ସୁଧ ହାର ଅପରିବର୍ତ୍ତିତ


ବମ୍ବେ,୬-୧୨(ପି.ଟି.) ମୁଦ୍ରାସ୍ଫୀତିକୁ ଆଖି ଆଗରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୁଧବାର ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧ ହାରକୁ ଅପରିବର୍ତ୍ତିତ ରଖିଛି। ଫଳରେ ବ୍ୟାଙ୍କଗୁଡିକ ଗୃହ ଏବଂ ଯାନ ଋଣ ସୁଧ ହାର ହ୍ରାସ କରିବା ଆଶା କ୍ଷୀଣ ହୋଇଛି। ଚଳିତ ଆର୍ଥିକବର୍ଷର ଦ୍ୱିତୀୟାର୍ଦ୍ଧ ପାଇଁ ଏହା ମୁଦ୍ରାସ୍ଫୀତି ଆକଳନକୁ ୪.୩%ରୁ ୪.୭%କୁ ବୃଦ୍ଧି କରିଛି। ପୂର୍ବରୁ ଆର୍‌ବିଆଇର ମୁଦ୍ରାସ୍ଫୀତି ଆକଳନ ୪.୨ରୁ ୪.୬% ଥିଲା। ତେବେ ଏହା ୨୦୧୭-୧୮ ଆର୍ଥିକବର୍ଷ ପାଇଁ ଅଭିବୃଦ୍ଧି ଆକଳନକୁ ୬.୭%ରେ ଅପରିବର୍ତ୍ତିତ ରଖିଛି। ଆର୍‌ବିଆଇ ଗଭର୍ନର ଉର୍ଜିତ ପଟେଲ୍‌ଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ସଦସ୍ୟବିଶିଷ୍ଟ ମୁଦ୍ରାନୀତି କମିଟି(ଏମ୍‌ପିସି) ଏହାର ପଞ୍ଚମ ଦ୍ୱିମାସିକ ବୈଠକରେ ରେପୋରେଟ୍‌କୁ ୬% ଏବଂ ରିଭର୍ସ ରେପୋରେଟ୍‌କୁ ୫.୭୫%ରେ ଅପରିବର୍ତ୍ତିତ ରଖିଛି। ଖାଉଟି ମୂଲ୍ୟସୂଚୀଭିତ୍ତିକ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏଚ୍‌ଆର୍‌ଏ(ଘରଭଡା ଭତ୍ତା) ବୃଦ୍ଧି ସହିତ ସପ୍ତମ ବେତନ ଆୟୋଗର ସୁପାରିସ୍‌ କାର୍ଯ୍ୟକାରୀ ହେବା ପରେ ଏହାର ପ୍ରଭାବ ମୁଦ୍ରାସ୍ଫୀତି ଉପରେ ପଡିଥିବା ସର୍ବୋଚ୍ଚ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ଦରବୃଦ୍ଧି ସମସ୍ୟା ଆହୁରି ବଳବତ୍ତର ହୋଇପାରେ ବୋଲି ଏହା ଆଶଙ୍କା ପ୍ରକାଶ କରିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଥିବାବେଳେ ଏହା ଜାରି ରହିବ ବୋଲି ଆର୍‌ବିଆଇ ଆକଳନ କରିଛି। କେତେକ ରାଜ୍ୟଗୁଡିକ ଦ୍ୱାରା କରାଯାଇଥିବା କୃଷିଋଣ ଛାଡ, ଆଂଶିକ ଉତ୍ପାଦନ ଶୁଳ୍କ ଛାଡ ଏବଂ ପେଟ୍ରୋଲିୟମ୍‌ ଉତ୍ପାଦଗୁଡିକ ଉପରେ ଭାଟ୍‌ ରିହାତି ଯୋଗୁ ମୁଦ୍ରାସ୍ଫୀତି ଆହୁରି ଊର୍ଦ୍ଧ୍ୱମୁଖୀ ହୋଇପାରେ ବୋଲି ସର୍ବୋଚ୍ଚ ବ୍ୟାଙ୍କ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି। କେତେକ ସାମଗ୍ରୀ ଏବଂ ସେବା ଉପରୁ ଜିଏସ୍‌ଟି ହ୍ରାସ ଯୋଗୁ ସରକାରୀ ରାଜସ୍ବ ହ୍ରାସ ପାଇବ, ଯାହାକି ମୁଦ୍ରାସ୍ଫୀତି ଉପରେ ପ୍ରଭାବ ପକାଇବ ବୋଲି ଏମ୍‌ପିସି ବୈଠକରେ ପ୍ରକାଶ ପାଇଛି। ଏମ୍‌ପିସିର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ମାତ୍ର ଜଣେ ସଦସ୍ୟ ରବୀନ୍ଦ୍ର ଏଚ୍‌. ଢୋଲକିଆ ସୁଧ ହାରରେ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିବା ଲାଗି ମତ ଦେଇଥିଲେ। ମାତ୍ର ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ସୁଧ ହାରକୁ ଅପରିବର୍ତ୍ତିତ ରଖାଯାଇଛି। ମୁଦ୍ରାସ୍ଫୀତିକୁ ୪% ମଧ୍ୟରେ ସୀମିତ ରଖିବା ପାଇଁ ଆର୍‌ବିଆଇ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସୂଚନାଯୋଗ୍ୟ, ଅକ୍ଟୋବରରେ ମୁଦ୍ରାସ୍ଫୀତି ୭ ମାସର ସର୍ବୋଚ୍ଚ ସ୍ତର ୩.୫୮% ଛୁଇଁଛି। ଆର୍‌ବିଆଇ ସୁଧ ହାର ଅପରିବର୍ତ୍ତିତ ରଖିବ ବୋଲି ପୂର୍ବରୁ ଆଶା କରାଯାଉଥିଲା। ଏହାସତ୍ତ୍ୱେ ସୁଧ ହାର ନିଷ୍ପତ୍ତି ଘୋଷଣା ହେବା ପରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସରେ ୨୦୫.୨୬ ପଏଣ୍ଟ ହ୍ରାସ ଘଟିଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri