ଜୀବନ ଶସ୍ତା

ଉତ୍ତରପ୍ରଦେଶର ଗୋରଖପୁରସ୍ଥିତ ବାବା ରାଘବ ଦାସ (ବିଆର୍‌ଡି) ହସ୍ପିଟାଲରେ ଗତ ୫ ଦିନ ମଧ୍ୟରେ ୬୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହାର କାରଣ ଖୋଜିଲା ବେଳକୁ ଜଣାପଡ଼ିଲା ଯେ ସମ୍ପୃକ୍ତ ଡାକ୍ତରଖାନାକୁ ଅମ୍ଳଜାନ ଯୋଗାଉଥିବା ସଂସ୍ଥା ବକେୟା ଅର୍ଥ ନ ପାଇବାରୁ ସିଲିଣ୍ଡର ଯୋଗାଣ ବନ୍ଦ କରିଦେଇଥିଲା। ଉଲ୍ଲେଖଯୋଗ୍ୟ ଯେ ପୁଷ୍ପା ସେଲ୍ସ ନାମକ ଏହି ସଂସ୍ଥା ସରକାରଙ୍କଠାରୁ ୬୫ ଲକ୍ଷ ଟଙ୍କା ପାଇବାର ଥିଲା। ଅଘଟଣ ଘଟିବାର ଦୁଇ ଦିନ ପୂର୍ବରୁ ଅର୍ଥାତ୍‌ ଅଗଷ୍ଟ ୮ରେ ସଂସ୍ଥା ତରଫରୁ ଶେଷ ଥର ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିଲା ବକେୟା ଅର୍ଥ ତୁରନ୍ତ ଦିଆ ନ ଗଲେ ଅମ୍ଳଜାନ ଯୋଗାଣ ବନ୍ଦ କରାଇ ଦିଆଯିବ। କାରଣ ପୁଷ୍ପା ସେଲ୍ସ ଯାହା ନିକଟରୁ ଅମ୍ଳଜାନ ଖରିଦ କରୁଛି ସେହି କମ୍ପାନୀ ଅଧିକ ଦିନ ବାକିରେ ତାହା ଯୋଗାଇପାରିବ ନାହିଁ ବୋଲି ସୂଚନା ଦେଇଥିଲା। ଏହା ସତ୍ତ୍ୱେ କର୍ତ୍ତୃପକ୍ଷ କିଛି ନ ଶୁଣିବାରୁ ନିରୀହ ଶିଶୁଙ୍କ ପ୍ରାଣ ଯାଇଛି। କେତେକେ କହିପାରନ୍ତି ସମ୍ପୃକ୍ତ ସଂସ୍ଥାର ଏପରି ଅମାନବୀୟ ବ୍ୟବହାର କୁନି ପିଲାଙ୍କ ଜୀବନ ନେଇଛି। କିନ୍ତୁ ସଂସ୍ଥାର ଚିଠି ଜଣାଇଦେଉଛି ଯେ ଅମ୍ଳଜାନ ଯୋଗାଣ ସମ୍ପର୍କିତ ଅସୁବିଧା ବିଷୟରେ ଡାକ୍ତରଖାନା କର୍ତ୍ତୃପକ୍ଷ ଭଲ ଭାବେ ଅବଗତ ଥିଲେ। ଏଭଳି ଦୁର୍ଘଟଣାକୁ ନିଶ୍ଚିତ ଭାବେ ଏଡ଼ାଇ ଦିଆଯାଇପାରିଥାନ୍ତା। ଉଲ୍ଲେଖଯୋଗ୍ୟ ଯେ ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଗଷ୍ଟ ୯ରେ ହସ୍ପିଟାଲର ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଘଟଣା ଘଟିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ଅମ୍ଳଜାନ ଯୋଗାଣ ନେଇ ରହିଥିବା ସମସ୍ୟା ବିଷୟରେ ତାଙ୍କୁ କେହି ଅବଗତ କରାଇ ନ ଥିଲେ। ଏଥିରୁ ଭାଜପା ଶାସିତ ସରକାର ଲୋକଙ୍କ ପ୍ରତି କିଭଳି ଉତ୍ତରଦାୟୀ ରହିଛି ସହଜରେ ବୁଝିହେଉଛି। ଅଦ୍ୟାବଧି ୬୪ ପିଲାଙ୍କ ମୃତ୍ୟୁ ଘଟିଯାଇଥିବାରୁ ଦେଶବ୍ୟାପୀ ହୋହଲ୍ଲା ହେଉଛି। ଏଭଳି ପରିପ୍ରେକ୍ଷୀରେ ସରକାରୀ ଅଧିକାରୀଙ୍କ ତୁଣ୍ଡରେ ଶିଶୁ ମୃତ୍ୟୁର ତୁଳନାତ୍ମକ ପରିସଂଖ୍ୟାନ ଦିଆଯାଇ ଅଘଟଣକୁ ଚାପି ଦିଆଯିବାକୁ ପ୍ରୟାସ ହେଉଛି। ସୂଚନା ଦିଆଯାଇଛି ଯେ ଏହି ଡାକ୍ତରଖାନାରେ ୨୦୧୪ ଅଗଷ୍ଟରେ ପ୍ରତିଦିନ ୧୯ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୧୫ ଓ ୨୦୧୬ ଏହି ମାସରେ ଯଥାକ୍ରମେ ୨୨ ଏବଂ ୧୯ ଜଣଙ୍କ ପ୍ରାଣ ଯାଇଥିଲା। ୨୦୧୭ ଅଗଷ୍ଟ ୧୦ ପୂର୍ବରୁ ପ୍ରତିଦିନ ୧୩ ଜଣଙ୍କ ଜୀବନ ଯାଇଛି। ଏହିସବୁ ପରିସଂଖ୍ୟାନକୁ ସରକାର ଗର୍ବର ସହ ପରିବେଷଣ କରିବା ବେଳେ ବ୍ୟସ୍ତ ଲାଗୁଛି। କାର୍ଯ୍ୟାନୁଷ୍ଠାନ ସ୍ବରୂପ ସମ୍ପୃକ୍ତ କଲେଜର ଅଧ୍ୟକ୍ଷଙ୍କୁ ବଦଳି କରାଯାଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ଏପଟେ ଗଣମାଧ୍ୟମରୁ ଖବର ମିଳିଲାଣି ଯେ ଅଘଟଣର ପରଦିନ ଅଗଷ୍ଟ ୧୧ରେ ଅମ୍ଳଜାନ ଯୋଗାଣକାରୀ ସଂସ୍ଥାକୁ ବକେୟା ଅର୍ଥ ତରବରିଆ ହସ୍ତାନ୍ତର କରାଯାଇଛି ବୋଲି ସାଧାରଣରେ ଜଣାପଡ଼ିଯିବାରୁ ଅଧ୍ୟକ୍ଷକୁ ନିଲମ୍ବିତ କରାଗଲା। ଏଥିରୁ ବୁଝିବାକୁ ହେବ ଯେ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଆଦିତ୍ୟନାଥ ସରକାର କିଭଳି ଫନ୍ଦିଫିକର କରିପାରନ୍ତି। ସ୍ବାସ୍ଥ୍ୟ ଭଳି ମୌଳିକ ଭିତ୍ତିଭୂମିର ସମୀକ୍ଷା ଯେଉଁ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନିଜେ କରୁଛନ୍ତି ତାହାର ଅବସ୍ଥା ଯଦି ଏଭଳି ହୁଏ, ତେବେ ଅନ୍ୟ କ୍ଷେତ୍ର କିଭଳି ଭାବେ ଅଣଦେଖା ହେଉଥିବ ଅନୁମେୟ। ଦୁଃଖର ବିଷୟ ଭାରତରେ ସବୁ ବଡ଼ ସମସ୍ୟାକୁ ରାଜନୈତିକ ରଙ୍ଗ ଦିଆଯାଇ ମୂଳ ପ୍ରସଙ୍ଗକୁ ଦୁର୍ବଳ କରିଦିଆଯାଉଛି। ଅନ୍ୟ ଉପରେ ଦୋଷ ଠେଲିବା, ମୂଳ କଥାରୁ ଲୋକଙ୍କ ନଜର ହଟେଇବା ଏବଂ ଦେଖାଣିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖସିଯିବା ହୋଇଯାଇଛି ଭାରତୀୟ ଚରିତ୍ର। ଏଭଳି ସବୁ ଘଟଣା ପରବର୍ତ୍ତୀ ସମୟରେ କିଭଳି ନ ହେବ ତା’ ଉପରେ କାହାରି ଦୃଷ୍ଟି ନାହିଁ। ଓଡ଼ିଶାରେ ଏକ ଘରୋଇ ହସ୍ପିଟାଲରେ ଗତବର୍ଷ ଅଗ୍ନିକାଣ୍ଡ ୩୦ ଜଣଙ୍କ ପ୍ରାଣ ନେଇଥିଲା। ତଥାକଥିତ ତଦନ୍ତ ଏବେ ମଧ୍ୟ ଚାଲିଛି। ଉତ୍ତରପ୍ରଦେଶର ଦୁଃଖଦ ଘଟଣାରେ ବର୍ତ୍ତମାନ ତଦନ୍ତ ଆରମ୍ଭ ହେଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri