ବାଣୀବିହାର ଛକରେ ଯୁବକଙ୍କୁ ଗୋଡ଼ାଇ ହାଣିଲେ


ଭୁବନେଶ୍ୱର, ୬।୧୨(ବ୍ୟୁରୋ)- ସମୟ ବୁଧବାର ଅପରାହ୍ନ ୨ଟା। ରାଜଧାନୀର ଏକ ପ୍ରମୁଖ ସ୍ଥାନ ବାଣୀବିହାର ଛକରେ ଆତଙ୍କ ଖେଳାଇଥିଲା ପପୁ ଗ୍ୟାଙ୍ଗ୍‌। ଗ୍ୟାଙ୍ଗ୍‌ର ପ୍ରାୟ ୧୦ ଜଣ ସଦସ୍ୟ ହାତରେ ମାରଣାସ୍ତ୍ର ଧରି ଜାତୀୟ ରାଜପଥରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ଚାଲିଥିଲେ। ଯୁବକ ଜଣକ ତଳେ ପଡ଼ି ଚିତ୍କାର କରୁଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ଚୋଟ ପରେ ଚୋଟ ମାରିଚାଲିଥିଲେ। ଘଟଣାର ଦୃଶ୍ୟପଟ ପଥଚାରୀ ଏବଂ ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଥିଲା। ଆକ୍ରମଣରେ ଭୋଟପଡ଼ାର ଟୁଲୁ ଭୋଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ବାମ ହାତ, ପିଠି ଓ ଦୁଇ ଜଙ୍ଘ ସମେତ ଶରୀରର ୬ଟି ଜାଗାରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଚୁର ରକ୍ତସ୍ରାବ ଯୋଗୁ ରାତି ସୁଦ୍ଧା ତାଙ୍କର ଚେତା ଫେରି ନ ଥିବା ସୂଚନା ମିଳିଛି। ଏପରି କି ଆକ୍ରମଣ ପରେ ଘଟଣାସ୍ଥଳରେ ସେ ରକ୍ତବାନ୍ତି କରିଥିବା ଦେଖାଯାଇଥିଲା। ଟୁଲୁଙ୍କ ଭାଇ ସିଲୁ ଏ ନେଇ ଶହୀଦନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ପୋଲିସର ମୋଷ୍ଟ ଓ୍ବାଣ୍ଟେଡ୍‌ ତାଲିକାରେ ଥିବା ପପୁ, ଯିଏକି ଗ୍ୟାଙ୍ଗ୍‌ର ମୁଖ୍ୟ। ସୂଚନା ମୁତାବକ, ଜଣେ ଛାତ୍ରୀଙ୍କୁ ଏକତରଫା ପ୍ରେମକୁ ନେଇ ଏଭଳି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି। ସ୍ଥାନୀୟ ଏକ ସ୍କୁଲର ଜଣେ ଛାତ୍ରୀଙ୍କୁ ପପୁ ଗ୍ୟାଙ୍ଗ୍‌ର ଜଣେ ସଦସ୍ୟ ଏକତରଫା ପ୍ରେମ କରୁଥିଲେ। ଏହାକୁ ସମ୍ପୃକ୍ତ ଛାତ୍ରୀ ଏବଂ ତାଙ୍କ ସହପାଠୀ ଛାତ୍ରମାନେ ବିରୋଧ କରୁଥିଲେ। କିନ୍ତୁ ଅଭିଯୁକ୍ତ ଜଣକ ଉକ୍ତ ଛାତ୍ରୀଙ୍କୁ ବିଭିନ୍ନ ସମୟରେ ହଇରାଣ ହରକତ କରୁଥିଲେ। ବୁଧବାର ପୂର୍ବାହ୍ନରେ ଏହାକୁ ନେଇ ସ୍କୁଲ ନିକଟରେ ୨ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପପୁ ଗ୍ୟାଙ୍ଗ୍‌ର ଯୁବକମାନେ ଜଣେ ଛାତ୍ରଙ୍କୁ ମାଡ଼ ମାରିଥିଲେ। ଏ ନେଇ ଛାତ୍ରମାନେ ସ୍ଥାନୀୟ ଅଞ୍ଚଳର ଟୁଲୁଙ୍କୁ ଜଣାଇବା ସହ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। ଟୁଲୁ ପଛରେ ଏକ ବାଇକ୍‌ରେ ଶହୀଦନଗର ଥାନାକୁ ଆସୁଥିଲେ। ୟୁନିଭର୍ସିଟି ଲ’ କଲେଜ ନିକଟ ବରଗଛ ନିକଟରେ ୧୦ ଜଣ ଯୁବକ ତାଙ୍କୁ ଅତର୍କିତ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଥାନା ନିକଟରେ ଟୁଲୁଙ୍କୁ ଅପେକ୍ଷା କରିଥିବା ତାଙ୍କ ସହଯୋଗୀ ଏବଂ ଛାତ୍ରମାନେ ଏ ବିଷୟରେ ଖବର ପାଇ ପୋଲିସକୁ ଜଣାଇଥିଲେ। ପିସିଆର ଭ୍ୟାନ୍‌ ଟୁଲୁଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାରକରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା। ଟୁଲୁଙ୍କ ସାନଭାଇ ସିଲୁ ଭୋଇ ଶହୀଦନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରଙ୍ଗମାଟିଆର ପପୁ ଓ ଚିଆଁ, ଇଡ୍‌କୋ କଲୋନୀର ରକି ଓ ଚକେଇସିଆଣୀର ସୁସମ୍ବିଦଙ୍କ ସମେତ ୧୦ଜଣଙ୍କ ନାମରେ ଏତଲା ଦେଇଛନ୍ତି। ଅନ୍ୟପକ୍ଷରେ ବାଣୀବିହାର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଦିନ ଦ୍ୱିପ୍ରହରରେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଲୋକେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ଉଠାଇଛନ୍ତି। ଦିନରେ ଯଦି ଏପରି ଘଟଣା ଘଟିପାରୁଛି, ତେବେ ରାତିରେ ସହରବାସୀ କେତେ ସୁରକ୍ଷିତ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri