ଜୀବନ ତ୍ୟାଗର ଏକ ମଇଦାନ

ଜୀବନ ତ୍ୟାଗ ଓ ଆତ୍ମୋତ୍ସର୍ଗର ଏକ ମଇଦାନ। ପ୍ରତ୍ୟେକ ସମର୍ପିତ ଜୀବନ ତ୍ୟାଗର ଜୀବନ। ସେ ଜୀବନ ଜଣେ ଲେଖକର ହୋଇପାରେ, ଜଣେ ବୈଜ୍ଞାନିକର ବା ସମାଜସେବୀର ହୋଇପାରେ ଅବା ହୋଇପାରେ ଜଣେ ରାଜନେତାର। ଜଣେ ପୂର୍ଣ୍ଣପ୍ରାଣର କବି-ଆତ୍ମା ଗୋଟିଏ କବିତାର ସଫଳ ରୂପାୟନ ପାଇଁ କେତେ ସଂଘାତ ମଧ୍ୟ ଦେଇ ଗତି କରେ। ଏହି ସଂଘାତ, ଏହି ସଂଘର୍ଷ, ଏହି ଛଟପଟରୁ ସୃଷ୍ଟି ହୋଇଥିବା କବିତାର ଆତ୍ମପ୍ରକାଶ କ୍ରିୟାରେ ସେ କ୍ଷତାକ୍ତ ହୁଏ। ଏ କ୍ଷତ ଦେହର ନୁହେଁ, ଏହା ତା’ ମନର, ଚେତନାର, ତା’ ମେଧାର। ସମଭାବରେ ରକ୍ତାକ୍ତ ହୁଏ ସେହି ପ୍ରକାର ମାନସିକତାର ଜଣେ ଗୁରୁଗମ୍ଭୀର ପାଠକ। ପ୍ରଖ୍ୟାତ ଇଂଲିଶ ଲେଖକ ଆରନୋଲ୍ଡ ବ୍ୟାନେଟ୍‌ ଏହି ପ୍ରସଙ୍ଗରେ କହନ୍ତି- ସୃଜନକ୍ରିୟାକୁ ବୁଝିଥିବା ପାଠକମାନେ ହିଁ ଏକ ଲେଖାର ମର୍ମ ବୁଝିପାରିବେ। ବର୍ଷ ବର୍ଷର ସାଧନାରୁ ଲେଖାଯାଇଥିବା ଲେଖାଟିକୁ ମାତ୍ର କେଇ ମିନିଟ୍‌ରେ ସାରିଦିଏ ପାଠକ। କିନ୍ତୁ କେତୋଟି ମାତ୍ର ମିନିଟ୍‌ ଭିତରେ ସେ କେତେଦୂର ପ୍ରବେଶ କରିବ ସର୍ଜନାର ସେ ବିବର୍ତ୍ତନଭରା ବଗିଚା ଭିତରେ? ବ୍ୟାନେଟ୍‌ଙ୍କର ଯୁକ୍ତି ଯେତେକ୍ଷଣ ପର୍ଯ୍ୟନ୍ତ ପାଠକଟିଏ ଲେଖକ କରିଥିବା ସାରସ୍ବତ ସଂଘର୍ଷର ନିକଟତର ହୋଇ ନ ଥିବ, ସେ ଲେଖାର ମଞ୍ଜି ପାଖରେ ପହଞ୍ଚି ପାରିବନାହିଁ। ତେଣୁ ବ୍ୟାନେଟ୍‌ଙ୍କ କ୍ଷୋଭ କେଇ ମିିନିଟ୍‌ରେ ଲେଖାଟି ପଢ଼ି ଘଣ୍ଟା ଘଣ୍ଟା ସେ ଲେଖା ସପକ୍ଷରେ ବା ବିରୋଧରେ ଭାଷଣ ଦେବା ବା ପୃଷ୍ଠାପୃଷ୍ଠା ଲେଖିବା ଏକ ସମାଲୋଚକୀୟ ବିଡ଼ମ୍ବନା। ଖାଲି ଲେଖାଲେଖି କ୍ଷେତ୍ରରେ ମଣିଷର ଜୀବନ ଆତ୍ମୋତ୍ସର୍ଗର ଏକ ଛବି ନୁହେଁ। ଜୀବନର ଯେ କୌଣସି ଅଙ୍ଗୀକାରବଦ୍ଧ କାର୍ଯ୍ୟ ଏହା ଦାବି କରେ। ଅନ୍ୟ କେତେକ କ୍ଷେତ୍ର ଯଥା ବିଜ୍ଞାନ କଥା ଦେଖାଯାଉ। ଜଣେ ବୈଜ୍ଞାନିକର ଜାତି ନାହିଁ କି ଜାତୀୟତା ନାହିଁ। ସେ ସମଗ୍ର ପୃଥିବୀର ନାଗରିକ। କେତେ ସାଧନା, ଅଧ୍ୟବସାୟ ଓ ମାନସିକ ଚାପର ଶିକାର ହୋଇ ସେ ମାନବଜାତି ପାଇଁ କାମ କରେ। ମନେପଡ଼େ ଦୁଇ ବୈଜ୍ଞାନିକଙ୍କ କଥା। ଗ୍ରୀଷ୍ମମଣ୍ଡଳୀୟ ଦେଶରେ ଦେଖାଯାଉଥିବା ଦୁଇଟି କଦର୍ଯ୍ୟ ରୋଗର ପ୍ରତିକାର ପାଇଁ ଏହି ସାହେବ ଦୁଇଜଣ ନିଜ ଜୀବନକୁ କେତେ ତଳିତଳାନ୍ତ ନ କରିଛନ୍ତି! ମ୍ୟାଲେରିଆ ପରଜୀବୀ ଓ ପୋଲିଓ ଭୂତାଣୁ ଆବିଷ୍କାର ଓ ସେଗୁଡ଼ିକଠୁଁ ମୁକ୍ତି ପାଇଁ ରୋନାଲଡ୍‌ ରସ୍‌ ଓ ଜୋନାସ ସଲ୍‌କ ନିଜଜୀବନକୁ ବାଜି ଲଗାଇଲେ।

 

ଜଣଙ୍କ ଯୋଗୁ ମ୍ୟାଲେରିଆ ଆକ୍ରାନ୍ତ କୁଢ଼ କୁଢ଼ ରୋଗୀ ବା ଶବ ରାସ୍ତାକଡ଼ରେ ପଡ଼ିଥିବା ଦେଖାଗଲା ନାହିଁ ବା ବିକୃତ ଅଙ୍ଗପ୍ରତ୍ୟଙ୍ଗ ନେଇ ଆହତ ସାପଟି ପରି ମଣିଷକୁ ଏବେ ନିଜ ଶରୀରକୁ ଘୋଷାରି ଘୋଷାରି ବାଟ ଚାଲିବାକୁ ପଡୁନାହିଁ। ବିଜ୍ଞାନଜଗତର ଏ ଦୁଇଜଣ ପ୍ରତିନିଧି ମାତ୍ର। କେତେ ବୈଜ୍ଞାନିକ ମାନବଜାତିର କଲ୍ୟାଣ ପାଇଁ ନିଜ ସାଧନାର ରକ୍ତନଦୀରେ ନିଜେ ଅବଗାହନ କରିଛନ୍ତି, ତା’ର ହିସାବ ନାହିଁ। ନିଜର ରାଜନୈତିକ ଆଦର୍ଶ ଓ ଲକ୍ଷ୍ୟର ରୂପାୟନ ପାଇଁ ଯଦି କୌଣସି ରାଜନୈତିକ ବ୍ୟକ୍ତିତ୍ୱ ତାଙ୍କ ସଂଗ୍ରାମରେ ଲୁହ ଓ ଲହୁକୁ ଏକାକାର କରି ଦେଇଥିଲେ, ସେ ହେଉଛନ୍ତି ମହାତ୍ମା ଗାନ୍ଧୀ। ତାଙ୍କ ଜୀବନୀ ଲେଖକ ଲୁଇ ଫିଶର କହନ୍ତି ସମୟର ନୈକଟ୍ୟ ଦୃଷ୍ଟିରୁ ଗାନ୍ଧୀ, ଗାନ୍ଧୀ ହୋଇ ରହିଗଲେ। ଗାନ୍ଧୀ ତାଙ୍କ ଜୀବନରେ ଯାହା ସବୁ କରିଗଲେ ସେ ସବୁ ଯଦି ୫୦୦ ବର୍ଷ ଆଗରୁ ଘଟିଥାନ୍ତା, ଲୋକେ ତାଙ୍କୁ ଖ୍ରୀଷ୍ଟ ବା କୃଷ୍ଣ ବା ରାମ ବୋଲି ଅଭିହିତ କରିଥାନ୍ତେ। ପ୍ରକୃତରେ ଭାରତର ସ୍ବାଧୀନତା ଲାଭ ଗାନ୍ଧୀଙ୍କର ଏକମାତ୍ର ଲକ୍ଷ ନ ଥିଲା। ଏକ ବୃହତ୍ତର ସାମାଜିକ ଶୃଙ୍ଖଳା, ମୁକ୍ତି ଓ ସ୍ବାଧୀନତା ପାଇଁ ସଂଗ୍ରାମର ଏହା ଥିଲା ଏକ ଅଂଶ ବିଶେଷ। ଏସବୁ ଲକ୍ଷ୍ୟ ହାସଲ ପାଇଁ କେତେ ପ୍ରକାର ନିର୍ଯ୍ୟାତନା, ଅପମାନ ଓ ଅତ୍ୟାଚାର ସେ ବରି ନେଇଥିଲେ ଏବଂ ସେହି କ୍ରମରେ ମନର ଗଭୀରତମ ପ୍ରଦେଶରେ କେତେ ଲହୁଲୁହାଣ ସେ ହୋଇଥିବେ। ଦକ୍ଷିଣଆଫ୍ରିକାରେ ଟ୍ରେନ୍‌ରୁ ଧକ୍କାମାରି ବାହାର କରିଦେବା ହେଉ, ବସ୍‌ରେ ଗଲାବେଳେ ସେ ଗୋରା କଣ୍ଡକ୍ଟରଙ୍କ ଗୋଇଠା ମାଡ଼ ହେଉ ବା ରୁସ୍ତମଜୀଙ୍କ ଘରକୁ ଗଲାବେଳେ ନ୍ୟସ୍ତସ୍ବାର୍ଥ ଗୋରାଜନତାଙ୍କ ଟେକାମାଡ଼ ହେଉ, ଚୌରିଚୌରା ପୋଲିସ ଷ୍ଟେସନରେ ଆନ୍ଦୋଳନକାରୀଙ୍କ ଅଗ୍ନି ସଂଯୋଗ ହେଉ ବା ବାରମ୍ବାର ଜେଲ ଗମନ ହେଉ ବା ଗିରଫ ବେଳେ ଆନ୍ଦୋଳନକାରୀଙ୍କୁ ଶାନ୍ତିରକ୍ଷା ପାଇଁ ନିବେଦନ କରି ପୋଲିସକୁ ସହଯୋଗ ହେଉ, କି ପ୍ରକାର ମାନସିକ ଉତ୍ଥାନ ଓ ପତନ ଦେଇ ସେ ଗତି କରି ନ ଥିବେ! ନିଜ ଉପରକୁ ଆସୁଥିବା ସମସ୍ତ ଚାପ ଆମନ୍ତ୍ରଣ କରି ଅତି ନିଷ୍ଠାର ସହିତ ସେ ସଂଗ୍ରାମ କରିଥିଲେ ବୋଲି ଆମେ ସ୍ବାଧୀନତା ପାଇଲୁ। ଆନ୍ଦୋଳନ ଦିନମାନଙ୍କର ପ୍ରତି ମୁହୂର୍ତ୍ତରେ ତାଙ୍କ ଆଖିରୁ ଗଡୁଥିବ ଅଶ୍ରୁ ଓ ହୃଦୟରୁ ନିଗୁଡୁଥିବ ରକ୍ତ। କିନ୍ତୁ କେତେ ସଫଳତାର ସହିତ ସେ ସବୁ ଲୁଚେଇ ହସି ହସି ସଂଗ୍ରାମ ଜାରି ରଖିଥିଲେ। ପ୍ରତ୍ୟେକ ଅଙ୍ଗୀକାରବଦ୍ଧ, ନିଃସ୍ବାର୍ଥପର ଜୀବନପଛରେ ଥାଏ ଆତ୍ମୋତ୍ସର୍ଗର ଏକ ପ୍ରବଣତା

 

ଡ. ସୁବାସ ଚନ୍ଦ୍ର ପାତ୍ର , ମୋ:୯୪୩୭୩୭୬୨୧୯, subashbls56@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri