ଡାହା ମିଛ

ଯେଉଁମାନେ କ୍ଷମତାରେ ଥା’ନ୍ତି, ସେମାନେ କ୍ଷମତାକୁ ସବୁଦିନ ବଜାୟ ରଖିବାକୁ ନିଜ ସପକ୍ଷରେ ପ୍ରଚାର କରନ୍ତି। କିନ୍ତୁ କ୍ୱଚିତ୍‌ ମିଛ ତଥ୍ୟ ଦେଇଥାନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ତଥା ତଥ୍ୟ ବିକୃତ କରି କହିବାରେ ସମସ୍ତଙ୍କୁ ଟପିଯାଇଛନ୍ତି। ଏ କଥା ତାଙ୍କର ୭୧ତମ ସ୍ବାଧୀନତା ଦିବସ ଉପଲକ୍ଷେ ଦେଇଥିବା ଅଭିଭାଷଣରୁ ପ୍ରତ୍ୟୟମାନ ହୁଏ। ନିଜକୁ କଳାଧନ ବିରୋଧୀ ଭାବେ ପ୍ରତିପାଦନ କରିବା ପାଇଁ ଗତବର୍ଷ ନଭେମ୍ବର ୮ରେ ବିମୁଦ୍ରୀକରଣ ପରି କ୍ରୂର ପଦକ୍ଷେପ ନେଇ ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍‌ ଅଚଳ କରିଦେଇଥିଲେ। ଏହି ପଦକ୍ଷେପ କଳାଧନ ରୋକିବା, ଜାଲ୍‌ ନୋଟ୍‌ କାରବାର ଏବଂ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ବନ୍ଦ କରିବା ପାଇଁ ଉଦ୍ଦିଷ୍ଟ ବୋଲି ମୋଦି କହିଥିଲେ। ସେ ଲକ୍ଷ୍ୟ ଏ ପର୍ଯ୍ୟନ୍ତ ହାସଲ ହୋଇପାରିଲା ନାହିଁ। କିନ୍ତୁ ଏପରି ପଦକ୍ଷେପ ଦ୍ୱାରା ଲୋକମାନେ ହଇରାଣ ହରକତ ହେବା ସହିତ ଆର୍ଥିକ କାର୍ଯ୍ୟକଳାପ ହ୍ରାସ, ନିଯୁକ୍ତି ହ୍ରାସ, ଅଭିବୃଦ୍ଧି ହ୍ରାସ ପାଇବା ସହିତ ବିମୁଦ୍ରୀକରଣର ୫୦ ଦିନ ମଧ୍ୟରେ ଅର୍ଥନୀତିର ୧ଲକ୍ଷ ୨୮ ହଜାର କୋଟି ଟଙ୍କା କ୍ଷତି ହୋଇଥିଲା ବୋଲି ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ) ତା’ର ରିପୋର୍ଟରେ କହିଥିଲା। ବିମୁଦ୍ରୀକରଣ ଯୋଗୁ କୌଣସି ସୁଫଳ ନ ମିଳିବାରୁ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ସରକାର ନିଜ ଅଧୀନ ବିଭିନ୍ନ ସଂସ୍ଥାକୁ ବିମୁଦ୍ରୀକରଣ ସପକ୍ଷରେ ମତ ଦେବା ପାଇଁ ବ୍ୟବହାର କରୁଛନ୍ତି। ଏପରି ଭାବେ ତଥ୍ୟ ପ୍ରକାଶ କରାଯାଉଛି ଯେ, ଜଣେ ଯେପରି ଭାବିବ ବିମୁଦ୍ରୀକରଣ ଦ୍ୱାରା ବହୁତ କଳାଧନ ଉଦ୍ଧାର ହୋଇଛି ବା କଳାଟଙ୍କା କାରବାର ବନ୍ଦ ହୋଇଯାଇଛି। ବିମୁଦ୍ରୀକରଣ ପୂର୍ବରୁ ୧୭ ଲକ୍ଷ କୋଟି ଟଙ୍କା ଆମ ଅର୍ଥନୀତିରେ ପ୍ରଚଳନ ହେଉଥିଲା। ଏହାର ୮୬.୫% ଅର୍ଥାତ୍‌ ୧୫.୪୪ ଲକ୍ଷ କୋଟି ଟଙ୍କା ଅଚଳ କରି ଦିଆଯାଇଥିଲା। ଲୋକମାନେ ବିମୁଦ୍ରୀକରଣ ପରେ ଅଚଳ ଟଙ୍କା ବ୍ୟାଙ୍କରେ ଜମାକରି ନୂତନ ଟଙ୍କା ନେଉଥିଲେ। ଅନୁରୂପ ଭାବେ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାକୁ ନୂଆ ଟଙ୍କା ରିଜର୍ଭ ବ୍ୟାଙ୍କ ଛାଡୁଥିଲା, ଯାହାକୁ ‘ରି ମନିଟାଇଜେଶନ’ କୁହାଯାଏ। ଗତ ଜୁଲାଇ ୨୮ ସୁଦ୍ଧା ଅର୍ଥନୀତିରେ ୧୫.୪୦ ଲକ୍ଷ କୋଟି ଟଙ୍କା ପ୍ରଚଳନ ହେଉଛି। ପୂର୍ବ ୧୭ ଲକ୍ଷ କୋଟି ଟଙ୍କା ସ୍ତରକୁ ପହଞ୍ଚି ନାହିଁ। ଡିସେମ୍ବର ସୁଦ୍ଧା ୧୨.୪୦ ଲକ୍ଷ କୋଟି ଅଚଳ ଟଙ୍କା ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଫେରିଛି ବୋଲି ରିଜର୍ଭ ବ୍ୟାଙ୍କ କହିଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ସର୍ବଶେଷ ତଥ୍ୟ ପ୍ରଦାନ କରୁନାହିଁ। ରିଜର୍ଭ ବ୍ୟାଙ୍କ କହୁଛି ଅଚଳ ଟଙ୍କା ଗଣତି ଚାଲିଛି। କିନ୍ତୁ ଯେତେବେଳେ ରିଜର୍ଭ ବ୍ୟାଙ୍କ ତଥ୍ୟ ଦେଇପାରୁ ନାହିଁ, ସେତେବେଳେ ପ୍ରଧାନମନ୍ତ୍ରୀ ସ୍ବାଧୀନତା ଦିବସ ଅଭିଭାଷଣରେ ଏକ ଅଣସରକାରୀ ସଂସ୍ଥାର ଦ୍ୱାହି ଦେଇ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ୩ଲକ୍ଷ କୋଟି କଳାଟଙ୍କା ଆସିଛି ବୋଲି ମିଛ କହିଛନ୍ତି। ସେ ପୁନଶ୍ଚ କହିଛନ୍ତି ଯେ ବ୍ୟାଙ୍କରେ ଜମା ହୋଇଥିବା ମୋଟ ଟଙ୍କାରୁ ୧.୭୫ ଲକ୍ଷ କୋଟି ଟଙ୍କା ସନ୍ଦେହର ବଳୟରେ ରହିଛି। ୧୮ଲକ୍ଷ ଲୋକଙ୍କ କ୍ଷମତା ବହିର୍ଭୂତ ଆୟ ସରକାରଙ୍କ ସମୀକ୍ଷା ବଳୟ ମଧ୍ୟରେ ରହିଛି। ଏହାପରେ ପୁଣି ସେ କହିଛନ୍ତି ଯେ, ୨ଲକ୍ଷ କୋଟି ଟଙ୍କାର କଳାଟଙ୍କା ବ୍ୟାଙ୍କକୁ ଆସିଛି। ଏହାର ଅର୍ଥ ଗୋଟିଏ ଭାଷଣରେ କେତେବେଳେ ୩ଲକ୍ଷ କୋଟି କଳାଟଙ୍କା କହୁଛନ୍ତି ତ ଆଉ କେତେବେଳେ ୨ଲକ୍ଷ କୋଟି କହୁଛନ୍ତି। ପୁନଶ୍ଚ ଯଦି କଳାଟଙ୍କାର ପରିମାଣ ୩ଲକ୍ଷ କୋଟି ତେବେ କେବଳ ୧.୭୫ ଲକ୍ଷ କୋଟି ଟଙ୍କା କାହିଁକି ସନ୍ଦେହ ବଳୟରେ ବା ସମୀକ୍ଷା କରାଯିବ, ଅବଶିଷ୍ଟ କାହିଁକି ନୁହେଁ ? ଅସଲ କଥା ହେଉଛି ସେ ଯେଉଁ ୩ ଲକ୍ଷ ବା ୨ ଲକ୍ଷ କୋଟିକୁ କଳାଟଙ୍କା ବୋଲି କହୁଛନ୍ତି ତାକୁ କ’ଣ ଆୟକର ବିଭାଗ ବେଆଇନ ଘୋଷଣା କରି କଳାଟଙ୍କା ପରିସରଭୁକ୍ତ କରିଛି? ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ପୁନଶ୍ଚ କହିଛନ୍ତି ଯେ, ବିମୁଦ୍ରୀକରଣ ଯୋଗୁ ୫୬ ଲକ୍ଷ ନୂତନ ଟିକସଦାତା (ଯେଉଁମାନେ ରିଟର୍ନ ଫାଇଲ କରିଛନ୍ତି) ଯୋଡିହୋଇ ଯାଇଛନ୍ତି, ଯାହା ଗତବର୍ଷ ୨୨ ଲକ୍ଷ ଥିଲା। ଏହି ତଥ୍ୟର ସତ୍ୟତାରେ ପ୍ରଶ୍ନବାଚୀ। କାରଣ ୧୬ ମେ ୨୦୧୭ରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ନୂତନ ଟିକସଦାତାଙ୍କ ପରିମାଣ ୯୧ ଲକ୍ଷ ବୋଲି ଦର୍ଶାଇଲା ବେଳେ ଅଗଷ୍ଟ ୧ରେ ସରକାରୀ ତଥ୍ୟ ଅନୁସାରେ ଏହା ୩୩ ଲକ୍ଷ। ସ୍ବାଧୀନତା ଦିବସର କିଛିଦିନ ପୂର୍ବରୁ ଅର୍ଥାତ୍‌ ଅଗଷ୍ଟ ୧୧ ତାରିଖରେ ଅର୍ଥନୈତିକ ସର୍ବେକ୍ଷଣର ଦ୍ୱିତୀୟ ଭାଗରେ ନୂତନ ଟିକସଦାତାଙ୍କ ସଂଖ୍ୟା ୫.୪ ଲକ୍ଷ ବୋଲି ଦର୍ଶାଯାଇଛି। ଏଣୁ ଏଠାରେ ପ୍ରଶ୍ନ ଉଠୁଛି କେଉଁ ତଥ୍ୟ ଠିକ୍‌। ଅସଲ କଥା ହେଉଛି ନୂତନ ଟିକସଦାତା ଯୋଡିହେଲେ ମଧ୍ୟ ସେମାନେ ଟିକସ ଦେଉଛନ୍ତି ନା ନାହିଁ ତାହା ଗୁରୁତ୍ୱପୂର୍ଣ୍ଣ। କାରଣ ଯେଉଁମାନେ ଆୟକର ରିଟର୍ନ ଫାଇଲ କରନ୍ତି, ସେମାନଙ୍କ ମଧ୍ୟରୁ ସମସ୍ତେ ଟିକସ ଦିଅନ୍ତି ନାହିଁ। ଯେଉଁ ନୂତନ ଟିକସଦାତା ଯୋଡିହୋଇଛନ୍ତି, ସେମାନଙ୍କ ହାରାହାରି ଆୟ ମାତ୍ର ୨.୭ ଲକ୍ଷ ଟଙ୍କା, ଯାହା ଆୟକର ଛାଡ଼ ସୀମା ୨.୫ ଲକ୍ଷ ଟଙ୍କାଠାରୁ ସାମାନ୍ୟ ଅଧିକ। ଏଣୁ ଅଧିକ ଟିକସ ଆଦାୟ ହେବାର ସମ୍ଭାବନା ନାହିଁ। ୨୦୧୬-୧୭ରେ ଟିକସ ଆଦାୟ ୨୩% ବୃଦ୍ଧି ପାଇଛି ବୋଲି ଯାହା ପ୍ରଚାର କରାଯାଉଛି ତାହାର ଏକ ମୁଖ୍ୟ କାରଣ ହେଉଛି ଏକକାଳୀନ ଆୟ ଘୋଷଣା ଯୋଜନା ବାବଦରେ ୬୫,୨୫୦ କୋଟି ଟଙ୍କା ସଂଗ୍ରହ ହେବା। ପୁନଶ୍ଚ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ୩ ବର୍ଷରେ ୧.୨୫ଲକ୍ଷ କୋଟି କଳାଟଙ୍କା ଉଦ୍ଧାର ହୋଇଛି। କିନ୍ତୁ ଏଥିରେ ଆୟ ଘୋଷଣା ଯୋଜନା ବାବଦ ୬୫,୨୫୦ କୋଟି ଟଙ୍କାକୁ ଛାଡିଦେଲେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବାବଦରେ ୫୦୦୦ କୋଟି ଟଙ୍କା ଏବଂ ବିମୁଦ୍ରୀକରଣ ସମୟରେ ଆୟକର ବିଭାଗ ତରଫରୁ କରାଯାଇଥିବା ବିଭିନ୍ନ ଚଢାଉ ତଥା ନିୟମିତ ଚଢାଉ ଓ ଅନୁସନ୍ଧାନ ବାବଦରେ ୪୦୦୦ କୋଟି ଟଙ୍କା ପ୍ରାପ୍ତ ହୋଇଛି, ଯାହା ପ୍ରଧାନମନ୍ତ୍ରୀ କହିନାହାନ୍ତି। କଳାଧନ ଉଦ୍ଧାର ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସରକାର ଘୋଷଣା କରିଥାନ୍ତି । ୧୯୯୭ରେ ଚିଦାମ୍ବରମ୍‌ଙ୍କ ସ୍ବେଚ୍ଛାକୃତ ଆୟକର ଘୋଷଣା ଯୋଜନା (ଭିଡିଆଇଏସ୍‌) ଦ୍ୱାରା ସରକାର ୩୩,୦୦୦ କୋଟି ଟଙ୍କା ପାଇଥିଲେ, ଯାହାର ବର୍ତ୍ତମାନ ମୂଲ୍ୟ ବହୁ ଅଧିକ ହେବ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଗତବର୍ଷ ଡିସେମ୍ବରରେ ବିମୁଦ୍ରୀକରଣ ସମୟରେ ଘୋଷଣା କରାଯାଇଥିଲା। ଯେଉଁ ଯୋଜନା ଅନୁଯାୟୀ ଅଘୋଷିତ ଆୟ ଉପରେ ୫୦% ଜରିମାନା ଦେବା ସହିତ (ଏଥିରେ ଟିକସ ଅନ୍ତର୍ଭୁକ୍ତ) ୨୫% ଏକ ଯୋଜନାରେ ନିବେଶ କରିବେ, ଯାହାକୁ ୪ବର୍ଷ ପରେ ଉଠାଇ ପାରିବେ। କିନ୍ତୁ କିଛି ସୁଧପ୍ରାପ୍ତ ହେବନାହିଁ। ଏହି ଯୋଜନା ସମ୍ପୂର୍ଣ୍ଣ ବିଫଳ ସାବ୍ୟସ୍ତ ହୋଇଥିଲା। ଆମେ ଭାବୁଛୁ ବିମୁଦ୍ରୀକରଣ ସମୟରେ ଯେଉଁ ଅଧିକ ଟଙ୍କା ବ୍ୟାଙ୍କରେ ଜମା ହୋଇଛି ତାହାକୁ ପ୍ରଧାନମନ୍ତ୍ରୀ କଳାଧନ ବୋଲି ଭାବୁଛନ୍ତି, ଯାହା ସମ୍ପୂର୍ଣ୍ଣ ଭୁଲ। ରିଜର୍ଭ ବ୍ୟାଙ୍କ ତରଫରୁ ଭୂପାଳ ସିଂହ ଏବଂ ଇନ୍ଦ୍ରଜିତ୍‌ ରାୟଙ୍କ ଦ୍ୱାରା ପ୍ରସ୍ତୁତ ଏକ ଗବେଷଣାପତ୍ର ଅନୁଯାୟୀ ନଭେମ୍ବର ୧୧ରୁ ଡିସେମ୍ବର ୩୦, ୨୦୧୫ ମଧ୍ୟରେ ସାମଗ୍ରିକ ବ୍ୟାଙ୍କ ଜମା ୧୦.୩% ବୃଦ୍ଧି ପାଇଥିଲା ବେଳେ ୨୦୧୬ର ସେହି ଅବଧିରେ (ବିମୁଦ୍ରୀକରଣ ସମୟରେ) ଏହା ୧୪.୫% ବୃଦ୍ଧି ପାଇଛି। ଯେଉଁ ଅଧିକ ବୃଦ୍ଧି ପାଇଛି ତାହା ବିମୁଦ୍ରୀକରଣ ଯୋଗୁ ହୋଇଛି ବୋଲି ସେମାନେ ଧରିନେଇଛନ୍ତି। ଏହି ଜମାର ପରିମାଣ ୨.୮ ଲକ୍ଷ କୋଟିରୁ ୪.୩ ଲକ୍ଷ କୋଟି ବୋଲି ସେମାନେ ମତ ଦେଇଛନ୍ତି। ଯେଉଁସବୁ ଆକାଉଣ୍ଟ ଆଗରୁ ଆଦୌ ବ୍ୟବହାର ହେଉ ନ ଥିଲା ବା କମ୍‌ ହେଉଥିଲା ସେଥିରେ ୧.୭ ଲକ୍ଷ କୋଟି ଟଙ୍କା ପାଖାପାଖି ଜମା ହୋଇଛି। ଯେଉଁ ୧.୭୫ ଲକ୍ଷ କୋଟି ଟଙ୍କା ସନ୍ଦେହର ବଳୟ ମଧ୍ୟରେ ରହିଛି ସେହି ଜମାକୁ ବୋଧହୁଏ କଳାଟଙ୍କା କହୁଛନ୍ତି। ଯଦି ତାହା ହୋଇଥାଏ, ତେବେ ତାହା ଭୁଲ, କାରଣ ରିଜର୍ଭ ବ୍ୟାଙ୍କ ତରଫରୁ ମନୋରଞ୍ଜନ ଦାସ, ଭୂପାଳ ସିଂହ, ସ୍ନେହଲ ହେରଓ୍ବାଦ୍‌କର, ରଶ୍ମିରଞ୍ଜନ ବେହେରା ଏକ ସନ୍ଦର୍ଭରେ ଏହି ଜମାକୁ ବିତ୍ତୀୟ ସଞ୍ଚୟ ବୃଦ୍ଧି ଭାବେ ଦର୍ଶାଇଛନ୍ତି। ବିମୁଦ୍ରୀକରଣ ଯୋଗୁ ବିତ୍ତୀୟ ସଞ୍ଚୟ ବୃଦ୍ଧି ପାଇଛି ବୋଲି ସେମାନେ ଆନନ୍ଦ ପ୍ରକାଶ କରିଛନ୍ତି। ତେବେ ଏହି ଅତିରିକ୍ତ ଜମା ରିଜର୍ଭ ବ୍ୟାଙ୍କ ପାଇଁ ବୋଝ ହୋଇଛି, ଯାହାଫଳରେ ଏହାର ଲାଭାଂଶ ହ୍ରାସ ପାଇଛି। ବ୍ୟାଙ୍କଗୁଡ଼ିକ ହାତରେ ଅଧିକ ଜମା ହେବା ଯୋଗୁ ଏବଂ ଋଣ କାରବାର ବୃଦ୍ଧି ନ ପାଇବା ଯୋଗୁ ଏମାନେ ରିଜର୍ଭ ବ୍ୟାଙ୍କରେ ସେହି ଜମାକୁ ରିଭର୍ସ ରେପୋରେଟ୍‌ ହାରରେ ଜମା ରଖିଥାନ୍ତି। ଅର୍ଥାତ୍‌ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ସେହି ଜମା ଉପରେ ବାର୍ଷିକ ୬% (ବର୍ତ୍ତମାନ ୫.୭୫%) ହାରରେ ସୁଧ ଦେଇଥାଏ। ଏହି ଜମା (ଦୈନିକ ୨ରୁ ୨.୫ଲକ୍ଷ କୋଟି ଟଙ୍କା) ଉପରେ ସୁଧ ଦେବା ସହିତ ଟଙ୍କାର ଊର୍ଦ୍ଧ୍ୱ ମୂଲ୍ୟାୟନ ଯୋଗୁ ବିଦେଶରେ ଗଚ୍ଛିତ ଥିବା ବୈଦେଶିକ ମୁଦ୍ରାରୁ ଟଙ୍କା ଆକାରରେ ରିଟର୍ନ ହ୍ରାସ ପାଇବା ଏବଂ ୫୦୦ ଓ ୨୦୦୦ ଟଙ୍କିଆ ନୂଆ ନୋଟ୍‌ ଛାପା ବାବଦରେ ବ୍ୟୟ ଯୋଗୁ ରିଜର୍ଭ ବ୍ୟାଙ୍କର ସରକାରଙ୍କୁ ଦେଉଥିବା ଲାଭାଂଶ ହ୍ରାସ ପାଇଛି। ଏଣୁ ବିମୁଦ୍ରୀକରଣ ଅର୍ଥନୀତି ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଛି। କିନ୍ତୁ କଳାଧନ ରଖିଥିବା ଲୋକଙ୍କର କିଛି ଅସୁବିଧା ହୋଇନାହିଁ ବରଂ କିଛି ବ୍ୟାଙ୍କ ସଞ୍ଚୟ ସୁଧହାର ହ୍ରାସ କରିବା ଯୋଗୁ ଜମାକାରୀ କ୍ଷତିଗ୍ରସ୍ତ ହୋଇଛନ୍ତି। ମୋ-୯୪୩୭୨୦୮୭୬୨, ଇ-ମେଲ୍‌: skmohapatra67@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri