ସମାଧାନ ସହଜ ନୁହେଁ

ସଲମାନ ସମାଜରେ ପ୍ରଚଳିତ ଟ୍ରିପଲ୍‌ ତଲାକ୍‌ (ତିନି ତଲାକ୍‌) ଅସାମ୍ବିଧାନିକ ଓ ବେଆଇନ ବୋଲି ସୁପ୍ରିମକୋର୍ଟ ଖଣ୍ଡପୀଠ ରାୟ ଦେଇଛନ୍ତି। ୨୦୧୭ ଅଗଷ୍ଟ ୨୨ରେ ସର୍ବୋଚ୍ଚ ଅଦାଲତର ୫ ଜଣିଆ ସାମ୍ବିଧାନିକ ବେଞ୍ଚ୍‌ ୩-୨ରେ ବିଭାଜିତ ହୋଇ ଏହି ରାୟ ପ୍ରକାଶ କରିଛନ୍ତି। ଉକ୍ତ ମାମଲାର ଶୁଣାଣି କରି ଖଣ୍ଡପୀଠ ଗତ ମେ ୧୮ରେ ରାୟ ସଂରକ୍ଷିତ ରଖିଥିଲେ। ଉଲ୍ଲେଖନୀୟ ବିଷୟ ହେଉଛି, ପ୍ରଧାନ ବିଚାରପତି ଜଷ୍ଟିସ ଜେ.ଏସ. ଖେହାର୍‌ଙ୍କ ସମେତ ଯେଉଁ ୫ ଜଣ ବିଚାରପତିଙ୍କୁ ନେଇ ଏହି ବେଞ୍ଚ୍‌ ଗଠନ କରାଯାଇଥିଲା ସେଥିରେ ବିଭିନ୍ନ ସମ୍ପ୍ରଦାୟର ବିଚାରପତିମାନଙ୍କୁ ସଂଶ୍ଳିଷ୍ଟ କରାଯାଇଥିଲା । ପ୍ରଧାନ ବିଚାରପତି ଜଷ୍ଟିସ୍‌ ଖେହାର୍‌(ଶିଖ୍‌) ଏବଂ ଜଷ୍ଟିସ୍‌ ଅବଦୁଲ ନାଜିର(ମୁସଲମାନ) ଟ୍ରିପଲ୍‌ ତଲାକ୍‌ ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ କହିବା ସହ ଏ ସମ୍ପର୍କରେ ପାର୍ଲାମେଣ୍ଟରେ ଆଇନ ପ୍ରଣୟନ କରାଯିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ ବୋଲି ମତ ଦେଇଛନ୍ତି। ଅନ୍ୟ ତିନିଜଣ ବିଚାରପତି ଜଷ୍ଟିସ୍‌ କୁରିଆନ ଯୋସେଫ(ଖ୍ରୀଷ୍ଟିଆନ), ଜଷ୍ଟିସ୍‌ ଆର୍‌.ଏଫ୍‌. ନରିମାନ(ପାର୍ସୀ) ଏବଂ ଜଷ୍ଟିସ ୟୁ. ୟୁ. ଲଳିତ(ହିନ୍ଦୁ) ସେମାନଙ୍କ ରାୟରେ ଟ୍ରିପଲ୍‌ ତଲାକ୍‌କୁ ଅସାମ୍ବିଧାନିକ, ବେଆଇନ ଏବଂ କୋରାନ ବିରୋଧୀ ବୋଲି ଉଲ୍ଲେଖ କରିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଏହି ଗୁରୁତ୍ୱପୂର୍ଣ୍ଣ ମାମଲାରେ ଯେଉଁ ରାୟ ଆସିଛି ତାହା ସର୍ବସମ୍ମତ ନୁହେଁ । ଭାରତୀୟ ସମାଜରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ଏବଂ ଅନ୍ୟାୟ ଘଟିଚାଲିଛି । ମୁସଲମାନ ମହିଳାମାନେ ଶରିୟାତ୍‌ ଆଇନରେ ଥିବା ଧର୍ମୀୟ ପରମ୍ପରା ଅନୁଯାୟୀ ପୁରୁଷଙ୍କ ଦ୍ୱାରା ତିନି ତଲାକ୍‌ ଭଳି ଅନ୍ୟାୟର ଶିକାର ହେଉଥିବା ବେଳେ ଅନ୍ୟ ସମ୍ପ୍ରଦାୟରେ ମଧ୍ୟ ନାରୀମାନଙ୍କ ପ୍ରତି କୁତ୍ସିତ ବ୍ୟବହାର କରାଯାଉଛି । ଅନେକ ମହିଳା ସ୍ବାମୀଙ୍କ ଦ୍ୱାରା ବିଭିନ୍ନ କାରଣରୁ ପରିତ୍ୟକ୍ତା ହେଉଛନ୍ତି । ଅଳ୍ପ କେତେକ ଛାଡ଼ପତ୍ର ମାମଲା ଅଦାଲତକୁ ଆସୁଥିବା ବେଳେ ବହୁ ଘଟଣା ଚପିଯାଉଛି। ସୁପ୍ରିମକୋର୍ଟ ଯେଉଁ ରାୟ ଶୁଣାଇଛନ୍ତି, ତାହା ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଲିଙ୍ଗଗତ ବୈଷମ୍ୟ ଦୂରେଇ ଦେବାରେ କିଛିଟା ସହାୟକ ହୋଇପାରେ । ମାତ୍ର ଏହାର ବାସ୍ତବ କାର୍ଯ୍ୟକାରିତାକୁ ନେଇ ଘୋର ସନ୍ଦେହ ରହିଛି । ପ୍ରଶ୍ନ ଉଠୁଛି ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ସର୍ବୋଚ୍ଚ ଅଦାଲତଙ୍କର ଏହି ରାୟକୁ କିଭଳି ଭାବେ ଗ୍ରହଣ କରିବ । ଖଣ୍ଡପୀଠ ଗତ ମେ’ରେ ଏକ ସପ୍ତାହ ଧରି ଟ୍ରିପଲ୍‌ ତଲାକ୍‌ ଉପରେ ଶୁଣାଣି ବେଳେ ମୁସଲିମ ପର୍ସନାଲ ଲ’ ବୋଡର୍ର୍ର ମତାମତ ଲୋଡ଼ିଥିଲେ । ବୋର୍ଡ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଥିଲା ଯେ, ଦୁନିଆ ଆଖିରେ ଟ୍ରିପଲ୍‌ ତଲାକ୍‌ ପାପ ହୋଇପାରେ, ମାତ୍ର ଏହା ଶରିୟାତ୍‌ ଆଇନ ଅନୁଯାୟୀ ଏକ ଧର୍ମୀୟ ଧାରା ା ବୋଡର୍ର୍ର ଆଇନଜୀବୀ ଅଦାଲତରେ ପକ୍ଷ ରଖି କହିଥିଲେ, ଟ୍ରିପଲ୍‌ ତଲାକ୍‌ ହେଉଛି ମୁସଲମାନ ସମାଜର ପରମ୍ପରା । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ସୁପ୍ରିମକୋର୍ଟ ମୁଣ୍ଡ ପୂରାଇବା ଅନୁଚିତ । ଏହାସତ୍ତ୍ୱେ ସର୍ବୋଚ୍ଚ ଅଦାଲତ ଟ୍ରିପଲ୍‌ ତଲାକ୍‌ ବିରୋଧରେ ରାୟ ଶୁଣାଇଛନ୍ତି । ଏହା ସତ୍ୟ ଯେ, ଆଇନ କରି କାୈଣସି ସମ୍ପ୍ରଦାୟର ଧର୍ମୀୟ ଭାବଧାରାକୁ ବଦଳାଇବା ସହଜ ନୁହେଁ ।ଉଦାହରଣ ସ୍ବରୂପ ହିନ୍ଦୁମାନଙ୍କୁ ଯଦି ସୁପ୍ରିମକୋର୍ଟଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଏ ଯେ, ଦୁର୍ଗାପୂଜା କିମ୍ବା ଶିବରାତ୍ରି ପାଳନ କରନାହିଁ, ତେବେ ଏହି ନିଷ୍ପତ୍ତିକୁ କୌଣସି ବ୍ୟବସ୍ଥା କାର୍ଯ୍ୟକାରୀ କରିବ ନାହିଁ । ଏଠାରେ ମନେପଡେ ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ଏକ କ୍ଷୁଦ୍ର ରାୟ । ସେଥିରେ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ରାତ୍ରି ୧୦ ଘଟିକା ପରେ କୌଣସି ଡାକବାଜି ଯନ୍ତ୍ର ବ୍ୟବହାର କରାଯାଇ ପାରିବ ନାହିଁ । ଏହି ସାମାନ୍ୟତମ ରାୟକୁ ମାନିବା ପାଇଁ ଭାରତରେ ସମ୍ଭବତଃ କେହି ପ୍ରସ୍ତୁତ ନୁହେଁ । ଅଧିକାଂଶ ସ୍ଥାନରେ ପୋଲିସ ମଧ୍ୟ ନୀରବ ରହିଯାଉଛି । ସେଭଳି ପରିସ୍ଥିତିରେ ଏହି ଦେଶରେ ସମାଜ ପରିବର୍ତ୍ତନକାରୀ ସକାରାତ୍ମକ ରାୟକୁ କୌଣସି ସମ୍ପ୍ରଦାୟ ମାନିଚଳିବ ବୋଲି ବିଶ୍ୱାସ ହେଉନାହିଁ । ଭାରତୀୟଙ୍କ ଚରିତ୍ରରେ ଅରାଜକତା ବସା ବାନ୍ଧି ରହିଛି । ସେଠାରେ ହିନ୍ଦୁ, ମୁସଲମାନ, ଇସାଇ କାହାରି ମଧ୍ୟରେ ତଫାତ୍‌ ଦେଖିବାକୁ ମିଳେନାହିଁ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri