ପାଚକ ନଳ

ହୁଦିନ ତଳର କଥା। ଏମିତି ଜଣେ ଲୋକ ଥିଲେ, ଯିଏ ଏତେ ଭଲ ରାନ୍ଧୁଥିଲେ ଯେ ଜଣେ ଯୁବତୀ ତାଙ୍କୁ ବିବାହ କରିବାକୁ ମନସ୍ଥ କଲେ। ଯେତେବେଳେ ଲୋକଟି ଏକ ରୋଷେଇ କାମରେ ଦୂରକୁ ଚାଲିଗଲେ, ଯୁବତୀ ଜଣକ ତାଙ୍କ ରାନ୍ଧଣାର ବାସ୍ନା ବାରି ତାଙ୍କ ମାଲିକଙ୍କ ଘରେ ଯାଇ ପହଞ୍ଚିଗଲେ। ଲୋକଟିର ନଁା ହେଉଛି ନଳ ଏବଂ ତାଙ୍କୁ ଭଲ ପାଉଥିବା ଯୁବତୀଙ୍କ ନଁା ଦମୟନ୍ତୀ। ମହାଭାରତରେ ପାଣ୍ଡବମାନଙ୍କ ବନବାସ ସମୟରେ ବୃହଦଶ୍ୱ ନାମକ ଜଣେ ଋଷି ନଳୋପାଖ୍ୟାନ ନାମରେ ଏ କାହାଣୀଟି ତାଙ୍କ ଆଗରେ ବର୍ଣ୍ଣନା କରିଛନ୍ତି। ଫଳରେ ଏହା କାହାଣୀ ଭିତରେ ଥିବା ଏକ କାହାଣୀରେ ପରିଣତ ହୋଇଛି। ନଳ ବୋକାମି ଯୋଗୁ ନିଜର ସୌଭାଗ୍ୟ ହରାଇ ଲାଜରେ ସ୍ତ୍ରୀ ପାଖରୁ ଲୁଚି ପଳାଇଥିଲେ। ଶେଷରେ ଦମୟନ୍ତୀ ତାଙ୍କୁ ପାଇ ନିଜର ପ୍ରେମ ବଳରେ ତାଙ୍କଠାରେ ପୁନଃ ଆତ୍ମବିଶ୍ୱାସ ଜନ୍ମାଇଥିଲେ। ମଜାର କଥା ହେଉଛି ନଳ ଜଣେ ସାଧାରଣ ଲୋକ ନ ଥିଲେ, ସେ ଥିଲେ ଜଣେ ରାଜା, ଯିଏ ରାନ୍ଧିବାରେ ଯେମିତି ଓସ୍ତାଦ୍‌, ରଥ ଚାଳନାରେ ବି ସେମିତି ପାରଦର୍ଶୀ କିନ୍ତୁ ପଶା ଖେଳରେ ଖୁବ୍‌ ଦୁର୍ବଳ। ନଳଙ୍କୁ ନିଷଧ ଭାବେ ବର୍ଣ୍ଣନା କରାଯାଇଛି, ଯାହାର ଅନେକ ଅର୍ଥ ଅଛି। ନଳ ନିଷଧ ଦେଶର ରାଜା ଥିଲେ, ଯାହା ବିନ୍ଧ୍ୟ ପର୍ବତର ଉତ୍ତରବର୍ତ୍ତୀ ଆଧୁନିକ କୁମାୟୁନ୍‌ ଅଞ୍ଚଳ ବୋଲି କୁହାଯାଏ। ନିଷଧର ଅନ୍ୟ ଅର୍ଥ ଆଦିବାସୀ ରାଜା ହୋଇପାରେ। ମହାଭାରତରେ ଭୀମ ବି ଜଣେ ଭଲ ରୋଷେଇଆ ଥିଲେ। କିନ୍ତୁ ସେ ନିଜେ ଖାଇବା ପାଇଁ ରାନ୍ଧୁଥିଲେ। ସେଥିପାଇଁ ତାଙ୍କର ନରକବାସ ହୋଇଥିଲା। ବିରାଟ ପର୍ବରେ ମତ୍ସ୍ୟଦେଶରେ ଯେତେବେଳେ ତାଙ୍କୁ ଗୁପ୍ତରେ ରହିବାକୁ ପଡ଼ିଥିଲା, ସେ ବିରାଟ ରାଜାଙ୍କ ରୋଷେଇଆ ଭାବେ ଚାକିରି କରିଥିଲେ। ସେତେବେଳେ ସେ ରୋଷେଇ କରି ପ୍ରଥମେ ଅନ୍ୟମାନଙ୍କୁ ଖାଇବାକୁ ଦେଇ ପରେ ନିଜେ ଖାଇବାକୁ ବାଧ୍ୟ ହୋଇଥିଲେ। ରୋଷେଇଆ ଜଣେ ଦାସ ବା ଚାକର ଭାବେ ଜୀବିକା ନିର୍ବାହ କରେ। ତେଣୁ ଜଣେ ରାଜା ଏପରି ବୃତ୍ତି ବା ହବି ଆପଣେଇବା କ୍ୱଚିତ୍‌ ଦେଖାଯାଏ। କିନ୍ତୁ ଏହି ହବି ଯୋଗୁ ନଳ ଦମୟନ୍ତୀଙ୍କ ହୃଦୟ ଜିଣିପାରିଥିଲେ। ନଳଙ୍କର ଏହି ବିଶେଷ ଗୁଣ ଯୋଗୁ ତାଙ୍କ ସ୍ବୟମ୍ବରକୁ ନଳଙ୍କ ବେଶ ଧରି ଆସିଥିବା ଦେବତାମାନଙ୍କ ଭିତରୁ ସେ ନଳଙ୍କୁ ଚିହ୍ନିପାରିଥିଲେ। କାରଣ ଦେବତାମାନଙ୍କଠାରୁ ଫୁଲର ବାସ୍ନା ଆସୁଥିବା ବେଳେ ନଳଙ୍କଠାରୁ ରୋଷେଇଶାଳାର ସୁଗନ୍ଧ ଆସୁଥିଲା। ଯେଉଁ ନାରୀମାନେ ସ୍ବାମୀ ସେବାପରାୟଣା, ସେମାନେ ଭଲ ପାଚିକା ହୋଇଥାନ୍ତି। ସୀତା ଓ ଦ୍ରୌପଦୀ ଖୁବ୍‌ ଭଲ ରାନ୍ଧଣା ଓ ଅତିଥିଚର୍ଚ୍ଚା ଜାଣିଥିଲେ। ନଳ ହେଉଛନ୍ତି ଏକ ବ୍ୟତିକ୍ରମ। ସେ ଜଣେ ପୁରୁଷ ହୋଇ ବି ଭଲ ରୋଷେଇଆ ଥିଲେ। ଏପରି କି ନଳ ଏକ ରୋଷେଇ ବହି ବି ଲେଖିଛନ୍ତି। ତେବେ ସଂସ୍କୃତରେ ଲେଖାଯାଇଥିବା ପ୍ରାୟ ୮୦୦ ବର୍ଷ ତଳର ଏ ବହିଟିକୁ ପ୍ରକୃତରେ ନଳ ଲେଖିଛନ୍ତି କି ଆଉ କେହି ଲେଖି ନଳଙ୍କ ନାମରେ ଭଣତି କରିଛନ୍ତି, ତାହା କହିହେବ ନାହିଁ। ଏ ବହିଟିର ନଁା ହେଉଛି ପାକ-ଦର୍ପଣ। ଏ ବହିରେ କେବଳ ବିଭିନ୍ନ ପ୍ରକାର ବ୍ୟଞ୍ଜନର ରନ୍ଧନ ଶୈଳୀ ଲେଖା ନାହିଁ, ଏଥିରେ ବିଭିନ୍ନ ପ୍ରକାର ପିନିପରିବା ଓ ଖାଦ୍ୟଦ୍ରବ୍ୟର ଔଷଧୀୟ ଗୁଣ ବି ଲେଖା ଅଛି, ଯାହା ଆୟୁର୍ବେଦଶାସ୍ତ୍ରସମ୍ମତ। ପୁଣି ଦିନର କେଉଁ ସମୟରେ କ’ଣ ଖାଇବା ଉଚିତ ଏବଂ କେଉଁ ଋତୁରେ କ’ଣ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର ତାହା ବି ଲେଖା ହୋଇଛି। ଏଥିରେ ପୁଣି ବିଷାକ୍ତ ହୋଇ ନ ଥିବା କେଉଁ କେଉଁ ଜିନିଷକୁ ମିଶାଇଲେ ତାହା ବିଷ ହୋଇଯାଏ, ପୁଣି କେଉଁ କେଉଁ ବିଷାକ୍ତ ଜିନିଷକୁ କିପରି ରାନ୍ଧିଲେ ତାହା ବିଷଶୂନ୍ୟ ଓ ଖାଦ୍ୟ ଉପଯୋଗୀ ହୋଇଯାଏ, ତାହା ବି ଲେଖା ଅଛି। ତେଣୁ ଆମେ ବିଷାକ୍ତ ଧାତୁରା ଓ ଅରଖ ପତ୍ରରେ ପ୍ରସ୍ତୁତ ବ୍ୟଞ୍ଜନ ବି ପାଉ ଯାହା ରନ୍ଧନ ଶୈଳୀରେ ବିଷଶୂନ୍ୟ ହୋଇଯାଇଥାଏ। ଜଣେ ଭଲ ରୋଷେଇଆ ଓ ପରିବେଷଣକାରୀର କି କି ସୁଗୁଣ ରହିବା ଉଚିତ ତାହା ଏହି ପୁସ୍ତକରେ ଲେଖା ଅଛି। ଏଥିରେ ବିଭିନ୍ନ ପ୍ରକାର ବ୍ୟଞ୍ଜନର ବର୍ଣ୍ଣନା ଅଛି, ଯଥା- ଭାତ, ଖେଚୁଡ଼ି, ଦହିଭାତ, ଘିଅ, ଲହୁଣୀ, ଘୋଳଦହି, ପୁଡ଼ିଙ୍ଗ୍‌ (ଖାଇବା ପରେ ପରଷାଯାଉଥିବା ମିଠାଇ ବିଶେଷ), ଜୁସ୍‌, ମାଂସ ତରକାରି, ପନିପରିବା ତରକାରି, ସୁପ୍‌, ଚଟଣି, ଚର୍ବ୍ୟ, ଶୋଷ୍ୟ, ଲେହ୍ୟ, ପେୟ ଓ କ୍ଷୁଧାବର୍ଦ୍ଧକ ପ୍ରଭୃତି। ସବୁଠୁ ମଜାର କଥା ହେଲା ଏଥିରେ ବିରିୟାନୀ ବା ମାଂସ ସହ ଭାତ ରନ୍ଧାଯିବାର ପଦ୍ଧତି ବର୍ଣ୍ଣିତ ଅଛି। ବିଭିନ୍ନ ପ୍ରକାର ଆମିଷ ତରକାରୀ (ମାଛ, ମାଂସ, ଅଣ୍ଡା)ର ରନ୍ଧନ ପ୍ରଣାଳୀର ବିସ୍ତୃତ ବର୍ଣ୍ଣନା ଅଛି। ଏହି ସଂସ୍କୃତ ପୁସ୍ତକରେ ଆମିଷ ଦ୍ରବ୍ୟକୁ ନେଇ ନାସିକା କୁଞ୍ଚନ କରାଯାଇ ନାହିଁ। । (ଲେଖକ ଜଣେ ବିଶିଷ୍ଟ ପୁରାଣବିତ୍‌ ଏବଂ ପୁରାଣଶାସ୍ତ୍ର ଉପରେ ସେ ଅନେକ ପୁସ୍ତକ ରଚନା କରିଛନ୍ତି। ତାଙ୍କ ପୁସ୍ତକଗୁଡ଼ିକ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଥିବା ମଡର୍ନ ବୁକ୍‌ ଡିପୋ, ଫୋନ୍‌- ୦୬୭୪-୨୫୩୪୩୭୩, modbooks.bbsr@gmail.comରେ ଉପଲବ୍ଧ।) ଲେଖକଙ୍କ ଇମେଲ୍‌ ଠିକଣା: devdutt@devdutt.com

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri