ସମ୍ପ୍ରଦାୟ କେଞ୍ଚା

କେନ୍ଦ୍ରରେ ୨୦୧୪, ମେ ୨୬ରେ ନରେନ୍ଦ୍ର ଦାମୋଦରଦାସ ମୋଦି ସରକାର କ୍ଷମତାସୀନ ହୋଇଥିଲା। ସେହିବର୍ଷ ସେପ୍ଟେମ୍ବର ପହିଲାରେ ମାନବ ସମ୍ବଳ ବିକାଶ (ଏଚ୍‌ଆର୍‌ଡି) ମନ୍ତ୍ରଣାଳୟ ପକ୍ଷରୁ ଦେଶର ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ସେପ୍ଟେମ୍ବର ୫ ଗୁରୁ ଦିବସରେ ପ୍ରଧାନମନ୍ତ୍ରୀ ଛାତ୍ରୀଛାତ୍ରଙ୍କ ସହ ଇଣ୍ଟରାକ୍‌ଶନ ବା ଭାବର ଆଦାନପ୍ରଦାନ କରିବେ। ଏହାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେହି ସମୟରେ ବିରୋଧ କରିଥିଲେ। ୨୦୧୪, ସେପ୍ଟେମ୍ବର ୨ରେ ଏହି ସ୍ତମ୍ଭରେ ‘୧୦୦ ଦିନର ବାଚାଳାମି’ ଶୀର୍ଷକରେ ଲେଖା ପ୍ରକାଶ କରିଥିଲୁ। ଲେଖିଥିଲୁ ଯେ, ଦେଶର ଅଧିକାଂଶ ସ୍କୁଲରେ ବିଦ୍ୟୁତ୍‌ ସଂଯୋଗ ହୋଇପାରି ନାହିଁ। ଯେଉଁଠାରେ ଏହା ଉପଲବ୍‌ଧ, ସେଠାରେ ଟେଲିଭିଜନ ସେଟ୍‌ ନାହିଁ। ଏଭଳି ସ୍ଥିତିରେ ପିଲେ ମୋଦିଙ୍କ ସିଧାସଳଖ କାର୍ଯ୍ୟକ୍ରମକୁ କିଭଳି ଦେଖିବେ। ତଥାପି ଗୁରୁ ଦିବସରେ ଦିଲ୍ଲୀରେ ଥିବା ସ୍କୁଲଗୁଡ଼ିକରୁ ବଛାବଛା ୧୦୦ ଛାତ୍ରୀଛାତ୍ରଙ୍କୁ ମୋଦି ମାନେକ୍ସା ଅଡିଟୋରିୟମ୍‌ରେ ଭେଟିଥିଲେ ଓ ତାହାକୁ ଟେଲିଭିଜନରେ ସିଧାସଳଖ ପ୍ରସାରଣ କରାଯାଇଥିଲା। ମୋଦି ସରକାରଙ୍କୁ ୧୦୦ ଦିନ ପୂରିଯାଇଥିବା ପରିପ୍ରେକ୍ଷୀରେ ଏଭଳି ନିଷ୍ପତ୍ତି ସେତେବେଳେ ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିଥିଲା। ମଝିରେ ଖ୍ରୀଷ୍ଟିଆନ୍‌ଙ୍କ ଦ୍ୱାରା ପାଳନ ହେଉଥିବା ବଡ଼ଦିନରେ ‘ଗୁଡ୍‌ ଗଭର୍ନାନ୍ସ ଡେ’ ବା ସୁଶାସନ ଦିବସ ପାଳନ ଲାଗି କେନ୍ଦ୍ର ତରଫରୁ ଘୋଷଣା କରାଯାଇଥିଲା। ସେହିଭଳି ‘ଗୁଡ୍‌ ଫ୍ରାଇଡେ’ରେ ଡିଜିଟାଲ ଇଣ୍ଡିଆ ଡେ’ ପାଳନ ଲାଗି ସବୁ ରାଜ୍ୟ ସରକାର ପ୍ରୟାସ କରିବେ ବୋଲି କେନ୍ଦ୍ର ସରକାରଙ୍କଠାରୁ ନିର୍ଦ୍ଦେଶ ଯାଇଥିଲା। କିନ୍ତୁ ମିଜୋରାମ ସହ ଅନ୍ୟ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଏହାକୁ ଖୋଲାଖୋଲି ବିରୋଧ କରିଥିଲେ। ଏବେ ମୋଦିଙ୍କ ଶାସନକୁ ୩ ବର୍ଷରୁ ଊର୍ଦ୍ଧ୍ୱ ବିତିଯାଇଥିବା ବେଳେ ଗତ ସପ୍ତାହରେ ପୁନର୍ବାର ପୂର୍ବଭଳି ସମ୍ପ୍ରଦାୟ କେଞ୍ଚା ନୀତି ଆପଣାଯାଉଛି। ସ୍ବାଧୀନତାର ୭୦ ବର୍ଷ ଓ ଭାରତ ଛାଡ଼ ଆନ୍ଦୋଳନକୁ ୭୫ ବର୍ଷ ପୂରିଯାଇଥିବାରୁ ଅଭିନବ ଉପାୟରେ ଏସବୁକୁ ପାଳନ କରିବା ଲାଗି କେନ୍ଦ୍ର ପକ୍ଷରୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶନାମା ଦିଆଯାଇଛି। ଅଗଷ୍ଟ ୯ରୁ ୩୦ ଯାଏ ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଶ୍ନୋତ୍ତର ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯିବା ସହ ସ୍କୁଲ କର୍ତ୍ତୃପକ୍ଷ କାର୍ଯ୍ୟକ୍ରମର ଭିଡିଓ ରେକର୍ଡିଂ କରି ଆସନ୍ତା ୩୧ ତାରିଖ ସୁଦ୍ଧା ସର୍ବଶିକ୍ଷା ମିଶନ କାର୍ଯ୍ୟାଳୟରେ ଦାଖଲ କରିବାକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ଏଭଳି ନିର୍ଦ୍ଦେଶନାମାକୁ କେବଳ ମମତା ବାନାର୍ଜୀ ବିରୋଧ କରିଛନ୍ତି। ମମତାଙ୍କ କହିବା ଅନୁଯାୟୀ, ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଠାରୁ ଆମେ ଦେଶପ୍ରେମ ଶିଖିବାର ପ୍ରୟୋଜନ ନାହିଁ। ମମତାଙ୍କ ଏହି ବାସ୍ତବ ଆଭିମୁଖ୍ୟ ଅଧିକାଂଶ ମହଲରେ ପ୍ରଶଂସିତ ହୋଇଛି। ମୋଦି ସରକାରଙ୍କ ଶାସନ ୩ ବର୍ଷ ହେବା ସତ୍ତ୍ୱେ ଭାରତୀୟ ସମାଜର ବହୁତ ବଡ଼ ଦୁର୍ବଳତା-ଶିକ୍ଷା ବ୍ୟବସ୍ଥା-ରେ କୌଣସି ପରିବର୍ତ୍ତନ ବା ଉନ୍ନତି ଦେଖିବାକୁ ମିଳୁନାହିଁ। ଏହି ମହାନ୍‌ ଦେଶର ମୂଳ ସମସ୍ୟା ଭାବେ ଶିକ୍ଷାର ଅଭାବକୁ ସମସ୍ତେ ସ୍ବୀକାର କରିବେ। ସ୍ବଚ୍ଛତା ସହିତ ଉନ୍ନତି ପାଇଁ ମୋଦି ସରକାରଙ୍କ ଦ୍ୱାରା ସେସ୍‌ ମାଧ୍ୟମରେ ସାଧାରଣ ଲୋକଙ୍କର ଅନେକ ହଜାର କୋଟି ଟଙ୍କା ବାର୍ଷିକ ନେଇ ନିଆଯାଉଛି। ପ୍ରଶ୍ନ ଉଠିଲେ କେନ୍ଦ୍ର କହୁଛି ଶିକ୍ଷା ହେଉଛି ରାଜ୍ୟ ଦ୍ୱାରା ପରିଚାଳିତ ବିଷୟ। ଏହା ଯଦି ସତ ହୋଇଥାଏ, ଶିକ୍ଷା ବାବଦରେ କେନ୍ଦ୍ର ଆମଠାରୁ ସବୁ ଖର୍ଚ୍ଚରେ ସେସ୍‌ ଆଦାୟ କରିବାର ଯଥାର୍ଥତା କେଉଁଠି ବୁଝିବା କଷ୍ଟକର। ସେହି ବିପୁଳ ଅର୍ଥର ଖୋଜଖବର ହେଉନାହିଁ। ଆମକୁ ମନେରଖିବାକୁ ହେବ ଯେ, ଭାରତରେ ବିବିଧତା ମଧ୍ୟରେ ଏକତା ହେଉଛି ସୌନ୍ଦର୍ଯ୍ୟ। ଉତ୍ତର-ପୂର୍ବାଞ୍ଚଳରେ ଲୋକଙ୍କ ଜୀବନଯାପନର ଢଙ୍ଗ ଗୁଜରାଟ ବା ମହାରାଷ୍ଟ୍ରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେହିଭଳି ଓଡ଼ିଆଙ୍କଠାରୁ କେରଳୀ କିମ୍ବା ପଞ୍ଜାବୀଙ୍କ ଶାରୀରିକ ଗଠନ ଅଲଗା। ସାରୁକଖାରୁ ଭଳି ଓଡ଼ିଆମାନେ ସବୁ ଜାଗାରେ ମିଶିଯାଇପାରନ୍ତି ବୋଲି ଏହା ନୁହେଁ ଯେ ବଙ୍ଗାଳୀ ମଧ୍ୟ ସେହିଭଳି ନିଜତ୍ୱକୁ ହରାଇବସିବେ। ଆମେ ଓଡ଼ିଆ ଆମ ଭାଷାକୁ ଭୁଲିଯାଇପାରୁ ବୋଲି ଏହା ନୁହେଁ ଯେ ପଞ୍ଜାବୀ ବା ମାଲାୟଲୀ ସେମାନଙ୍କ ମାତୃଭାଷାକୁ ଭୁଲିଯିବେ। ଅର୍ଥାତ୍‌ ଯେଉଁଭଳି ଏହି ଦେଶରେ ଗୋଟିଏ ଭାଷା, ଗୋଟିଏ ରୂପ ବା ଗୋଟିଏ ମାନସିକତା ନାହିଁ, ଠିକ୍‌ ସେହିଭଳି ଭାରତରେ ଗୋଟିଏ ଧରଣର ଦେଶପ୍ରେମ ଲଦିବା ସମ୍ଭବପର ନୁହେଁ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri