ଲାଇସେନ୍ସ ନ ଥିବା ହୋଟେଲ ବନ୍ଦ ହେବ


ନୂଆଦିଲ୍ଲୀ,୧୪-୧୧(ପି.ଟି.) ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ କର୍ତ୍ତୃପକ୍ଷ(ଏଫ୍‌ଏସ୍‌ଏସ୍‌ଏଆଇ) ବିନା ଲାଇସେନ୍ସରେ ହୋଟେଲ ଓ ରେଷ୍ଟୁରାଣ୍ଟ ଚଳାଉଥିବା ମାଲିକମାନଙ୍କ ପ୍ରତି କଡା ଆଭିମୁଖ୍ୟ ପ୍ରକାଶ କରିଛି। ଆସନ୍ତା ୩ ମାସ ମଧ୍ୟରେ ଲାଇସେନ୍ସ ସଂଗ୍ରହ କରିବାରେ ବିଫଳ ହେଲେ ଉକ୍ତ ହୋଟେଲ ତଥା ରେଷ୍ଟୁରାଣ୍ଟଗୁଡିକୁ ବନ୍ଦ କରି ଦିଆଯିବ ବୋଲି ଏହା ଚେତାବନୀ ଦେଇଛି। ଏହି ନିୟମ ଧାର୍ମିକ ସଂସ୍ଥାଗୁଡିକ ସହ ଅନ୍ୟାନ୍ୟ ଅନୁଷ୍ଠାନଗୁଡିକ ଉପରେ ମଧ୍ୟ ଲାଗୁ ହେବ, ଯେଉଁମାନେ ମାଗଣାରେ ଖାଦ୍ୟ ପ୍ରଦାନ କରୁଛନ୍ତି। ଛୋଟ ଛୋଟ ନିର୍ମାତା, ଖୁଚୁରା ବେପାରୀ ଏବଂ ହକର୍‌ମାନଙ୍କୁ ଏହି ନିୟମରୁ ବାଦ୍‌ ରଖାଯାଇଥିବା ଜଣାଯାଇଛି। ଏଫ୍‌ଏସ୍‌ଏସ୍‌ଏଆଇର ସିଇଓ ପଓ୍ବନ୍‌ କୁମାର ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି ଯେ, ହୋଟେଲ ତଥା ରେଷ୍ଟୁରାଣ୍ଟ ମାଲିକମାନଙ୍କ ପାଇଁ ଲାଇସେନ୍ସ ବାଧ୍ୟତାମୂଳକ। ଏ ନେଇ ପ୍ରଥମେ ଫୁଡ୍‌ ବିଜ୍‌ନେସ୍‌ ଅପରେଟରମାନଙ୍କୁ ଅବଗତ କରାଯିବ। ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବା ଲାଗି ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯିବ। ସେ ଆହୁରି କହିଛନ୍ତି ଯେ, ଦେଶରେ ୩୦ରୁ ୪୦% ରେଷ୍ଟୁରାଣ୍ଟ ଏବଂ ହୋଟେଲ ବିନା ଏଫ୍‌ଏସ୍‌ଏସ୍‌ଏଆଇ ଲାଇସେନ୍ସରେ ବ୍ୟବସାୟ କରୁଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଅଗ୍ରଓ୍ବାଲ ଏଠାରେ ଫିକି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ‘ଫୁଡ୍‌ଜାନିଆ ୨୦୧୭’ରେ ପ୍ରକାଶ କରିଛନ୍ତି। ଏଫ୍‌ଏସ୍‌ଏସ୍‌ଏଆଇ ଲାଇସେନ୍ସ ବାଧ୍ୟତାମୂଳକ ଅବା ନୁହେଁ ଏ ନେଇ ଅନେକ ଖାଦ୍ୟ ବ୍ୟବସାୟୀ ଦ୍ୱନ୍ଦ୍ୱ ମଧ୍ୟରେ ରହୁଛନ୍ତି। ତେଣୁ ଅଗ୍ରଓ୍ବାଲ ସ୍ପଷ୍ଟ କରିଛନ୍ତି ଯେ, ଏହା ବାଧ୍ୟତାମୂଳକ। ଏହାର ଅନୁପାଳନ କରା ନ ଗଲେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଭିନ୍ନ ପ୍ରକାର ଦ୍ୱନ୍ଦ୍ୱ ରହୁଥିବାରୁ ପ୍ରଥମେ ରାଜ୍ୟ ସରକାରଙ୍କୁ ଏହା ଉପରେ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି। ଆସନ୍ତା ୩ ମାସ ମଧ୍ୟରେ ଏଫ୍‌ଏସ୍‌ଏସ୍‌ଏଆଇ ଲାଇସେନ୍ସ ହାସଲ ନ କଲେ ଦେଶବ୍ୟାପୀ ଥିବା ଏଭଳି ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକୁ ବନ୍ଦ କରି ଦିଆଯିବ। ବ୍ୟବସାୟର ଆକାର ଦୃଷ୍ଟିକୋଣରୁ ମନ୍ଦିର ଏବଂ ଅନ୍ୟାନ୍ୟ ଧାର୍ମିକ ସଂସ୍ଥାଗୁଡିକ ଉପରେ ମଧ୍ୟ ଏହି ନିୟମ ଲାଗୁ ହେବ। ସେମାନଙ୍କ ପାଇଁ ମଧ୍ୟ ଏଫ୍‌ଏସ୍‌ଏସ୍‌ଏଆଇ ଲାଇସେନ୍ସ ଆବଶ୍ୟକ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଲାଇସେନ୍ସ ନେବା ପରେ ମଧ୍ୟ ଖାଦ୍ୟ ବ୍ୟବସାୟୀମାନଙ୍କୁ ଅନ୍ୟାନ୍ୟ ନିୟମଗୁଡିକର ଅନୁପାଳନ କରିବାକୁ ପଡିବ। ସେମାନଙ୍କର ଖାଦ୍ୟ ନିରାପତ୍ତା ପରିଚାଳନା ଯୋଜନା ଏଫ୍‌ଏସ୍‌ଏସ୍‌ଏଆଇ ନିକଟରେ ଦାଖଲ କରିବାକୁ ପଡିବ। ଖାଦ୍ୟ ନିରାପତ୍ତା ଏବଂ ମାନକ ଅଧିନିୟମ, ୨୦୦୬ ଅନୁଯାୟୀ ବିନା ଲାଇସେନ୍ସରେ କୌଣସି ବ୍ୟକ୍ତି କୌଣସି ପ୍ରକାର ଖାଦ୍ୟ ବ୍ୟବସାୟ ଆରମ୍ଭ କରିପାରିବେ ନାହିଁ। ଏହି ଆଇନ ଅଧୀନରେ ସେ ଘରୋଇ ହେଉ କିମ୍ବା ସରକାରୀ, ଲାଭକାରୀ ହେଉ କିମ୍ବା ଅଣଲାଭକାରୀ ସମସ୍ତ ସଂସ୍ଥା ଅନ୍ତର୍ଭୁକ୍ତ। ଖାଦ୍ୟ ଉତ୍ପାଦନ ହେଉ କିମ୍ବା ପ୍ରକ୍ରିୟାକରଣ, ପ୍ୟାକେଜିଂ କିମ୍ବା ଷ୍ଟୋରେଜ୍‌, ଖାଦ୍ୟ ପରିବହନ ହେଉ କିମ୍ବା ବିତରଣ, ଆମଦାନୀ ହେଉ କିମ୍ବା କ୍ୟାଟରିଂ ଅବା ଖାଦ୍ୟ ତଥା ଅନ୍ୟାନ୍ୟ ଉପାଦାନର ବିକ୍ରି ସବୁ ପାଇଁ ଲାଇସେନ୍ସ ବାଧ୍ୟତାମୂଳକ। ଅଗ୍ରଓ୍ବାଲଙ୍କ କହିବାନୁଯାୟୀ, ଆଗକୁ ସମସ୍ତ ଖାଦ୍ୟ ବ୍ୟବସାୟିକ ସଂସ୍ଥା ଅତିକମ୍‌ରେ ଜଣେ ଖାଦ୍ୟ ନିରାପତ୍ତା ନିରୀକ୍ଷକଙ୍କୁ ନିଯୁକ୍ତି ଦେବେ। ଫୁଡ୍‌ ଅପରେଟରମାନେ ସେମାନଙ୍କ ଲାଇସେନ୍ସକୁ ନିଜ ପ୍ରାଙ୍ଗଣର ଏଭଳି ଏକ ସ୍ଥାନରେ ପ୍ରଦର୍ଶିତ କରିବେ ଯେଉଁଠି ସମସ୍ତଙ୍କ ନଜର ପଡୁଥିବ। ରେଷ୍ଟୁରାଣ୍ଟର ଡିସ୍‌ପ୍ଲେ ବୋର୍ଡରେ ଉକ୍ତ ରେଷ୍ଟୁରାଣ୍ଟର ଗ୍ରାହକ ସେବା ଏବଂ ସମ୍ପୃକ୍ତ ଅଞ୍ଚଳର ଫୁଡ୍‌ ଇନ୍ସପେକ୍ଟରଙ୍କ ମୋବାଇଲ ନମ୍ବର ରହିବ ବୋଲି ଅଗ୍ରଓ୍ବାଲ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri