ବାଇକ୍‌ ଲୁଟେରା ଗ୍ୟାଙ୍ଗ ଠାବ: ୩ ଗିରଫ, ୧୨ ଗାଡ଼ି ଜବତ


କଟକ ଅଫିସ, ୫।୧୨- ପାର୍କକୁ ଆସୁଥିବା ପ୍ରେମୀ ଯୁଗଳଙ୍କୁ ଟାର୍ଗେଟ କରୁଥିଲେ। ଏଥିସହ ଡାକ୍ତରଙ୍କ ଗାଡ଼ିକୁ ନଜରରେ ରଖୁଥିଲେ। ସୁଯୋଗ ଦେଖି ନକଲି ଚାବି ଦ୍ୱାରା ବାଇକ୍‌ ନେଇ ପଳାଉଥିଲେ। ଏଭଳି ଏକ ଲୁଟେରା ଗ୍ୟାଙ୍ଗକୁ ମଙ୍ଗଳବାର ଜଗତପୁର ଥାନା ପୋଲିସ ଠାବ କରିଛି। ଗ୍ୟାଙ୍ଗର ମୁଖ୍ୟ ସମେତ ୩ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୧୨ଟି ଚୋରା ଗାଡ଼ି ଜବତ କରାଯାଇଛି। ଏହି ଗ୍ୟାଙ୍ଗ ସିଡିଏରେ ଥିବା ବିଜୁ ପଟ୍ଟନାୟକ ପାର୍କ ସମେତ ସହରର ବିଭିନ୍ନ ପାର୍କ ଏବଂ ନର୍ସିଂହୋମ ଓ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କ ଗାଡ଼ିକୁ ଚୋରି କରି ଗ୍ରାମାଞ୍ଚଳରେ ବିକ୍ରି କରୁଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଗ୍ୟାଙ୍ଗର ଅନ୍ୟ ୨ ଜଣ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିବା ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି। ଡିସିପିଙ୍କ ସୂଚନା ମୁତାବକ, ଚାଉଳିଆଗଞ୍ଜ ଥାନା ନିଳାଦ୍ରୀବିହାରର ଠିକାଦାର ବୀରେନ୍ଦ୍ର ମହାପାତ୍ର ନାନକାର ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ଉପରେ ନିଜ ହିରୋ ସ୍ପ୍ଲେଣ୍ଡର ମୋଟରସାଇକେଲ (ନଂ. ଓଡି୦୫ଏଫ୍‌-୩୫୫୯) ରଖି ଠିକା କାର୍ଯ୍ୟ ଦେଖିବା ପାଇଁ ଯାଇଥିଲେ। ଏହି ସୁଯୋଗରେ ତାଙ୍କ ବାଇକ୍‌ଟିକୁ କେହି ଚୋରି କରି ନେଇଥିଲେ। ଏ ସଂକ୍ରାନ୍ତରେ ବୀରେନ୍ଦ୍ର ଜଗତପୁର ଥାନାରେ ଏତଲା ଦେଇଥିଲେ। ପୋଲିସ ଆଇପିସି ଦଫା ୩୭୯ରେ ଏକ ମାମଲା (ନଂ. ୨୫୫/୨୦୧୭) ରୁଜୁ କରିଥିଲା। ତଦନ୍ତ ବେଳେ ଏହି ଗ୍ୟାଙ୍ଗ ସମ୍ପର୍କରେ ସୁରାକ ମିଳିଥିଲା। ଗ୍ୟାଙ୍ଗର ମୁଖ୍ୟ ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଅରଖପୁର ଗ୍ରାମର ଲିଟୁ ଓରଫ ଅବିନାଶ ମହାରଣାଙ୍କୁ ସୋମବାର ରାତିରେ ଗିରଫ କରାଯାଇଥିଲା। ଲିଟୁ ଜଗତପୁର ଥାନା ଅନ୍ତର୍ଗତ ଖର୍ଦ୍ଦାସାହି ଡେଲ୍‌ଟା କଲୋନୀରେ ରହୁଥିଲେ। ଲିଟୁ ସହଯୋଗୀଙ୍କ ସହିତ ମିଶି କଟକ ସହରର ସିଡିଏ ସମେତ ବିଭିନ୍ନ ସ୍ଥାନରୁ ଗାଡ଼ି ଚୋରି କରୁଥିଲେ। ଲିଟୁଙ୍କ ବୟାନ ଆଧାରରେ ସହଯୋଗୀ କେନ୍ଦ୍ରାପଡ଼ା ସଦର ଥାନା ଗୁଲନଗର ଜିତ ବାହାଦୁର ଓ ଯାଜପୁର ସଦର ଥାନା ଅନ୍ତର୍ଗତ ହେମନ୍ତସିଂପୁର (ନାଉପଡ଼ା)ର ଟୁକୁନା ଓରଫ ଅଶୋକ ଜେନାଙ୍କୁ ଗିରଫ କରାଯାଇଥିଲା। ୧ ନମ୍ବର ଜୋନ ଏସିପି ତ୍ରିନାଥ ମିଶ୍ରଙ୍କ ନେତୃତ୍ୱରେ ଜଗତପୁର ଥାନା ଆଇଆଇସି ଅନିଲ ବେଉରା ଓ ଏସ୍‌ଆଇ ଆର୍‌.କେ. ବେହେରା ପ୍ରମୁଖ ଚଢାଉ କରି ୩ ଜଣଙ୍କୁ ଗିରଫ କରିଥିଲେ। ସମ୍ପୃକ୍ତ ୩ ଜଣଙ୍କଠାରୁ ୬ଟି ହିରୋ ସ୍ପ୍ଲେଣ୍ଡର, ୩ଟି ହିରୋ ପ୍ୟାଶନ ପ୍ରୋ, ଗୋଟିଏ ଟିଭିଏସ୍‌ ଆପାଚି, ଗୋଟିଏ ବଜାଜ ପଲ୍‌ସର ଓ ଗୋଟିଏ ହୋଣ୍ଡା ସାଇନ୍‌ ଜବତ କରାଯାଇଛି। ଗିରଫ ୩ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ଡିସିପି ସିଂ ସୂଚନା ଦେଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri