ଭାରତ ନୁହେଁ ଅଳିଆଗଦା

ବୁଧବାର ଭାରତ ଚାଇନାରୁ ଆମଦାନି କରାଯାଉଥିବା କେତେକ ସାମଗ୍ରୀ ଉପରେ ଆଣ୍ଟି-ଡମ୍ପିଂ ଶୁଳ୍କ ଲାଗୁ କରିଛି। ଏହି ଶୁଳ୍କ ୨୦୧୧ ଅଗଷ୍ଟ ମାସରେ ପାଞ୍ଚବର୍ଷ ପାଇଁ ଲାଗୁ କରାଯାଇଥିଲା ଏବଂ ଗତବର୍ଷ ଅଗଷ୍ଟ ମାସରେ ଆଉ ବର୍ଷେ ପାଇଁ ବୃଦ୍ଧି କରାଯାଇଥିଲା। ସମ୍ପ୍ରତି ଚାଇନା ସେନାର ଆକ୍ରମଣ ଧମକ ପରିପ୍ରେକ୍ଷୀରେ ଆମ ସରକାର ଉକ୍ତ ଆଣ୍ଟି-ଡମ୍ପିଂ ଶୁଳ୍କ ଆଉ ପାଞ୍ଚବର୍ଷ ବୃଦ୍ଧି କରିବା ଏକ ସମୟୋଚିତ ପଦକ୍ଷେପ। ବାଣିଜ୍ୟ ମନ୍ତ୍ରଣାଳୟ ଚାଇନାରୁ ଆସୁଥିବା ୯୩ଟି ଦ୍ରବ୍ୟ ଉପରେ ଏହି ଶୁଳ୍କ ଲାଗୁ କରିଛି। ଶସ୍ତା ବିଦେଶୀ ଜିନିଷ ଯୋଗୁ ରୁଗ୍ଣ ହୋଇପଡ଼ୁଥିବା ଘରୋଇ ଶିଳ୍ପକୁ ସୁରକ୍ଷା ଦେବା ଲାଗି ସରକାର ଏହି ପଦକ୍ଷେପ ନେଇଛନ୍ତି। ଯେଉଁସବୁ ଦ୍ରବ୍ୟ ଉପରେ ଏହି ଶୁଳ୍କ ଲାଗୁ କରାଯାଇଛି, ସେଗୁଡ଼ିକ ମଧ୍ୟରେ ଅଛି ରାସାୟନିକ ଓ ପେଟ୍ରୋରାସାୟନିକ ଉତ୍ପାଦ, ଷ୍ଟିଲ୍‌ ଓ ଅନ୍ୟ ଧାତବ ଉତ୍ପାଦ, ତନ୍ତୁ ଓ ସୂତା, ରବର ଓ ପ୍ଲାଷ୍ଟିକ୍‌ ଉତ୍ପାଦ, ବୈଦ୍ୟୁତିକ ଓ ଇଲେକ୍‌ଟ୍ରୋନିକ୍‌ ଆଇଟମ୍‌ ଏବଂ ବିଭିନ୍ନ ପ୍ରକାର ଖାଉଟି ସାମଗ୍ରୀ। ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ସର୍ବଦା ଚାଇନା ସପକ୍ଷରେ ହିଁ ରହିଆସିଛି। ୨୦୧୬-୧୭ରେ ଚାଇନାରୁ ଭାରତକୁ ଆମଦାନି ପରିମାଣ ସାମାନ୍ୟ ହ୍ରାସ ପାଇ ୬୧.୨୮ ଶହ କୋଟି ଡଲାରରେ ପହଞ୍ଚିଛି ଯାହା ଗତବର୍ଷ ୬୧.୭ ଶହ କୋଟି ଡଲାର ଥିଲା। ଅପରପକ୍ଷେ ଭାରତରୁ ଚାଇନାକୁ ରପ୍ତାନି ପରିମାଣ ବର୍ଷକୁ ୧୨.୩ ପ୍ରତିଶତ ହାରରେ ହ୍ରାସ ପାଇ ୧୧.୭୫ ଶହ କୋଟି ଡଲାରରେ ପହଞ୍ଚିଛି। ବାଣିଜ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତବର୍ଷ ଚାଇନା ସହ ଟ୍ରେଡ୍‌ ଡେଫିସିଟ୍‌ ୫୨ ଶହ କୋଟି ଡଲାରରୁ ଅଧିକ ହୋଇଥିଲା, ଯାହା ଫଳରେ ଦ୍ୱିପାକ୍ଷିକ ଟ୍ରେଡ୍‌ ଡେଫିସିଟ୍‌ ୪୭ ଶହ କୋଟି ଡଲାରରେ ପହଞ୍ଚିଥିଲା। ଭାରତରୁ ଚାଇନାକୁ ରପ୍ତାନି ହେଉଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ଅଛି ଲୁହାପଥର, କପା ସୂତା, ପେଟ୍ରୋଲିୟମ୍‌ ଉତ୍ପାଦ, ତମ୍ବା ଓ ରାସାୟନିକ ପଦାର୍ଥ ଏବଂ ଚାଇନାରୁ ଭାରତକୁ ଆମଦାନି ହେଉଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ଅଛି ମୋବାଇଲ ଫୋନ୍‌, କମ୍ପ୍ୟୁଟର, କମ୍ପ୍ୟୁଟର ହାର୍ଡଓ୍ବେର, ବୈଦ୍ୟୁତିକ ସରଞ୍ଜାମ, ଶିଳ୍ପ ମେଶିନେରୀ ଓ ରାସାୟନିକ ପଦାର୍ଥ ଇତ୍ୟାଦି। ଚାଇନା ଭାରତକୁ କରୁଥିବା ରପ୍ତାନି ଭିତରେ ମୂଲ୍ୟଯୁକ୍ତ ଦ୍ରବ୍ୟ, ମେଶିନେରୀ ଓ ଯନ୍ତ୍ରାଂଶ ରହିଛି। ଅପରପକ୍ଷେ ଭାରତ ଚାଇନାକୁ ଯାହା ରପ୍ତାନି କରୁଛି, ସେଗୁଡ଼ିକ ମୁଖ୍ୟତଃ କଞ୍ଚାମାଲ। ତେଣୁ ଦୁଇଦେଶ ଭିତରେ ବାଣିଜ୍ୟ କାରବାର ଯଦି ବନ୍ଦ ହୋଇଯାଏ, ତେବେ ସେଥିରେ ଭାରତ ଯେତିକି କ୍ଷତିଗ୍ରସ୍ତ ହେବ, ତାହା ତୁଳନାରେ ଚାଇନା ବହୁ ଅଧିକ ପରିମାଣରେ କ୍ଷତିଗ୍ରସ୍ତ ହେବ। ନିଜ ସ୍ବାର୍ଥରେ ବାଧା ପହଞ୍ଚିଲେ ଚାଇନା ସବୁବେଳେ ବିଦେଶୀ ସାମଗ୍ରୀକୁ ବର୍ଜନ କରିଆସିଛି। ଏହାକୁ ସେ ଅସ୍ତ୍ର କରି ଅନ୍ୟ ଦେଶଠାରୁ ରାଜନୈତିକ ସ୍ବାର୍ଥ ହାସଲ କରିଆସିଛି। ତେବେ ଏହା କୌଣସି ବିଦେଶୀ ରାଷ୍ଟ୍ରରେ ନିଜ ସାମଗ୍ରୀ ନିଷିଦ୍ଧ ହେବା ପରି ପରିସ୍ଥିତିର ସମ୍ମୁଖୀନ ହୋଇନାହିଁ। ଦକ୍ଷିଣ କୋରିଆ ଆମେରିକାର ଥାର୍ଡ୍‌ ମିଶାଇଲ୍‌ ଡିଫେନ୍ସ ସିଷ୍ଟମ୍‌ ମୁତୟନ କରିବା ପରେ ଚାଇନା ସଙ୍ଗେ ସଙ୍ଗେ କୋରିଆ ସାମଗ୍ରୀକୁ ନିଷିଦ୍ଧ କରିଥିଲା। ଚାଇନାର ଜାପାନ ସହ କେବେହେଲେ ସୁସମ୍ପର୍କ ରହିନାହିଁ। ଦୁଇଦେଶ ମଧ୍ୟରେ ସେନ୍‌କାକୁ ଦ୍ୱୀପକୁ ନେଇ ଲଢ଼େଇ ଲାଗିବାରୁ ୨୦୧୨ ମସିହାରେ ନିସାନ ଓ ହଣ୍ଡା ପରି ଜାପାନୀ କମ୍ପାନୀ ଚାଇନା କ୍ରୋଧର ଶରବ୍ୟ ହୋଇଥିଲେ। ନିକଟରେ ଚାଇନା ଜାପାନୀ ହୋଟେଲ ଶୃଙ୍ଖଳକୁ ବର୍ଜନ କରିବାକୁ ଘୋଷଣା କରିଛି କାରଣ ଏହି ହୋଟେଲଗୁଡ଼ିକରେ ଏକ ବହି ରଖାଯାଇଛି, ଯେଉଁଥିରେ ଜାପାନୀ ସେନା ଦ୍ୱାରା ନାନ୍‌ଜିଙ୍ଗ୍‌ ଗଣହତ୍ୟାକୁ ଅସ୍ବୀକାର କରାଯାଇଛି। ଆମେରିକା ଓ ୟୁରୋପ ମଧ୍ୟ ଚାଇନିଜ୍‌ ଡମ୍ପିଂ ବିରୋଧରେ ଆତ୍ମରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ମାତ୍ର ଭାରତ ଭାରତୀୟ ବଜାରଗୁଡ଼ିକୁ ଚାଇନାକୁ ସିଧାସଳଖ ଟ୍ରେନ୍‌ ସୁବିଧା ପ୍ରଦାନ କରିଛି। ଚାଇନା ସରକାର ବିପୁଳ ସବ୍‌ସିଡି ଦେବା ଏବଂ ଶସ୍ତାରେ ଋଣ ମିଳିଯିବା ଯୋଗୁ ଚାଇନା କମ୍ପାନୀଗୁଡ଼ିକ ବିଶ୍ୱର ବଡ଼ ରପ୍ତାନିକାରୀ ହୋଇପାରିଛନ୍ତି। ଖେଳନା, ପ୍ଲାଷ୍ଟିକ୍‌ ବାଲ୍‌ତି, ଦେବତାଙ୍କ ମୂର୍ତ୍ତିଠାରୁ ଆରମ୍ଭ କରି ଚାଇନାର ସବୁ ପ୍ରକାର ଶସ୍ତା ସାମଗ୍ରୀ ଭାରତୀୟ ବଜାରଗୁଡ଼ିକରେ ଛାଇଯିବା ଯୋଗୁ ଭାରତର ଅନେକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ରୁଗ୍ଣ ହୋଇପଡ଼ିଛି ବା ବନ୍ଦ ହୋଇଯାଇଛି। ସେଥିପାଇଁ ଆମ ଦେଶରେ ଚାଇନା ସାମଗ୍ରୀ ବର୍ଜନ କରିବା ପାଇଁ ବିଭିନ୍ନ ମହଲରୁ ଆହ୍ବାନ ଦିଆଯାଉଛି। କିନ୍ତୁ ଭାରତର କୋଣ ଅନୁକୋଣରେ, ମଧ୍ୟବିତ୍ତ ପରିବାରଗୁଡ଼ିକରେ, ବଜାରରେ, ଦେଶର ଅର୍ଥନୀତିରେ ଏବଂ ବାଣିଜ୍ୟରେ ଚାଇନା ସାମଗ୍ରୀର ଆଧିପତ୍ୟ ଏକ ଚରମ ବାସ୍ତବତା। ଭାରତର ଟେଲିକମ୍‌ କ୍ଷେତ୍ରକୁ ମଧ୍ୟ ଚାଇନା କବ୍ଜା କରି ରଖିଛି। ଭାରତର ୮୦୦ କୋଟି ଡଲାରରୁ ଊର୍ଦ୍ଧ୍ୱ ସ୍ମାର୍ଟଫୋନ୍‌ ବଜାରରେ ଚାଇନାର ଜିଓମି, ଓପୋ, ଭିଭୋ ଓ ଓ୍ବାନ୍‌ପ୍ଲସ୍‌ ପରି ମୋବାଇଲ ହ୍ୟାଣ୍ଡସେଟ୍‌ର ଅଂଶ ୫୧ ପ୍ରତିଶତ। ଦୂରସଞ୍ଚାର ଉପକରଣ କ୍ଷେତ୍ରରେ ବି ସେହି ଏକା ଅବସ୍ଥା। ବର୍ତ୍ତମାନ ତଥ୍ୟ ସୁରକ୍ଷା କାରଣରୁ ଭାରତ ଚାଇନାରୁ ଆମଦାନି କରାଯାଉଥିବା ବୈଦ୍ୟୁତିକ ସାମଗ୍ରୀକୁ ବ୍ୟାପକ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛି। ସୀମାରେ ଚାଇନା ସେନା ସହ ମୁହଁାମୁହିଁ ସ୍ଥିତି ଆମକୁ ବାଧ୍ୟ କରିଛି ଏକ ଆତ୍ମସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ, ଯାହାଦ୍ୱାରା ଅନ୍ୟମାନଙ୍କ ପାଇଁ ଭାରତ ଯେ ଏକ ଅଳିଆଗଦା ନୁହେଁ, ତାହା ସାବ୍ୟସ୍ତ ହୋଇପାରିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri