ଗଙ୍ଗାଧର: ନବଯୁଗର ବାର୍ତ୍ତାବହ

ଆଜି ସ୍ବଭାବକବି ଗଙ୍ଗାଧର ମେହେରଙ୍କ ପୁଣ୍ୟ ଜନ୍ମତିଥି। ସମ୍ବଲପୁର ଅଞ୍ଚଳର ପିଲାମାନେ ମେହେର କବିଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରି ଏବେ ମଧ୍ୟ କହିଥାନ୍ତି- ‘ମେହେର ବାଗିର କବି ନୃସିଂହ ନାଥେର ଛବି’। ଏହାର ଉଦ୍ଦେଶ୍ୟ ହେଲା- ନୃସିଂହ ନାଥ ପରି ମନୋରମ ଦୃଶ୍ୟ ନାହିଁ କିମ୍ବା ମେହେରଙ୍କ ପରି କବି ନାହାନ୍ତି। ମେହେର କବିଙ୍କୁ ଜଣେ ପ୍ରକୃତି କବି ଭାବେ ମୁଖ୍ୟତଃ ଚିତ୍ରଣ କରାଯାଏ। କିନ୍ତୁ ସେ ଜଣେ ଜାତୀୟ କବି ଥିଲେ; ଏ ଦିଗରେ ବିଶେଷ ଆଲୋଚନା ବା ଚର୍ଚ୍ଚା ହୋଇନାହିଁ ବୋଲି କହିଲେ ଭୁଲ୍‌ ହେବନାହିଁ।  ଜାତୀୟ କବିର ଜୀବନଗାଥା କେବଳ ତା’ର ଜନ୍ମମୃତ୍ୟୁ ଓ କ୍ରିୟାକଳାପ ମଧ୍ୟରେ ସୀମାବଦ୍ଧ ନୁହେଁ; ଏହା ଜାତୀୟ ଇତିହାସର ଅଂଶବିଶେଷ। ସୁତରାଂ କବିକୁ ଜାଣିବା ପାଇଁ ହେଲେ ତା’ର କାବ୍ୟାନୁଶୀଳନ ଏକାନ୍ତ କାମ୍ୟ ନୁହେଁ- ସମକାଳୀନ ଯୁଗର ସ୍ପନ୍ଦନକୁ ଅନୁଭବ କରିବା ପାଇଁ କବିର ସୃଷ୍ଟି ସମ୍ପଦ ଅନୁଶୀଳନର ଆବଶ୍ୟକତା ଅଛି। ମନସ୍ବୀ କବି ଟି.ଏସ୍‌.ଏଲିୟଟ୍‌ ଏ କଥା କହିଛନ୍ତି - ”The Greatest Poet in writing himself, writes his own times.“ ସୁତରାଂ କବି ବା ସାହିତି୍ୟକ ଆତ୍ମପ୍ରକାଶ କରିବାକୁ ଯାଇ ତାଙ୍କ ନିଜ ସମୟର କଥାକୁ ହିଁ ନିଜ ସାହିତ୍ୟରେ ପ୍ରକାଶ କରନ୍ତି। ଏହାହିଁ ହେଉଛି କବି ଧର୍ମ। ଗଙ୍ଗାଧର ମେହେରଙ୍କ ପରିବେଶ ଓ ଜୀବନ ସମକାଳୀନ ଓଡ଼ିଶାର ରାଜନୈତିକ ରଙ୍ଗମଞ୍ଚରେ ବିଶିଷ୍ଟ ଭୂମିକା ନିଭାଇବାକୁ ତାଙ୍କୁ ସୁଯୋଗ ଦେଇ ନ ଥିଲା। ତେଣୁ ବିଭିନ୍ନ ସଭା ସମିତିରେ ସେ ଜଣେ ରାଜନେତା ଭାବେ ନିଜ ବକ୍ତବ୍ୟ ନ ରଖି ନିଜ ଅନ୍ତରର ବେଦନାକୁ ସାହିତ୍ୟ ମାଧ୍ୟମରେ କେଉଁଠି ପ୍ରତ୍ୟକ୍ଷ ଭାବରେ ବା ଅନ୍ୟ କେଉଁଠି ପରୋକ୍ଷ ଭାବରେ ପ୍ରକାଶ କରିଛନ୍ତି। ନଅଙ୍କ ଦୁର୍ଭିକ୍ଷ ବେଳକୁ ଗଙ୍ଗାଧରଙ୍କୁ ମାତ୍ର ୪ବର୍ଷ ବୟସ। ‘ଉତ୍କଳ ସଭା’ର ପ୍ରଥମ ଅଧିବେଶନ ବେଳକୁ ତାଙ୍କୁ ପ୍ରାୟ ୨୦ବର୍ଷ ହୋଇଥିଲା। ସମ୍ବଲପୁରରେ ଓଡ଼ିଆ ଭାଷା ପ୍ରତି ଉଡ୍‌ବର୍ଣ୍ଣ ସାହେବଙ୍କର ଅବିଚାର ତାଙ୍କୁ ମର୍ମାହତ କରିଥିଲା। ସେତେବେଳକୁ ସେ ବରପାଲି ଜମିଦାରଙ୍କ ଅଧୀନରେ ଜଣେ ସ୍ବଳ୍ପ ବେତନଭୋଗୀ କର୍ମଚାରୀ। ‘ଉତ୍କଳ ସମ୍ମିଳନୀର ଜନ୍ମବେଳକୁ ସେ ସମ୍ବଲପୁରର ଡେପୁଟି କମିଶନର ଅଦାଲତରେ ଜୁଡିସିଆଲ ମୋହରିର ଭାବେ ଅବସ୍ଥାପିତ। ସମ୍ବଲପୁରରେ ଚନ୍ଦ୍ରଶେଖର ବେହେରାଙ୍କ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନ ଚାଲିଥିଲା ବେଳେ ଗଙ୍ଗାଧର ଚାକିରିରୁ ଅବସର ଗ୍ରହଣ କରିଥିଲେ। ତାଙ୍କ ତିରୋଧାନର ମାତ୍ର ତିନିବର୍ଷ ପୂର୍ବରୁ ସମ୍ବଲପୁରରେ ଜାତୀୟ ହାଇସ୍କୁଲ ପ୍ରତିଷ୍ଠା ହୋଇଥିଲା। ଅମିନ, ମାଲମୋହରିର ଏବଂ ଜୁଡିସିଆଲ ମୋହରିର ଗଙ୍ଗାଧରଙ୍କ ଭିତରେ ବଞ୍ଚି ରହିଥିଲା ଏକ ପ୍ରଚଣ୍ଡ ବ୍ୟକ୍ତିସତ୍ତା। ଗଙ୍ଗାଧରଙ୍କ ସମକାଳରେ କେବଳ ଓଡ଼ିଆ ସାହିତ୍ୟରେ ନୁହେଁ, ସମଗ୍ର ଭାରତୀୟ ସାହିତ୍ୟରେ ଏକ ନବଯୁଗର ଆବିର୍ଭାବ ହୋଇଥିଲା। ସେତେବେଳକୁ ଦେଶ ପରାଧୀନ। କବି ଗଙ୍ଗାଧର ତାଙ୍କ କୃତିରେ ସମକାଳୀନ ଅନ୍ୟାନ୍ୟ କବିଙ୍କ ପରି ପ୍ରଥମେ ଇଂରେଜ ସରକାରଙ୍କ ପ୍ରଶଂସା କରିଥିଲେ। କିନ୍ତୁ ଜୀବନର ସାୟାହ୍ନରେ ତାଙ୍କର ଦୃଷ୍ଟିଭଙ୍ଗୀ ପରିବର୍ତ୍ତିତ ହୋଇଛି। ସେତେବେଳକୁ ମହାତ୍ମା ଗାନ୍ଧୀ ଭାରତର ରାଜନୈତିକ ରଙ୍ଗମଞ୍ଚରେ ଅବତୀର୍ଣ୍ଣ। ଗଙ୍ଗାଧରଙ୍କ ଜନ୍ମଭୂମି ସମ୍ବଲପୁରରେ ମଧ୍ୟ ଐତିହାସିକ ଜନଜାଗରଣ ସୃଷ୍ଟି ହୋଇଥିଲା। ଯୁଗର ସେଇ ସ୍ପନ୍ଦନକୁ ନିଜ କୃତିରେ ସ୍ଥାନ ଦେବାର ଲକ୍ଷ୍ୟ ନେଇ ଗଙ୍ଗାଧର ରଚନା କରିଥିଲେ- ‘ଭାରତୀ ଭାବନା’। ଏହା ସ୍ବଦେଶପ୍ରୀତି ସମ୍ପନ୍ନ କବିଙ୍କର ପ୍ରାଣବୀଣାରେ ସମକାଳୀନ ନବଚେତନାର ଏକ ମଧୁର ଝଙ୍କାର କହିଲେ କିଛି ଭୁଲ୍‌ ହେବନାହିଁ। ପୂର୍ବରୁ ଆମେ ସୂଚାଇ ଦେଇଛୁ ଯେ ଗଙ୍ଗାଧର ରାଜନେତାଙ୍କ ପରି ସଭାସମିତିରେ ଯୋଗଦେଇ ଗଳାଫଟାଇ ଚିତ୍କାର କରିଥିବାର କୌଣସି ବିବରଣୀ ଆମ ନଜରକୁ ଆସିନାହିଁ। ‘ମେହେରଙ୍କ ସମ୍ବନ୍ଧରେ ଦୁଇପଦ’ ଶୀର୍ଷକ ଆଲୋଚନାରେ ଅଭିମନ୍ୟୁ ଦେବତା ଗଙ୍ଗାଧର ମେହେରଙ୍କ ମହାଭାରତୀୟ ଚିନ୍ତାଧାରା ବିଷୟରେ ସମ୍ୟକ୍‌ ସୂଚନା ପ୍ରଦାନ କରିଛନ୍ତି। ପୌରାଣିକ ଆଖ୍ୟାୟିକାର ନବୀକରଣରେ ମେହେର କବି ତପସ୍ୟାରତ ଥିବା ବେଳେ ‘ଉତ୍କଳ ଲକ୍ଷ୍ମୀ’ କାବ୍ୟ ରଚନା ନିଶ୍ଚିତ ଭାବେ ତାତ୍ପ୍ଯଯ୍ୟପୂର୍ଣ୍ଣ। ଏହାର ପ୍ରଥମ ସଂସ୍କରଣ ବେଳକୁ ସମ୍ବଲପୁର ଓଡ଼ିଶାରୁ ବିଚ୍ଛିନ୍ନ ହୋଇଥିଲା। ଦ୍ୱିତୀୟ ସଂସ୍କରଣ ପ୍ରଥମ ସଂସ୍କରଣର ପରିବର୍ଦ୍ଧିତ ଓ ପରିମାର୍ଜିତ ରୂପ। ଅପୂର୍ବ ଜାତୀୟ ପ୍ରୀତିରେ ଏଥିରେ ଉଦ୍‌ବୁଦ୍ଧ ହୋଇ ରାଧାନାଥ ଯେପରି କଟକ, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ ପ୍ରଭୃତି ଉତ୍କଳର ପ୍ରାକୃତିକ ଦୃଶ୍ୟକୁ ନିଜ ସୃଷ୍ଟିରେ ମନୋଜ୍ଞ କରି ଯାଇଛନ୍ତି, କବି ଗଙ୍ଗାଧର ଅନୁରୂପ ଭାବେ ‘ଉତ୍କଳ ଲକ୍ଷ୍ମୀ’ରେ ପ୍ରାକୃତିକ ଉତ୍କଳର ସୁଷମ ରାଶି ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ବିଦେଶ ଶାସକଙ୍କୁ କହିଗଲେ ଯେ, ତତ୍କାଳୀନ ଓଡ଼ିଶା ଡିଭିଜନ ପ୍ରାକୃତିକ ଉତ୍କଳର ଏକ ଅଂଶ ମାତ୍ର। କିନ୍ତୁ ‘ଉତ୍କଳ ଲକ୍ଷ୍ମୀ’ରେ ହିଁ ସେ ଉତ୍କଳର ଯଥାର୍ଥ ଚିତ୍ର ଆଙ୍କିଛନ୍ତି। କେବଳ ସମ୍ବଲପୁର ନୁହେଁ ସିଂହଭୂମ, ଗଞ୍ଜାମ ଏବଂ ଗଡ଼ଜାତ ଅଞ୍ଚଳ ଯେ ଉତ୍କଳର ଛିନ୍ନାଙ୍ଗ, ‘ଉତ୍କଳ ଲକ୍ଷ୍ମୀ’ କାବ୍ୟ ମାଧ୍ୟମରେ ଗଙ୍ଗାଧର ବିଦେଶୀ ଶାସକଙ୍କୁ ଚେତେଇ ଦେଇଛନ୍ତି। ତାଙ୍କ ରଚିତ ‘ଭାରତୀ ରୋଦନ’ ଓ ‘ଉତ୍କଳ ଭାରତୀ ନିବେଦନ’ ମାତୃଭାଷା ଓ ମାତୃଭୂମି ପ୍ରତି ତାଙ୍କ ସମର୍ପିତ ପ୍ରତିବଦ୍ଧତାର ପ୍ରମାଣ। କୁଳବୃଦ୍ଧ ମଧୁସୂଦନଙ୍କ ଭାଷାରେ ଉତ୍କଳ ସମ୍ମିଳନୀ ହେଉଛି ଜନନୀ ଜନ୍ମଭୂମିର ପୂଜାମଣ୍ଡପ। ଏହି ପୂଜାମଣ୍ଡପ ସହିତ ଗଙ୍ଗାଧରଙ୍କ ସମ୍ପର୍କ ମଧ୍ୟ ଅତି ନିବିଡ ଥିଲା। ତାଙ୍କ ଭାଷାରେ କହିବାକୁ ଗଲେ ‘ମାତୃଭୂମି ମାତୃଭାଷାରେ ମମତା ଯା’ ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ।’ଆଜି ମେହେର କବିଙ୍କ ପୁଣ୍ୟ ଜନ୍ମତିଥି ଅବସରରେ ଏହି କବିଙ୍କୁ ଆମର ଅନ୍ତରର ଭକ୍ତି ଏବଂ ଶ୍ରଦ୍ଧା ନିବେଦନ କରୁଛୁ।ଡ. ସିଦ୍ଧାର୍ଥ କାନୁନ୍‌ଗୋଚୈତନ୍ୟ ଧାମ, ଶବର ସାହି, ପ୍ଲଟ ନଂ-୨୦୮୪, ଭୁବନେଶ୍ୱର, ମୋ: ୯୪୩୮୦୭୨୮୫୦


ଆଜି ସ୍ବଭାବକବି ଗଙ୍ଗାଧର ମେହେରଙ୍କ ପୁଣ୍ୟ ଜନ୍ମତିଥି। ସମ୍ବଲପୁର ଅଞ୍ଚଳର ପିଲାମାନେ ମେହେର କବିଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରି ଏବେ ମଧ୍ୟ କହିଥାନ୍ତି- ‘ମେହେର ବାଗିର କବି ନୃସିଂହ ନାଥେର ଛବି’। ଏହାର ଉଦ୍ଦେଶ୍ୟ ହେଲା- ନୃସିଂହ ନାଥ ପରି ମନୋରମ ଦୃଶ୍ୟ ନାହିଁ କିମ୍ବା ମେହେରଙ୍କ ପରି କବି ନାହାନ୍ତି। ମେହେର କବିଙ୍କୁ ଜଣେ ପ୍ରକୃତି କବି ଭାବେ ମୁଖ୍ୟତଃ ଚିତ୍ରଣ କରାଯାଏ। କିନ୍ତୁ ସେ ଜଣେ ଜାତୀୟ କବି ଥିଲେ; ଏ ଦିଗରେ ବିଶେଷ ଆଲୋଚନା ବା ଚର୍ଚ୍ଚା ହୋଇନାହିଁ ବୋଲି କହିଲେ ଭୁଲ୍‌ ହେବନାହିଁ। 
 ଜାତୀୟ କବିର ଜୀବନଗାଥା କେବଳ ତା’ର ଜନ୍ମମୃତ୍ୟୁ ଓ କ୍ରିୟାକଳାପ ମଧ୍ୟରେ ସୀମାବଦ୍ଧ ନୁହେଁ; ଏହା ଜାତୀୟ ଇତିହାସର ଅଂଶବିଶେଷ। ସୁତରାଂ କବିକୁ ଜାଣିବା ପାଇଁ ହେଲେ ତା’ର କାବ୍ୟାନୁଶୀଳନ ଏକାନ୍ତ କାମ୍ୟ ନୁହେଁ- ସମକାଳୀନ ଯୁଗର ସ୍ପନ୍ଦନକୁ ଅନୁଭବ କରିବା ପାଇଁ କବିର ସୃଷ୍ଟି ସମ୍ପଦ ଅନୁଶୀଳନର ଆବଶ୍ୟକତା ଅଛି। ମନସ୍ବୀ କବି ଟି.ଏସ୍‌.ଏଲିୟଟ୍‌ ଏ କଥା କହିଛନ୍ତି - ”The Greatest Poet in 
writing himself, writes his own times.“ ସୁତରାଂ କବି ବା ସାହିତି୍ୟକ ଆତ୍ମପ୍ରକାଶ କରିବାକୁ ଯାଇ ତାଙ୍କ ନିଜ ସମୟର କଥାକୁ ହିଁ ନିଜ ସାହିତ୍ୟରେ ପ୍ରକାଶ କରନ୍ତି। ଏହାହିଁ ହେଉଛି କବି ଧର୍ମ। 
ଗଙ୍ଗାଧର ମେହେରଙ୍କ ପରିବେଶ ଓ ଜୀବନ ସମକାଳୀନ ଓଡ଼ିଶାର ରାଜନୈତିକ ରଙ୍ଗମଞ୍ଚରେ ବିଶିଷ୍ଟ ଭୂମିକା ନିଭାଇବାକୁ ତାଙ୍କୁ ସୁଯୋଗ ଦେଇ ନ ଥିଲା। ତେଣୁ ବିଭିନ୍ନ ସଭା ସମିତିରେ ସେ ଜଣେ ରାଜନେତା ଭାବେ ନିଜ ବକ୍ତବ୍ୟ ନ ରଖି ନିଜ ଅନ୍ତରର ବେଦନାକୁ ସାହିତ୍ୟ ମାଧ୍ୟମରେ କେଉଁଠି ପ୍ରତ୍ୟକ୍ଷ ଭାବରେ ବା ଅନ୍ୟ କେଉଁଠି ପରୋକ୍ଷ ଭାବରେ ପ୍ରକାଶ କରିଛନ୍ତି। ନଅଙ୍କ ଦୁର୍ଭିକ୍ଷ ବେଳକୁ ଗଙ୍ଗାଧରଙ୍କୁ ମାତ୍ର ୪ବର୍ଷ ବୟସ। ‘ଉତ୍କଳ ସଭା’ର ପ୍ରଥମ ଅଧିବେଶନ ବେଳକୁ ତାଙ୍କୁ ପ୍ରାୟ ୨୦ବର୍ଷ ହୋଇଥିଲା। ସମ୍ବଲପୁରରେ ଓଡ଼ିଆ ଭାଷା ପ୍ରତି ଉଡ୍‌ବର୍ଣ୍ଣ ସାହେବଙ୍କର ଅବିଚାର ତାଙ୍କୁ ମର୍ମାହତ କରିଥିଲା। ସେତେବେଳକୁ ସେ ବରପାଲି ଜମିଦାରଙ୍କ ଅଧୀନରେ ଜଣେ ସ୍ବଳ୍ପ ବେତନଭୋଗୀ କର୍ମଚାରୀ। ‘ଉତ୍କଳ ସମ୍ମିଳନୀର ଜନ୍ମବେଳକୁ ସେ ସମ୍ବଲପୁରର ଡେପୁଟି କମିଶନର ଅଦାଲତରେ ଜୁଡିସିଆଲ ମୋହରିର ଭାବେ ଅବସ୍ଥାପିତ। ସମ୍ବଲପୁରରେ ଚନ୍ଦ୍ରଶେଖର ବେହେରାଙ୍କ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନ ଚାଲିଥିଲା ବେଳେ ଗଙ୍ଗାଧର ଚାକିରିରୁ ଅବସର ଗ୍ରହଣ କରିଥିଲେ। ତାଙ୍କ ତିରୋଧାନର ମାତ୍ର ତିନିବର୍ଷ ପୂର୍ବରୁ ସମ୍ବଲପୁରରେ ଜାତୀୟ ହାଇସ୍କୁଲ ପ୍ରତିଷ୍ଠା ହୋଇଥିଲା। ଅମିନ, ମାଲମୋହରିର ଏବଂ ଜୁଡିସିଆଲ ମୋହରିର ଗଙ୍ଗାଧରଙ୍କ ଭିତରେ ବଞ୍ଚି ରହିଥିଲା ଏକ ପ୍ରଚଣ୍ଡ ବ୍ୟକ୍ତିସତ୍ତା। 
ଗଙ୍ଗାଧରଙ୍କ ସମକାଳରେ କେବଳ ଓଡ଼ିଆ ସାହିତ୍ୟରେ ନୁହେଁ, ସମଗ୍ର ଭାରତୀୟ ସାହିତ୍ୟରେ ଏକ ନବଯୁଗର ଆବିର୍ଭାବ ହୋଇଥିଲା। ସେତେବେଳକୁ ଦେଶ ପରାଧୀନ। କବି ଗଙ୍ଗାଧର ତାଙ୍କ କୃତିରେ ସମକାଳୀନ ଅନ୍ୟାନ୍ୟ କବିଙ୍କ ପରି ପ୍ରଥମେ ଇଂରେଜ ସରକାରଙ୍କ ପ୍ରଶଂସା କରିଥିଲେ। କିନ୍ତୁ ଜୀବନର ସାୟାହ୍ନରେ ତାଙ୍କର ଦୃଷ୍ଟିଭଙ୍ଗୀ ପରିବର୍ତ୍ତିତ ହୋଇଛି। ସେତେବେଳକୁ ମହାତ୍ମା ଗାନ୍ଧୀ ଭାରତର ରାଜନୈତିକ ରଙ୍ଗମଞ୍ଚରେ ଅବତୀର୍ଣ୍ଣ। ଗଙ୍ଗାଧରଙ୍କ ଜନ୍ମଭୂମି ସମ୍ବଲପୁରରେ ମଧ୍ୟ ଐତିହାସିକ ଜନଜାଗରଣ ସୃଷ୍ଟି ହୋଇଥିଲା। ଯୁଗର ସେଇ ସ୍ପନ୍ଦନକୁ ନିଜ କୃତିରେ ସ୍ଥାନ ଦେବାର ଲକ୍ଷ୍ୟ ନେଇ ଗଙ୍ଗାଧର ରଚନା କରିଥିଲେ- ‘ଭାରତୀ ଭାବନା’। ଏହା ସ୍ବଦେଶପ୍ରୀତି ସମ୍ପନ୍ନ କବିଙ୍କର ପ୍ରାଣବୀଣାରେ ସମକାଳୀନ ନବଚେତନାର ଏକ ମଧୁର ଝଙ୍କାର କହିଲେ କିଛି ଭୁଲ୍‌ ହେବନାହିଁ। ପୂର୍ବରୁ ଆମେ ସୂଚାଇ ଦେଇଛୁ ଯେ ଗଙ୍ଗାଧର ରାଜନେତାଙ୍କ ପରି ସଭାସମିତିରେ ଯୋଗଦେଇ ଗଳାଫଟାଇ ଚିତ୍କାର କରିଥିବାର କୌଣସି ବିବରଣୀ ଆମ ନଜରକୁ ଆସିନାହିଁ। ‘ମେହେରଙ୍କ ସମ୍ବନ୍ଧରେ ଦୁଇପଦ’ ଶୀର୍ଷକ ଆଲୋଚନାରେ ଅଭିମନ୍ୟୁ ଦେବତା ଗଙ୍ଗାଧର ମେହେରଙ୍କ ମହାଭାରତୀୟ ଚିନ୍ତାଧାରା ବିଷୟରେ ସମ୍ୟକ୍‌ ସୂଚନା ପ୍ରଦାନ କରିଛନ୍ତି। 
ପୌରାଣିକ ଆଖ୍ୟାୟିକାର ନବୀକରଣରେ ମେହେର କବି ତପସ୍ୟାରତ ଥିବା ବେଳେ ‘ଉତ୍କଳ ଲକ୍ଷ୍ମୀ’ କାବ୍ୟ ରଚନା ନିଶ୍ଚିତ ଭାବେ ତାତ୍ପ୍ଯଯ୍ୟପୂର୍ଣ୍ଣ। ଏହାର ପ୍ରଥମ ସଂସ୍କରଣ ବେଳକୁ ସମ୍ବଲପୁର ଓଡ଼ିଶାରୁ ବିଚ୍ଛିନ୍ନ ହୋଇଥିଲା। ଦ୍ୱିତୀୟ ସଂସ୍କରଣ ପ୍ରଥମ ସଂସ୍କରଣର ପରିବର୍ଦ୍ଧିତ ଓ ପରିମାର୍ଜିତ ରୂପ। ଅପୂର୍ବ ଜାତୀୟ ପ୍ରୀତିରେ ଏଥିରେ ଉଦ୍‌ବୁଦ୍ଧ ହୋଇ ରାଧାନାଥ ଯେପରି କଟକ, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ ପ୍ରଭୃତି ଉତ୍କଳର ପ୍ରାକୃତିକ ଦୃଶ୍ୟକୁ ନିଜ ସୃଷ୍ଟିରେ ମନୋଜ୍ଞ କରି ଯାଇଛନ୍ତି, କବି ଗଙ୍ଗାଧର ଅନୁରୂପ ଭାବେ ‘ଉତ୍କଳ ଲକ୍ଷ୍ମୀ’ରେ ପ୍ରାକୃତିକ ଉତ୍କଳର ସୁଷମ ରାଶି ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ବିଦେଶ ଶାସକଙ୍କୁ କହିଗଲେ ଯେ, ତତ୍କାଳୀନ ଓଡ଼ିଶା ଡିଭିଜନ ପ୍ରାକୃତିକ ଉତ୍କଳର ଏକ ଅଂଶ ମାତ୍ର। କିନ୍ତୁ ‘ଉତ୍କଳ ଲକ୍ଷ୍ମୀ’ରେ ହିଁ ସେ ଉତ୍କଳର ଯଥାର୍ଥ ଚିତ୍ର ଆଙ୍କିଛନ୍ତି। କେବଳ ସମ୍ବଲପୁର ନୁହେଁ ସିଂହଭୂମ, ଗଞ୍ଜାମ ଏବଂ ଗଡ଼ଜାତ ଅଞ୍ଚଳ ଯେ ଉତ୍କଳର ଛିନ୍ନାଙ୍ଗ, ‘ଉତ୍କଳ ଲକ୍ଷ୍ମୀ’ କାବ୍ୟ ମାଧ୍ୟମରେ ଗଙ୍ଗାଧର ବିଦେଶୀ ଶାସକଙ୍କୁ ଚେତେଇ ଦେଇଛନ୍ତି। ତାଙ୍କ ରଚିତ ‘ଭାରତୀ ରୋଦନ’ ଓ ‘ଉତ୍କଳ ଭାରତୀ ନିବେଦନ’ ମାତୃଭାଷା ଓ ମାତୃଭୂମି ପ୍ରତି ତାଙ୍କ ସମର୍ପିତ ପ୍ରତିବଦ୍ଧତାର ପ୍ରମାଣ। 
କୁଳବୃଦ୍ଧ ମଧୁସୂଦନଙ୍କ ଭାଷାରେ ଉତ୍କଳ ସମ୍ମିଳନୀ ହେଉଛି ଜନନୀ ଜନ୍ମଭୂମିର ପୂଜାମଣ୍ଡପ। ଏହି ପୂଜାମଣ୍ଡପ ସହିତ ଗଙ୍ଗାଧରଙ୍କ ସମ୍ପର୍କ ମଧ୍ୟ ଅତି ନିବିଡ ଥିଲା। ତାଙ୍କ ଭାଷାରେ କହିବାକୁ ଗଲେ ‘ମାତୃଭୂମି ମାତୃଭାଷାରେ ମମତା ଯା’ ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ।’ଆଜି ମେହେର କବିଙ୍କ ପୁଣ୍ୟ ଜନ୍ମତିଥି ଅବସରରେ ଏହି କବିଙ୍କୁ ଆମର ଅନ୍ତରର ଭକ୍ତି ଏବଂ ଶ୍ରଦ୍ଧା ନିବେଦନ କରୁଛୁ।
ଡ. ସିଦ୍ଧାର୍ଥ କାନୁନ୍‌ଗୋ
ଚୈତନ୍ୟ ଧାମ, ଶବର ସାହି, ପ୍ଲଟ ନଂ-୨୦୮୪, 
ଭୁବନେଶ୍ୱର, ମୋ: ୯୪୩୮୦୭୨୮୫୦


The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri