ଦୁର୍ଦ୍ଦଶା କହିଲେ ନ ସରେ

ଳର ଅନ୍ୟ ନାମ ଜୀବନ, ଯାହା ସହିତ ସକଳ ଜୀବଜଗତ ତଥା ଉଦ୍ଭିଦ ଓ ପ୍ରାଣୀ ପ୍ରତ୍ୟକ୍ଷ ଭାବରେ ଜଡିତ। ବେଳେ ବେଳେ ଜଳ ମଧ୍ୟ ସମସ୍ତ ଜୀବକୁଳ ପାଇଁ ବିପଦ ସୃଷ୍ଟି କରେ। କାରଣ ଅସ୍ବାସ୍ଥ୍ୟକର ପରିବେଶ ଓ ଦୂଷିତ ପାଣି ମଣିଷ ମୃତ୍ୟୁର କାରଣ ହୋଇଥାଏ। ଆମ ରାଜ୍ୟରେ ଥିବା ନଦୀ ଓ ଉପନଦୀ ଅବବାହିକା ଅଞ୍ଚଳରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା କରାଯାଉଥିବାରୁ ଜଳ ପ୍ରଦୂଷଣ ଘଟୁଛି। ବିଶେଷ କରି ଓଡିଶାର ଶିଳ୍ପ ରାଜଧାନୀ କୁହାଯାଉଥିବା ଅନୁଗୋଳ ଜିଲାର ତାଳଚେର ଉପଖଣ୍ଡରେ ଯେଉଁଭଳି ଭାବରେ ଜଳସଙ୍କଟ ଓ ପ୍ରଦୂଷଣ ଲାଗିରହିଛି, ସେଥିରୁ ଯେମିତି ନିସ୍ତାର ନାହିଁ। ଏମ୍‌ସିଏଲ କୋଇଲା ଖଣି ଏବଂ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପ ନଦୀ ଅବବାହିକାରେ ଅବସ୍ଥିତ, ଯାହାର ପରିଣାମ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଭୋଗିବାକୁ ପଡୁଛି। ଜଳକୁ ନେଇ ଲୋକମାନଙ୍କ ଦୁର୍ଦ୍ଦଶା କହିଲେ ନ ସରେ। ସରକାର ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ଅପେକ୍ଷା ଶିଳ୍ପକୁ ଅଧିକ ଗୁରୁତ୍ବ ଦେଇ ଆସୁଛନ୍ତିି। ଲଗାମଛଡା ଶିଳ୍ପ ସାଙ୍ଗକୁ, ଜନସଂଖ୍ୟା ବୃଦ୍ଧି, ସହରାଞ୍ଚଳର ପ୍ରସାର, ମୋଟରଗାଡିରୁ ନିର୍ଗତ କଳାଧୂଅଁା, କୃଷିରେ ଅତ୍ୟଧିକ ରାସାୟନିକ ପଦାର୍ଥର ପ୍ରୟୋଗ ଇତ୍ୟାଦି ସମସ୍ୟାକୁ ଆହୁରି ଉତ୍କଟ କରିଛି। ଶିଳ୍ପଗୁଡିକରେ ବ୍ୟବହୃତ କୋଇଲା ଓ ଜୀବାଶ୍ମ ଜାଳେଣି ଦ୍ବାରା ନିର୍ଗତ ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ଡଳକୁ ଉତ୍ତପ୍ତ ଓ ଦୂଷିତ କରୁଛି। ଏନ୍‌ଟିପିସି (କଣିହଁା) ସମଗ୍ର ଦେଶର ଏକ ପ୍ରମୁଖ ବିଦ୍ୟୁତ୍‌ ପ୍ରକଳ୍ପ। ଏହା ଓଡିଶା, ଆନ୍ଧ୍ରପ୍ରଦେଶ, କର୍ନାଟକ, ତେଲେଙ୍ଗାନା, ବିହାର ଓ ପଶ୍ଚିମବଙ୍ଗକୁ ବିଦ୍ୟୁତ୍‌ ଯୋଗାଇ ଆସୁଛି। ଏହି ବୃହତ୍‌ ପ୍ରକଳ୍ପଟି ଅବସ୍ଥାପିତ ହେଲା ପରଠାରୁ ବ୍ରାହ୍ମଣୀ ଓ ତା’ର ଶାଖାନଦୀର ଜଳ ଦୂଷିତ ହେବାକୁ ଲାଗିଛି, ଯାହା ପାଇଁ ନନ୍ଦିରା ନଦୀ ପ୍ରାୟ ପୋତି ହୋଇସାରିଥିବା ବେଳେ ଟିକିରା ନଦୀର ଜଳ ସଂପୂର୍ଣ୍ଣ ମାତ୍ରାରେ ପ୍ରଦୂଷିତ ହୋଇଯାଇଛି। ଟିକିରା ନଦୀର ଦୂଷିତ ଜଳ ବ୍ରାହ୍ମଣୀ ନଦୀରେ ମିଶୁଛି, ଯେଉଁ ପାଣି ମଣିଷ ଓ ପଶୁପକ୍ଷୀଙ୍କ ପିଇବା ଏବଂ ଚାଷ ପାଇଁ ସଂପୂର୍ଣ୍ଣ ଅନୁପଯୋଗୀ। ଟିକିରା ନଦୀ ବ୍ରାହ୍ମଣୀ ନଦୀ ସହିତ ବିଜିଗୋଳ ଗ୍ରାମ ନିକଟରେ ମିଶିଛି। ନଦୀ ଉପରେ ପାର୍ଶ୍ୱବର୍ତ୍ତୀ ଟାକୁଆ, କାଟେଣୀ, ଗୋଡାଶିଳା, ଡେରାଙ୍ଗ, ସାରଥିପାଳ, ବୁରୁବାହଳ, ଭୀମକାଣ୍ଡ, ବଣସିଂହ, ମୁଣ୍ଡାହଟିଙ୍ଗ, ରଂଗବେଡା, ଟୋଲକବେଡା, ଝରାବେରିଣି, ପଟାଖମଣ, କାରଡେଇ ଇତ୍ୟାଦି ଗ୍ରାମର ହଜାର ହଜାର ଲୋକ ନିର୍ଭରଶୀଳ। ପ୍ରତିଦିନ ଏନ୍‌ଟିପିସିର ଆଶ୍‌ପଣ୍ଡ୍‌ର ପାଉଁଶ ଓ ପାଉଁଶମିଶା ପାଣି ଟିକିରା ନଦୀକୁ ଛାଡି ଦିଆଯାଉଛି। ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପ ଓ ନିକଟରେ ଥିବା ଏମ୍‌ସିଏଲରୁ ଆସୁଥିବା ବର୍ଜ୍ୟବସ୍ତୁ, ମଳମୂତ୍ର, ପାଉଁଶ, ଫ୍ଲୋରାଇଡ୍‌, ଫସ୍‌ଫରସ୍‌, ଆମୋନିଆ, ଇଉରିଆ, ଏସିଡ୍‌ ଭଳି ମାରାତ୍ମକ ଧାତବ ପଦାର୍ଥ ମିଶି ନଦୀଜଳକୁ ଅଧିକ ଦୂଷିତ କରୁଛି। ନଦୀ ପାଣିରୁ ଭୟଙ୍କର ଦୁର୍ଗନ୍ଧ ବାହାରୁଛି। ପିଇବା, ଗାଧୋଇବା ତ ଦୂରର କଥା, ପାଣିର ଅବସ୍ଥା ଏମିତି ହୋଇଛି ଯେ, ସେଥିରେ ଗୋଡ ଧୋଇବା ବି ଉଚିତ ନୁହେଁ। ସବୁବେଳେ କୋଇଲା ଓ ପାଉଁଶ ବାୟୁମଣ୍ଡଳକୁ ଆଚ୍ଛାଦିତ କରିରଖିଛି। ଏଠାରେ ବସବାସ କରୁଥିବା ଲୋକମାନଙ୍କ ମଧ୍ୟରେ କାଛୁକୁଣ୍ଡିଆ ଭଳି ନାନାପ୍ରକାର ଚର୍ମରୋଗ ସହିତ ମ୍ୟାଲେରିଆ, ଜଣ୍ଡିସ, କର୍କଟ, ଯକ୍ଷ୍ମା, ବ୍ରୋଙ୍କାଇଟିସ୍‌ ଇତ୍ୟାଦି ରୋଗ ବ୍ୟାପିବାରେ ଲାଗିଛି। କେବଳ ସେତିକି ନୁହେଁ, ସେହି ଅଞ୍ଚଳର ଜୀବଜନ୍ତୁ ଓ ବୃକ୍ଷଲତା ପ୍ରାୟତଃ ଲୋପ ପାଇବାକୁ ବସିଲେଣି। ବ୍ରାହ୍ମଣୀ ଓ ଟିକିରା ନଦୀ କୂଳରେ ବସବାସ କରୁଥିବା ହଜାର ହଜାର ଗ୍ରାମବାସୀଙ୍କ ମଧ୍ୟରେ ପ୍ରଦୂଷଣ ଓ ଜଳ ସମସ୍ୟାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏବେ ହଜାର ହଜାର ଗ୍ରାମବାସୀଙ୍କ ଜୀବନ ଓ ମରଣକୁ ନେଇ ପ୍ରଶ୍ନ ଉଠୁଛି। ଗୋଟେ ପଟେ ଭୟଙ୍କର ପ୍ରଦୂଷଣ ଓ ଅନ୍ୟ ପଟେ ପ୍ର୍ରଚଣ୍ଡ ତାତିରେ ପାଣି ମୁନ୍ଦେ ପାଇଁ ଡହଳ ବିକଳ। ଏଭଳି ସ୍ଥିତିରେ ଖାଦ୍ୟ ସୁରକ୍ଷା ଓ ବିଶୁଦ୍ଧ ଜଳ ପାଇଁ ଜଙ୍ଗଲ ଓ ପ୍ରାକୃତିକ ଚକ୍ରଗୁଡିକ ଠିକ୍‌ ପରିଚାଳନା କରିବା ଦିଗରେ ସରକାର ପଦକ୍ଷେପ ଗ୍ରହଣ ନ କଲେ, ଅକାଳରେ ପଶୁପକ୍ଷୀ ସମେତ ମଣିଷ ଜୀବନ ଚାଲିଯିବା ସାର ହେବ। ସର୍ବପ୍ରଥମେ ନଦୀଗୁଡିକରେ ପ୍ରବାହିତ ଦୂଷିତ ଜଳକୁ ବିଶୋଧନ କରାଯିବା ସହିତ ଟିକିରା ନଦୀକୁ ଦୂଷିତ ବର୍ଜ୍ୟଜଳ ପ୍ରବେଶକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉ। ଯଥାଶୀଘ୍ର ଗ୍ରାମଗୁଡିକୁ ପାନୀୟଜଳ ଯୋଗାଇବା ପାଇଁ ପାଇପ୍‌ ଲାଇନ୍‌ ସଂଯୋଗ ସହ ପୁରୁଣା କୂଅ, ନଳକୂଅ ଇତ୍ୟାଦିକୁ ମରାମତି କରାଯାଉ। ଏତଦ୍‌ବ୍ୟତୀତ ବର୍ଷାଋତୁରେ ଜଳସଂରକ୍ଷଣ କରି ଭୂତଳ ଜଳସ୍ତର ବୃଦ୍ଧି, ଆଡିବନ୍ଧ ନିର୍ମାଣ, ବ୍ୟାପକ ବୃକ୍ଷରୋପଣ ଓ ଜଳାଶୟ ଯୋଜନା ମାଧ୍ୟମରେ ଜଳସଙ୍କଟକୁ ଦୂର କରାଯିବା ଦରକାର।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri