ହୀରାକୁଦ ଜଳ ତଥ୍ୟରେ ଅସଙ୍ଗତି

ଡ଼ିଶା ସରକାର ପ୍ରଦାନ କରୁଥିବା ତଥ୍ୟ ଅନୁସାରେ ଛତିଶଗଡରେ ବିଭିନ୍ନ ନଦୀବନ୍ଧ ଓ ଆନିକଟ ଆଦିର ନିର୍ମାଣ ଯୋଗୁ ଅଣ-ମୌସୁମୀ ଋତୁରେ ଜଳ-ପ୍ରବେଶ ଭୀଷଣ କମିଛି। ଜଳସମ୍ପଦ ବିଭାଗ କହିଛି ଯେ, ପୂର୍ବ ଦଶବର୍ଷର ହାରାହାରି ତୁଳନାରେ ଜଳ-ପ୍ରବେଶ ଗତ ନଭେମ୍ବରରେ ୪୧.୧%, ଡିସେମ୍ବରରେ ୩୨.୯%, ଜାନୁୟାରୀରେ ୩୦.୯%, ଫେବୃୟାରୀରେ ୩୯.୨%, ମାର୍ଚ୍ଚରେ ୨୭.୬%, ଏପ୍ରିଲରେ ୭୩% ଓ ମେ ମାସରେ ୭୭.୫% ହ୍ରାସ ପାଇଛି। ଉପରମୁଣ୍ଡରେ ବନ୍ଧ ହେଲେ ଏବଂ ଜଳର ଉତ୍ତୋଳନ ଓ ଅପସାରଣ ବଢିଲେ ତଳମୁଣ୍ଡକୁ ଜଳପ୍ରବାହ ହ୍ରାସ ପାଇବା ନିଶ୍ଚିତ। କିନ୍ତୁ ଜଳପ୍ରବାହ ଯେତିକି ହ୍ରାସ ପାଇଛି ବୋଲି ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, ତାହା ଆଚମ୍ବିତ କରିବା ନିଶ୍ଚିତ। ଏଭଳି ଭୀଷଣ ସ୍ଥିତିକୁ ନେଇ ରାଜ୍ୟ ସରକାର ତଥା ଅନେକ ସାମାଜିକ କର୍ମୀ ଓ ଅନୁଷ୍ଠାନ ତମ୍ବିତୋଫାନ କରୁଛନ୍ତି। କିନ୍ତୁ ସ୍ଥିତିକୁ ଠିକ୍‌ ଆକଳନ କରି, ତଥ୍ୟର ଠୋସ ପ୍ରମାଣ ରଖି ପଦକ୍ଷେପ ନ ନେଲେ ଅଡୁଆ ପରିସ୍ଥିତିମାନ ସୃଷ୍ଟି ହେବା ନିଶ୍ଚିତ। ଜଳସମ୍ପଦ ବିଭାଗ ତଥା ଅନ୍ୟ ସରକାରୀ ସୂତ୍ରମାନଙ୍କରୁ ପ୍ରାପ୍ତ ସୂଚନାର ବିଶ୍ଳେଷଣରୁ ଜଳସମ୍ପଦ ବିଭାଗ କରୁଥିବା ଦାବିକୁ ନେଇ ସନ୍ଦେହ ଓ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଛିଡା ହେଉଛି। ଜାନୁୟାରୀ ୨୦ତାରିଖରେ ମହାନଦୀ ଉପର-ଅବବାହିକାର ମୁଖ୍ୟଯନ୍ତ୍ରୀ ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖି ଜଣାଇଲେ ଯେ ଛତିଶଗଡ ସରକାର ହୀରାକୁଦ ଉପରମୁଣ୍ଡରେ କରିଥିବା ଆନିକଟମାନଙ୍କରେ ଜଳ ଭରିବା କାରଣରୁ ହୀରାକୁଦକୁ ଡିସେମ୍ବର ମାସରେ ଜଳ-ପ୍ରବେଶ ପୂର୍ବ ଦଶବର୍ଷର ହାରାହାରି ତୁଳନାରେ ୩୩% କମି ଯାଇଛି। ମୁଖ୍ୟଯନ୍ତ୍ରୀ ଆହୁରି ବି ସତର୍କ କରାଇଥିଲେ ଯେ ଏହି ଧାରା ଅବ୍ୟାହତ ରହିଲେ ଗୁରୁତର ଅବସ୍ଥା ସୃଷ୍ଟି ହେବ। ତେବେ ମୁଖ୍ୟଯନ୍ତ୍ରୀ ମହୋଦୟ ସେହି ଚିଠିରେ ପ୍ରଦାନ କରିଥିବା ସାରଣୀର ଅନ୍ୟ ଏକ ତର୍ଜମା ଭିନ୍ନ ଚିତ୍ର ଦିଏ। ମୁଖ୍ୟଯନ୍ତ୍ରୀ ତାଙ୍କ ଚିଠିରେ ୨୦୦୫ରୁ ୨୦୧୬ ମସିହାର ଡିସେମ୍ବର ମାସଗୁଡ଼ିକରେ ପଶିଥିବା ଜଳର ତଥ୍ୟ ଦେଇଛନ୍ତି। ସାରଣୀର ତଳେ କହିଛନ୍ତି ଯେ ୨୦୦୫ରୁ ୨୦୧୫, ଦଶବର୍ଷର ଡିସେମ୍ବର ମାସରେ ହାରାହାରି ୦.୧୮୩ ନିୟୁତ ଏକର ଫୁଟ ଜଳ-ପ୍ରବେଶ କରିଥିଲା। ଏହାଦ୍ୱାରା ମୁଖ୍ୟଯନ୍ତ୍ରୀ ହୁଏତ ଚତୁରତା ପ୍ରଦର୍ଶନ କରିବାର ପ୍ରୟାସ କରିଛନ୍ତି ନ ହେଲେ ଏକ ଭୁଲ ହିସାବ ଦେଇ ବିଭ୍ରାନ୍ତ କରିବାର ଚେଷ୍ଟା କରିଛନ୍ତି। ୨୦୦୫ରୁ ୨୦୧୫ ଦଶ ନୁହେଁ, ଏଗାର ବର୍ଷ। ମୋ ବିଚାରରେ ଏଗାରବର୍ଷର ହାରାହାରି ବାହାର କରି ତାହାକୁ ଦଶବର୍ଷର ବୋଲି କହିବା ଏକ ତ୍ରୁଟି ନୁହେଁ, ଉଦ୍ଦେଶ୍ୟପ୍ରଣୋଦିତ। ଗତ ୨୦୦୬ରୁ ୨୦୧୫ମସିହାର ଡିସେମ୍ବର ମାସମାନଙ୍କର ଜଳ-ପ୍ରବେଶର ହାରାହାରି ଥିଲା ୦.୧୬୫ ନିୟୁତ ଏକର ଫୁଟ। ୨୦୦୫ର ଡିସେମ୍ବର ମାସରେ ହୀରାକୁଦକୁ ପଶିଥିଲା ୦.୩୬୭ ନିୟୁତ ଏକର ଫୁଟ, ଯାହା ପୂର୍ବ ଦଶବର୍ଷର ହାରାହାରିର ଦୁଇଗୁଣରୁ ବି ଅଧିକ। ଏଥିରୁ ଏହି ସନ୍ଦେହ ଦୃଢ଼ୀଭୂତ ହୋଇଛି ଯେ ୨୦୦୫ ବର୍ଷର ଡିସେମ୍ବର ମାସର ଜଳ-ପ୍ରବେଶକୁ ଜାଣିଶୁଣି ମିଶାଯାଇଛି, ଯେମିତି କି ହାରାହାରିଟା ଆଖିଦୃଶିଆ ହୋଇଯିବ ଓ ତୁଳନା କଲେ ଚଳିତ ଡିସେମ୍ବରର ଜଳ-ପ୍ରବେଶ ଖୁବ୍‌ ହ୍ରାସ ପାଇଛି ବୋଲି ଜଣାପଡିବ। ସେହିଭଳି ହାରାହାରି ବାହାର କରି ମୁଖ୍ୟଯନ୍ତ୍ରୀ କହିଛନ୍ତି ଯେ ୨୦୧୬ ଡିସେମ୍ବରରେ ଜଳ ପ୍ରବାହ ୩୭% କମିଛି। କୌଣସି ବର୍ଷର ଗୋଟିଏ ଅଣ-ମୌସୁମୀ ମାସର ପ୍ରବାହକୁ ଅନ୍ୟଗୋଟିଏ ମାସ ବା ହାରାହାରି ପ୍ରବାହ ସହିତ ତୁଳନା କରିବା ଆଦୌ ଠିକ୍‌ ନୁହେଁ କାରଣ ଅଣ-ମୌସୁମୀ ଋତୁର ପ୍ରବାହରେ ଗୁରୁତର ଅସଙ୍ଗତି ରହିଥାଏ। ମୁଖ୍ୟଯନ୍ତ୍ରୀ ପ୍ରଦାନ କରିଥିବା ତଥ୍ୟକୁ ବ୍ୟବହାର କରି ଅନ୍ୟଜଣେ ସମ୍ପୂର୍ଣ୍ଣ ବିପରୀତ ଯୁକ୍ତିଟିଏ ଅତି ଆରାମରେ ବାହାର କରିପାରିବ। ୨୦୧୫ ଡିସେମ୍ବରରେ ୦.୦୮୮ ଓ ୨୦୧୬ ଡିସେମ୍ବରରେ ୦.୧୨୩ ନିୟୁତ ଏକର ଫୁଟ ପାଣି ହୀରାକୁଦକୁ ଆସିଥିଲା। ଏହାକୁ ଦର୍ଶାଇ ଜଣେ ନିଶ୍ଚିତ ଭାବରେ କହିପାରିବେ ଯେ ଚଳିତ ବର୍ଷର ଡିସେମ୍ବରରେ ଗତ ବର୍ଷର ଡିସେମ୍ବର ମାସ ତୁଳନାରେ ଜଳ-ପ୍ରବେଶ ୪୦% ଅଧିକ ଥିଲା। ଆହୁରି ମଧ୍ୟ କହିପାରିବେ ଯେ ବିଗତ ଦଶବର୍ଷରୁ ତିନିବର୍ଷର ଡିସେମ୍ବର ମାସରେ ହୀରାକୁଦକୁ ଜଳପ୍ରବେଶ ଗତ ଡିସେମ୍ବରର ପ୍ରବେଶ ତୁଳନାରେ କମ୍‌ ଥିଲା ଓ ବିଗତ ୫୮ଟି ଡିସେମ୍ବର ମଧ୍ୟରୁ ୧୯ଟି ଡିସେମ୍ବରରେ ଜଳ-ପ୍ରବେଶ ୨୦୧୬ ଡିସେମ୍ବର ତୁଳନାରେ କମ୍‌ ଥିଲା। ସେଭଳି ହିସାବ ଦେଖାଇ ଡିସେମ୍ବରରେ ହୀରାକୁଦକୁ ଜଳ ପ୍ରବାହରେ ଅସଙ୍ଗତି ନାହିଁ ବୋଲି କହିଲେ କିଛି ଭୁଲ ହେବନାହିଁ। ଜଳସମ୍ପଦ ବିଭାଗର ନିଜ ତଥ୍ୟରୁ ଏମିତି ହିସାବ ମିଳୁଥିବା ବେଳେ ଜଳବିଦ୍ୟୁତ୍‌ ନିଗମରୁ ପ୍ରାପ୍ତ ତଥ୍ୟ ଆହୁରି ଅଡୁଆ ସୂଚନା ଦିଏ। ଜଳବିଦ୍ୟୁତ୍‌ ନିଗମର ତଥ୍ୟ ଅନୁସାରେ ୨୦୧୭ ଜୁନ୍‌ମାସର ପହିଲା ତାରିଖରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଥିଲା ୬୦୫.୧୨ ଫୁଟ। ଏହି ତାରିଖରେ ପୂର୍ବ ଦଶବର୍ଷର ହାରାହାରି ଜଳସ୍ତର ହେଉଛି ୬୦୧.୫୩ ଫୁଟ୍‌। ଗତ ଅଣ-ମୌସୁମୀ ଋତୁର ଆରମ୍ଭରେ ଅର୍ଥାତ୍‌ ୨୦୧୬ ନଭେମ୍ବର ପହିଲାରେ ହୀରାକୁଦର ଜଳସ୍ତର ତାହାର ସର୍ବୋଚ୍ଚ ସ୍ତରରେ ଅର୍ଥାତ୍‌ ୬୩୦ ଫୁଟ୍‌ ଥିଲା। ଏହି ତାରିଖରେ ପୂର୍ବ ଦଶବର୍ଷର ହାରାହାରି ସ୍ତର ହେଉଛି ୬୨୮.୦୪ ଫୁଟ୍‌। ଅର୍ଥାତ୍‌, ପୂର୍ବ ଦଶବର୍ଷର ଅଣ-ମୌସୁମୀ ଋତୁର ଆରମ୍ଭ ତାରିଖର ହାରାହାରି ତୁଳନାରେ ଚଳିତ ବର୍ଷର ଅଣ-ମୌସୁମୀ ଋତୁର ଆରମ୍ଭରେ ହୀରାକୁଦର ଜଳସ୍ତର ପ୍ରାୟ ଦୁଇଫୁଟ୍‌ ଅଧିକ ଥିବାବେଳେ ଅଣ-ମୌସୁମୀ ଋତୁର ଶେଷରେ ହୀରାକୁଦର ଜଳସ୍ତର ତାହାର ପୂର୍ବ ଦଶବର୍ଷର ହାରାହାରି ତୁଳନାରେ ଚାରି ଫୁଟ ଅଧିକ ଥିଲା। ଅର୍ଥାତ, ପୂର୍ବ ଦଶବର୍ଷର ହାରାହାରି ଜଳସ୍ତର ହ୍ରାସ ତୁଳନାରେ ଗତ ଅଣ-ମୌସୁମୀ ଋତୁରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତରରେ ହ୍ରାସର ପରିମାଣ କମ୍‌ ଥିଲା। ଚଳିତ ଜୁନ୍‌ ପହିଲାର ଜଳସ୍ତରକୁ ପୂର୍ବ ବାରବର୍ଷର ଏହି ଦିନରେ ଥିବା ସ୍ତର ସହିତ ମିଳାଇ ଦେଖିଲେ ଆହୁରି ପାଇବା ଯେ କେବଳ ୨୦୧୪କୁ ଛାଡିଦେଲେ ବାକି ଏଗାରଟି ଯାକ ବର୍ଷରେ ଜଳସ୍ତର ଚଳିତ ବର୍ଷର ଜଳସ୍ତରଠାରୁ କମ୍‌ ଥିଲା। ସରକାର ଗୋଟିଏ ପ୍ରକାର ହିସାବ କରି ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ୭୭.୮% ଯାଏ କମିଯାଇଥିବାର ଭୟାବହ ଚିତ୍ର ଦେଉଥିବା ବେଳେ ସେହି ସରକାରଙ୍କ ତଥ୍ୟର ଭିନ୍ନ ଓ ବିଶଦ ବିଶ୍ଳେଷଣ ସେମିତି କିଛି ଭୟାବହତାର ସୂଚନା ଦେଉ ନାହିଁ। ଏହା ନିଶ୍ଚିତ ଭାବରେ ସତ୍ୟ ଯେ ମହାନଦୀରେ ଜଳ ପ୍ରବାହ ହ୍ରାସ ହୋଇଛି ଓ ଦିନକୁ ଦିନ ଅଧିକ ଅସମାନ ହେବାରେ ଲାଗିଛି। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ମହାନଦୀକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଲଢେଇ ଦିନକୁ ଦିନ ଜଟିଳ ହେଉଥିବା ବେଳେ ଓଡିଶା ସରକାର ଯେଉଁସବୁ ବିଶ୍ଳେଷଣ ଦେଉଛନ୍ତି ତାହା ଅତି ତ୍ରୁଟିପୂର୍ଣ୍ଣ। ସରକାରୀ ପରିସଂଖ୍ୟାନଗୁଡିକ ଠିକ୍‌ ନିଷ୍କର୍ଷ ପ୍ରଦାନ କରିପାରୁ ନାହାନ୍ତି। ଓଡିଶା ସରକାର ଏଦିଗରେ ଅଧିକ ଯତ୍ନବାନ୍‌ ହେବା ଆବଶ୍ୟକ। ମହାନଦୀ ପ୍ରସଙ୍ଗରେ ସରକାର ଦେଉଥିବା ପରିସଂଖ୍ୟାନ ଓ ଚିତ୍ର ଦ୍ୱାରା ମିଛୁଆ ପ୍ରମାଣିତ ନ ହୁଅନ୍ତୁ ଏବଂ ସତ୍ୟକୁ ପ୍ରଦର୍ଶିତ କରନ୍ତୁ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri