ଜି.ଉଦୟଗିରି,୨ା୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା କଳିଙ୍ଗା ଘାଟି ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥ ତଥା ଗଞ୍ଜାମ ଓ କନ୍ଧମାଳ ଜିଲା ସହ ଯାତାୟାତର ସବୁଠାରୁ ସହଜ ରାଜପଥଟି ଭୂସ୍ଖଳନ ଯୋଗୁ ଦୀର୍ଘଦିନ ହେବ ବନ୍ଦ ରହିଥିଲା। ବହୁଦିନ ପରେ ଅସ୍ଥାୟୀ ରାସ୍ତା ନିର୍ମାଣ କାମ ସରିଛି କିନ୍ତୁ ଗାର୍ଡଓ୍ବାଲ କାମ ଚାଲିଛି। ଦୁଇଦିନ ହେଲା ୨/୪ ଚକିଆ ଯାନ ଚଳାଚଳ ହେଉଥିବା ଦେଖିବାକୁ ମିଳିଛି। ଯାତ୍ରୀବାହୀ ବସ୍ ଚଳାଚଳ ନିମନ୍ତେ ପ୍ରଶାସନ ଅନୁମତି ଦେଇନାହାନ୍ତି କିନ୍ତୁ ପେଟ୍ରୋଲ ଟାଙ୍କି ଟ୍ରକ୍ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଯାହା ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ବହୁ ଦିନ ହେଲାଣି ଅଧିକ ବସ୍ଭଡ଼ା ସହ ଅଧିକ ସମୟ ଦେଇ ଯାତ୍ରୀ ଯାତାୟାତ କରୁଛନ୍ତି ଯାହା ସିଧାସଳଖ ଖାଉଟିଙ୍କ ପକେଟ ଉପରେ ପ୍ରଭାବ ପଡ଼ୁଛି।

ରବିବାର ସକାଳୁ ବ୍ରହ୍ମପୁରଠାରୁ ବାଲିଗୁଡ଼ା ଆସୁଥିବା ଏକ ବେସରକାରୀ ବସ୍ କଳିଙ୍ଗା ଘାଟି ଦେଇ ଆସୁଥିବା ବେଳେ ଭୂସ୍ଖଳନ ହୋଇଥିବା ସ୍ଥାନରେ କାର୍ଯ୍ୟରତ ଶ୍ରମିକ ଅଟକାଇ ଥିବାରୁ କିଛି ସମୟ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଯାହା ଫଳରେ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ୨/୪ ଚକିଆ ଯାନ ସହ ଯଦି ପେଟ୍ରୋଲ ଟାଙ୍କି ଟ୍ରକ୍ ଯାତାୟାତ କରିପାରିବ ତେବେ ଯାତ୍ରୀବାହୀ ବସ୍ କହିଁକି ଚଳାଚଳ ବନ୍ଦ ରହିଛି ବୋଲି ଯାତ୍ରୀମାନେ ପ୍ରଶ୍ନ କରିବା ସହ ଯାତ୍ରୀବାହୀ ବସ୍ ଚଳାଚଳ ନିମନ୍ତେ ପ୍ରଶାସନ ତରଫରୁ ବିଧିବଦ୍ଧ ଘୋଷଣା କରିବାକୁ ଦାବି କରିଛନ୍ତି। ସେପଟେ ଯାତ୍ରୀବାହୀ ବସ୍ ଯୋଗେ ବିଭିନ୍ନ ସ୍ଥାନରୁ ପରିବା ଆସୁଥିବା ବେଳେ ବସ୍ ଅଧିକ ଦୂର ରାସ୍ତା ଦେଇ ଆସିଲେ ଅଧିକ ଲଗେଜ ଭଡ଼ା ଲାଗୁଥିବା କହିଛନ୍ତି ସ୍ଥାନୀୟ ପରିବା ବ୍ୟବସାୟୀ ଶିବ ସାହୁ। ଯାହା ଫଳରେ ସମସ୍ତ ଆବଶ୍ୟକୀୟ ଜିନିଷ କିଣାବିକାରେ ଜି.ଉଦୟଗିରି ବାସିନ୍ଦା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଜନସାଧାରଣଙ୍କ ଦୈନନ୍ଦିନ ଆବଶ୍ୟକତାକୁ ଦେଖି ଜିଲାପାଳ ବିଧିବଦ୍ଧ ଭାବେ କଳିଙ୍ଗା ଘାଟି ଦେଇ ଯାତ୍ରୀ ପରିବହନ ଯାନବାହନ ଚଳାଚଳ ନିମନ୍ତେ ଘୋଷଣା କଲେ ଅଞ୍ଚଳବାସୀ ଉପକୃତ ହେବେ ବୋଲି ସାଧାରଣରେ ଦାବି ହେଉଛି।


