ଧରାପଡ଼ିଲା ଗଞ୍ଜାମ ଅପରାଧୀ ଗ୍ୟାଙ୍ଗ୍‌: ୪ ଗିରଫ, ବନ୍ଧୁକ ଜବତ


କଟକ ଅଫିସ, ୫।୧୨- ପୋଲିସ ଦୁର୍ବଳତାର ସୁଯୋଗ ନେଇ ଏବେ ଆନ୍ତଃଜିଲା ଅପରାଧୀମାନେ କଟକ ମୁହଁା। କାରଣ ଏଠାରେ ଅପରାଧ ଘଟାଇ ପୋଲିସ କବଳରୁ ସହଜରେ ଖସିଯାଇ ହେଉଛି। ମଙ୍ଗଳବାର ମଙ୍ଗଳାବାଗ ଥାନା ପୋଲିସ ଗଞ୍ଜାମର ଏକ ଲୁଟେରା ଗ୍ୟାଙ୍ଗକୁ ଧରିଛି। ଏହି ଗ୍ୟାଙ୍ଗ କଟକର କେତେକ ସହଯୋଗୀଙ୍କ ସହ ମିଶି ସିରିଜ ଅପରାଧ ଘଟାଇବା ପାଇଁ ଯୋଜନା କରୁଥିଲେ। ଗ୍ୟାଙ୍ଗର ୫ ଜଣ ସଦସ୍ୟ ସୋମବାର ରାତିରେ ଯୋବ୍ରା ମାରିଟାଇମ ମ୍ୟୁଜିୟମ ସମ୍ମୁଖ ରିଭର ଭ୍ୟୁ ପାର୍ଶ୍ୱରେ ବସି ବଜ୍ରକବାଟି ଅଞ୍ଚଳରେ ଥିବା ଏକ ଜୁଏଲାରୀ ଦୋକାନରୁ ଲୁଟ କରିବା ପାଇଁ ଯୋଜନା କରୁଥିଲେ। ଖବରପାଇ ମଙ୍ଗଳାବାଗ ଥାନା ପୋଲିସର ଏକ ଟିମ୍‌ ଘଟଣାସ୍ଥଳରେ ଚଢାଉ କରି ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମ ଆସ୍କା ଥାନା ଅଞ୍ଚଳର ଗଣେଶ ଦାଶ(୨୧), ପଣ୍ଡା ଓରଫ ରବୀନ୍ଦ୍ର ସ୍ବାଇଁ(୨୫), କଟକ ବଡମ୍ବା ଥାନା ଅଞ୍ଚଳର ଅଭୟ ଓରଫ ଶ୍ରୀକାନ୍ତ ବେହେରା, ମଙ୍ଗଳାବାଗ ଥାନା ଶଗଡିଆ ସାହି ଅଞ୍ଚଳର ରାଜେନ୍ଦ୍ର ନାଥ(୨୦)। ପୋଲିସ ସେମାନଙ୍କ ନିକଟରୁ ୭.୬୫ ଏମ୍‌ଏମ ପିସ୍ତଲ, ୨ ରାଉଣ୍ଡ ଗୁଳି, ଗୋଟିଏ ବାଇକ, ୨ଟି ମୋବାଇଲ ଫୋନ, ୨ଟି ବାଇକ୍‌ ଚାବି ଜବତ କରିଛି। ଚଢାଉ ସମୟରେ ଗ୍ୟାଙ୍ଗର ଜଣେ ସଦସ୍ୟ ବନ୍ଧୁକ ଦେଖାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସୂଚନା ମୁତାବକ, ଗଣେଶ ଓ ପଣ୍ଡା ଗଞ୍ଜାମ ପୋଲିସର ୱାଣ୍ଟେଡ୍‌ ଲିଷ୍ଟରେ ରହିଛନ୍ତି। ୨୦୧୪ରେ ପଣ୍ଡା ଜେଲରେ ଥିବା ସମୟରେ ଗଣେଶଙ୍କ ସହ ଭେଟ ହୋଇଥିଲା। ଉଭୟ ଜେଲରୁ ବାହାରି ଆସ୍କା ଥାନା ଅଞ୍ଚଳରେ ଏକ ବଡ଼ଧରଣର ଡକାୟତି କରିଥିଲେ। ଗଣେଶ ଉକ୍ତ ଡକାୟତି ମାମଲାରେ ଗିରଫ ହୋଇ ପୁନଶ୍ଚ ଜେଲ ଯାଇଥିଲେ। ମାତ୍ର ପଣ୍ଡା ଫେରାର ହୋଇଯାଇଥିଲେ। ପରେ ଗଣେଶ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରି ୨ ବର୍ଷ ହେବ କଟକରେ ରହି ଗାଡି ଚଲାଉଥିଲେ। ପଣ୍ଡା କିଛିଦିନ ତଳେ ଜେଲରୁ ବାହାରିବା ପରେ ଗଣେଶଙ୍କ ସହ ଯୋଗାଯୋଗ କରିଥିଲେ। ପୁନଶ୍ଚ ଆସ୍କା ଅଞ୍ଚଳରେ ମିଶି ଅପରାଧ ଘଟାଇବା ପାଇଁ ସେ ଗଣେଶଙ୍କୁ କହିଥିଲେ। ମାତ୍ର ଗଣେଶ ଗଞ୍ଜାମ ନ ଯାଇ ପଣ୍ଡାଙ୍କୁ କଟକ ଡାକିଥିଲେ। ୪ ଦିନ ହେବ ପଣ୍ଡା ଅନ୍ୟଜଣେ ସହଯୋଗୀଙ୍କ ସହ କଟକ ଆସିଥିଲେ। ପଣ୍ଡା, ଗଣେଶ ଓ ଅନ୍ୟ ୩ ସହଯୋଗୀ ମିଶି ବଜ୍ରକବାଟି ଅଞ୍ଚଳରେ ଥିବା ଜଣେ ଧନୀ ବ୍ୟକ୍ତିଙ୍କ ଘର ଓ ଏକ ପ୍ରତିଷ୍ଠିତ ସୁନା ଦୋକାନରୁ ଲୁଟ କରିବା ପାଇଁ ଯୋଜନା ଚଳାଇଥିଲେ। ତେବେ ପୋଲିସର ନଜର ରହିଥିଲା ଏମାନଙ୍କ ଉପରେ। ସୋମବାର ସେମାନେ ଯୋବ୍ରା ମାରିଟାଇମ ମ୍ୟୁଜିୟମ ସମ୍ମୁଖରେ ବସି ଯୋଜନା କରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ଗଣେଶ ଓ ପଣ୍ଡାଙ୍କୁ ଗଞ୍ଜାମ ପୋଲିସ ରିମାଣ୍ଡରେ ନେଇ ବିଭିନ୍ନ ଅପରାଧିକ ମାମଲା ସମ୍ପର୍କରେ ପଚରାଉଚରା କରିବ। ଅନ୍ୟତମ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଧରିବା ପାଇଁ ଉଦ୍ୟମ ଚଳାଇଛୁ ବୋଲି ମଙ୍ଗଳାବାଗ ଥାନା ଆଇଆଇସି ଅରୁଣ ସ୍ବାଇଁ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri