ଗଣପତିଂ ହବାମହେ

ମେ ଗଣେଶ ପୂଜାରେ ହୋମ କଲାବେଳେ ମନ୍ତ୍ରପାଠ କରୁ- ”ଗଣାନାଂ ତ୍ୱାଂ ଗଣପତିଂ ଗୁଂ ହବାମହେ।“ ଅର୍ଥାତ୍‌ ଗଣମାନଙ୍କର ଗଣପତି ହେଉଛନ୍ତି ଗଣେଶ। ଗଣ ଶବ୍ଦ ତ ବହୁବଚନବାଚକ। ତା’ହେଲେ ଗଣମାନଙ୍କର ଗଣପତି ପୁଣି କ’ଣ? ପ୍ରକୃତରେ ଗଣ କହିଲେ କେବଳ ନରଗଣଙ୍କୁ ବୁଝାଯାଏ ନାହିଁ। ଦେବଗଣ, ରକ୍ଷଗଣ, ଯକ୍ଷଗଣ, କିନ୍ନରଗଣ, ଗନ୍ଧର୍ବଗଣ- ଏମିତି ଅନେକ ଗଣ ଅଛନ୍ତି। ସେ ସମସ୍ତଙ୍କର ପତି ବା ପାଳନ, ପୋଷଣ ଓ ରକ୍ଷାକର୍ତ୍ତା ହେଉଛନ୍ତି ଗଣେଶ। ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ। ଆପଣ ଯେଉଁ ଦେବତାଙ୍କର ପୂଜା କରନ୍ତୁ ନା କାହିଁକି, ପ୍ରଥମେ କଳସ ସ୍ଥାପନ କରି ଗଣେଶଙ୍କ ପୂଜା କରିବାକୁ ପଡ଼ିଥାଏ। ଶାସ୍ତ୍ରରେ ଅଛି, ଯେକୌଣସି ପୂଜା ଓ ମାଙ୍ଗଳିକ କାର୍ଯ୍ୟ କଲାବେଳେ ପ୍ରଥମେ ଗୁରୁଙ୍କର ପୂଜା କରି ଆଶୀର୍ବାଦ ନିଆଯାଏ। ଗଣେଶ ହେଉଛନ୍ତି ସେ ଯୁଗର ସଦ୍‌ଗୁରୁ। ସେଥିପାଇଁ ତାଙ୍କର ପୂଜା ପ୍ରଥମେ କରିବାର ବିଧାନ କେଉଁ ପ୍ରାଚୀନ ଯୁଗରୁ ଚଳିଆସୁଛି। କବିମାନେ କୌଣସି କାବ୍ୟ ଲେଖିଲାବେଳେ ପ୍ରଥମେ ଗଣେଶ ଓ ସରସ୍ବତୀଙ୍କର ବନ୍ଦନା କରିଥାନ୍ତି। ଆଉ କେହି କେହି ନିଜର ଗୁରୁ ବା ଇଷ୍ଟ ଦେବତାଙ୍କର ବନ୍ଦନା କରିଥାନ୍ତି। କୌଣସି ଦୋକାନ ବା ବ୍ୟବସାୟ ଆରମ୍ଭ କଲାବେଳେ ପ୍ରଥମେ ଗଣେଶଙ୍କର ପୂଜା କରି ଆଶୀର୍ବାଦ ନିଆଯାଏ। କାରଣ ଗଣେଶ କେବଳ ବିଦ୍ୟାଦାତା ନୁହନ୍ତି, ସେ ଧନଦାତା ମଧ୍ୟ। ଗଣେଶଙ୍କର ଦୁଇ ପତ୍ନୀ ସିଦ୍ଧି ଓ ଋଦ୍ଧି। ତେଣୁ ତାଙ୍କର ଉପାସନା କଲେ ଜଣେ ସିଦ୍ଧି (ସଫଳତା) ଓ ଋଦ୍ଧି (ସମୃଦ୍ଧି)ର ଅଧିକାରୀ ହୋଇପାରିବ। ଗଣେଶଙ୍କର ଅଦ୍ଭୁତ ରୂପ। ବେକଠାରୁ ତଳକୁ ମଣିଷ ପରି ଓ ଉପରକୁ ହାତୀର ମୁଣ୍ଡ। ହାତୀମୁଣ୍ଡରେ ପୁଣି ଦୁଇଟି ବଦଳରେ ଗୋଟିଏ ଦାନ୍ତ ଅଛି। ପେଟଟି ବଡ଼। ଏପରି ଅଦ୍ଭୁତ ରୂପ ଯୋଗୁ ଆଜିକାଲି କିଏ କେତେ ବିକୃତ ରୂପବିଶିଷ୍ଟ ଗଣେଶ ମୂର୍ତ୍ତି ଗଢ଼ି ଲୋକଦେଖାଣିଆ ପୂଜା କରୁଛନ୍ତି। ଏଗୁଡ଼ିକ କିନ୍ତୁ ଅଶାସ୍ତ୍ରୀୟ। ତେବେ ଗଣେଶଙ୍କର ଏପରି ଅଦ୍ଭୁତ ରୂପ କାହିଁକି? ତା’ ପଛରେ ଅନେକ କିମ୍ବଦନ୍ତୀ ଅଛି। ଗୋଟିଏ ମତ ଅନୁସାରେ ଶନିଙ୍କ କୋପଦୃଷ୍ଟିରେ ତାଙ୍କର ମୁଣ୍ଡ କଟିଯାଇଥିଲା। କଟାମୁଣ୍ଡଟି ନ ମିଳିବାରୁ ହାତୀମୁଣ୍ଡ ଲଗାଇ ଜୀବନ୍ୟାସ ଦିଆହୋଇଛି। ଅନ୍ୟ ଏକ ମତ ଅନୁସାରେ ନିଜେ ବାପା ଶିବ କୁଆଡ଼େ ପୁଅକୁ ଚିହ୍ନି ନ ଥିଲେ। ମାତା ପାର୍ବତୀ ଗଣେଶଙ୍କୁ ଗୁମ୍ଫାଦ୍ୱାରରେ ଜଗାଇଦେଇ ଭିତରେ ତପସ୍ୟା କରୁଥିଲେ। ଶିବ ଆସିଲେ ପାର୍ବତୀଙ୍କୁ ଭେଟିବାକୁ। ଗଣେଶ ତାଙ୍କୁ ଭିତରକୁ ନ ଛାଡ଼ିବାରୁ ଯୁଦ୍ଧ ହେଲା। ପ୍ରଥମେ ଶିବ ହାରିଗଲେ। ତା’ପରେ ଅନ୍ୟ ଦେବତାମାନଙ୍କର ସାହାଯ୍ୟ ନେଇ ଗଣେଶଙ୍କୁ ପରାସ୍ତ କଲେ ଓ ତାଙ୍କ ମୁଣ୍ଡ କାଟିଦେଲେ। ପାର୍ବତୀ ଏହା ଜାଣିବା ପରେ ବିଳାପ କରିଉଠିଲେ। ଗଣେଶ ତାଙ୍କର ମାନସପୁତ୍ର ବୋଲି ସ୍ବାମୀଙ୍କୁ ପରିଚୟ ଦେଇ ତାକୁ ବଞ୍ଚାଇଦେବା ପାଇଁ ଅନୁରୋଧ କଲେ। କିନ୍ତୁ ସେତେବେଳକୁ ଗଣେଶଙ୍କର ମୁଣ୍ଡ ଆଉ ସେଠାରେ ନ ଥିଲା। ତାହା ଶ୍ୱାପଦଙ୍କର ଆହାର ହୋଇସାରିଥିଲା। ଶିବଙ୍କ ନିର୍ଦ୍ଦେଶରେ ଅନୁଚରମାନେ ବିଭିନ୍ନ ଆଡ଼େ ବୁଲି କେଉଁଠୁ କିଛି ନ ପାଇ ପଶ୍ଚିମଦିଗକୁ ମୁଣ୍ଡ କରି ଶୋଇଥିବା ଏକ ହାତୀର ମୁଣ୍ଡ କାଟିଆଣି ଦେଲେ। ସେହି ମୁଣ୍ଡକୁ ଲଗାଇ ଶିବ ମନ୍ତ୍ରଦ୍ୱାରା ଗଣେଶଙ୍କୁ ଜୀବନ୍ୟାସ ଦେଲେ। ପ୍ରକୃତରେ ଏହା ସମ୍ଭବ କି? ଗୋଟିଏ ବାଳକର ବେକର ମୋଟେଇ କେତେ ଓ ଗୋଟିଏ ଦନ୍ତାହାତୀ (ଗଣେଶଙ୍କ ହାତୀ ମୁଣ୍ଡରେ ଦାନ୍ତର କଳ୍ପନା କରାଯାଇଥିବାରୁ ଏ ଗୋଟିଏ ଛୁଆହାତୀ ନୁହେଁ, ବୟସ୍କ ଦନ୍ତାହାତୀ ହୋଇଥିବ ନିଶ୍ଚୟ)ର ବେକର ମୋଟେଇ କେତେ? ପୁନଶ୍ଚ ମଣିଷର ବେକ ବର୍ତ୍ତୁଳାକାର ହୋଇଥିବା ବେଳେ ହାତୀ ବେକ ସେପରି ନୁହେଁ। ତେଣୁ ଆକାର, ପ୍ରକାର, ମୋଟେଇ ଆଦିର ଏତେ ଭିନ୍ନତା ସତ୍ତ୍ୱେ ଏକ ହାତୀ ମୁଣ୍ଡକୁ ମଣିଷ ବେକରେ ଅସ୍ତ୍ରୋପଚାର ବା ଅଙ୍ଗ ପ୍ରତିରୋପଣ ବା ମନ୍ତ୍ରଶକ୍ତି ଦ୍ୱାରା ଯୋଡ଼ି ତାହାକୁ ଜୀବନ୍ୟାସ ଦେବା କିପରି ସମ୍ଭବ? ଆମ ପୁରାଣଶାସ୍ତ୍ର ମିଛ ନୁହେଁ। କିନ୍ତୁ ସେଥିରେ ଅତିରଞ୍ଜନ ଓ ପ୍ରକ୍ଷେପ ଅଛି ଏବଂ ଅନେକ କଥା ଆମେ ଠିକ୍‌ରୂପେ ବୁଝି ନ ପାରି ଭିନ୍ନ ଅର୍ଥ କରୁଛୁ। ପ୍ରକୃତରେ ଗଣେଶଙ୍କର ଗଜାନନ, ଗଜବକ୍ତ୍ର, ଗଜେନ୍ଦ୍ରବଦନ ଆଦି ନାମ ପ୍ରଥମେ ସୃଷ୍ଟି ହୋଇଛି। ତା’ପରେ ତାଙ୍କର ନାମ ଓ ଶାସ୍ତ୍ରୋକ୍ତ ରୂପବର୍ଣ୍ଣନାରୁ ତାଙ୍କର ଏପରି ଅଦ୍ଭୁତ ଛବି ଓ ମୂର୍ତ୍ତି ନିର୍ମାଣ କରାଯାଇଛି। ଗଜ ଶବ୍ଦର ବିଭିନ୍ନ ଅର୍ଥ ମଧ୍ୟରୁ ବହୁପ୍ରଚଳିତ ଅର୍ଥଟି ହେଉଛି ହାତୀ। ଏହାର ଆଉ ଏକ ଅଥଚ ଅଧୁନା ଅପ୍ରଚଳିତ ଅର୍ଥ ହେଉଛି ଶ୍ରେଷ୍ଠ। ସାଧାରଣ ଅଭିଧାନରେ ଏ ଅର୍ଥ ମିଳିବ ନାହିଁ। ଏଥିପାଇଁ ବଡ଼ ସଂସ୍କୃତ ଅଭିଧାନ ଦେଖିବାକୁ ପଡ଼ିବ। ଅମରକୋଷ ଅଭିଧାନରେ ଅଛି- ସ୍ୟୁରୁତ୍ତରପଦେ ବ୍ୟାଘ୍ରପୁଂଗବର୍ଷଭକୁଞ୍ଜରାଃ। ସିଂହଶାର୍ଦ୍ଦୁଳନାଗାଦ୍ୟାଃ ପୁଂସି ଶ୍ରେଷ୍ଠାର୍ଥବାଚକାଃ।ା ଅର୍ଥାତ୍‌ ବ୍ୟାଘ୍ର, ପୁଂଗବ, ଋଷଭ, କୁଞ୍ଜର, ସିଂହ, ଶାର୍ଦ୍ଦୁଳ ଓ ନାଗ- ଏ ସାତନାମ ଉତ୍ତରପଦରେ ଥିଲେ ଶ୍ରେଷ୍ଠ ବା ପ୍ରଧାନ ଅର୍ଥକୁ ବୁଝାଏ। ଏଠାରେ କୁଞ୍ଜର ଓ ନାଗ- ଏ ଦୁଇଟିର ଅର୍ଥ ହେଉଛି ହାତୀ (ମତଙ୍ଗଜୋ ଗଜୋ ନାଗଃ କୁଞ୍ଜରୋ ବାରଣଃ କରୀ-ଅ.କୋ.)। ନାଗ ଶବ୍ଦ ଉତ୍ତରପଦରେ ଥିଲେ ଶ୍ରେଷ୍ଠ ଅର୍ଥକୁ ବୁଝାଏ, ଯଥା ପୁଂନାଗ- ଅର୍ଥ ପୁରୁଷଶ୍ରେଷ୍ଠ। ଶ୍ରେଷ୍ଠ ଅର୍ଥରେ ଗଜ ଶବ୍ଦର ବ୍ୟବହାର ପୂର୍ବପଦରେ ବି ଅଛି, ଯଥା: ଗଜମୂର୍ଖ (ଶ୍ରେଷ୍ଠ ମୂର୍ଖ) ଓ ଦିଗ୍‌ଗଜ ପଣ୍ଡିତ (ଶ୍ରେଷ୍ଠ ପଣ୍ଡିତ)। ସୁତରାଂ ଗଜାନନର ଅର୍ଥ ହସ୍ତୀବଦନ ନ ହୋଇପାରେ। ଗଜ ଶବ୍ଦ କେବଳ ଶ୍ରେଷ୍ଠ ଅର୍ଥରେ ହିଁ ଏଠାରେ ବ୍ୟବହୃତ ହୋଇଛି। ଶ୍ରେଷ୍ଠ ଆନନ ଯାହାର ସେ ହିଁ ଗଜାନନ। ଶ୍ରେଷ୍ଠ ଆନନ ବା ଶ୍ରେଷ୍ଠ ମସ୍ତିଷ୍କ ଧାରକ ହେତୁ ଗଣେଶ ହିଁ ଗଣପତି ବା ଗଣପାଳକ। ଗଣେଶଙ୍କର ଆଉ ଏକ ନାଁ ପୁଣି ଏକଦନ୍ତ। ଆମ ବୁଝିବା ଅନୁସାରେ ଗୋଟିଏ ଦାନ୍ତ ଯାହାର ସେ ଏକଦନ୍ତ। କିମ୍ବଦନ୍ତୀ ଅଛି ଏକଦା ପର୍ଶୁରାମଙ୍କ ସହ ଗଣେଶଙ୍କର ଯୁଦ୍ଧ ହୋଇଥିଲା। ପର୍ଶୁରାମଙ୍କ ପରଶୁ ଚୋଟରେ ଗଣେଶଙ୍କର ଗୋଟିଏ ଦାନ୍ତ କଟିଯାଇଥିଲା। ପୁଣି ଭିନ୍ନ ମତ ଅନୁସାରେ ବ୍ୟାସଦେବ ମହାଭାରତ ଲେଖିବାବେଳେ ଗଣେଶଙ୍କର ସାହାଯ୍ୟ ନେଇଥିଲେ। ବ୍ୟାସଦେବ ଡାକୁଥିଲେ ଓ ଗଣେଶ ଲେଖୁଥିଲେ। ଲେଖିବାବେଳେ ଲେଖନୀ ମୁନ ଭାଙ୍ଗିଗଲା। ତେଣୁ ଗଣେଶ ନିଜର ଗୋଟିଏ ଦାନ୍ତ ଭାଙ୍ଗି ତାକୁ ଲେଖନୀ ଭାବେ ବ୍ୟବହାର କରିଥିଲେ। ଏହାପରେ ସେ ଏକଦନ୍ତ ନାମରେ ପରିଚିତ ହେଲେ। କିନ୍ତୁ ଦନ୍ତ ଶବ୍ଦର ଆଉ ଗୋଟିଏ ଅର୍ଥ ଦମନକାରୀ କାରଣ ଦମନାର୍ଥକ ଦମ୍‌ ଧାତୁରୁ ଦନ୍ତ ଶବ୍ଦ ସୃଷ୍ଟି ହୋଇଛି। ସେଥିପାଇଁ ଯାହାଙ୍କୁ ଦମନ କରିବା କଷ୍ଟସାଧ୍ୟ ତାଙ୍କୁ ଦୁର୍ଦ୍ଦାନ୍ତ କୁହାଯାଏ। ତେଣୁ ଏକଦନ୍ତର ଅର୍ଥ ଏକମାତ୍ର ଦମନକାରୀ ବା ନିୟନ୍ତ୍ରଣକାରୀ। ରିପୁମାନଙ୍କୁ ଦମନ କରିବାର କ୍ଷମତା ଯାହାର ନାହିଁ ସେ କିପରି ଗଣର ରକ୍ଷା କରିପାରିବ? ସେ ରିପୁ ବାହ୍ୟ ହୋଇପାରେ, ଆଭ୍ୟନ୍ତରୀଣ ହୋଇପାରେ। ଗଣେଶଙ୍କର ଆଉ ଏକ ନାମ ହେଉଛି ବିନାୟକ। ବିଶେଷଭାବେ ନିୟନ୍ତ୍ରଣ ବା ବିନାୟନା କରିବାର କ୍ଷମତା ଯାହାର ଅଛି ସେ ବିନାୟକ। ପୁନଶ୍ଚ ବି-ପୂର୍ବକ ନୀ-ଧାତୁରୁ ବିନାୟକ ଶବ୍ଦ ସୃଷ୍ଟି ହୋଇଛି। ନୀ ଅର୍ଥ ନେଇଯିବା। ଯେ ଅନୁଗତ, ଅନୁଗାମୀ ବା ଆଶ୍ରିତମାନଙ୍କୁ ବିଶେଷଭାବେ ସତ୍‌ ବା ଆଦର୍ଶ ବା ଇଷ୍ଟ ବା ଧର୍ମ ପଥରେ ନେଇଯାନ୍ତି, ସେ ହିଁ ବିନାୟକ। ବାସ୍ତବ ଅର୍ଥରେ ସେ ହିଁ ଗଣନେତା। ଆଜି ହେଉଛି ଗଣେଶ ପୂଜା। ପୂଜା ମାନେ ନୁହେଁ ଫୁଲ, ଚନ୍ଦନ ଓ ଧୂପଦୀପ ଦେଇ କିଛି ମନ୍ତ୍ରପାଠ କରିବା। ପୂଜା ଶବ୍ଦଟି ଆସିଛି ପୂଜ୍‌ ଧାତୁରୁ ଯାହାର ଅର୍ଥ ସମ୍ବର୍ଦ୍ଧନା। ତେଣୁ ଆମେ ଯାହାଙ୍କୁ ପୂଜା କରୁଛୁ ତାଙ୍କର ସୁଗୁଣାବଳୀକୁ ନିଜ ଚରିତ୍ରରେ ଫୁଟାଇତୋଳିବା ବା ନିଜ ଭିତରେ ସମ୍ବର୍ଦ୍ଧିତ କରିବା ଏହି ପୂଜାର ଉଦ୍ଦେଶ୍ୟ। ଗଣେଶଙ୍କ ପରି ଆମେ ଯଦି ଆତ୍ମନିୟନ୍ତ୍ରଣ କରିପାରୁ, ତାଙ୍କ ପରି ବିଦ୍ୟାର୍ଜନ ଲାଗି ଅଧ୍ୟବସାୟ କରିପାରୁ, ତାଙ୍କର ସମସ୍ତ ସୁଗୁଣର ଅଧିକାରୀ ହେବା ଲାଗି ପ୍ରଯତ୍ନ କରୁ ତେବେ ଯାଇ ଏ ପୂଜା ସାର୍ଥକ ହେବ। ଏତଦ୍‌ଭିନ୍ନ ବାହ୍ୟାଡ଼ମ୍ବରପୂର୍ଣ୍ଣ ପୂଜାର କିଛି ମୂଲ୍ୟ ନାହିଁ। ମୋ- ୯୪୩୮୨୯୬୧୩୫, dolagovinda@gmail.com

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri