ଦେଶରେ ୬୦ ହଜାରରୁ ଊର୍ଦ୍ଧ୍ୱ ପେଟ୍ରୋଲ ପମ୍ପ


ନୂଆଦିଲ୍ଲୀ/ଭୁବନେଶ୍ୱର,୨୯-୧୧(ବ୍ୟୁରୋ) ଗତ ୬ ବର୍ଷ ମଧ୍ୟରେ ଦେଶରେ ପେଟ୍ରୋଲ ପମ୍ପ ସଂଖ୍ୟାରେ ୪୫% ବୃଦ୍ଧି ଘଟିଛି। ସମଗ୍ର ବିଶ୍ୱରେ ପେଟ୍ରୋଲ ପମ୍ପ ସଂଖ୍ୟାରେ ଏହା ସର୍ବୋଚ୍ଚ ଅଭିବୃଦ୍ଧି ହାର। ରାଷ୍ଟ୍ରାୟତ୍ତ ଏବଂ ଘରୋଇ ତୈଳ କମ୍ପାନୀଗୁଡିକ ରିଟେଲିଂ ସାଇଟ୍‌ଗୁଡିକରେ ବୃହତ୍‌ ମାତ୍ରାରେ ପେଟ୍ରୋଲ ପମ୍ପମାନ ଖୋଲୁଥିବାରୁ ଏହି ସଂଖ୍ୟାରେ ବଡ ଧରଣର ବୃଦ୍ଧି ଘଟିଛି। ଅକ୍ଟୋବର ଶେଷ ସୁଦ୍ଧା ଦେଶରେ ୬୦,୭୯୯ ଆଉଟ୍‌ଲେଟ୍‌ ଥିବା ତୈଳ ମନ୍ତ୍ରଣାଳୟର ପେଟ୍ରୋଲିୟମ୍‌ ପ୍ଲାନିଂ ଏବଂ ଆନାଲିସିସ୍‌ ସେଲ୍‌ ପ୍ରଦତ୍ତ ତଥ୍ୟରୁ ଜଣାଯାଇଛି। ଅନ୍ୟପକ୍ଷରେ, ଓଡ଼ିଶାରେ ଏହି ସଂଖ୍ୟା ୧,୬୦୦ରୁ ଅଧିକ ରହିଥିବାବେଳେ ଗ୍ରାମାଞ୍ଚଳରେ ମାତ୍ର ୧୦% ପେଟ୍ରୋଲ ପମ୍ପ ରହିଥିବା ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ(ଓଡ଼ିଶା)ର ସାଧାରଣ ସମ୍ପାଦକ ତଥା ସର୍ବଭାରତୀୟ ପେଟ୍ରୋଲିୟମ୍‌ ଡିଲର ସଂଘ(ନୂଆଦିଲ୍ଲୀ)ର ମହାସଚିବ ସଞ୍ଜୟ ଲାଠ୍‌ ପ୍ରକାଶ କରିଛନ୍ତି। ଗ୍ରାମାଞ୍ଚଳରେ ଏକ ପେଟ୍ରୋଲ ପମ୍ପରେ ବାର୍ଷିକ ବ୍ୟୟ ଯେଉଁ ଅନୁସାରେ ରହୁଛି ସେହି ଅନୁସାରେ ଆୟ ନାହିଁ। ଷ୍ଟାଫ ଦରମା, ପମ୍ପର ରକ୍ଷଣାବେକ୍ଷଣ ଖର୍ଚ୍ଚ ତା’ଛଡା ଭିତ୍ତିଭୂମିର ଅଭାବ ଯୋଗୁ ଏଠାରେ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଡିଲରମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଗ୍ରାମାଞ୍ଚଳରେ ଚାହିଦା ନାହିଁ। ଚାହିଦା ନ ରହିବାର କାରଣ ହେଉଛି ଗୋଟିଏ ସ୍ଥାନରେ ଯଦି ଏକ ରାଷ୍ଟ୍ରାୟତ୍ତ କମ୍ପାନୀ ସାଧାରଣ ପମ୍ପଟିଏ ଖୋଲିଛି, ଉକ୍ତ ସ୍ଥାନଠାରୁ ମାତ୍ର କିଛି ଦୂରତ୍ୱ ମଧ୍ୟରେ ଆଉ ଏକ ରାଷ୍ଟ୍ରାୟତ୍ତ କମ୍ପାନୀକୁ ଗ୍ରାମୀଣ ପମ୍ପ ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଉଛି। ସରକାର ୩ଟି ଯାକ ରାଷ୍ଟ୍ରାୟତ୍ତ କମ୍ପାନୀକୁ ଗ୍ରାମୀଣ ପମ୍ପ ଖୋଲିବାର ଅନୁମତି ଦେଇଛନ୍ତି। ଏଭଳି କ୍ଷେତ୍ରରେ ଗୋଟିଏ ଅଞ୍ଚଳରେ ଯଦି ୩ଟି ଯାକ ରାଷ୍ଟ୍ରାୟତ୍ତ କମ୍ପାନୀ ପେଟ୍ରୋଲ ପମ୍ପ ଖୋଲିବେ ତା’ହେଲେ ଉପଭୋକ୍ତା ପରସ୍ପର ମଧ୍ୟରେ ବାଣ୍ଟି ହୋଇଯିବେ। ଗ୍ରାମାଞ୍ଚଳର ଜନସଂଖ୍ୟା ଯାହା ଏହି ସଂଖ୍ୟା ୩ଟି ଯାକ କମ୍ପାନୀ ମଧ୍ୟରେ ବାଣ୍ଟି ହୋଇଗଲେ କାହାର ଲାଭ ହେବ ନାହିଁ। ତେଣୁ କମ୍ପାନୀଗୁଡିକ ଗ୍ରାମାଞ୍ଚଳରେ ପମ୍ପ ଖୋଲିବା ପାଇଁ ଆଗ୍ରହ ପ୍ରକାଶ କରୁ ନ ଥିବା ଲାଠ୍‌ କହିଛନ୍ତି। ସରକାରଙ୍କ ନୀତିନିୟମ ଠିକ୍‌ ରହୁ ନ ଥିବା କାରଣରୁ ଏହି ସମସ୍ୟା ସୃଷ୍ଟି ହେଉଥିବା ସେ କହିଛନ୍ତି। ଘରୋଇ କମ୍ପାନୀଗୁଡିକ କ୍ଷେତ୍ରରେ କିନ୍ତୁ ଏହି ସମସ୍ୟା ଦେଖା ଦେଉ ନ ଥିବା ସେ କହିଛନ୍ତି। ପେଟ୍ରୋଲ ପମ୍ପ ସଂଖ୍ୟାରେ ଭାରତ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚାଇନା ୨ଟି ରାଷ୍ଟ୍ର ପଛରେ ରହିଛି। ୨୦୧୧ରେ ଦେଶରେ ୪୧,୯୪୭ ସଂଖ୍ୟକ ପେଟ୍ରୋଲ ପମ୍ପ ଥିଲା। ଏଥିମଧ୍ୟରୁ ୨,୯୮୩ ସଂଖ୍ୟକ ପମ୍ପ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଏବଂ ଏସାର ଅଏଲ୍‌ ଭଳି ଘରୋଇ କମ୍ପାନୀ ଅଧୀନରେ ରହିଥିଲା। ବର୍ତ୍ତମାନ ଘରୋଇ କମ୍ପାନୀଗୁଡିକର ୫,୪୭୪ ସଂଖ୍ୟକ ପେଟ୍ରୋଲ ପମ୍ପ ରହିଛି। ଘରୋଇ କମ୍ପାନୀଗୁଡିକ ମଧ୍ୟରେ ଏସାର ଅଏଲ୍‌ର ସର୍ବାଧିକ ୩,୯୮୦ ପେଟ୍ରୋଲ ପମ୍ପ ରହିଛି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚାଇନାରେ ପାଖାପାଖି ୧ ଲକ୍ଷ ଲେଖାଏ ପେଟ୍ରୋଲ ପମ୍ପ ରହିଥିବା ପେଟ୍ରୋଲିୟମ୍‌ ପ୍ଲାନିଂ ଏବଂ ଆନାଲିସିସ୍‌ ସେଲ୍‌ ପ୍ରଦତ୍ତ ତଥ୍ୟରୁ ଜଣାଯାଇଛି। ସମଗ୍ର ବିଶ୍ୱର କେତେକ ରାଷ୍ଟ୍ରରେ ପେଟ୍ରୋଲ ପମ୍ପ ସଂଖ୍ୟାରେ ହ୍ରାସ ଘଟିଛି। ଏହାର କାରଣ ହେଉଛି ଉକ୍ତ ରାଷ୍ଟ୍ରଗୁଡିକ ଇଲେକ୍ଟ୍ରିକ୍‌ ଭେଇକିଲ୍‌ ତଥା ବିକଳ୍ପ ଇନ୍ଧନମୁହାଁ ହୋଇଛନ୍ତି। ଭାରତ ସମଗ୍ର ବିଶ୍ୱରେ ଅନ୍ୟତମ ବୃହତ୍‌ ତୈଳ ବ୍ୟବହାରକାରୀ ରାଷ୍ଟ୍ର ହୋଇଥିବାରୁ ଏଠାରେ ଏହି ସଂଖ୍ୟା ବଢ଼ିଛି। ୨୦୧୧ ଏବଂ ୨୦୧୭ ମଧ୍ୟରେ ଭାରତରେ ୧୮,୮୫୨ ସଂଖ୍ୟକ ନୂଆ ଆଉଟ୍‌ଲେଟ୍‌ ଖୋଲିଛି। ୬୦,୭୯୯ ସଂଖ୍ୟକ ପେଟ୍ରୋଲ ପମ୍ପ ମଧ୍ୟରୁ ୫୫,୩୨୫ ସଂଖ୍ୟକ ପମ୍ପ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ ଦ୍ୱାରା ଅଧିକୃତ ବୋଲି ତୈଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri