ମୃତ୍ୟୁକୁ ମନା କରିଥିବା ଝିଅଟି...

ଆଦ୍ୟ ଯୌବନରେ ମୃତ୍ୟୁ ବାସ୍ତବରେ ମର୍ମନ୍ତୁଦ। ଏହାକୁ ନେଇ ହୃଦୟସ୍ପର୍ଶୀ ପ୍ରଶ୍ନଟିଏ ଉଠାଇଛନ୍ତି କବି ରାଧାମୋହନ ଗଡନାୟକ ତାଙ୍କ ‘ମୃତ୍ୟୁ ରେ ତୁମେ ସେତେବେଳେ କିଆଁ ଆସ...’ କବିତାରେ। ଏବେ ଏହାର ଏକ ବାସ୍ତବ ପୁନରାବୃତ୍ତି ଘଟିଛି ଇଂଲଣ୍ଡର ଜଣେ ମୃତ୍ୟୁମୁଖୀ ୧୪ ବର୍ଷୀୟା ଝିଅର ଶେଷ ଇଚ୍ଛାପତ୍ରରେ ମୃତ୍ୟୁକୁ ମନା କରିବା ଫଳରେ। ଦୁରାରୋଗ୍ୟ କର୍କଟ ରୋଗଗ୍ରସ୍ତ ସେହି ପୀଡିତା ଜଣକ ଜୀବନର ଅନ୍ତିମ ମୁହୂର୍ତ୍ତର ଆଗମନର ଅପେକ୍ଷାରେ ଥିଲାବେଳେ ସ୍ଥାନୀୟ ବିଚାରାଳୟର ବିଚାରପତିଙ୍କୁ ତହିଁରେ ଲେଖି ଜଣାଇଛି ଯେ ସେ ଚାହେଁନା କଫିନ ସହିତ ତା’ଶରୀର ଭୂମିତଳେ ପୋତା ହେଉ। ବରଂ ଚାହେଁ ସଂଜ୍ଞାହୀନ ହେବା ସଙ୍ଗେ ସଙ୍ଗେ ତାକୁ ଅତି ନିମ୍ନତାପରେ ହିମୀକୃତ କରି ରଖିବାକୁ। କାରଣ, ସେ ଆଶାବାଦୀ ଯେ ହୁଏତ ଦିନେ ତାକୁ ରୋଗମୁକ୍ତ କରିବା ଏବଂ ଏପରି ଶରୀରକୁ ପୁନଃ ସକ୍ରିୟ କରିବା ପାଇଁ ପଦ୍ଧତି ବାହାରି ପାରିବ। ଅତଏବ ତାକୁ ସେତେବେଳେ ପୁନର୍ଜୀବନ ଦେବାର ସମ୍ଭାବନାଟିଏ ଆସିବ, ଯଦିଓ ଏଥିପାଇଁ ଶହ ଶହ ବର୍ଷ ଲାଗିଯାଇପାରେ। ବିଚାରପତି ଏପରି ମର୍ମସ୍ପର୍ଶୀ ଆକୁଳ ଆବେଦନରେ ତା’ ସପକ୍ଷରେ ରାୟ ଦେଇଛନ୍ତି। ଅତି ନିମ୍ନତାପ ସଂରକ୍ଷଣ ବା କ୍ରାଇଓ ପ୍ରିଜରଭେସନ କୁହାଯାଉଥିବା ଏହି ପଦ୍ଧତିରେ ଶୁକ୍ରାଣୁ, ଡିମ୍ବାଣୁ ଆଦିର ଦୀର୍ଘକାଳୀନ ସଂରକ୍ଷଣ କରାଯାଉଛି ଏବଂ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ସଂରକ୍ଷଣ (ପ୍ରତିରୋପଣ ଲାଗି) ପାଇଁ ତାହାର ଉପଯୋଗ ଆରମ୍ଭ ହୋଇଗଲାଣି। ସାଧାରଣତଃ ଏଥିପାଇଁ ସ୍ଥଳବିଶେଷରେ ଶୀତଳକ ରୂପେ ବ୍ୟବହାର କରାଯାଇଥାଏ କଠିନ ଅଙ୍ଗାରକାମ୍ଳ (-୮୦ ଡିଗ୍ରୀ ସେଲ୍‌ସିୟସ), ପଲିୟଲ-ଜଳ (-୧୩୬ ଡିଗ୍ରୀ ସେ.) କିମ୍ବା ତରଳ ଯବକ୍ଷାରଜାନ (-୧୮୬ ଡିଗ୍ରୀ ସେ.)। ଏଥିମଧ୍ୟରେ ଶେଷୋକ୍ତଟି ସବୁଠାରୁ ନିର୍ଭରଯୋଗ୍ୟ ଓ ଦକ୍ଷ। ଏହା ମଧ୍ୟରେ ସମସ୍ତ କ୍ରିୟା-ପ୍ରକ୍ରିୟା ବନ୍ଦ ହୋଇଯାଉଥିବାରୁ ଜୈବିକ ବ୍ୟବସ୍ଥାଟି ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇଯାଏ। ଏପରି କି କ୍ଷୁଦ୍ର କ୍ଷୁଦ୍ର ଜୀବଙ୍କ ସରଳ ଜୀବନପ୍ରକ୍ରିୟା ତହିଁରେ ପୂରାପୂରି ବନ୍ଦ ହୋଇଯାଏ। ଏହାକୁ କହନ୍ତି ବନ୍ଦୀ ଜୀବତ୍ୱ ଅବସ୍ଥା। କାରଣ ପରେ ତାହାକୁ ତହିଁରୁ ବାହାର କରି ସାଧାରଣ ତାପମାତ୍ରାକୁ ଆଣିଲେ ତା’ର ଜୀବନ ପ୍ରକ୍ରିୟା ପୁଣି ସେହିଠାରୁ ଆରମ୍ଭ ହୋଇଯାଏ। ଏକ ଜୀବ ଶରୀରକୁ ଏହିପରି ଭାବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂରକ୍ଷଣ କରାଯାଇପାରିବ ବୋଲି ତତ୍ତ୍ୱ ଦୃଷ୍ଟିରୁ ମନେକରାଯାଏ। ଶରୀରକୁ ଅତି ନିମ୍ନତାପରେ ସଂରକ୍ଷଣକୁ ନେଇ ବହୁ କଳ୍ପନା ଜଳ୍ପନା ହୋଇଛି- ରଚିତ ହୋଇଛି ବହୁ ବୈଜ୍ଞାନିକ ଉପନ୍ୟାସ। ବହୁ ଦୂରଦୂରାନ୍ତରର ଗ୍ରହନକ୍ଷତ୍ର ମଣ୍ଡଳକୁ ଲାଗୁଥିବା ଶହ ଶହ ବର୍ଷର ଯାତ୍ରା ସମୟରେ ବ୍ୟୋମଚାରୀଙ୍କୁ ଏହି ରୂପେ ସଂରକ୍ଷଣ କରିବା କଥା ତହିଁରୁ କେତେକରେ ସୂଚିତ ହୋଇଛି। ସମ୍ଭବତଃ ଝିଅଟି ଏହାଦ୍ୱାରା ପ୍ରଭାବିତ ହୋଇ ଏଥିପାଇଁ ମନ ବଳାଇଛି। କିନ୍ତୁ ମଣିଷ ଭଳି ବଡ ବଡ ଜୀବଙ୍କ କ୍ଷେତ୍ରରେ ଅତି ନିମ୍ନତାପ ସଂରକ୍ଷଣ ପଦ୍ଧତି ଏବେ ମଧ୍ୟ ପ୍ରମାଣିତ ହୋଇପାରି ନାହିଁ। ସେଥିପାଇଁ କେତେକେ ଏହାର ସଫଳତାକୁ ନେଇ ଆଶାବାଦୀ ହେଲେ ହେଁ ଅନେକେ ସେଥିରେ ସନ୍ଦେହ ପ୍ରକଟ କରନ୍ତି। ଉଦାହରଣସ୍ବରୂପ, ୟୁନିଭର୍ସିଟି କଲେଜ ଲଣ୍ଡନର ଅତି ନିମ୍ନତାପ ଚିକିତ୍ସା ବିଶେଷଜ୍ଞ ବ୍ୟାରୀ ଫୁଲର କହନ୍ତି ଯେ ଅତି ନିମ୍ନ ତାପମାତ୍ରାରେ ଜୀବକୋଷ, ଟିସୁ ବା କ୍ଷୁଦ୍ର ଅଙ୍ଗଟିଏ ସଂରକ୍ଷଣ କରିବା ସମ୍ଭବ ହୋଇପାରେ କିନ୍ତୁ ସମ୍ପୂର୍ଣ୍ଣ ଶରୀର କ୍ଷେତ୍ରରେ ତାହା କେତେଦୂର ଫଳପ୍ରଦ ହେବ ସେ କଥା କହିହେବ ନାହିଁ। ଏପରି ସ୍ଥଳେ ପିଲାଟିର ଶରୀରକୁ ନେଇ ଏ ଦିଗରେ ଉଦ୍ୟମ କରିବା ଏକ ସମ୍ପୂର୍ଣ୍ଣ ନୂଆ କଥା ହେବ। ତାହା ସଫଳ ହେଲେ ଏ କ୍ଷେତ୍ରରେ ଏକ ନୂତନ ଦିଗନ୍ତର ଉନ୍ମୋଚନ ଘଟିବ। ବିଚାରପତିଙ୍କ ମତରେ ଏହା ଦୃଷ୍ଟାନ୍ତ ନ ଥିବା ଏକ ଅନନ୍ୟ ଘଟଣା। ଆଗରୁ ଏଭଳି ଏକ ଅନୁରୋଧ କେବଳ ଇଂଲଣ୍ଡ କାହିଁକି ସମ୍ଭବତଃ ସାରା ଦୁନିଆରେ କୌଣସି ବିଚାରାଳୟ ନିକଟକୁ ଆସି ନ ଥିଲା। ଅତଏବ ଏହା ଆଇନ ନିକଟରେ ବିଜ୍ଞାନ ଉପସ୍ଥାପନ କରୁଥିବା ନୂତନ ପ୍ରଶ୍ନଗୁଡିକର ଏକ ଦୃଷ୍ଟାନ୍ତ। ଏଣୁ ତାଙ୍କ ରାୟରେ ଝିଅଟିର ସଂଜ୍ଞାହୀନ ଶରୀରକୁ ଆମେରିକାର ଏକ ବିଶେଷ ସୁବିଧା ପ୍ରଦାନକାରୀ ସଂସ୍ଥାକୁ ଏଥିପାଇଁ ହସ୍ତାନ୍ତର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ନାମ ଗୋପନ ରଖିବାକୁ ଚାହୁଁଥିବା ଏହି ଅନୁଷ୍ଠାନଟି ଏ ଦାୟିତ୍ୱ ବିନା ଖର୍ଚ୍ଚରେ ତୁଲାଇବାକୁ ରାଜି ହୋଇଛି। ବିଗତ ଅକ୍ଟୋବର ମାସ (୨୦୧୬)ରୁ ଏ ରାୟ ପ୍ରଦାନ କରାଗଲାଣି। ତେବେ ଝିଅଟି ବଞ୍ଚିଥିବା ପର୍ଯ୍ୟନ୍ତ ଏହାକୁ ସର୍ବସାଧାରଣ ନ କରିବା ପାଇଁ ସେ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ତା’ର ଏବଂ ତା’ ପିତାମାତାଙ୍କ ପରିଚୟ ମଧ୍ୟ ଗୋପନ ରଖାଯାଇଛି। ଜୀବନର ଶେଷ ଅବସ୍ଥାରେ ଝିଅଟି ବିଚାରାଳୟ ଯିବାକୁ ଅକ୍ଷମ ଥିଲା। ତେଣୁ ରାୟ ପ୍ରଦାନ ପୂର୍ବରୁ ବିଚାରପତି ନିଜେ ଡାକ୍ତରଖାନା ଯାଇ ତାକୁ ଦେଖା କରିଥିଲେ। ଅନ୍ତିମ ସମୟ ପର୍ଯ୍ୟନ୍ତ ମାନସିକ ସ୍ତରରେ ସେ ଦୃଢ ଥିଲା ଏବଂ ଇଣ୍ଟରନେଟ୍‌ରେ ଅତିଶୀତଳତା ସମ୍ପର୍କରେ ଅଧିକରୁ ଅଧିକ ଅଧ୍ୟୟନ କରିବାରେ ନିଜକୁ ନିୟୋଜିତ କରି ରଖୁଥିଲା। ଇମେଲ୍‌- paridanana47@gmail.com

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri