ବକ୍ତବ୍ୟ ନୁହେଁ ବ୍ୟକ୍ତି

ଭାରତରେ ଗୋଟିଏ ଅସ୍ବାଭାବିକ ଜିନିଷ ହେଲା, ଏଠାରେ ବ୍ୟକ୍ତି ଯାହା କହେ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ କେଉଁ ବ୍ୟକ୍ତି ଏ କଥା କହୁଛି, ତାହା ଗୁରୁତ୍ୱପୂର୍ଣ୍ଣ। ଅବଶ୍ୟ ଏହା ବିଶ୍ୱର ଅଧିକାଂଶ ଦେଶରେ କିଛି କିଛି ଦେଖିବାକୁ ମିଳେ। କିନ୍ତୁ ଭାରତରେ କିଛି ବିବାଦୀୟ କଥା କୁହାଗଲେ କହୁଥିବା ବ୍ୟକ୍ତିର ପରିଚୟଟା ସବୁଠାରୁ ଅଧିକ ଗୁରୁତ୍ୱ ବହନ କରେ। ଯଦି ମୁଁ ପଟିଦାରଙ୍କ ସଂରକ୍ଷଣ ଦାବି ସପକ୍ଷରେ କହିବି, ତେବେ କୁହାଯିବ- ମୁଁ ପଟେଲ ହୋଇଥିବାରୁ ନିଜ ସମ୍ପ୍ରଦାୟ ପାଇଁ କହୁଛି। କିମ୍ବା ଯଦି କେହି ପ୍ରତିବାଦକାରୀଙ୍କ ଉପରେ  ଶଟ୍‌ଗନ୍‌ ବ୍ୟବହାର ବିରୋଧରେ କିଛି କୁହେ, ତେବେ ସେ ଜଣେ କଶ୍ମୀରୀ ହୋଇଥିବାରୁ ନିଜ ସମ୍ପ୍ରଦାୟର ସମର୍ଥନରେ ଏପରି କହୁଛି ବୋଲି କୁହାଯିବ। ଏହାର ସବୁଠୁ ବେଶି ଶିକାର ହୁଅନ୍ତି ମୁସଲମାନମାନେ, ଯେଉଁମାନଙ୍କ ବିରୋଧରେ ଅନେକ ସମୟରେ ଆଞ୍ଚଳିକତା ଓ ସଂକୀର୍ଣ୍ଣତାର ଅଭିଯୋଗ ଆସେ। ସେମାନେ କ’ଣ କହୁଛନ୍ତି, ତାହା ଅନେକ ସମୟରେ ତର୍ଜମା ହିଁ କରାଯାଏ ନାହିଁ।
ଉପରେ ମୁଁ ଯାହା କହିଲି, ତାହା ଆମେ ଦୈନନ୍ଦିନ ଜୀବନରେ ଦେଖୁଛୁ ଏବଂ ଟିଭି ନ୍ୟୁଜ୍‌ରେ ଶୁଣୁଛୁ। ତେଣୁ ଅଧିକ ତର୍ଜମାର ଆବଶ୍ୟକତା ନାହିଁ। ମୁଁ କ’ଣ କହିବାକୁ ଚାହୁଁଛି, ପାଠକେ ବୁଝିପାରୁଥିବେ। ଭାରତର ଉପରାଷ୍ଟ୍ରପତିଙ୍କ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଯାହା ମନ୍ତବ୍ୟ ଦେଇଛନ୍ତି, ତାହା ପରମ୍ପରାକୁ ଭଙ୍ଗ କରୁଛି। ରାଜ୍ୟ ସଭା ଟିଭି ପକ୍ଷରୁ କରଣ ଥାପରଙ୍କ ଦ୍ୱାରା ବିଦାୟୀ ଉପରାଷ୍ଟ୍ରପତିଙ୍କର ଏକ ସାକ୍ଷାତ୍‌କାର ନିଆଯାଇଥିଲା। ସେଥିରେ ତାଙ୍କୁ ପଚରାଯାଇଥିଲା-  ...ଭାରତରେ ମୁସଲମାନ ସମ୍ପ୍ରଦାୟ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏହା ସତ ନା ଅତିରଞ୍ଜିତ? ହମିଦ ଅନ୍‌ସାରୀ ଉତ୍ତର ଦେଇଥିଲେ- ହଁ, ଏହା ସତ। ମୁଁ ବିଭିନ୍ନ ମହଲରୁ ଏହି କଥା ଶୁଣିବାକୁ ପାଉଛି। ବାଙ୍ଗାଲୋରରେ ସେହି କଥା ଶୁଣିଲି। ଉତ୍ତର ଭାରତ ଓ ଅନ୍ୟ ସ୍ଥାନରୁ ବି ଏକା କଥା ଶୁଣୁଛି। ଏକ ଅସୁରକ୍ଷାର ଭାବ କ୍ରମଶଃ ମୁସଲମାନ ସମ୍ପ୍ରଦାୟକୁ ଘାରିବାକୁ ଆରମ୍ଭ କରିଛି।
ଅନ୍‌ସାରୀଙ୍କ ଏହି ମନ୍ତବ୍ୟ ବିଭିନ୍ନ ଗଣମାଧ୍ୟମର ଶିରୋନାମା ମଣ୍ଡନ କଲା। କିନ୍ତୁ ସାକ୍ଷାତ୍‌କାରଟିକୁ ଭଲଭାବେ ଦେଖିଲେ ଓ ପଢ଼ିଲେ ଯେ କେହି ବୁଝିପାରିବ ଅନ୍‌ସାରୀ କେତେ ମାପଚୁପରେ କଥା କହୁଥିଲେ। ବାସ୍ତବରେ ସେ କିଛି ଭୁଲ୍‌ କହିନାହାନ୍ତି। ସେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ତାହା ଉପରେ ନିଜର ମତାମତ ଦେଇଥିଲେ। ଏପରି କି ସେ ସରକାରଙ୍କୁ ଦୋଷ ଦେଇ ନ ଥିଲେ। କିନ୍ତୁ ଏହା ଉପରେ ଭାଜପାର ପ୍ରତିକ୍ରିୟା ଥିଲା ସମ୍ପୂର୍ଣ୍ଣ ଆକ୍ରମଣାତ୍ମକ। ଖାସ୍‌ ମୋଦିଙ୍କ କଥା ଶୁଣି ମୋତେ ଖୁବ୍‌ ଦୁଃଖ ଲାଗିଲା, ଯିଏ ଉପରାଷ୍ଟ୍ରପତି ପଦରୁ ଅନ୍‌ସାରୀଙ୍କ ବିଦାୟ ଦିନରେ ତାଙ୍କୁ ଉପହାସ କରିଥିଲେ। ପାଠକେ ମନେ ରଖିଥିବେ ଅନ୍‌ସାରୀ ଆରମ୍ଭରୁ ହିଁ ଭାଜପାର ରୋଷର ଶିକାର ହୋଇଆସିଛନ୍ତି। ଦଳର ମହାସଚିବ ରାମ ମାଧବ ଅନ୍‌ସାରୀଙ୍କ ସମ୍ବନ୍ଧରେ ମନ୍ତବ୍ୟ ଦେଇ ନିଜ ଅଜ୍ଞତାର ପରିଚୟ ଦେଇଥିଲେ। ପରେ ଏହା ଭୁଲ ଥିବା ଜାଣି ସେ ନିଜ ଟୁଇଟର ଆକାଉଣ୍ଟରୁ ଏହାକୁ କାଟି ଦେଇଥିଲେ। ଏସବୁ ବ୍ୟାପାରରେ ଅନ୍‌ସାରୀ ନିଜର ଶାଳୀନତା ବଜାୟ ରଖିଆସିଛନ୍ତି। ବିଦାୟ ଦିନରେ ମୋଦି ତାଙ୍କ ମୁହଁରେ କହିଲେ- କ୍ୟାରିୟର ଡିପ୍ଲୋମାଟ୍‌ର ଅର୍ଥ ସେ ପ୍ରଧାନମନ୍ତ୍ରୀ ହେବା ପରେ ବୁଝିଲେ କାରଣ ଜଣେ କୂଟନୀତିଜ୍ଞଙ୍କ କରମର୍ଦ୍ଦନ ଓ ସ୍ମିତହାସ୍ୟର ଅର୍ଥ ହଠାତ୍‌ ବୁଝିବା ସମ୍ଭବ ନୁହେଁ। ସେ ପୁଣି କହିଲେ ଯେ ଅନ୍‌ସାରୀଙ୍କ ପରିବାରର କଂଗ୍ରେସ ଓ ଖିଲାଫତ୍‌ ଆନ୍ଦୋଳନ ସହ ଦୀର୍ଘ ସମ୍ପର୍କ ରହିଆସିଛି। ଜଣେ କୂଟନୀତିଜ୍ଞ ହିସାବରେ ଅନ୍‌ସାରୀ ମଧ୍ୟପ୍ରାଚ୍ୟରେ ତାଙ୍କ ଭୂମିକା ସୀମିତ ରଖିଥିଲେ ଏବଂ ସେ ସମାନ ପ୍ରକାର ପରିବେଶ, ଆଦର୍ଶ ଓ ସମାନ ଧରଣର ଲୋକଙ୍କ ସହ ସମ୍ପର୍କ ରଖିଥିଲେ। ଅବସର ପରେ ବି ସେ ମୁଖ୍ୟତଃ ସଂଖ୍ୟାଲଘୁ କମିଶନ ଓ ଆଲିଗଡ଼ ମୁସ୍‌ଲିମ୍‌ ୟୁନିଭର୍ସିଟି ସହ କାର୍ଯ୍ୟ କରିଥିଲେ। ଶେଷରେ ମୋଦି ବାକ୍ୟବାଣ ଛାଡ଼ିଥିଲେ- ଆପଣଙ୍କ ଭିତରେ କିଛି ସଂଘର୍ଷ ଥାଇପାରେ କିନ୍ତୁ ଏଣିକି ଆପଣ ଆଉ ଏପରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ ନାହିଁ। ଆପଣଙ୍କୁ ସ୍ବାଧୀନତାର ଅନୁଭବ ଆସିବ ଏବଂ ଆପଣଙ୍କୁ ନିଜ ଆଦର୍ଶ ଅନୁସାରେ କାମ କରିବା, ଚିନ୍ତା କରିବା ଓ କହିବାର ସୁଯୋଗ ମିଳିବ।
ମୋଦିଙ୍କ କଥାର ଭିତିରି ଉଦ୍ଦେଶ୍ୟ ବୁଝିବା ଅସମ୍ଭବ ନୁହେଁ। ସେ ଜାଣିଶୁଣି ଅନ୍‌ସାରୀଙ୍କୁ ତାଙ୍କ ମୁସଲମାନ ପରିଚୟ ଭିତରେ ସୀମିତ କରିବାକୁ ଚାହିଁଛନ୍ତି। ସେଥିପାଇଁ ସେ କୂଟନୀତିଜ୍ଞଭାବେ ଆରବ ଦେଶରେ କାମ କରିବା, ଶିକ୍ଷାବିତ୍‌ ଭାବେ ଇସ୍‌ଲାମିକ୍‌ ବିଶ୍ୱବିଦ୍ୟାଳୟରେ କାମ କରିବା ଏବଂ ଧାର୍ମିକ ଅସହିଷ୍ଣୁତା ସମ୍ପର୍କରେ ମତ ରଖିବା ପ୍ରସଙ୍ଗକୁ ଇଙ୍ଗିତ କରିଛନ୍ତି। ଏହାପରେ ମୋଦିଙ୍କ ସମର୍ଥକମାନେ ଟୁଇଟରରେ ଏବଂ ଟିଭି ଚ୍ୟାନେଲରେ ଏହି କଥାରୁ ଖିଅ ଧରି ଅନ୍‌ସାରୀଙ୍କୁ କଟୁ ସମାଲୋଚନା କରିଛନ୍ତି।
ଅନ୍‌ସାରୀ ନିଜେ ନିମ୍ନୋକ୍ତ ଦୋହାରୁ ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ: ମୁଝେ ଇଲ୍‌ଜାମ ଇତ୍‌ନେ ଲଗାଏ ଗଏ, ବେଗୁନାହ କେ ଅନ୍ଦାଜ ଜାତେ ରହେ। ଅର୍ଥାତ୍‌ ତାଙ୍କ ଉପରେ ଅନ୍ୟାୟ ଭାବେ ବାରମ୍ବାର ଏଭଳି ଦୋଷାରୋପ କରାଯାଇଛି ଯେ, ଏଥିରୁ ପ୍ରମାଣ ମିଳୁଛି ନିରୀହ ରହିବା ଅସମ୍ଭବ। ଜଣେ ବିଦାୟୀ ଉପରାଷ୍ଟ୍ରପତିଙ୍କ ମୁହଁରୁ ଏପରି କଥା ଶୁଣି ସମସ୍ତ ଭାରତୀୟ କ’ଣ ବ୍ୟସ୍ତ ହେବା ଉଚିତ ନୁହେଁ?   ଆକାର ପଟେଲ Email: aakar.patel@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri