ସୁନିଆ ଓ ଅଙ୍କ ଗଣନାରେ ବ୍ୟତିକ୍ରମ

ପ୍ରତିବର୍ଷ ନିର୍ଭୁଲ ପଞ୍ଜିକା ଗଣନା ନିମନ୍ତେ ପୂଜନୀୟ ଶଙ୍କରାଚାର୍ଯ୍ୟ, ଶ୍ରୀଗଜପତି ମହାରାଜ, ମୁକ୍ତିମଣ୍ଡପ ପଣ୍ଡିତ ସଭା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଞ୍ଜିକାକାର ମାନଙ୍କୁ ଉତ୍ସାହିତ କରାଯାଉଛି। ତଥାପି ଅନେକ ସମୟରେ କିଛି ନା କିଛି ତ୍ରୁଟି ରହିଯାଉଛି। ଗତମାସ ୨୦ ତାରିଖରେ ପୁରୀ ଗୋବର୍ଦ୍ଧନ ପୀଠରେ ଅନୁଷ୍ଠିତ ଚଳିତବର୍ଷର ପ୍ରଥମ ପଞ୍ଜିକା ବୈଠକରେ ପୂଜନୀୟ ଶଙ୍କରାଚାର୍ଯ୍ୟ କହିଥିଲେ ଯେ, ପଞ୍ଜିକାରେ କେବଳ ଏକରୂପତା ନୁହେଁ, ପ୍ରାମାଣିକତା ମଧ୍ୟ ରହିବା ଉଚିତ। କେତେକ ପାଞ୍ଜି ପାରମ୍ପରିକ ମତ ଅନୁସାରେ ଗଣନା କରୁଛନ୍ତି ଓ ଆଉ କେତେକ ଦୃକ୍‌ସିଦ୍ଧ ଗଣନା କରୁଛନ୍ତି। ବେଳେ ବେଳେ ପର୍ବ ନିର୍ଣ୍ଣୟରେ ଏ ଉଭୟ ଗଣନା ମଧ୍ୟରେ ପ୍ରଭେଦ ରହୁଛି। ଏ କ୍ଷେତ୍ରରେ ଉଭୟ ଗଣନା (ଗୋଟିକୁ ଦୃକ୍‌ସିଦ୍ଧ ଓ ଅନ୍ୟଟିକୁ ପାରମ୍ପରିକ ଭାବେ) ଉଲ୍ଲେଖ କରିବା ଆବଶ୍ୟକ। ତେବେ ପର୍ବପର୍ବାଣି ଗଣନାରେ ଶାସ୍ତ୍ରମତକୁ ଗ୍ରହଣ ନ କଲେ ଉଭୟ ଗଣନା ଭୁଲ୍‌ ହେବାର ସମ୍ଭାବନା ରହିଛି। ଉଦାହରଣସ୍ବରୂପ କିଛିବର୍ଷ ହେଲା ସୁନିଆ ଗଣନାରେ ବିଭ୍ରାଟ ଦେଖାଦେଇଛି। ସୁନିଆଠାରୁ ଗଜପତିଙ୍କ ନୂତନ ଅଙ୍କ ଏବଂ ଅମ୍‌ଲୀ ସନ ବା ଉତ୍କଳୀୟ ସାଲ ଆରମ୍ଭ ହୋଇଥାଏ। ଏହା ଭୁଲ୍‌ ହେଲେ ବର୍ଷ ଗଣନା ଭୁଲ୍‌ ହୋଇଯିବ। ୨୦୧୬-୧୭ ମସିହା ପାଞ୍ଜି ବାହାରିବା ପୂର୍ବରୁ ମୁକ୍ତିମଣ୍ଡପ ପଣ୍ଡିତମଣ୍ଡଳୀ, ଶ୍ରୀମନ୍ଦିର ପ୍ରଶାସନର କର୍ମକର୍ତ୍ତା ଏବଂ ପଞ୍ଜିକାକାରମାନଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା। ସେଥିରେ ସୁନିଆ କେଉଁଦିନ ପାଳନ ହେବ ସେ ବିଷୟରେ ଆଲୋଚନା ହୋଇ ଉଦୟ କାଳକୁ ଭାଦ୍ର ଶୁକ୍ଳ ୧୨ଶୀ ଥିଲେ ସେଦିନ ସୁନିଆ ହେବ ବୋଲି ସ୍ଥିର ହୋଇଥିଲା। ସେହି ଅନୁଯାୟୀ ୧୪ା୦୯ା୨୦୧୬ ବୁଧବାର ସୁନିଆ ଏବଂ ୧୩ା୦୯ା୨୦୧୬ ମଙ୍ଗଳବାର ସ୍ମାର୍ତ୍ତମତରେ ବାମନଜନ୍ମ ପାଳନ ହେବ ବୋଲି ନିର୍ଦ୍ଧାରଣ କରାଗଲା। ଶ୍ରୀମନ୍ଦିର ପ୍ରଶାସନ ସବୁ ପାଞ୍ଜିକୁ ଦେଇଥିବା ପର୍ବପର୍ବାଣି ତାଲିକାରେ ମଧ୍ୟ ତାହା ଉଲ୍ଲେଖ ଥିଲା। କିନ୍ତୁ ଶ୍ରୀନଅର ଓ ଶ୍ରୀମନ୍ଦିର ଦ୍ୱାରା ସୁନିଆ ପାଳନ ହେଲା ୧୩ ତାରିଖରେ। ଏହାର କାରଣ କିଛି ବୁଝାଗଲା ନାହିଁ। ଚଳିତ ବର୍ଷ ତା୦୨।୦୯।୨୦୧୭ ଶନିବାର ଭାଦ୍ର ଶୁକ୍ଳ ଦ୍ୱାଦଶୀ ମଧ୍ୟାହ୍ନକୁ ରହୁଥିବାରୁ ସ୍ମାର୍ତ୍ତମତରେ ସେଦିନ ବାମନଜନ୍ମ। ୩ ତାରିଖ ରବିବାର ଉଦୟକାଳକୁ ଦ୍ୱାଦଶୀ ତିଥି ରହୁଥିବାରୁ ସେଦିନ ସୁନିଆ ପାଳନ ହେବା କଥା। କିନ୍ତୁ ତାହା ୨ ତାରିଖ ଦିନ ପାଳନ କରାଯାଉଛି। କେତେକ ପାଞ୍ଜି ୨ ତାରିଖରେ ସୁନିଆ ଲେଖିଥିବା ବେଳେ ଆଉ କେତେକ ୩ ତାରିଖରେ ଲେଖିଛନ୍ତି। ଏ ମତପାର୍ଥକ୍ୟର କାରଣ ସୁନିଆର ମୂଳତତ୍ତ୍ୱ ଅନେକଙ୍କୁ ଜଣାନାହିଁ। ପ୍ରକୃତରେ ସୁନିଆ କ’ଣ? କାହିଁକି ଏହା ପାଳନ ହୁଏ? ରବର୍ଟ ସିୱେଲ (Robert Sewell) ଏବଂ ଶଙ୍କର ବାଳକୃଷ୍ଣ ଦୀକ୍ଷିତଙ୍କ ଦ୍ୱାରା ପ୍ରଣୀତ ‘ଦ ଇଣ୍ଡିଆନ କ୍ୟାଲେଣ୍ଡର’ ପୁସ୍ତକର ୪୩ ପୃଷ୍ଠାରେ ଅଛି: The Amli Era of Orissa: This Era thus described in Girish Chandra’s ‘Chronological Tables’ (Preface, p.xvi.): The Amli commences from the birth of Indradyumna, Raja of Orissa, on Bhadrapada Sukla 12th, and each month commences from the moment when the sun enters a new sign. The Amli San is used in business transactions and in the courts of law in Orissa. ଏଥିରୁ ଜଣାପଡ଼ୁଛି ଯେ, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଜନ୍ମତିଥିକୁ ହିଁ ସୁନିଆ ଭାବେ ପାଳନ କରାଯାଉଛି, ଯେଉଁଦିନରୁ ଓଡ଼ିଆ ସାଲ ଏବଂ ଗଜପତି ମହାରାଜାଙ୍କ ନୂତନ ଅଙ୍କ ଆରମ୍ଭ ହୁଏ। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଜନ୍ମ ହୋଇଥିଲା ଭାଦ୍ର ଶୁକ୍ଳ ଦ୍ୱାଦଶୀ ଦିନ। ଏହିଦିନ ବି ବାମନ ଅବତାରଙ୍କ ଆବିର୍ଭାବ ହୋଇଥିଲା। ବାମନ ମଧ୍ୟାହ୍ନରେ ଜନ୍ମ ହୋଇଥିଲେ। ତେଣୁ ସ୍ମାର୍ତ୍ତମତରେ ଯେଉଁଦିନ ମଧ୍ୟାହ୍ନକୁ ଦ୍ୱାଦଶୀ ଥିବ, ସେଦିନ ବାମନଜନ୍ମ ପାଳନ ହୁଏ। କିନ୍ତୁ ବୈଷ୍ଣବ ମତରେ ଉଦୟ କାଳକୁ ତିଥି ଥିଲେ ସେଦିନ ବାମନଜନ୍ମ ପାଳନ ହୁଏ। ତେବେ ଦ୍ୱାଦଶୀ ଦୁଇଦିନକୁ ଥିଲେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଜନ୍ମତିଥି ବା ସୁନିଆ କେଉଁଦିନ ପାଳନ ହେବ? ଶାସ୍ତ୍ର ମତରେ ଷଡ଼୍‌ଜୟନ୍ତୀ ବ୍ୟତୀତ ଅନ୍ୟ ସବୁ ଜନ୍ମତିଥି ବା ଜୟନ୍ତୀ ବା ସ୍ବନକ୍ଷତ୍ର ଉଦୟା ତିଥିରେ ପାଳନୀୟ। ଯାତ୍ରା ଭାଗବତକାର ଲେଖିଛନ୍ତି: ଦୋଳଯାତ୍ରା ସ୍ବନକ୍ଷତ୍ରଂ ପୁଷ୍ୟା ଚ ପ୍ରଥମାଷ୍ଟମୀ। ବ୍ରତରାଜ ହରିସ୍ନାନଂ ଉଦୟାତ୍‌ ପରିପାଳୟେତ୍‌।। ଅର୍ଥାତ୍‌ ଦୋଳଯାତ୍ରା, ସ୍ବନକ୍ଷତ୍ର ବା ଜନ୍ମତିଥି, ପୁଷ୍ୟା ବା ପୁଷ୍ୟାଭିଷେକ, ପ୍ରଥମାଷ୍ଟମୀ, ବ୍ରତରାଜ ବା ଏକାଦଶୀ ଏବଂ ହରିସ୍ନାନ ବା ସ୍ନାନଯାତ୍ରା ଉଦୟା ତିଥିରେ ପାଳନୀୟ। ତେଣୁ ଯେଉଁଦିନ ଉଦୟ କାଳକୁ ତିଥି ଥିବ, ସେଦିନ ସୁନିଆ ପାଳନ ହେବା କଥା। ଏବେ ଆମେ ପରମ୍ପରାକୁ ଦେଖିବା। ଅତୀତରେ ଉଦୟା ତିଥିରେ ସୁନିଆ ପାଳନ ହୋଇଛି କି? ହୋଇଛି ଏବଂ ଏହା ହିଁ ଆମର ପ୍ରାଚୀନ ପରମ୍ପରା ଓ ଏହା ଶାସ୍ତ୍ରସମ୍ମତ। ପୁରୁଣା ପାଞ୍ଜି ଘାଣ୍ଟିଲେ ଆମେ ସହଜରେ ଏ ପ୍ରମାଣ ପାଇଯିବା। ପ୍ରାଚୀନ ପାଞ୍ଜିରୁ କେତୋଟି ଉଦାହରଣ ଏଠାରେ ଦେଉଛି। ଉଦାହରଣ ୧: ତା୩୧।୦୮।୧୯୦୬- ଶୁକ୍ରବାର, ଭାଦ୍ର ଶୁକ୍ଳ ଦ୍ୱାଦଶୀ ଥିଲା ଦ୮।୪୪ଲି ପର୍ଯ୍ୟନ୍ତ। ପୂର୍ବଦିନ ୧୧ଶୀ ଥିଲା ଦ୧୧।୩୬ଲି ପର୍ଯ୍ୟନ୍ତ। ତେଣୁ ୩୦ ତାରିଖ ମଧ୍ୟାହ୍ନରେ ୧୨ଶୀ ଥିବାରୁ ସେଦିନ ବାମନ ଜନ୍ମ ସ୍ମାର୍ତ୍ତମତରେ ଥିଲା ଏବଂ ୩୧ ତାରିଖ ଦିନ ଉଦୟକାଳକୁ ୧୨ଶୀ ଥିବାରୁ ସେଦିନ ସୁନିଆ ପାଳନ ହୋଇଥିଲା ଏବଂ ସେହିଦିନଠାରୁ ମୁକୁନ୍ଦଦେବ ମହାରାଜାଙ୍କ ୩୨ ଅଙ୍କ ଓ ସନ ୧୩୧୪ ସାଲ ପ୍ରବେଶ ହୋଇଥିଲା। ଉଦାହରଣ ୨: ତା୧୯।୦୯।୧୯୦୭- ଗୁରୁବାର, ୧୨ଶୀ ଥିଲା ଦ୧୧।୩୯ଲି ପର୍ଯ୍ୟନ୍ତ। ସେଦିନ ଉଦୟକାଳକୁ ୧୨ଶୀ ଥିବାରୁ ସୁନିଆ ପାଳନ ହୋଇଥିଲା ଏବଂ ମୁକୁନ୍ଦଦେବ ମହାରାଜାଙ୍କ ୩୩ ଅଙ୍କ ଓ ୧୩୧୫ ସାଲ ଆରମ୍ଭ ହୋଇଥିଲା। ପୂର୍ବଦିନ ବାମନ ଜନ୍ମ ସ୍ମାର୍ତ୍ତମତରେ ଥିଲା। ଉଦାହରଣ ୩: ମୁକୁନ୍ଦଦେବଙ୍କ ଅଙ୍କ ୨ ପ୍ରବେଶ ଓ ସୁନିଆ: ତା୦୨।୦୯।୧୭୯୭-ଶନିବାର: ୧୨ଶୀ ଦିବା ଘ୮।୧୨ମି ପର୍ଯ୍ୟନ୍ତ। ଉଦାହରଣ ୪: ରାମଚନ୍ଦ୍ର ଦେବଙ୍କ ୩ ଅଙ୍କ ପ୍ରବେଶ ଓ ସୁନିଆ: ତା୦୩।୦୯।୧୫୬୮: ୧୨ଶୀ ଦିବା ଘ୧୦।୨୩ ପର୍ଯ୍ୟନ୍ତ। ତେବେ ଏତେ ସବୁ ପ୍ରମାଣ ଥାଉ ଥାଉ କେଉଁ କାରଣରୁ ଉଦୟକାଳକୁ ଦ୍ୱାଦଶୀ ନ ଥାଇ ସୁନିଆ ପାଳନ କରାଯାଉଛି, ମୁକ୍ତିମଣ୍ଡପ ପଣ୍ଡିତ ସଭା ତା’ର ସ୍ପଷ୍ଟୀକରଣ ଦେବା ଉଚିତ। ମୋ-୯୪୩୮୨୯୬୧୩୫, dolagovinda@gmail.com

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri