୭-୮% ଅଭିବୃଦ୍ଧି ହାସଲ ଲାଗି ଭାରତ ପ୍ରସ୍ତୁତ: ଜେଟଲୀ


ନୂଆଦିଲ୍ଲୀ,୩୦-୧୧(ପି.ଟି.) ଦେଶର ମୌଳିକ ଅର୍ଥନୈତିକ ଢାଞ୍ଚାରେ ବର୍ତ୍ତମାନ ଉନ୍ନତ ଆସିଛି। ଏହା ଯୋଗୁ ଦେଶରେ ଉନ୍ନତ ଅଭିବୃଦ୍ଧି ଧାରା ବଜାୟ ରହିଛି। ଭିତ୍ତିଭୂମି କ୍ଷେତ୍ରରେ ନିବେଶ ଜାରି ରହିଛି। ଆଗାମୀ ଦୁଇ ଦଶନ୍ଧି ଧରି ନିବେଶ ଧାରା ଉନ୍ନତ ରହିଲେ ଭାରତ ଏକ ମଧ୍ୟମ ଆୟକାରୀ ରାଷ୍ଟ୍ରଭାବେ ରୂପାନ୍ତରିତ ହୋଇପାରିବ। ଅର୍ଥନୀତିରେ ଉନ୍ନତଧାରା ଯୋଗୁ ଘରୋଇ ବଜାର ବର୍ତ୍ତମାନ ୭-୮% ଅଭିବୃଦ୍ଧି ହାସଲ କରୁଛି। ଏପରି ଅଭିବୃଦ୍ଧି ଧାରା ବଜାୟ ରଖିବା ଲାଗି ଭାରତ ନିଜକୁ ପ୍ରସ୍ତୁତ କରାଇସାରିଛି ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି। ଗତ ତିନି ବର୍ଷ ଧରି ଭାରତର ଅଭିବୃଦ୍ଧି ଧାରା ଉନ୍ନତ ରହିଛି। ଭାରତକୁ ଏକ ମଧ୍ୟମ ଆୟକାରୀ ରାଷ୍ଟ୍ର ଭାବେ ରୂପାନ୍ତରିତ କରିବା ଲାଗି ପଦକ୍ଷେପ ନିଆଯାଉଛି। ସେହିଭଳି ଭାରତକୁ ଏକ ବିକଶିତ ଅର୍ଥନୀତି ଭାବେ ଗଢିତୋଳିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା ଡିଫେନ୍ସ ଇଷ୍ଟେଟ୍‌ ଡେ ବକ୍ତୃତା କାର୍ଯ୍ୟକ୍ରମରେ ଯୋଗ ଦେଇ ଜେଟଲୀ ଏହା କହିଛନ୍ତି। ଘରୋଇ ବଜାରକୁ ବିକଶିତ ସ୍ଥିତିରେ ପହଞ୍ଚାଇବାକୁ ଦେଶର ଭିତ୍ତିଭୂମି ବିକାଶ ନିତାନ୍ତ ଜରୁରୀ ବୋଲି ଜେଟଲୀ କହିଛନ୍ତି। ଏହାର ଅଭାବ ଅଭିବୃଦ୍ଧି ପଥରେ ଅନ୍ତରାୟ ସୃଷ୍ଟି କରୁଛି। ଏହି କ୍ଷେତ୍ରରେ ଅଧିକ ନିବେଶକୁ ସରକାର ପ୍ରାଥମିକତା ଦେଉଛନ୍ତି। ଭିତ୍ତିଭୂମି ବିକାଶ ଲାଗି ଆଗାମୀ ୫ ବର୍ଷରେ ୫୦ ଲକ୍ଷ କୋଟି ଟଙ୍କାର ନିବେଶ ଆବଶ୍ୟକତା ରହିଛି। ୨୦୦୭ରୁ ୨୦୧୭ ମଧ୍ୟରେ ଦେଶରେ ଉକ୍ତ କ୍ଷେତ୍ରରେ ୬୦ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଛି। ୨୦୧୭-୧୮ ଆର୍ଥତ୍କ ବର୍ଷରେ ଭିତ୍ତିଭୂମି ଲାଗି ୩.୯୬ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ନିବେଶ ଉନ୍ନତ ହେଲେ ଏହା ଅର୍ଥନୀତି ଉପରେ ଉତ୍ତମ ପ୍ରଭାବ ପକାଇବା ସହ ନିଯୁକ୍ତି ମଧ୍ୟ ସୃଷ୍ଟି କରିପାରିବ। ଭାରତ ବର୍ତ୍ତମାନ ୮% ଅଭିବୃଦ୍ଧି ଆଡକୁ ଅଗ୍ରସର ହେଉଥିବା ବେଳେ ଦେଶର ଜିଡିପି ୨.୫ ଟ୍ରିଲିୟନ ଡଲାର ନିକଟତର ହୋଇଥିବା ସେ ସୂଚନା ଦେଇଛନ୍ତି। ଅପରପକ୍ଷରେ, ମୁଦ୍ରାସ୍ଫୀତି ହ୍ରାସ, ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣ, ଦାରିଦ୍ର୍ୟ ଦୂରୀକରଣ, ରାଜପଥ ବିକାଶ, ଆଞ୍ଚଳିକ ସ୍ତରରେ ବିମାନ ସଂଯୋଗୀକରଣ, ନୂଆ ବିମାନ ବନ୍ଦର ସ୍ଥାପନ ତଥା ବିମାନ ବନ୍ଦର ବିକାଶ, ରିହାତି ଦରରେ ବିମାନ ସେବା ଭଳି ପ୍ରସଙ୍ଗକୁ ପ୍ରାଥମିକତା ଦିଆଯାଇଛି। ସେହିଭଳି ରେଳ ଭିତ୍ତିଭୂମି ବିକାଶ, ଗ୍ରାମୀଣ ବିଦ୍ୟୁତ ସଂଯୋଗୀକରଣ ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଭଳି ବିଭିନ୍ନ ପଦକ୍ଷେପ ଉପରେ ସରକାର ଧ୍ୟାନ କେନ୍ଦ୍ରିତ କରିଛନ୍ତି ବୋଲି ଜେଟଲୀ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri