ତିନିବର୍ଷରେ ଶେଷ ହୋଇପାରିବ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ


ଭୁବନେଶ୍ୱର,୨-୧୨-ଜମି ଅଧିଗ୍ରହଣ ହୋଇ ନ ପାରିବାରୁ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଆଗକୁ ବଢିପାରୁନାହିଁ। ଯଦି ସୁରୁଖୁରୁରେ ଜମି ଅଧିଗ୍ରହଣ ହୋଇ ଯାଆନ୍ତା ତେବେ ମାତ୍ର ତିନି ବର୍ଷ ମଧ୍ୟରେ ୨୮୯ କି.ମି. ବିଶିଷ୍ଟ ଏହି ରେଳଲାଇନ ସମ୍ପୂର୍ଣ୍ଣ ହୋଇ ପାରନ୍ତା ବୋଲି ପୂର୍ବତଟ ରେଳ ପଥ ପକ୍ଷରୁ କହୁଯାଇଛି। ଏହି ପ୍ରକଳ୍ପ ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, ସୋନପୁର ଓ ବଲାଙ୍ଗୀର ଜିଲାକୁ ସଂଯୋଗ କରୁଛି। ରେଳପଥର ସୂଚନା ଅନୁସାରେ ମାନବ ସମ୍ବଳ ସମେତ ସମସ୍ତ ପ୍ରକାର ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିବା ବେଳେ କେତେକ ଜଙ୍ଗଲ ଜମି ଅଧିଗ୍ରହଣରେ ବିଳମ୍ବ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ଯୋଗାଇ ଦିଆଯାଉ ନ ଥିବାରୁ ଏହି ପ୍ରକଳ୍ପ ନିର୍ମାଣାଧୀନ ହୋଇ ପଡି ରହିଛି। ନୟାଗଡ଼ ଜିଲାରେ ସମୁଦାୟ ୧୪୭ ଏକର ଏବଂ ବୌଦ୍ଧ ଓ ସୋନପୁର ଜିଲାରେ ୧୪୦୦ ଏକର ଜଙ୍ଗଲ ଜମି ଆବଶ୍ୟକ ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ହୋଇ ପାରି ନାହିଁ। ନୟାଗଡ଼ ଜିଲାରେ ଜମି ଅଧିଗ୍ରହଣ ପାଇଁ ଚଳିତ ବର୍ଷ ଅଗଷ୍ଟରେ ପ୍ରାଥମିକ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଶେଷ ଜମି ଅଟକଳ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇ ନାହିଁ। ସେହିପରି ବୌଦ୍ଧ ଜିଲାରେ ମୋଟ ୧୦୨ଟି ଗ୍ରାମ ମଧ୍ୟରୁ ୩୩ଟି ଗ୍ରାମର ଜମି ଅଧିଗ୍ରହଣ ପାଇଁ ପ୍ରାଥମିକ ବିଜ୍ଞପ୍ତି ଜାରି ହୋଇଛି। ସେହିପରି ସୋନପୁର ଜିଲାରେ ମାତ୍ର ୧୩ଟି ଗ୍ରାମରୁ ଜମି ଅଧିଗ୍ରହଣ ପାଇଁ ପ୍ରାଥମିକ ବିଜ୍ଞପ୍ତି ଜାରି ହୋଇଛି ବୋଲି କୁହାଯାଇଛି। ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେଉଥିବାରୁ ଏହାର ବ୍ୟୟ ଅଟକଳ ବୃଦ୍ଧି ଆଶଙ୍କା ରହିଛି ବୋଲି ରେଳପଥ ପକ୍ଷରୁ ପ୍ରକାଶ। ଅନ୍ୟ ପକ୍ଷରେ ମାର୍ଚ୍ଚ ୨୦୧୮ ସୁଦ୍ଧା ବଲାଙ୍ଗୀର ପାର୍ଶ୍ୱରୁ ଭଇଁଷାପାଲି ଓ ମହିପୁର ଠାରେ ଦୁଇଟି ଷ୍ଟେଶନ କାର୍ଯ୍ୟକ୍ଷମ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri