ଜେଲ୍‌ରୁ ବାହାରି ମାତିଲେ ଡି’ବ୍ରଦର୍ସଙ୍କ ସହଯୋଗୀ: ହୋଟେଲ ଉପରକୁ ବୋମାମାଡ଼


କଟକ ଅଫିସ, ୫।୧୨- ଅଶାନ୍ତ ହୋଇପଡ଼ିଛି ଯୋବ୍ରା। ଜେଲ୍‌ରୁ ମୁକୁଳି ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀମାନେ ପୁଣି ମାତି ଉଠିଛନ୍ତି। ସୋମବାର ବିଳମ୍ବିତ ରାତିରେ ଯୋବ୍ରା ମାଟିଆ ମଙ୍ଗଳା ଛକରେ ଥିବା ଏକ ହୋଟେଲ ଉପରକୁ ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀମାନେ ବୋମାମାଡ଼ କରିଛନ୍ତି। ଏଥିରେ ହୋଟେଲର ଆଜବେଷ୍ଟସ୍‌ ଭାଙ୍ଗି ଯାଇଥିବାବେଳେ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଣ୍ଡରେ ଆଘାତ ଲାଗିଥିବା ଜଣାଯାଇଛି। ଘଟଣା ସଂକ୍ରାନ୍ତରେ ହୋଟେଲ ମାଲିକ ମାଲଗୋଦାମ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ଯୋବ୍ରା ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ସୂଚନା ମୁତାବକ, ଧଳସାମନ୍ତ ଭ୍ରାତା ଜେଲ୍‌ରେ ଅଛନ୍ତି। ହେଲେ ସେମାନଙ୍କ ପ୍ରମୁଖ ସହଯୋଗୀ ଜେଲ୍‌ରୁ ବାହାରି ପୂର୍ବପରି ଦାଦାଗିରି ଆରମ୍ଭ କରିଛନ୍ତି। ଟେଣ୍ଡର ଫିକ୍ସିଂ ଓ ଦାଦାବଟି ଆଦାୟରେ ଗିରଫ ହୋଇଥିବା ଯୋବ୍ରାର ସୁକୁନା ବେହେରା ଜାମିନରେ ଆସି ମାଟିଆମଙ୍ଗଳା ଛକରେ ଏକ ହୋଟେଲ ସମ୍ମୁଖରେ ମଦ୍ୟପାନ କରି ଗାଳିଗୁଲଜ କରୁଥିଲେ। ଏହାକୁ ହୋଟେଲ ମାଲିକ ବିରୋଧ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସୁକୁନା ଓ ତାଙ୍କ ସହଯୋଗୀ ଫୁଟାଇଦେବେ ବୋଲି ଧମକ ଦେଇଥିଲେ। ଫଳରେ ହୋଟେଲ ମାଲିକ ଓ କର୍ମଚାରୀମାନେ ଘେରିଯାଇ ସୁକୁନାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହି ମାଡ଼ ଦେଖି ସୁକୁନାଙ୍କ ୩ ଜଣ ସହଯୋଗୀ ସେଠାରୁ ଦୌଡ଼ି ପଳାଇଥିଲେ। ପରେ ଏକ ବାଇକ୍‌ରେ ସୁକୁନା ଓ ସହଯୋଗୀମାନେ ଆସି ଉକ୍ତ ହୋଟେଲ ଉପରକୁ ଗୋଟିଏ ବୋମା ଫିଙ୍ଗିଥିଲେ। ଖବରପାଇ ମାଲଗୋଦାମ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ତେବେ ଘଟଣା ପରେ ସୁକୁନା ଓ ସହଯୋଗୀମାନେ ଫେରାର ଅଛନ୍ତି। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜୁ ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri