ଓଡ଼ିଶା ଅଟୋମୋବାଇଲ ଶିଳ୍ପ ପାଇଁ ବାଧକ ସାଜିବ ଟିକସ ବୋଝ


ଭୁବନେଶ୍ୱର,୪-୧୨( ବ୍ୟୁରୋ) ରାଜ୍ୟ ସରକାର ମୋଟର ଯାନ ପଞ୍ଜୀକରଣ ଉପରେ ଟିକସ ବୃଦ୍ଧି କରିଛନ୍ତି। ପୂର୍ବରୁ ଦୁଇ ଚକିଆ ତଥା ଚାରିଚକିଆ ଯାନ ପାଇଁ ୫% ଟିକସ ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନ ଏହାକୁ ଯାନର ଦର ଅନୁସାରେ ପୃଥକ୍‌ କରାଯାଇଛି। କିନ୍ତୁ ପଡୋଶୀ ରାଜ୍ୟଗୁଡିକରେ ଏହି ଟିକସ ହାର କମ୍‌ ରହିଛି। ଓଡିଶା ମୋଟର ଯାନ ଟିକସ( ସଂଶୋଧିତ) ଆକ୍ଟ ଅନୁସାରେ ଚାରିଚକିଆ ଯାନ ପଞ୍ଜୀକରଣ ଉପରେ ୬%, ୮%, ୧୦%, ୧୨% ଓ ୨୦ % ଟିକସ ଲାଗୁ ହେବ। ଏହି ନୂତନ ଟିକସ ବ୍ୟବସ୍ଥା ଉପରେ ଅଟୋମୋବାଇଲ୍‌ ଡିଲର୍‌ମାନଙ୍କଠାରୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଆଦିତ୍ୟ ମୋଟର୍ସର ପରିଚାଳନା ନିର୍ଦ୍ଦେଶକ ଆଦିତ୍ୟ ପାତ୍ର କହିଛନ୍ତି ନିଶ୍ଚିତ ଭାବେ ଏହା ପ୍ରିମିୟମ କାର୍‌ ବିକ୍ରି ଉପରେ ନକାରାତ୍ମକ ପ୍ରଭାବ ପକାଇବ। ବର୍ତ୍ତମାନ ଓଡିଶାରେ ଅଟୋମୋବାଇଲ୍‌ ଶିଳ୍ପ ଧୀରେ ଧୀରେ ଅଭିବୃଦ୍ଧି ହାସଲ କରୁଥିବାବେଳେ ଟିକସ ବୋଝ ପ୍ରତିବନ୍ଧକ ସାଜିବ। ସେହିପରି ସ୍କାଏ ଅଟୋମୋବାଇଲ୍‌ର ସିଓଓ କୌଶିକ୍‌ ଓଝା କହିଛନ୍ତି, ଗ୍ରାହକଙ୍କ ଉପରେ ହିଁ ଏହି ପ୍ରଭାବ ପଡିବ। ୨୦ ଲକ୍ଷ ବା ତା’ଠାରୁ ଅଧିକ ମୂଲ୍ୟର କାର କିଣିଲେ ପୂର୍ବରୁ ପଞ୍ଜୀକରଣ ବାବଦକୁ ୫% ଟିକସ ଦେବାକୁ ପଡୁଥିଲା। ଏବେ ୧୨ ପ୍ରତିଶତ ଦେବାକୁ ପଡିବ, ଯାହାକି ୭% ଅଧିକ। ଏହା ନିଶ୍ଚିତ ଭାବେ ଏକ ବଡ ଧରଣର ବୃଦ୍ଧି। ଗ୍ରାହକଙ୍କୁ ଏହା ପ୍ରଭାବିତ କରିବ। କିନ୍ତୁ ଯେଉଁ ଗ୍ରାହକ ମର୍ସିଡିଜ୍‌, ଅଡି, ବିଏମ୍‌ଡବ୍ଲ୍ୟୁ, ଜାଗୁଆର୍‌ ଆଣ୍ଡ୍‌ ଲ୍ୟାଣ୍ଡ୍‌ରୋଭର(ଜେଏଲ୍‌ଆର୍‌) ଭଳି ଯାନ କ୍ରୟ କରୁଛନ୍ତି ତାଙ୍କ ପାଇଁ ଏହି ଟିକସ ବିଶେଷ ପ୍ରଭାବ ପକାଇବ ନାହିଁ। ବରଂ ସରକାରଙ୍କ ରାଜସ୍ବ ବୃଦ୍ଧି ହେବ। କିନ୍ତୁ ସମସ୍ୟା ହେଲା ସରକାରଙ୍କ ଗେଜେଟ୍‌ ନୋଟିଫିକେଶନ ଆମ ପାଖକୁ ନଭେମ୍ବର ୨୫ ତାରିଖ ପରେ ଆସିଛି। କିନ୍ତୁ ୨୧ ତାରିଖରେ ଲାଗୁ ହୋଇଛି। ତେଣୁ ୨୧ରୁ ୨୫ ତାରିଖ ମଧ୍ୟରେ ଯେଉଁମାନେ ଯାନ କ୍ରୟ କରିଛନ୍ତି ସେମାନଙ୍କୁ ନୂତନ ଟିକସ ଆଧାରରେ ଅତିରିକ୍ତ ଦେୟ ପାଇଁ ଚିଠି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ) ୧ରୁ ମିଳିଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ନଭେମ୍ବରରେ ଗାଡି ପଞ୍ଜୀକରଣରୁ ମୋଟ ୧୩ କୋଟି ୪୧ ଲକ୍ଷ ୨୮ ହଜାର ୨୮୯ ଟଙ୍କା ରାଜସ୍ବ ଆଦାୟ ହୋଇଛି। ଏହା ଅକ୍ଟୋବର ମାସରେ ୧୭ କୋଟି ୨୫ ଲକ୍ଷ ୧୧ ହଜାର ୭୪୨ ଟଙ୍କା ଥିଲା। ହିସାବ ଅନୁସାରେ ପ୍ରାୟ ୩ କୋଟି ୮୩ ଲକ୍ଷରୁ ଅଧିକ ରାଜସ୍ବ ହାନି ହୋଇଛି। ସେହିପରି ଆର୍‌ଟିଓ ୨ରୁ ମିଳିଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ଅକ୍ଟୋବରରେ ମୋଟ ୪୫୪୯ ୟୁନିଟ୍‌ ଯାନ ପଞ୍ଜୀକୃତ ହୋଇଥିବା ବେଳେ ନଭେମ୍ବରରେ ଏଥିରେ ପ୍ରାୟ ୨୮% ହ୍ରାସ ଘଟି ୩୭୮୭ ୟୁନିଟ୍‌କୁ ଖସିଆସିଛି। ପଞ୍ଜୀକରଣ ବାବଦ ଟିକସ ବୃଦ୍ଧି ଯୋଗୁ ଯାନ ବିକ୍ରି କମୁଛି, ଯାହାର ପ୍ରଭାବ ରାଜ୍ୟ ରାଜକୋଷ ଉପରେ ପଡୁଛି। ଗାର୍ଗସନ ଗ୍ରୁପ୍‌ର ଉପ ସଭାପତି ରଞ୍ଜନ ମହାପାତ୍ର କହିଛନ୍ତି, ଓଡିଶାରେ ଟିକସ ତୁଳନାରେ ପଡୋଶୀ ରାଜ୍ୟରେ କମ୍‌ ରହିଛି। ଫଳରେ ସେଠାକାର ଅଟୋ ଡିଲର ଓଡିଶାରୁ ଗ୍ରାହକ ହାତେଇବା ପାଇଁ ଏଜେଣ୍ଟ ନିୟୋଜିତ କରିପାରନ୍ତି। ଓଡିଶାରେ ଛୋଟ କାର୍ଯ୍ୟାଳୟ କରି ଗ୍ରାହକଙ୍କୁ ଆକର୍ଷିତ କରିପାରନ୍ତି। ଏଠାରୁ ଗ୍ରାହକ ଠିକ୍‌ କରି ତାଙ୍କ ରାଜ୍ୟରୁ ଗାଡି ବିକ୍ରି କରିବେ। ଫଳରେ ଏଠାକାର ଗ୍ରାହକ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହେବେ। ଫଳରେ ବାହାର ରାଜ୍ୟରେ ଯାନ ପଞ୍ଜୀକରଣ ହେଲେ ଓଡିଶା ସରକାର ଯେଉଁ ଟିକସ ପାଇବା କଥା ତାହାକୁ ହରାଇବେ। ସରକାର ଟିକସ ବୃଦ୍ଧି କରି ଅଧିକ ରାଜସ୍ବ ପାଇଲେ ମଧ୍ୟ ଏଠାକାର କାରବାର ନିଶ୍ଚିତ ହ୍ରାସ ପାଇବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri