ମଣିଷରୁ କଇଁଛ ଯାଏ

ରାସ୍ତାର ଉଭୟ ପାର୍ଶ୍ୱରେ ଲହଡି ଭାଙ୍ଗୁଛି ଅସୀମ ନୀଳ ଜଳରାଶି। ଏହା ହିଁ ବିଶାଳ ଆଟ୍‌ଲାଣ୍ଟିକ ମହାସାଗର। ସାଗରବକ୍ଷକୁ ଦୁଇଭାଗରେ ବିଭକ୍ତ କରି ଯେଉଁ ପ୍ରଶସ୍ତ ରାସ୍ତାଟିଏ ଲମ୍ବିଯାଇଛି ତାହା ଶେଷ ହୋଇଛି କେନେଡି ସ୍ପେଶ୍‌ ସେଣ୍ଟର (ନାସା)ଠାରେ। ଆମେ ବସିଥିବା ସୌଖୀନ ପର୍ଯ୍ୟଟକ ବସ୍‌ ଦେଶବିଦେଶର ପ୍ରାୟ ୩୫ଜଣ ଯାତ୍ରୀଙ୍କୁ ଧରି ସଗର୍ବେ ‘ନାସା’ ଅଭିମୁଖେ ଚାଲିଥାଏ। ଏବେ ଆମେରିକା ହିଁ ପୃଥିବୀରେ ମହାକାଶ ଗବେଷଣା କ୍ଷେତ୍ରରେ ଏକ ନମ୍ବର ଦେଶ। ତେବେ ଏହି କେନ୍ଦ୍ରର ସୁରକ୍ଷା ଦାୟିତ୍ୱ କେବଳ ପୋଲିସ, ସିସି କ୍ୟାମେରା ଉପରେ ନ୍ୟସ୍ତ ନୁହେଁ ବରଂ ଏହି କେନ୍ଦ୍ରକୁ ଜଗିଛନ୍ତି କେନ୍ଦ୍ର ଭିତରେ ଥିବା ଲମ୍ବା ସରୁ କେନାଲରେ ଛଡ଼ାଯାଇଥିବା ଅନେକ କୁମ୍ଭୀର। କୌଣସି ଅଜଣା ବ୍ୟକ୍ତି ଜଳପଥ ବା ସ୍ଥଳପଥରେ ଏହି କେନ୍ଦ୍ର ନିକଟକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କଲେ ତାକୁ ନିଶ୍ଚିତ ଭାବେ ଏଠାରେ ଥିବା ଜଳପୂର୍ଣ୍ଣ କେନାଲକୁ ଅତିକ୍ରମ କରିବାକୁ ହେବ ଓ କୁମ୍ଭୀର ସହିତ ମୁହଁାମୁହିଁ ହେବାକୁ ପଡ଼ିବ। ତେଣୁ ଅଜଣା ପର୍ଯ୍ୟଟକମାନଙ୍କ ପାଇଁ କୌଣସି ଜଳାଶୟ ନିକଟରେ ବସ୍‌ରୁ ଓହ୍ଲାଇବାକୁ ନିଷେଧ କରାଯାଇଥାଏ। ଏହାଛଡ଼ା କୁମ୍ଭୀର ଭଳି ଉଭୟଚର ସରୀସୃପ ଅନେକ ସମୟରେ ସ୍ଥଳଭାଗରେ ବିଚରଣ କରୁଥିବା ମଧ୍ୟ ଦେଖିବାକୁ ମିଳେ। ତେଣୁ ଏହି କେନ୍ଦ୍ର ଅନୁପ୍ରବେଶକାରୀଙ୍କ ପାଇଁ ଏକ ଦୁର୍ଭେଦ୍ୟ ଅଞ୍ଚଳ। ଚନ୍ଦ୍ରପୃଷ୍ଠକୁ ପ୍ରଥମ ମାନବକୁ ପ୍ରେରଣ ତଥା ମଙ୍ଗଳ, ବୃହସ୍ପତି, ଶନି, ଶୁକ୍ର ଗ୍ରହ ସମ୍ପର୍କରେ ଓ ବିଶ୍ୱ ବ୍ରହ୍ମାଣ୍ଡ ଉପରେ ଗବେଷଣା କରିଥିବା ‘ନାସା’ ବ୍ରହ୍ମାଣ୍ଡ ବିଜ୍ଞାନ ଗବେଷଣାରେ ଅନେକ ଇତିହାସର ସୃଷ୍ଟିକର୍ତ୍ତା। ତେବେ ‘ନାସା’ର ପ୍ରବେଶ ପଥରେ ଲେଖାଥିବା ଧାଡ଼ିଟି ମୋତେ ଅଭିଭୂତ କରିଥିଲା। ତାହା ହେଉଛି ‘For All humanity we will explore space not for USA.’ ଏହି ବାର୍ତ୍ତା କେତେ ମହାନ ସତେ! ଆମେ ପୃଥିବୀ ପୃଷ୍ଠର ସବୁ ମଣିଷ ଗୋଟିଏ ପ୍ରଜାତିର। ସମସ୍ତେ ଗୋଟିଏ ପୃଥିବୀର ବାସିନ୍ଦା, ପୁଣି ପୃଥିବୀ ସାରା ସବୁଆଡ଼େ ସେହି ଗୋଟିଏ ଆକାଶ, ଗୋଟିଏ ସମୁଦ୍ର, ଏକା ପାଣି, ମାଟି ଆଉ ପବନ। ତେବେ ଆମ ଭିତରେ ଏତେ ବିଭେଦ କାହିଁକି? ଆପଣାଛାଏଁ ଏଭଳି ଭାବନା ମୋ’ ମନ ଭିତରେ ଉଙ୍କିମାରିଲା। ଠିକ୍‌ ଏହି ସମୟରେ ‘ନାସା’ର ପ୍ରବେଶପଥକୁ ଅତିକ୍ରମ କରିବା ପୂର୍ବରୁ ଜଳଭାଗଠାରୁ କିଛି ଦୂରରେ ଚାଲିଥିବା ଆମ ବସ୍‌ ରାସ୍ତା ଉପରେ ଥିବା ସୁରକ୍ଷାକର୍ମୀଙ୍କ ନିର୍ଦ୍ଦେଶରେ ଅଟକିଗଲା। ଅନ୍ୟ ବସ୍‌ ଭଳି ଆମ ବସ୍‌ ଅଟକିଥିବା ବେଳେ ହଠାତ୍‌ ପଛପଟୁ ସାଇରନ୍‌ ବଜାଇ ଆଗପଛ ହୋଇ ୩ଟି ଗାଡ଼ି ସହ ସ୍ବତନ୍ତ୍ର ସବୁଜରଙ୍ଗର ପୋଷାକ ପିନ୍ଧିଥିବା କେତେଜଣ କର୍ମଚାରୀ ଆସି ଗହଳି ସ୍ଥାନରେ ପହଞ୍ଚତ୍ବା ଆମେ ଦେଖିଲୁ। ଘଟଣା କ’ଣ ଜାଣିବାକୁ ମୁଁ ଗାଡ଼ିରୁ ଓହ୍ଲାଇ ଯାହା ଦେଖିଲି ତାହା ଦେଖିବି ବୋଲି କେବେ ବି ବିଶ୍ୱାସ କରି ନ ଥିଲି। ସବୁ ନାଟର ମୂଳରେ ଥିଲା ଏକ କଇଁଛ, ଯେ କି ନିକଟବର୍ତ୍ତୀ ଜଳାଶୟରୁ ଉଠିଆସି ରାସ୍ତାରେ ପହଞ୍ଚତ୍ଥିଲା। ବାସ୍‌! ବିପଦପୂର୍ଣ୍ଣ ଭାବେ ରାସ୍ତା ଉପରେ ଏକୁଟିଆ ଚାଲିଥିବା କଇଁଛଟିକୁ ଦେଖି ରାସ୍ତାରେ ଯାଉଥିବା କେହି ଜଣେ ଯାତ୍ରୀ ନିଜ ଗାଡ଼ି ଅଟକାଇ ସ୍ଥାନୀୟ ‘ଜୀବଜନ୍ତୁ ସହାୟତା କେନ୍ଦ୍ର’କୁ ଫୋନ୍‌ କରିଦେଇଥିଲେ ଓ ତତ୍‌କ୍ଷଣାତ୍‌ କଇଁଛର ସୁରକ୍ଷା ପାଇଁ ରାସ୍ତାରେ ବିପଦ ସଙ୍କେତ ସୂଚକ ନାଲି ଚିହ୍ନ ଦେଇ ଯାତାୟାତ କରୁଥିବା ସବୁଗାଡ଼ିକୁ ଅଟକାଇ ଦେଇଥିଲେ। ମୁଁ ଦେଖିଲି ଖବର ପାଇବାର ମାତ୍ର କେତେ ମିନିଟ୍‌ ଭିତରେ ସେଠାରେ ପହଞ୍ଚତ୍ଥିବା ଏହି ଜୀବ ସୁରକ୍ଷା କର୍ମଚାରୀ ଅତ୍ୟନ୍ତ ସନ୍ତର୍ପଣ ସହକାରେ ହାତରେ ଗ୍ଲୋବ୍‌ ଲଗାଇ ସେହି କଇଁଛଟିକୁ ଧରି ଏକ ସ୍ବତନ୍ତ୍ର ପାତ୍ରରେ ପୂରାଇ ତା’ର ସ୍ବାସ୍ଥ୍ୟ ପରୀକ୍ଷା କଲେ ଓ ତାକୁ ଧରିନେଇ କିଛି ଦୂରରେ ଥିବା ଜଳାଶୟରେ ଛାଡ଼ି ନିଶ୍ଚିନ୍ତ ହେଲେ। ପରେ ପରେ ସେହି ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ମୁଁ ଗାଡ଼ିକୁ ଫେରିବା ପରେ ଗାଡ଼ିରେ ଥିବା କେତେଜଣ ଭାରତୀୟ ମୋତେ ଗାଡ଼ି ବନ୍ଦ୍‌ର କାରଣ କ’ଣ ବୋଲି ପଚାରିଥିଲେ ଓ ମୁଁ ସେମାନଙ୍କ ଆଗରେ କଇଁଛର ସୁରକ୍ଷା ଉପାଖ୍ୟାନ ବର୍ଣ୍ଣନା କରିଥିଲି। ମୋ’ କଥା ଶୁଣି କେତେ ଜଣ ହସିଉଠି କହିଥିଲେ, ”ସାମାନ୍ୟ କଇଁଛଟା ପାଇଁ ପୁଣି ଏଠା ଲୋକଙ୍କର ଏତେ ଦରଦ?“ ମୁଁ ମନେ ମନେ ଆମ ଦେଶର ରାସ୍ତାରେ ଗାଡ଼ି ତଳେ ଅସହାୟ ଭାବେ ପ୍ରାଣ ଦେଉଥିବା ଅନେକ ନିରୀହ ଜୀବଜନ୍ତୁଙ୍କ ଚିତ୍ରକୁ ମନେ ପକାଉଥିଲି ଓ ପଶୁପକ୍ଷୀ ପ୍ରିୟ ଆମେରିକୀୟଙ୍କର ଏମାନଙ୍କ ସୁରକ୍ଷା ପାଇଁ ନିଷ୍ଠାକୁ ପ୍ରଶଂସା କରୁଥିଲି। ସେଥିପାଇଁ ଆମେରିକାର ଅଧିକାଂଶ ରାସ୍ତାର ଉଭୟ ପାର୍ଶ୍ୱରେ ଜଙ୍ଗଲୀ ତଥା ଅନ୍ୟ ଜୀବଜନ୍ତୁ ରାସ୍ତା ଉପରକୁ ଉଠି ନ ଆସିବାକୁ ହଜାର ହଜାର କିଲୋମିଟରର ତାରବାଡ଼ ଦିଆଯାଇ ରାସ୍ତାଠାରୁ ଜଙ୍ଗଲ ଅଞ୍ଚଳକୁ ଅଲଗା କରାଯାଇଥିବା ଦେଖାଯାଏ। ଆମ ପାଇଁ ‘ସାମାନ୍ୟ ଇତର ଜୀବ’ର ମାନ୍ୟତା ପାଇଥିବା କଇଁଛର ସୁରକ୍ଷା ପାଇଁ ଏଠାକାର ଲୋକଙ୍କ ଯତ୍ନ ସେଦିନ ମୋତେ ଚକିତ କରିଥିଲା। ମୁଁ ସେମାନଙ୍କର ଏହି ଜୀବେ ଦୟା ମନୋବୃତ୍ତିକୁ ପ୍ରଶଂସା କରିଥିଲି। ପୃଥିବୀକୁ ସରସ ସୁନ୍ଦର କୋଳାହଳମୟ କରିଥିବା ଇତର ମନେ ହେଉଥିବା ଏସବୁ ପରିବେଶ ଉପକାରୀ ଜୀବଜନ୍ତୁଙ୍କୁ ଆମେ ଯଦି ସୁରକ୍ଷା ନ ଦେବା ତେବେ ଦେବ କିଏ? ସାମ୍ବାଦିକ କଲୋନୀ, କଟକ, ମୋ-୯୮୬୧୨୪୯୨୦୨

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri