୍ଗତଙ୍କୁ ମାନବିକତା ଦୃଷ୍ଟିରୁ ସାହାଯ୍ୟ କରୁନାହୁଁ। ଠିକ୍‌ ସେହିପରି ଯେ କୌଣସି ଦୈବୀ ଦୁର୍ବିପାକ ଘଟିଲେ ଆମେ ଏଥିରୁ ଭରପୂର ଫାଇଦା ଉଠାଇବାକୁ ଚେଷ୍ଟା କରୁ। ନିଆଁକୁ ଆୟତ୍ତ କରିବାକୁ ଆସିଥିବା ଅଗ୍ନିଶମ ଗାଡିରୁ ପାଇପ ଚୋରାଇନେଉ। କୌଣସି ସ୍ଥାନରେ ଦୁର୍ଘଟଣା ଘଟିଲେ ସେଠି ଆମେ ଯାହା ମିଳିଲା ଲୁଟିନେବାକୁ ଯେତିକି ପ୍ରାଧାନ୍ୟ ଦେଉ କର୍ତ୍ତବ୍ୟ ଦୃଷ୍ଟିରୁ ସାହାଯ୍ୟ କରିବାକୁ ଆଗେଇ ଆସୁନାହୁଁ। କେଉଁଠି କିଏ ବିଦ୍ୟୁତ୍‌ ଚୋରିବେଳେ ଆଘାତପ୍ରାପ୍ତ ହେଲେ ସେଥିପାଇଁ ସରକାର ଦାୟୀ। ଯେକୌଣସି ଅଘଟଣ ପାଇଁ ସରକାରଙ୍କୁ ଦୋଷ ଦେଇ ସଙ୍ଗେ ସଙ୍ଗେ ସରକାରୀ ସମ୍ପତ୍ତି ଉପରେ ଆକ୍ରମଣ କରିବାର ମନୋବୃତ୍ତି ଆମ ଜାତୀୟତା ଭାବର ନିଚ୍ଛକ ପ୍ରତିଫଳନ। ସତେ ଅବା ମେଣ୍ଢା ମାରୁଥିବା ଜଙ୍ଗଲୀ ଜନ୍ତୁ କିମ୍ବା ବାଡ଼ ହୁଡୁଥିବା ହାତୀପଲ ସରକାରଙ୍କ ପୋଷାଜୀବ, ଯେଉଁଥିପାଇଁ ଆମେ ସରକାରଙ୍କ ଉପରେ ଦୋଷ ଲଦି ରେଳରୋକୋ, ରାସ୍ତାରୋକୋ କରି ଆଉ କିଛି ନିରୀହ ଜନତାଙ୍କୁ ଅସୁବିଧାରେ ପକାଉ। ସ୍ବାଧୀନତା ପରଠାରୁ ବିଭିନ୍ନ ଦଳ ସରକାର ଗଠନ କଲେଣି। ଆଜି ଶିକ୍ଷା, ସ୍ବାସ୍ଥ୍ୟଠାରୁ ଆରମ୍ଭ କରି ଗମନାଗମନ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଘଟିଲାଣି। ସାଧାରଣ ଲୋକଟିର ଜୀବନଧାରଣର ମାନରେ ମଧ୍ୟ ଉନ୍ନତି ଘଟିଛି। କିନ୍ତୁ ଏ ସବୁ ହୋଇଛି ଆମରି ଧନରେ, ସର୍ବସାଧାରଣଙ୍କ ଅର୍ଥରେ। ତେଣୁ ଏସବୁ ଆମର ଏବଂ ଏହାର ରକ୍ଷଣାବେକ୍ଷଣ ମଧ୍ୟ ଆମର ଦାୟିତ୍ୱ। ଏ ସବୁକୁ ସରକାରୀ ଭାବି ଏବଂ ସରକାରଙ୍କୁ ପ୍ରତିଦ୍ୱନ୍ଦ୍ୱୀ ଭାବି ଏହାର କ୍ଷତି ପହଞ୍ଚାଇବା ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବା ପରି।

ଡ. ଚିନ୍ତାମଣି ପଣ୍ଡା,ମୋ-୯୪୩୭୧୮୫୧୭୫



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri