ଦିଶାହରା ଭାରତୀୟ ଶିକ୍ଷା

ଜର୍ମାନୀ ଦାର୍ଶନିକ ମ୍ୟାକ୍ସମୁଲାର କହିଥିଲେ, ପାଶ୍ଚାତ୍ୟରେ ଯେତେବେଳେ ଲୋକମାନେ ଉଲଗ୍ନ ହୋଇ ବଣରେ ବୁଲୁଥିଲେ, କଞ୍ଚାମାଂସ ଖାଉଥିଲେ, ମାଙ୍କଡ ପରି ଏ ଡାଳରୁ ସେ ଡାଳ ଡେଉଁଥିଲେ, ସେତେବେଳେ ଭାରତର ଶିକ୍ଷା ଓ ସଭ୍ୟତା ସର୍ବୋଚ୍ଚ ସ୍ଥାନରେ ପହଞ୍ଚି ବେଦ, ଉପନିଷଦ, ଗୀତା, ଭାଗବତ, ରାମାୟଣ ଓ ମହାଭାରତ ପରି ମାନବୀୟ ଓ ଉଚ୍ଚ ମୂଲ୍ୟବୋଧସମ୍ପନ୍ନ ଦର୍ଶନଶାସ୍ତ୍ର ବିଶ୍ୱକୁ ଦେଇଥିଲା। ନାଳନ୍ଦା, ତକ୍ଷଶିଳା, ବିକ୍ରମଶିଳା, ଉଦନ୍ତଶିଳା ଓ ଉଜ୍ଜୟିନୀ ପରି ଶହ ଶହ ବିଶ୍ୱବିଦ୍ୟାଳୟ ଗଢିଉଠିଥିଲା। ଗ୍ରୀକ୍‌ର ବିଦ୍ୱାନ ପାଇଥାଗୋରାସ, ଆରିଷ୍ଟଟଲ୍‌ ତକ୍ଷଶିଳାରେ ଖ୍ରୀ.ପୂ. ୬୦୦ରେ ଅଧ୍ୟୟନରତ ଥିଲେ। ଚାଇନାର ଫାହିୟାନ, ହୁଏନ୍‌ସାଂ ଓ ମେଘାସ୍ଥିନିସ୍‌ଙ୍କ ପରି ଅନେକ ବିଦ୍ୱାନ୍‌ ଏଠାରେ ପଢିଥିବା ବିଷୟ ଆଜି କ’ଣ କେହି ଅସ୍ବୀକାର କରିପାରିବେ? ବେଦ, ରାମାୟଣ, ମହାଭାରତ ଆଦି ଦର୍ଶନଶାସ୍ତ୍ର ପୃଥିବୀର ସର୍ବପ୍ରାଚୀନ ଓ ସର୍ବଶ୍ରେଷ୍ଠ ଭାବେ ବିବେଚିତ ହୋଇସାରିଛି, ଯାହା ଉପରେ ଆଜି ଆମେରିକା, ଜର୍ମାନୀ ଆଦି ପ୍ରଗତିଶୀଳ ଦେଶ ଗବେଷଣାରତ ଅଛନ୍ତି। ଯଦି ଆମର ଶିକ୍ଷା ପଦ୍ଧତି ଏତେ ଅମାନବୀୟ ହୋଇଥାନ୍ତା, ତା’ହେଲେ ଏ ବିଦେଶାଗତ ଛାତ୍ରମାନେ ଭାରତକୁ ପଢିବାକୁ ଆସିଥାନ୍ତେ କାହିଁକି? ଦିନକର ଘଟଣା ଜଣେ ରାଜକୁମାର ଶିକ୍ଷା ସମାପ୍ତ ପରେ ଘରକୁ ଫେରିବା ସମୟ। ନିଜେ ରାଜା ଗୁରୁଙ୍କୁ କୃତଜ୍ଞତା ଜ୍ଞାପନ କରି ପୁଅକୁ ଘରକୁ ନେବା ପାଇଁ ଉଦ୍ୟତ। ଠିକ୍‌ ଏହି ସମୟରେ ଗୁରୁଦେବ ସେହି ରାଜକୁମାରଙ୍କ ପିଠିରେ ଏପରି ଏକ ଶକ୍ତ ବେତ୍ରାଘାତ କଲେ ଯେ, ପିଠିରେ ନୋଳା ବସିବା ସହ ରକ୍ତ ଧାର ଧାର ହୋଇ ବହିବାକୁ ଲାଗିଲା। ରାଜା ଆଶ୍ଚର୍ଯ୍ୟ ହୋଇ ଫେରିବା ସମୟରେ ଏପରି ଦଣ୍ଡ କାହିଁକି ଦେଲେ ବୋଲି ପଚାରିବାରୁ ଗୁରୁଦେବ କହିଲେ- ଆଜି ସେ ବିଦ୍ୟା ଶେଷ କରି ଘରକୁ ଫେରିବ। କାଲି ସେ ରାଜା ହୋଇ ରାଜ୍ୟ ଶାସନ କରିବ, ପ୍ରଜା ପାଳନ କରିବ। ପ୍ରଜା ଯଦି କିଛି ତ୍ରୁଟି କରେ ସେ ପ୍ରଜାଙ୍କୁ ଦଣ୍ଡବିଧାନ କରିବ। ଦଣ୍ଡ ଯେ କେତେ କଷ୍ଟଦାୟକ ଯଦି ସେ ନିଜେ ଅନୁଭବ କରି ନ ଥିବ, ତା’ହେଲେ ସ୍ବେଚ୍ଛାଚାରୀ ହୋଇ ଅମାନବୀୟ ଭାବେ ପ୍ରଜାଙ୍କୁ ଦଣ୍ଡ ଦେବ। ଆଜିର ବିଦ୍ୟାର୍ଥୀ ଆସନ୍ତାକାଲିର ଗୃହସ୍ଥ। ସମାଜର ବିଭିନ୍ନ କ୍ଷେତ୍ରରେ ସେ କାମ କରିବ। ଏଣୁ ସର୍ବଗୁଣସମ୍ପନ୍ନ ହେବା ପାଇଁ ଗୁରୁକୁଳ ଶିକ୍ଷାକ୍ରମରେ ବିଦ୍ୟାର୍ଥୀଙ୍କୁ କଠୋର ପରୀକ୍ଷାର ସମ୍ମୁଖୀନ ହେବାକୁ ପଡୁଥିଲା। ସାନ୍ଦୀପନି ଋଷିଙ୍କ ଆଶ୍ରମରେ ଭଗବାନ ଶ୍ରୀକୃଷ୍ଣ ଓ ଗରିବ ସୁଦାମା ଦୁଇ ସାଙ୍ଗ ଆଶ୍ରମର ନିୟମ ମାନି ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଉଥିଲେ। ସେ ଦୁହିଁଙ୍କ ମଧ୍ୟରେ କେତେ ନିବିଡ ବନ୍ଧୁତ୍ୱ ଥିଲା ତାହା ସମସ୍ତଙ୍କୁ ଜଣା। ଭଗବାନ ରାମ, କୃଷ୍ଣ, ଆରୁଣି, କର୍ଣ୍ଣ ଆଦି ସମସ୍ତେ ଗୁରୁକୁଳ ଆଶ୍ରମରେ କଠୋର ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି। ଦଣ୍ଡ ବି ସହିଛନ୍ତି। ସମଗ୍ର ମାନବଜଗତ ସେମାନଙ୍କୁ ସ୍ମରଣ କରୁଛି। ଆଶ୍ରମର ନିୟମ ଶିଷ୍ୟଙ୍କ ପାଇଁ ଯେତିକି କଠୋର ଥିଲା, ଗୁରୁଙ୍କ ପାଇଁ ତାହାଠାରୁ ଅଧିକ କଠୋର ଥିଲା। ସମସ୍ତେ ମିଳିମିଶି ଆଶ୍ରମର ନିୟମ ମୁତାବକ କାର୍ଯ୍ୟ କରୁଥିଲେ। ଦଣ୍ଡ ଦେଉଥିବା ଆଉ ପରୀକ୍ଷା ନେଉଥିବା ଆଚାର୍ଯ୍ୟଙ୍କୁ ଛାତ୍ର ଓ ଅଭିଭାବକଙ୍କ ତିରସ୍କାରର ଶରବ୍ୟ ହେବାକୁ ପଡୁ ନ ଥିଲା। ବିଦ୍ୟାଳୟ ନା ଦଣ୍ଡମୁକ୍ତ ଥିଲା, ନା ଲୋକଦେଖାଣିଆ ମାନବବାଦୀଙ୍କ କାନୁନ୍‌ ପାଖରେ ବନ୍ଧା ଥିଲା। ଆଜି ଏପରି କ’ଣ ହୋଇଗଲା ଯେ, ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିବାକୁ ପଡିଲା। ଛାତ୍ର, ଅଭିଭାବକ ଓ ମାନବବାଦୀଙ୍କ ଧମକ କାରଣରୁ ଶିକ୍ଷକ ଆଜି ଦଣ୍ଡଦେବା ଦୂରେ ଥାଉ, ଉଚ୍ଚଗଳାରେ କହିବାକୁ ମଧ୍ୟ ଡରୁଛନ୍ତି। ଏହା ପଛରେ କିଛି ବିଦେଶୀ ଷଡ଼ଯନ୍ତ୍ର ନାହିଁ ତ? ୧୮୩୫ ମସିହା, ଫେବୃୟାରୀ ୨ ତାରିଖରେ ବ୍ରିଟିଶ ପାର୍ଲାମେଣ୍ଟରେ ‘ମାଇଁ ଇଣ୍ଡିଆ ୧୮୩୫’ରେ ମାକଲେ କହିଥିଲେ- ସମଗ୍ର ଭାରତ ଭ୍ରମଣ ଭିତରେ ମୁଁ ଗୋଟିଏ ଭିକାରି କିମ୍ବା ଗୋଟିଏ ଚୋର ଦେଖିବାକୁ ପାଇଲି ନାହିଁ। ଅଚଳାଚଳ ସମ୍ପତ୍ତି, ଉଚ୍ଚମୂଲ୍ୟଯୁକ୍ତ ଯୋଗ୍ୟ ବ୍ୟକ୍ତି ଭରପୂର ଥିବା ଦେଶକୁ ଆମେ ପଦାନତ କରି ରଖିବା ଏତେ ସହଜ ନୁହେଁ। ଏଣୁ ଏଇ ସଂସଦ ଭବନରେ ମୁଁ ପ୍ରସ୍ତାବ ରଖୁଛି ଯେ, ଭାରତର ପ୍ରାଚୀନ ଶିକ୍ଷା ପଦ୍ଧତି ଓ ସଂସ୍କୃତିକୁ ବଦଳାଇବାକୁ ହେବ। ପାଠ୍ୟକ୍ରମରେ ଭାରତର ସବୁକିଛି ବିକାଶ ଇଂରେଜମାନଙ୍କ ଦ୍ୱାରା ହୋଇଛି ବୋଲି ଦର୍ଶାଇବାକୁ ପଡିବ। ଯାହାଫଳରେ ଶିକ୍ଷିତ ଯୁବକମାନେ ଶାରୀରିକ ଦୃଷ୍ଟିରୁ ଭାରତୀୟ ହୋଇଥିଲେ ମଧ୍ୟ ମାନସିକସ୍ତରରେ ଗୋରା ପାଲଟି ଇଂରେଜମାନଙ୍କ ପ୍ରଶଂସକ ହୋଇଯିବେ। ଏହି କ୍ରମରେ ଭାରତରେ ଆରମ୍ଭ ହେଲା ଇଂରାଜୀ ମାଧ୍ୟମ କନ୍‌ଭେଣ୍ଟ ସ୍କୁଲ। ଆଜିର ଇଂରାଜୀ ମାଧ୍ୟମ ସ୍କୁଲ ସବୁ ତାହାର ପରିଣାମ। ମଣିଷ ପରି ମଣିଷ ଗଢିବାକୁ ହେଲେ ଅଭିଭାବକ ଆଉ ଗୁରୁ ବା ଶିକ୍ଷକଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଭାରତକୁ ଜଣେ ଭାରତୀୟ ଭାବେ ଚିହ୍ନିବାର ଆବଶ୍ୟକତା ଅଛି। ଏପରି ହେଲେ ଆଜିର ଦିଶାହରା ଭାରତୀୟ ଶିକ୍ଷାରେ ସୁଧାର ସମ୍ଭବ ହେବ। ମୋ-୯୪୩୭୦୧୫୫୭୦

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri