ଆମେ କେତେ ସଚେତନ

ମାର୍ଚ୍ଚ ୨୯ ତାରିଖର ଘଟଣା। ଜଣେ ମହିଳା ବସ୍‌ରେ କେନ୍ଦ୍ରାପଡାରୁ ଭୁବନେଶ୍ୱର ଆସୁଥିବାବେଳେ ତାଙ୍କ ପ୍ରତି ଜଣେ ଯୁବକ ବାରମ୍ବାର ଅସଦାଚରଣ କଲେ। ବସ୍‌ଟିରେ ଭରପୂର ଯାତ୍ରୀ ଥିଲେ ସୁଦ୍ଧା ସମସ୍ତେ ନୀରବଦ୍ରଷ୍ଟା। ବସ୍‌ର କର୍ମଚାରୀ ବି ଥିଲେ ନିର୍ବିକାର। ପୋଲିସ କଣ୍ଟ୍ରୋଲ ରୁମ୍‌ ନଂ.୧୦୦ ଓ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ହେଲ୍ପଲାଇନ ନଂ.୧୦୯୧କୁ ସେ ଫୋନ୍‌ କରିଥିଲେ ସୁଦ୍ଧା କେହି ଫୋନ୍‌ ଉଠାଇ ନ ଥିଲେ। ଶେଷରେ ସେ ନିଜର କ୍ଷୋଭଭରା କଥା ଫେସ୍‌ବୁକ୍‌ରେ ପ୍ରକାଶ କରିବାରୁ ତାହା ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିଲା ଓ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଲେ। ଏବେ ଏହା ଗଣମାଧ୍ୟମରେ ପ୍ରଚାରିତ ହେବାରୁ ଅସଦାଚରଣ କରିଥିବା ଯୁବକଟି ଧରାପଡିବା ଭୟରେ ନିଶ୍ଚୟ ଆତ୍ମଗୋପନ କରିଥିବ। ବିଚରା ବିଛା ମନ୍ତ୍ର ନ ଜାଣି ସାପ ଲାଙ୍ଗୁଡରେ ହାତ ମାରିଦେଲା। ସେ ହୁଏତ ଜାଣି ନ ଥିଲା ଯେ ତା’ର ଅସଦାଚରଣର ଶିକାର ହୋଇଥିବା ମହିଳା ଜଣେ ସାମ୍ବାଦିକା, ଯାହାଙ୍କର କଲମ ମୁନରେ ସତ୍ୟ ପ୍ରକଟିତ ହୁଏ।

କେବଳ ସେହି ମହିଳା ନୁହନ୍ତି, ପୁରୀ ଜିଲା ପିପିଲିର ବେବିନା ବେହେରା, ରାୟଗଡା ଜିଲା ଟିକିରି ଉଚ୍ଚପ୍ରାଥମିକ ପ୍ରକଳ୍ପ ବିଦ୍ୟାଳୟର ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ, କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ ମଧୁପୁର କନ୍ୟାଶ୍ରମର ଦଶମ ଶ୍ରେଣୀ ଛାତ୍ରୀ ତପସ୍ବିନୀ ମହାରଣା, ଗଜପତି ଜିଲା ମୋହନା ବ୍ଲକ୍‌ ଅନ୍ତର୍ଗତ ବାଘମାରି ଗ୍ରାମର ସରପଞ୍ଚ ପ୍ରାର୍ଥିନୀ ମିନି ଦଳବେହେରା- ତାଲିକା ଲମ୍ବାଇଲେ ଖବରକାଗଜ ପୃଷ୍ଠା ନିଅଣ୍ଟ ହେବ। ଏ ସମସ୍ତଙ୍କର ତୁଣ୍ଡ ସବୁଦିନ ପାଇଁ ବନ୍ଦ କରିଦିଆଗଲା। ଉପରମହଲରୁ ଚାପ ଯୋଗୁ ଗଣବଳାତ୍କାର ପୀଡିତା ବେବିନା ଘଟଣା ଥାନା ଡାଏରୀରେ ଲିପିବଦ୍ଧ ବି ହେଲାନାହିଁ। ଇତିଶ୍ରୀ ଉପରେ ଲୋଲୁପ ଦୃଷ୍ଟି ପକାଇଥିବା କାମାନ୍ଧ ଶିକ୍ଷାପରିଦର୍ଶକଙ୍କ ଦାଉରୁ ରକ୍ଷାପାଇବା ପାଇଁ ବିଚାରୀ ଶାସନକଳର ତାଳୁରୁ ତଳିପା ଯାଏ ସମସ୍ତଙ୍କୁ ନେହୁରା ହେଲା। ଶେଷରେ ଅର୍ଦ୍ଧରାତ୍ରରେ ନିଆଁରେ ପୋଡି ତାକୁ ମାରିଦେଲେ ସିନା, ତା’ର ଆକୁଳ ମିନତି କାହାରି କାନରେ ବାଜିଲା ନାହିଁ। ତାକୁ ଜାଳିଦେଇଥିବା ପ୍ରକୃତ ଦୁର୍ବୃତ୍ତ ଏବେ ବି ପୋଲିସ ପଞ୍ଝାର ବାହାରେ ରହି ଆରାମରେ ବୁଲୁଛି, ଯଦିଓ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ଦଣ୍ଡିତ ହୋଇ ଜେଲ୍‌ରେ ଅଛି।

ଏଠାରେ କହିରଖିବା ଉଚିତ ଯେ, ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷାକରିବା, ନାଗରିକମାନଙ୍କର ସୁରକ୍ଷା ଏବଂ ଅପରାଧ ନିୟନ୍ତ୍ରଣର ମୁଖ୍ୟ ଦାୟିତ୍ବ ପୋଲିସ ବିଭାଗର। ଅଥଚ ପୋଲିସ ଏ ଦିଗରେ କେତେ ସଚେତନ? ପୋଲିସର ତତ୍ପରତା ପ୍ରକାଶ ପାଇବା ପର୍ଯ୍ୟନ୍ତ ପୀଡିତା ବା ଅଭିଯୋଗକାରିଣୀ ସମସ୍ତ ଦୁର୍ଦ୍ଦଶାକୁ ଅତିକ୍ରମ କରି ସଂଗ୍ରାମ କରିବା ପାଇଁ ବଞ୍ଚିରହିବା ଦୁରୂହ ବ୍ୟାପାର। ବିଭାଗୀୟ ମୁଖ୍ୟଙ୍କର ସବୁ ଜନହିତକର ପରାମର୍ଶ ନିମ୍ନସ୍ତରରେ କୌଣସି ଗୁରୁତ୍ବ ବହନ କରେନାହିଁ। ସେହିଭଳି କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ୍‌ ପୂରେଇପଦର ଗାଁର ଅନୁସୂଚିତ ଜନଜାତି ମହିଳା ଜାନକୀ ପରିଚ୍ଛା। ଦୀର୍ଘ ସତର ବର୍ଷ ତଳେ ଘଟିଥିବା ଭଉଣୀର ବଳାତ୍କାର ମାମଲାରେ ସାକ୍ଷ୍ୟ ଦେବା ପାଇଁ ଅର୍ଥାଭାବରୁ ଶହେ କିଲୋମିଟର ବାଟ ଚାଲି ଚାଲି ଆଠଦିନରେ ଭଞ୍ଜନଗର କୋର୍ଟରେ ପହଞ୍ଚିଲେ। ଗରିବ ହେଲେ ବି ତାଙ୍କ ଦୃଷ୍ଟିରେ ଇଜ୍ଜତ ବଡ। ସତର ବର୍ଷରେ ଶେଷ ହୋଇପାରି ନ ଥିବା ମାମଲା ଆଗକୁ ଆହୁରି କେତେବର୍ଷ ଗଡିଚାଲିବ ଏବଂ ଆଉ କେତେଥର ତାଙ୍କୁ ଏହିପରି କୋର୍ଟକୁ ଦୌଡିବାକୁ ପଡିବ, ତାହା ଅବଶ୍ୟ ସେ ଜାଣିନାହାନ୍ତି। ଏହିପରି କେତେ କେତେ ଘଟଣା ପ୍ରତ୍ୟହ ଆମ ଚାରିପାଖରେ ଘଟୁଛି। ଏବେ ଏହାସବୁ ଆମର ଦେହସୁହା ହୋଇଗଲାଣି।

ସେଥିପାଇଁ ଏଭଳି ଅଘଟଣକୁ ଦେଖୁଥିବା ଲୋକମାନେ କୌଣସି ପ୍ରତିକ୍ରିୟା ପ୍ରକାଶ କରିବା ପରିବର୍ତ୍ତେ ଘଟଣାର ଦୃଶ୍ୟକୁ ଉପଭୋଗ କରୁଛନ୍ତି। ଏହାର ଅନ୍ୟ ଦିଗଟି ହେଲା, କିଏ ଏତେ ଝମେଲାରେ ପଶିବ? ଆପେ ବଞ୍ଚିଲେ ବାପର ନାଁ। ହୁଏତ ଏଭଳି ଆତ୍ମକୈନ୍ଦ୍ରିକତା ଅନେକଙ୍କୁ ଆଚ୍ଚ୍ଥନ୍ନ କରିଛି। ଉପରୋକ୍ତ ଘଟଣାରେ ତାହା ହିଁ ଘଟିଛି। ପ୍ରଥମତଃ ସଂଖ୍ୟାଧିକ ଲୋକଙ୍କ ଉପସ୍ଥିତିରେ ସେହି ଯୁବକଟି ବାରମ୍ବାର ଜଣେ ମହିଳାଙ୍କୁ ଅସଦାଚରଣ କରିବା ପାଇଁ ଲଜ୍ଜାବୋଧ କରିବା ଉଚିତ। କିନ୍ତୁ ଜଣାପଡୁଛି ଯେ ଲଜ୍ଜା ବୋଲି ଏକ ଶବ୍ଦ ତା’ ଚରିତ୍ରରେ ଆଦୌ ନାହିଁ। ଦ୍ବିତୀୟତଃ ପ୍ରାୟ ୬୦ରୁ ଊଦ୍ଧର୍‌ବ ଯାତ୍ରୀ ଓ ବସ୍‌ କର୍ମଚାରୀଙ୍କ ଉପସ୍ଥିତିରେ ସେହି ଅସାମାଜିକ ଯୁବକଟି ଜଣେ ମହିଳାଙ୍କୁ ବାରମ୍ବାର ଅସଦାଚରଣ କରିବାକୁ ଦୁଃସାହସ କରିବା ଏବଂ ବସ୍‌ରେ ଥିବା ଯାତ୍ରୀମାନେ ନୀରବ ରହିବା ଯେତିକି ବିସ୍ମୟକର ସେତିକି ଦୁଃଖଦାୟକ। ଏଥର ଗରିବ ଆଦିବାସୀ ଦାନ ମାଝି ପ୍ରସଙ୍ଗକୁ ନିଆଯାଉ। କଳାହାଣ୍ଡି ଜିଲାର ଭବାନୀପାଟଣା ଡାକ୍ତରଖାନାରୁ ସ୍ତ୍ରୀର ଶବକୁ କାନ୍ଧରେ ବୋହି ସେ ଗୋଟିଏ ଦିନରେ ହିରୋ ପାଲଟିଗଲେ। ସରକାର ଡାକ୍ତରଖାନାଗୁଡିକୁ ରୋଗୀସେବା ପାଇଁ ଆମ୍ବୁଲାନ୍ସ୍ସ ଯୋଗାଇ ଦେଇଛନ୍ତି। ସେଥିପାଇଁ କର୍ମଚାରୀ ମଧ୍ୟ ମୁତୟନ ହୋଇଛନ୍ତି। ଅଥଚ ଆବଶ୍ୟକ ବେଳେ ତାହା ଉପଲବ୍ଧ ହେଉନାହିଁ। କୌଣସି ଘଟଣା ଯଦି ଗଣମାଧ୍ୟମ ଜରିଆରେ ଲୋକଲୋଚନକୁ ଆସେ, ତେବେ ପୂରା ଶାସନକଳ ତତ୍ପର ହୋଇଉଠେ। ପ୍ରଥମେ ସବୁ ସ୍ତରରେ ନିଜ ମୁଣ୍ଡରୁ ଦୋଷ ଛଡାଇବା କାମ ଆରମ୍ଭ ହୁଏ। କିଛିଦିନ ଧରି ଅନେକ ଘଣ୍ଟାଚକଟା ପରେ ଶେଷରେ ମାର୍‌ ମାର୍‌ ଭଣ୍ଡାରିଆକୁ ମାର୍‌ ନ୍ୟାୟରେ ତଳିଆ କର୍ମଚାରୀଙ୍କୁ ବଳି ପକେଇ ପ୍ରଶାସନ ଶାନ୍ତିରେ ନିଃଶ୍ୱାସ ନିଏ। ତା’ପରେ ଯଥା ପୂର୍ବଂ ତଥା ପରମ୍‌। ସେହିପରି ରାଜ୍ୟର ଶିଳ୍ପ ଏବଂ ଖଣିଜ ସମୃଦ୍ଧ ଯାଜପୁର ଜିଲାରେ ଥିବା ଶିଶୁ ଅପପୁଷ୍ଟିର ଗ୍ରାମ ନଗଡା।

ଗଣମାଧ୍ୟମରେ ଖବର ପ୍ରଚାରିତ ହେଲା ପରେ ନଗଡା ପାଲଟିଗଲା ସମସ୍ତ ସାହାଯ୍ୟ, ସହାନୁଭୂତି, ଆନୁଷଙ୍ଗିକ ବିଧିବ୍ୟବସ୍ଥା ସହିତ ରାଜନୈତିକ ପ୍ରତିଯୋଗିତା ପ୍ରଦର୍ଶନର ପ୍ରକୃଷ୍ଟ କ୍ଷେତ୍ର। ନଗଡା ଭଳି ରାଜ୍ୟର ଉପାନ୍ତ/ଅଗମ୍ୟ ଅଞ୍ଚଳ କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର ଜିଲାରେ ଡେଙ୍ଗୁ, ମ୍ୟାଲେରିଆ, ଜାପାନୀ ଜ୍ୱର, ଏନ୍‌ସେଫାଲାଇଟିସ୍‌ ଅନେକ ଶିଶୁଙ୍କର ଜୀବନ ନେଇଛି। ବିଳମ୍ବିତ ନ୍ୟାୟ ପ୍ରକ୍ରିୟାରେ ଦୋଷୀକୁ ଦଣ୍ଡ ଏବଂ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ସ୍ବପ୍ନରେ ରହିଯାଉଛି। ଏହିଭଳି ନକାରାତ୍ମକ ଚିନ୍ତାଧାରା ସବୁ ଅନ୍ୟାୟ, ଅନୀତି, ଅସଦାଚରଣ, ଅବହେଳାକୁ ପ୍ରୋତ୍ସାହିତ କରୁଛି। ଏହି ପରିପ୍ରେକ୍ଷୀରେ ଆଜିର ସଭ୍ୟ ଶିକ୍ଷିତ ସମାଜ ଆମକୁ ଅଙ୍ଗୁଳି ନିର୍ଦ୍ଦେଶ କରି ପ୍ରଶ୍ନ କରୁଛି, କର୍ତ୍ତବ୍ୟନିଷ୍ଠା, ଦାୟିତ୍ବବୋଧ, ମାନବିକତା ଇତ୍ୟାଦି ପ୍ରସଙ୍ଗରେ ଆମେ କେତେ ସଚେତନ?

ପ୍ରେମାନନ୍ଦ ନାୟକ, ଶହୀଦନଗର, ଭୁବନେଶ୍ୱର, ମୋ-୭୨୦୫୩୭୨୫୦୬



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri