ଇନ୍‌ଫୋସିସ୍‌ର ପରବର୍ତ୍ତୀ ସିଇଓ ସଲିଲ୍‌ ଏସ୍‌. ପାରେଖ୍‌


ନୂଆଦିଲ୍ଲୀ,୨-୧୨(ପି.ଟି.) ଦୀର୍ଘ ୩ ମାସର ଅନ୍ବେଷଣ ପରେ ଶେଷରେ ଦେଶର ଦ୍ୱିତୀୟ ବୃହତ୍‌ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ ଏହାର ପରବର୍ତ୍ତୀ ସିଇଓ ତଥା ଏମ୍‌ଡିଙ୍କ ନାମ ଘୋଷଣା କରିଛି। ଅଗଷ୍ଟରେ ବିଶାଳ ସିକ୍କା ଇସ୍ତଫା ଦେବା ପରେ ଏହି ହାଇ-ପ୍ରୋଫାଇଲ୍‌ ପଦବୀ ପାଇଁ ଅନ୍ବେଷଣ ଅଭିଯାନ ଆରମ୍ଭ ହୋଇଥିଲା। ଶେଷରେ କମ୍ପାନୀ ସଲିଲ୍‌ ଏସ୍‌. ପାରେଖ୍‌ଙ୍କୁ ଉକ୍ତ ପଦ ପାଇଁ ଚୂଡାନ୍ତ କରିଛି। ୨୦୧୮ ଜାନୁୟାରୀ ୨ରୁ ପାରେଖ୍‌ ୫ ବର୍ଷ ପାଇଁ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି କମ୍ପାନୀ ପକ୍ଷରୁ ଏକ ବିବୃତି ମାଧ୍ୟମରେ ପ୍ରକାଶ କରାଯାଇଛି। ଆଇଟି ସେବା ଶିଳ୍ପ କ୍ଷେତ୍ରରେ ପାରେଖ୍‌ଙ୍କର ପାଖାପାଖି ୩ ଦଶନ୍ଧିର ଅଭିଜ୍ଞତା ରହିଛି। ତାଙ୍କ ନେତୃତ୍ୱରେ ବିଗତ ଦିନରେ ବିଭିନ୍ନ ବ୍ୟବସାୟିକ ଯୋଜନାର କାର୍ଯ୍ୟକାରିତା ଏବଂ ଅଧିଗ୍ରହଣ ସଫଳ ହୋଇଥିବା ଇନ୍‌ଫୋସିସ୍‌ ବୋର୍ଡ ଅଧ୍ୟକ୍ଷ ନନ୍ଦନ ନିଲେକାନୀ ପ୍ରକାଶ କରିଛନ୍ତି। ଦ୍ୱିତୀୟ ଥର ପାଇଁ କମ୍ପାନୀ ବାହାରର ଜଣେ ବ୍ୟକ୍ତି ସିଇଓ ପଦରେ ଅବସ୍ଥାପିତ ହେବେ। ପୂର୍ବରୁ କମ୍ପାନୀ ବାହାରର ପ୍ରଥମ ବ୍ୟକ୍ତି ଭାବେ ବିଶାଳ ସିକ୍କାଙ୍କୁ ଏହି ପଦରେ ଅବସ୍ଥାପିତ କରାଯାଇଥିଲା। ଶିଳ୍ପ କ୍ଷେତ୍ରରେ ବର୍ତ୍ତମାନ ପରିବର୍ତ୍ତନ ଘଟୁଥିବାବେଳେ ଏଭଳି ସମୟରେ ଇନ୍‌ଫୋସିସ୍‌ର ନେତୃତ୍ୱ ନେବାରେ ପାରେଖ୍‌ ଉପଯୁକ୍ତ ବ୍ୟକ୍ତି ସାବ୍ୟସ୍ତ ହେବେ ବୋଲି ନିଲେକାନୀ କହିଛନ୍ତି। ତାଙ୍କୁ ଇନ୍‌ଫୋସିସ୍‌ରେ ପାଇ ଆମେ ଅତ୍ୟନ୍ତ ଉତ୍ସାହିତ। ତାଙ୍କର ବିଶାଳ ଅଭିଜ୍ଞତା ଏବଂ ଟ୍ରାକ୍‌ ରେକର୍ଡ କମ୍ପାନୀକୁ ନୂଆ ଦିଗ ପ୍ରଦାନ କରିବ ବୋଲି ସେ ପ୍ରକାଶ କରିଛନ୍ତି। ପୂର୍ବରୁ ପାରେଖ୍‌ କ୍ୟାପ୍‌ଜେମିନି ସହ ଜଡିତ ଥିଲେ। ସେଠାରେ ସେ ଗ୍ରୁପ୍‌ ଏକ୍‌ଜିକ୍ୟୁଟିଭ୍‌ ବୋର୍ଡ ସଦସ୍ୟ ଥିଲେ। କର୍‌ନେଲ୍‌ ୟୁନିଭର୍ସିଟିରୁ ସେ କମ୍ପ୍ୟୁଟର ସାଇନ୍ସ ଏବଂ ମେକାନିକାଲ ଇଞ୍ଜିନିୟରିଂରେ ମାଷ୍ଟର ଅଫ୍‌ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି, ବମ୍ବେରୁ ସେ ଏରୋନଟିକାଲ ଇଞ୍ଜିନିୟରିଂରେ ବ୍ୟାଚ୍‌ଲର ଅଫ୍‌ ଟେକ୍ନୋଲୋଜି ଡିଗ୍ରୀ ହାସଲ କରିଛନ୍ତି। ୨୦୧୮ ଜାନୁୟାରୀ ୨ରେ ୟୁ. ବି. ପ୍ରବୀଣ ରାଓ କମ୍ପାନୀର ମଧ୍ୟବର୍ତ୍ତିକାଳୀନ ସିଇଓ ତଥା ଏମ୍‌ଡି ପଦରୁ ବିଦାୟ ନେବେ, କିନ୍ତୁ ମୁଖ୍ୟ ପରିଚାଳନା ଅଧିକାରୀ ପଦରେ ଦାୟିତ୍ୱ ଜାରି ରଖିବେ। ଏହା ସହିତ ରାଓ କମ୍ପାନୀର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ପଦରେ ମଧ୍ୟ ରହିବେ। ସୂଚନାଯୋଗ୍ୟ, କମ୍ପାନୀର ପ୍ରତିଷ୍ଠାତାଙ୍କ ଆକ୍ରୋଶର ଶିକାର ହୋଇ ବିଶାଳ ସିକ୍କା ସିଇଓ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ କମ୍ପାନୀର ମ୍ୟାନେଜ୍‌ମେଣ୍ଟ ଏବଂ ପ୍ରତିଷ୍ଠାତାଙ୍କ ମଧ୍ୟରେ ବଡ ଧରଣର ବିବାଦ ଦେଖାଦେଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri